ପ୍ରବନ୍ଧ ପ୍ରବେଶ

 

 

 

 

 

 

 

 

 

 

 

 

ପ୍ରବନ୍ଧ ପ୍ରବେଶ

ବାସୁଦେବ ମହାପାତ୍ର

 

ଶକୁନ୍ତଳା

 

ବାଳିକା, ଗୃହିଣୀମାନଙ୍କପାଇଁ ଏ ପୁସ୍ତକ ଓଡ଼ିଆ ସାହିତ୍ୟ ମହଲରେ ସମ୍ପୂର୍ଣ୍ଣ ନୂତନ । ଏହାର ଭାଷାର ସରଳତା, ଅଥଚ ବର୍ଣ୍ଣନାର ବିଭବ ପ୍ରଶଂସା କରିବାର କଥା । ସ୍ତ୍ରୀମାନଙ୍କ ଆଗରେ ଏଭଳି ପୁସ୍ତକ ଉଜ୍ଜ୍ୱଳ ଆଦର୍ଶ ଧରି ଚଳାଇବ । ବହିଟି ଉପନ୍ୟାସ ଧରଣରେ ଲେଖା । ମଧ୍ୟେ ମଧ୍ୟେ ସ୍ତ୍ରୀମାନଙ୍କ ପ୍ରାଣର ଭାଷା ଓ ଢଗ ଢମାଳି ରହି ପୁସ୍ତକକୁ ହୃଦୟସ୍ପର୍ଶୀ କରୁଅଛି । ସ୍ତ୍ରୀମାନଙ୍କୁ ଉପହାର ଦେବାପାଇଁ ଏହା ଉତ୍କୃଷ୍ଟ ପୁସ୍ତକ ।

Image

 

ସୂଚୀପତ୍ର

 

ପ୍ରବନ୍ଧ ରଚନା ପ୍ରତି ସାଧାରଣ ଉପଦେଶ

୧.

ଭାଷା

୨.

ଦୋଷ

୩.

ସୌନ୍ଦର୍ଯ୍ୟ

ଭାବର ଅଭିବୃଦ୍ଧି

୧.

ଅଭିବୃଦ୍ଧିର ଅନୁଶୀଳନୀ ନିମନ୍ତେ କେତେକ ସୂକ୍ତି...

ପ୍ରବନ୍ଧ ଲିଖନ

ପ୍ରବନ୍ଧର ଶ୍ରେଣୀ ବିଭାଗ

ସଙ୍କେତ ନିରୂପଣ

ଶୃଙ୍ଖଳା

ବ୍ୟଞ୍ଜନା ବା ଇଙ୍ଗିତ

ସଙ୍କେତରୁ ପ୍ରବନ୍ଧ

ଉଦାହରଣ (ହସ୍ତୀ)

(ସମୟ)

ପ୍ରବନ୍ଧ ରଚନା ସକାଶେ ସଙ୍କେତ

(ବ୍ୟାୟାମ

୧୦

ପରିବାର

୧୧

ଓଡ଼ିଶାରେ ଅନ୍ତ୍ୟେଷ୍ଟି

୧୨

ରାଧାନାଥ

୧୩

ଭାରତରେ ଗ୍ରୀଷ୍ମକାଳ

୧୪

ଜଳଯାତ୍ରା

୧୫

ଧନ

୧୬

ବାଣିଜ୍ୟ

୧୭

ମୂଦ୍ରାଯନ୍ତ୍ର

୧୮

ସ୍ତ୍ରୀ ଶିକ୍ଷା

ପ୍ରବନ୍ଧ

ଚନ୍ଦ୍ରଶେଖର

ବାଲ୍ୟବିବାହ

ରେଲ ପଥରେ ଭ୍ରମଣ

ନାଟକ ଅଭିନୟ

ରଥଯାତ୍ରା

ଭାରତୀୟ ଦୂର୍ଭିକ୍ଷ

ବର୍ଷାଋତୁ

ଓଡ଼ିଶାର ପ୍ରାଚୀନ ସାମରିକତା

ହିନ୍ଦୁ ଜାତି ବିଭାଗ

୧୦

ଆକବର ଓ ଆଉରଙ୍ଗଜେବ

୧୧

ଦୁର୍ଗାପୂଜା

୧୨

ଆଜ୍ଞାନୁବର୍ତ୍ତିତା

୧୩

ପୁରୀନଗରୀ

୧୪

ଆତ୍ମତ୍ୟାଗ

୧୫

ବନବିଦ୍ୟାଳୟ

୧୬

ସ୍ୱାସ୍ଥ୍ୟ

୧୭

ବ୍ୟୟ

୧୮

ବନ୍ଧୁତା

୧୯

ସଂବାଦପତ୍ର

୨୦

ଓଡ଼ିଶାରେ ରେଲପଥର ଫଳାଫଳ

୨୧

ପ୍ୟାରୀମୋହନ

୨୨

କୋଣାର୍କ

୨୩

ଶିକ୍ଷା

୨୪

ଓଡ଼ିଶାର ଶେଷ ସ୍ୱାଧୀନ ରାଜା

୨୫

ଆଦର୍ଶ

୨୬

ବୁଦ୍ଧି ଓ ବିବେକ

୨୭

ଓଡ଼ିଶାର ଶିଳ୍ପ

ଅନୁଶୀଳନୀ

Image

 

ନିବେଦନ

 

କ୍ଳାସର ଦୈନିକ ଟିପ୍ପଣୀଗୁଡ଼ିକ ପୁସ୍ତକ ଆକାରରେ ପ୍ରକାଶ କରିବାପାଇଁ ମୋର ଶ୍ରଦ୍ଧେୟ ଛାତ୍ରମାନଙ୍କର ବାରମ୍ବାର ଅନୁରୋଧ ପ୍ରଥମେ ଏ ପୁସ୍ତକର କଳ୍ପନା ମୋ ମନରେ ଦିଏ । ଦ୍ୱିତୀୟତଃ, ପୁସ୍ତକର ଲିଖନ ପ୍ରଣାଳୀ ଓ ଚିନ୍ତାରେ ଭ୍ରାତୃପ୍ରତିମ ଶ୍ରୀ ଗୋଦାବରୀଶ ମିଶ୍ରଙ୍କର ଯଥେଷ୍ଟ ସାହାଯ୍ୟ ପାଇ ନଥିଲେ ଏ ପୁସ୍ତକ କୌଣସି ଆକାର ନେଇ ପାରି ନ ଥାନ୍ତା । ଆଉ ମଧ୍ୟ ସ୍କୁଲର ଅନ୍ୟାନ୍ୟ ଶିକ୍ଷକମାନେ ସ୍ଥାନେ ସ୍ଥାନେ ଯେ ସବୁ ସାହାଯ୍ୟ କରିଛନ୍ତି, ତାହା କଦାପି ଭୁଲି ପାରିବି ନାହିଁ । ସ୍କୁଲ ସ୍ୱତଃ–ପ୍ରବୃତ୍ତ ହୋଇ ପ୍ରଥମ ସଂସ୍କରଣର ମୁଦ୍ରଣଭାର ବହନ କରି ନ ଥିଲେ, ଅର୍ଥର ଅଭାବରେ ପୁସ୍ତକ ହୁଏତ ଛପା ହୋଇ ପାରି ନ ଥାନ୍ତା । ଆଉ ଏତେ ଦୂର ପ୍ରଚାର ମଧ୍ୟ ଅସମ୍ଭବ ହୋଇ ଥାଆନ୍ତା । ମୋର ଏହି ପ୍ରଥମ ଉଦ୍ୟମରେ ଉତ୍କଳର ଛାତ୍ର–ବୃନ୍ଦଙ୍କର ଯେ ଆଗ୍ରହ ଓ ସହାନୁଭୂତି ପାଇଅଛି, ତାହା କେବଳ ଏତେ ଶୀଘ୍ର ମୋତେ ଦ୍ୱିତୀୟ ସଂସ୍କରଣ କରିବାକୁ ସାହସୀ କଲା । ଏ ସଂସ୍କରଣରେ ଅନେକ ପରିମାଣରେ ପରିବର୍ତ୍ତନ ପରିବର୍ଦ୍ଧନ ମଧ୍ୟ ହୋଇଅଛି । ସୁତରାଂ ଏଥି ସକାଶେ ବହୁ ଲୋକଙ୍କ ନିକଟରେ କୃତଜ୍ଞ, କହିବା ନିସ୍ପ୍ରୟୋଜନ ।

 

ଗ୍ରନ୍ଥକାର

Image

 

ପ୍ରବନ୍ଧ ରଚନା ପ୍ରତି ସାଧାରଣ ଉପଦେଶ

 

ଶୃଙ୍ଖଳାବଦ୍ଧ ଚିନ୍ତା ଭାଷାରେ ପ୍ରକାଶିତ ହେଲେ ତାହାକୁ ପ୍ରବନ୍ଧ କୁହାଯାଏ । ପ୍ରବନ୍ଧ ନିମନ୍ତେ ଚିନ୍ତା ଏକମାତ୍ର ପ୍ରୟୋଜନୀୟ । ତାହା ପ୍ରବନ୍ଧର ସର୍ବସ୍ୱ । ଭାଷା ତାହାର ପ୍ରକାଶକ ମାତ୍ର । କିନ୍ତୁ ଭାଷାର ସୌଷ୍ଠବ ଉପରେ ପ୍ରବନ୍ଧର ସୌନ୍ଦର୍ଯ୍ୟ ନିର୍ଭର କରେ । ଚିତ୍ରକରର ମୂର୍ତ୍ତି ଗଠନ ପରିପାଟୀ ସଙ୍ଗେ ରଚନାକୌଶଳର ଅନେକ ସୌସାଦୃଶ୍ୟ ଅଛି । ପ୍ରଥମେ ଚିତ୍ରକର ମୂର୍ତ୍ତିର କଙ୍କାଳ ପ୍ରତି ବିଶେଷ ସାବଧାନ । ଏହି କଙ୍କାଳଗଠନରେ କୌଣସି ତ୍ରୁଟି ଘଟିଲେ ମୂର୍ତ୍ତିଟି ପରିଶେଷରେ ଅସୁନ୍ଦର ହେବାର କଥା । କଙ୍କାଳଗଠନ ପରେ ଚିତ୍ରକର ମାଟି ପ୍ରଭୃତି ଦ୍ରବ୍ୟ ଦେଇ ଆସ୍ତେ ଆସ୍ତେ ପ୍ରତିମାର ଉପଯୁକ୍ତ ଆକାର ଗଠନ କରେ । ସର୍ବଶେଷରେ ବେଶଭୂଷଣ ବିନ୍ୟାସପରିପାଟୀଦ୍ୱାରା ପ୍ରତିମାର ସୌନ୍ଦର୍ଯ୍ୟ ଫୁଟି ଉଠେ । ପ୍ରବଦ୍ଧ ଲେଖିବା ଅନେକ ପରିମାଣରେ ଏହିପରି । କୌଣସି ଗୋଟିଏ ବିଷୟରେ ପ୍ରବନ୍ଧ ଲେଖିବାକୁ ଗଲେ, ପ୍ରଥମରେ ବିଶେଷ ଚିନ୍ତା ଓ ସାବଧାନତାର ସହିତ ପ୍ରବନ୍ଧର କଙ୍କାଳ ଗଠନ କରିବାକୁ ହେବ । ଏହି କଙ୍କାଳ ପ୍ରବନ୍ଧର ବିଶିଷ୍ଟ ସଙ୍କେତ (Points) ମାନଙ୍କରେ ଗଠିତ । କିନ୍ତୁ ସଙ୍କେତଗୁଡ଼ିକର ଗୋଟିଏ ଯଥାଯଥ ଶୃଙ୍ଖଳା ରହିବା ଆବଶ୍ୟକ । କଙ୍କାଳ ଗଠନ ପରେ ଉପୁଯୁକ୍ତ ଭାଷାଦ୍ୱାରା ପ୍ରବନ୍ଧର ପୂର୍ଣ୍ଣ ବିକାଶ କରିବାକୁ ହେବ । ଚିତ୍ରକରର ଚିତ୍ର କେବଳ ମୂର୍ତ୍ତି ଗଠନରେ ସର୍ବାଙ୍ଗସୁନ୍ଦର ନୋହିଲା ପରି, କେବଳ ଯେ କୌଣସି ପ୍ରକାରେ ସଙ୍କେତମାନଙ୍କୁ ଭାଷାରେ ପ୍ରକାଶକରିବାଦ୍ୱାରା ପ୍ରବନ୍ଧ ସୁନ୍ଦର ଓ ଚିତ୍ତାକର୍ଷକ ହୁଏ ନାହିଁ । ସେଥି ନିମନ୍ତେ ଭାଷାବିନ୍ୟାସରେ ପରିପାଟୀ ପ୍ରୟୋଜନ । ଅବଶ୍ୟ ସଙ୍କେତମାନଙ୍କୁ ପ୍ରଥମତଃ ଭାଷାରେ ପ୍ରକାଶ କରି, ତତ୍‌ପରେ ସେଥିରେ ସୌନ୍ଦର୍ଯ୍ୟ ସନ୍ନିବେଶ କରାଯାଏ ନାହିଁ । ଦୁଇଟିଯାକ ଏକସମୟରେ କରିବାକୁ ହେବ । ସିଦ୍ଧହସ୍ତ ଲେଖକମାନଙ୍କର ଚିନ୍ତା ଭାଷାରେ ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ଭାଷାବିନ୍ୟାସର ପରିପାଟୀ ସ୍ୱତଃ ବିକାଶ ପାଇଥାଏ । ସେମାନଙ୍କୁ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼େ ନାହିଁ । ନବୀନ ଲେଖକମାନେ ଲେଖିଲାବେଳେ ଟିକିଏ ଦୃଷ୍ଟି ଦେଲେ ଭାଷାର ସୌଷ୍ଠବ ସମ୍ପାଦିତ ହୁଏ ଏବଂ ପ୍ରବନ୍ଧ ସୁନ୍ଦର ଓ ସୁଖପାଠ୍ୟ ହୁଏ ।

 

ନୂତନ ଚିତ୍ରକରମାନେ ପ୍ରଥମତଃ ଗୋଟିଏ ପୂର୍ଣ୍ଣମୂର୍ତ୍ତି ଗଢ଼ିବାକୁ ପ୍ରୟାଶ ନ କରି, ମୂର୍ତ୍ତିର ଅଙ୍ଗବିଶେଷ ଗଠନରେ ହାତ ବଳାଇଥାନ୍ତି । ପ୍ରଥମେ ନାକ, ଗୋଡ଼, କାନ, ହାତ ପ୍ରଭୃତି ଗୋଟି ଗୋଟି କରି ଅଭ୍ୟାସ କଲାପରେ ପରିଶେଷରେ ସେମାନେ ପୂର୍ଣ୍ଣମୂର୍ତ୍ତି ଗଢ଼ିବାକୁ ସମର୍ଥ ହୁଅନ୍ତି । ସେହିପରି ସାଧାରଣ ନୂତନ ପ୍ରବନ୍ଧଲେଖକ ପକ୍ଷରେ ପୂର୍ଣ୍ଣ ପ୍ରବନ୍ଧଟିଏ ଲେଖିବା ନିତାନ୍ତ ସହଜ ନୁହେଁ । ସେଥି ପୂର୍ବରୁ କୌଣସି ଗୋଟିଏ ବିଶେଷ ସଙ୍କେତ ନେଇ, ଚିନ୍ତାଦ୍ୱାରା ତାହାର ଅଭିବୃଦ୍ଧି କରିବାକୁ ହେବ ଏବଂ ସହଜ ଓ ସୁନ୍ଦର ଭାଷାରେ ତାହାକୁ ପ୍ରକାଶ କରିବାକୁ ହେବ । ଏହାକୁ ଭାବର ଅଭିବୃଦ୍ଧି (Expansion of thought) କହନ୍ତି । ଆଜିକାଲି ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ଇଂରେଜ ଓ ଦେଶୀୟ ଭାଷାରେ ଭାବ ଅଭିବୃଦ୍ଧି କରିବାକୁ ପ୍ରଶ୍ନ ଦିଆଯାଉଅଛି । ଛାତ୍ରମାନେ ପ୍ରବନ୍ଧ ଲେଖିବା ସହଜ ମଣୁଅଛନ୍ତି, କିନ୍ତୁ ଏହି ଭାବ ଅଭିବୃଦ୍ଧି କଲାବେଳକୁ ତାଙ୍କୁ ସାଧାରଣତଃ ଭାବ ବା ଭାଷା ଦୃଶ୍ୟ ହେଉନାହିଁ । ମାତ୍ର ବାସ୍ତବରେ ଏହି ଭାବ ଅଭିବୃଦ୍ଧି ପ୍ରବନ୍ଧଲିଖନର ପୂର୍ବବର୍ତ୍ତୀ କାର୍ଯ୍ୟ । ପ୍ରବନ୍ଧ ନିମନ୍ତେ ଯେଉଁସବୁ ସଙ୍କେତ ବାଛ ନିଆଯାଏ, ତାହାର ଭାବ ଅଭିବୃଦ୍ଧି କରି, ପ୍ରବନ୍ଧର ପ୍ରୟୋଜନୀୟ ଶୃଙ୍ଖଳାରେ ସେ ଗୁଡ଼ିକ ସନ୍ନିବେଶ କଲେ, ପ୍ରବନ୍ଧ ପୂର୍ଣ୍ଣ ହୁଏ । ଅତଏବ ଛାତ୍ରମାନଙ୍କର ପ୍ରଥମେ ଭାବ ଅଭିବୃଦ୍ଧି ଅଭ୍ୟାସ କରିବା ଆବଶ୍ୟକ ।

 

ଭାଷା

 

ଭାଷାର କୌଣସି ନିର୍ଦ୍ଧିଷ୍ଟ ଛାଞ୍ଚ ନାହିଁ । ଆମ୍ଭେମାନେ ଦେଖୁଁ କୌଣସି କୌଣସି ଲେଖକ କଷ୍ଟବୋଧ୍ୟ ଓ ଅପ୍ରଚୁର ଶବ୍ଦରେ ତାହାଙ୍କର ଲେଖା ପୂର୍ଣ୍ଣ କରିଥାନ୍ତି । ଆହୁରି କେତେକ ଲେଖକ ମଧ୍ୟ ସହଜବୋଧ୍ୟ ସରଳ ଗ୍ରାମ୍ୟ ଭାଷାରେ ଲେଖନ୍ତି । କାହାରି କାହାରି ବିନ୍ୟାସ ପ୍ରଣାଳୀ ଜଟିଳ, କାହାରି କାହାରି ଅବା ସରଳ । କିଏ ତାଙ୍କର ଭାଷାକୁ ଅଳଙ୍କାରରେ ପୂର୍ଣ୍ଣ କରିବାକୁ ଇଚ୍ଛା କରନ୍ତି, କିଏ ପୁଣି ଆପଣା ଚିନ୍ତାକୁ ଏକାବେଳକେ ନଗ୍ନ ଭାବରେ ପ୍ରକାଶ କରନ୍ତି । ତଥାପି ଏ ସମସ୍ତ ଶ୍ରେଣୀର ଲେଖକଙ୍କର ପାଠକ ଅଛନ୍ତି । କିନ୍ତୁ ଭାଷାକୁ ଯଥାର୍ଥ ସୁନ୍ଦର ଏବଂ ସକଳ ଶ୍ରେଣୀର ପାଠକଙ୍କ ନିକଟରେ ଆଦୃତ କରିବାକୁ ହେଲେ, ଏହି ସବୁପ୍ରକାର ଭାଷାର ଯଥାଯଥ ସଂମିଶ୍ରଣ ଘଟାଇବାକୁ ହେବ । ଏହାକୁ କୌଣସି ଦେଶର ଆଦର୍ଶ ଭାଷା ବା ଜାତୀୟ ଭାଷା ବୋଲାଯାଇପାରେ । କିନ୍ତୁ ଭାଷାବିନ୍ୟାସପ୍ରଣାଳୀ କାହାକୁ ଶିଖାଇଦେବାର ଜିନିଷ ନୁହେଁ । ଏହା ଭିନ୍ନ ଭିନ୍ନ ବ୍ୟକ୍ତିର ରୁଚି, କ୍ଷମତା ଓ ସୌନ୍ଦର୍ଯ୍ୟବୋଧ ଅନୁସାରେ ଭିନ୍ନ ଭିନ୍ନ । ହୃଦୟରେ ସୌନ୍ଦର୍ଯ୍ୟବୋଧର ବିକାଶ ସଙ୍ଗେ ସଙ୍ଗେ ଲେଖକ କେଉଁ ଭାବକୁ କିପରି ଭାଷାରେ ବ୍ୟକ୍ତ କଲେ ହୃଦୟସ୍ପର୍ଶୀ ହେବ, ତାହା ଅନୁଭବ କରିପାରେ । ଅବଶ୍ୟ ଅଭ୍ୟାସଦ୍ୱାରା କେତେକ ପରିମାଣରେ ସୌନ୍ଦର୍ଯ୍ୟବୋଧ ହୃଦୟରେ ଜାଗ୍ରତ କରାଯାଇପାରେ । ଅନେକ ସମୟରେ ଯାହାକୁ ଆମ୍ଭେମାନେ ଉତ୍କୃଷ୍ଟ ପ୍ରବନ୍ଧ ବୋଲି କହିଥାଉ ଓ ପଢ଼ି ମୁଗ୍ଧ ହୋଇଥାଉ, ସେଥିରେ ବିଶେଷ କିଛି ନୂତନ ଚିନ୍ତା ବା ନୂତନ ଜ୍ଞାତବ୍ୟ ବିଷୟ ନ ଥାଏ । ବରଂ ସେଥିରେ ଆମ୍ଭେମାନେ ନିଜ ନିଜର ସୁପରିଚିତ ଚିନ୍ତା ବା ବିଷୟ ଦେଖିପାରୁ । ନୂତନତ୍ୱ ଥାଏ କେବଳ, ଭାଷାବିନ୍ୟାସପ୍ରଣାଳୀରେ । ସେହି ଯୋଗରୁ ତାହା ଆମ୍ଭମାନଙ୍କର ଚିତ୍ତାକର୍ଷକ ହୁଏ ।

 

ଶିଶୁ ଜନ୍ମ ହେଲାବେଳେ କଥା କହିପାରେ ନାହିଁ; କୌଣସି ଭାଷା ମଧ୍ୟ ଶିଖି ନ ଥାଏ । ଯେଉଁ ସମାଜରେ ସେ ବଢ଼େ, ସେହି ସମାଜର ଭାଷା ସେ କ୍ରମେ କ୍ରମେ ଶିଖେ ଏବଂ ସେହି ଭାଷାରେ କଥାବର୍ତ୍ତା ହୁଏ । ସେହିପରି ନୂତନ ଲେଖକ ପ୍ରଥମେ କୌଣସି ଏକ ଶ୍ରେଣୀର ଲେଖା ନେଇ ପଢ଼ିବାକୁ ଅଭ୍ୟାସ କଲେ, ତହିଁ ପ୍ରତି ଆଗ୍ରହ ଜନ୍ମେ ଏବଂ କ୍ରମେ କ୍ରମେ ସେହି ଭାଷାବିନ୍ୟାସପ୍ରଣାଳୀରେ ଅଭ୍ୟସ୍ତ ଏବଂ ପ୍ରଭାବିତ ହୁଏ । ସେଥିନିମନ୍ତେ ପିଲାମାନେ ପ୍ରଥମେ କୌଣସି ବହି ପଢ଼ିଲାବେଳେ ତାହାର ଚିନ୍ତା ଏବଂ ଅନ୍ୟାନ୍ୟ ଜ୍ଞାତବ୍ୟ ବିଷୟ ପ୍ରତି ଦୃଷ୍ଟି ଦେଇ, ବହି ବାଛିବା ସଙ୍ଗେ ସଙ୍ଗେ ଭାଷାବିନ୍ୟାସପ୍ରଣାଳୀ ପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ । ଯେଉଁ ପୁସ୍ତକର ଭାଷା ସଚରାଚର ଭଲ ଏବଂ ଆଦର୍ଶ ବୋଲି ଲୋକେ କହିଥାନ୍ତି, ସେହି ଶ୍ରେଣୀର ବହି ସେମାନେ ପଢ଼ିବା ଉଚିତ । ଅଭ୍ୟାସଦ୍ୱାରା କୌଣସି ଭାଷା ବିନ୍ୟାସପ୍ରଣାଳୀକୁ ଦୃଢ଼ଭାବରେ ନିଜର କରିନେଲାପରେ ତେଣିକି ନାନା ଶ୍ରେଣୀର ବହି ପଢ଼ିଲେ ମଧ୍ୟ ଭାଷା କଳୁଷିତ ହେବାର ଆଶଙ୍କା ନ ଥାଏ ।

 

ତେବେ ଏଠାରେ ଆଉ ଗୋଟିଏ କଥା କହିବାକୁ ହେବ । ନୂତନ ଲେଖକମାନଙ୍କ ଲେଖାରେ ବେଳେ ବେଳେ ଅନେକ ଦୋଷ ଦେଖାଯାଏ । ଭଲ ଭଲ ଲେଖକମାନେ ସାବଧାନ ହୋଇ ଲେଖିଲେ ମଧ୍ୟ ଦୋଷ ରହିଯାଇପାରେ । ସେଥି ନିମନ୍ତେ ଲେଖକମାନଙ୍କର କେତେଗୁଡ଼ିଏ ସାଧାରଣ ଦୋଷ ଏଠାରେ ଦେଖାଇ ଦିଆଯାଉଅଛି ।

 

ଦୋଷ

 

୧। ବର୍ଣ୍ଣାଶୁଦ୍ଧି–ଛାତ୍ରମାନଙ୍କର ଲେଖା ପଢ଼ିଲେ ଅନେକ ବର୍ଣ୍ଣାଶୁଦ୍ଧି ଦେଖାଯାଏ । ଇଂରେଜିରେ ବର୍ଣ୍ଣାଶୁଦ୍ଧି ନ ହେବା ପ୍ରତି ଆମ୍ଭେମାନେ ଯେତେ ସାବଧାନ, ଓଡ଼ିଆ ଲେଖିଲାବେଳେ ସେଥିରୁ ତିଳେମାତ୍ର ନ ଥାଏ । କିନ୍ତୁ ଏହାପ୍ରତି ଦୃଷ୍ଟି ଦେବା ଉଚିତ । ଓଡ଼ିଆ ଭାଷାରେ ଅନେକ ଶବ୍ଦ ସଂସ୍କୃତରୁ ଆନୀତ । ଏଥି ମଧ୍ୟରୁ ଯେଉଁଗୁଡ଼ିକ ଓଡ଼ିଆରେ ଅବିକଳ ବ୍ୟବହୃତ ହୁଏ, (ଯଥା–ନଦୀ, ମଧୂ, ବଧୂ ଇତ୍ୟାଦି) ସେମାନଙ୍କୁ ‘ତମତ୍ସ’ ଶବ୍ଦ କହନ୍ତି । ଓଡ଼ିଆରେ ଲେଖିଲାବେଳେ ଏଗୁଡ଼ିକର ବନାନ ସଂସ୍କୃତ ପରି ଅବିକଳ ରହିବ । ସଂସ୍କୃତରୁ ଆନୀତ ଆଉ କେତେଗୁଡ଼ିଏ ଶବ୍ଦ ଓଡ଼ିଆରେ ବହୁଦିନ ବ୍ୟବହୃତ ହୋଇ ରୂପାନ୍ତର ଧରିଅଛି । (ଯଥା–ନଈ, ନୂଆ, ଭଉଣୀ, ମୂଷା ପ୍ରଭୃତି) ଏଗୁଡ଼ିକର ବନାନ ବର୍ତ୍ତମାନ ସଂସ୍କୃତ ଅନୁକରଣରେ କରାଯାଉଅଛି-। ତତ୍ପରେ ପ୍ରାକୃତ ଶବ୍ଦମାନଙ୍କର ବନାନ ବିଷୟରେ କୌଣସି ଆଦର୍ଶ ନାହିଁ । ଯାହାର ଯେପରି ଇଚ୍ଛା ସେ ସେପରି ଲେଖିପାରନ୍ତି । କିନ୍ତୁ ବ୍ୟବହାରରେ ଯାହା ପଡ଼ିଗଲାଣି ତାହାକୁ ଅନୁସରଣ କରିବାକୁ ହେବ । ଯଥା–ଅଣ୍ଟୀ, ଅଣୀ, ଗଉଣୀ, ଜିନୀଷ ଇତ୍ୟାଦି ନ ଲେଖି ଅଣ୍ଟି, ଅଣି, ଜିନିଷ ଇତ୍ୟାଦି ଲେଖିବାକୁ ହେବ ।

 

୨। ବ୍ୟାକରଣଗତ ଦୋଷ–ଏ ଦୋଷ ଅନେକ ସମୟରେ ଛାତ୍ରମାନଙ୍କର ଦେଖାଯାଏ-। ଯଥା–ପାଣ୍ତିତ୍ୟତା, ଐକ୍ୟତା ଇତ୍ୟାଦି । ଅନେକ ସମୟରେ ମଧ୍ୟ ବିଶେଷ୍ୟକୁ ବିଶେଷଣ ଓ ବିଶେଷଣକୁ ବିଶେଷ୍ୟରୂପେ ବ୍ୟବହାର କରାଯାଇ ଥାଏ । ବାକ୍ୟର କର୍ତ୍ତା, କ୍ରିୟା, କର୍ମରେ ଠିକ ନ ଥାଏ । ତର ତର ହୋଇ ଲେଖିବା ବା କହିବାବେଳେ ଏ ଦୋଷ ବିଶେଷ ଘଟିଥାଏ । ଟିକିଏ ସାବଧାନ ହେଲେ ପ୍ରାୟ ଘଟିବ ନାହିଁ ।

 

୩। ପ୍ରସିଦ୍ଧିତ୍ୟାଗ–ଅନେକ ସମୟରେ ଯାହା ବହୁଦିନ ବ୍ୟବହୃତ ହୋଇ ଭାଷାରେ ପ୍ରଚଳିତ ହୋଇଗଲାଣି, ସେଥିରେ ଟିକିଏ କିଛି ପରିବର୍ତ୍ତନ ହୋଇଗଲେ, ତାହା ଭୁଲ ବୋଲି ଧରାଯାଏ । ଏ ଶ୍ରେଣୀର ଭୁଲକୁ ଇଂରେଜିରେ ଇଡିଅମ (Idiom) ଭୁଲ କହନ୍ତି । ‘ଦ୍ୱାର ଘର’ ନ ଲେଖି ‘ଘର ଦ୍ୱାର’, ‘ଭୋଜନ ପାନ’ ନ ଲେଖି ‘ପାନ ଭୋଜନ’ ‘ଦୁଧ ଖାଇବା’ ନ ଲେଖି ‘ଦୁଧ ପିଇବା’ ଲେଖିବାକୁ ହେବ । ଆଉ ଢଗ ଢମାଳୀ ପ୍ରଭୃତି ବ୍ୟବହାର କଲେ ଅବିକଳ ସେହିପରି ରଖିବାକୁ ହେବ ।

 

୪। ସ୍ଥାନବିପର୍ଯ୍ୟାସ–ବଡ଼ ବଡ଼ ବାକ୍ୟ ଲେଖିଲାବେଳେ ବିଶେଷତଃ ଇଂରେଜିରୁ ଅନୁବାଦ କଲାବେଳେ ବାକ୍ୟରେ ଶବ୍ଦ ଓ ଖଣ୍ଡବାକ୍ୟମାନ ଯେଉଁ ଯେଉଁଠାରେ ରହିବା ବିଧେୟ, ସେଗୁଡ଼ିକ ସେଠାରେ ରହେ ନାହିଁ । ଉଦାହରଣ ସ୍ୱରୂପ “My father, who had been ill for a long time, died all of a sudden, when none of us, not even my mother, were at home.” ‘‘ମୋର ପିତା ଯେ କି ଅନେକ ଦିନ ହେଲା ଅସୁସ୍ଥ ଥିଲେ, ଦିନେ ହଠାତ୍‌ ମରିଗଲେ, ଯେତେବେଳେ ଆମ୍ଭମାନଙ୍କ ମଧ୍ୟରୁ କେହି, ମା ମଧ୍ୟ, ଘରେ ଉପସ୍ଥିତ ନ ଥିଲେ ।’’ ଏହି ଅନୁବାଦରେ ବିଶେଷଣ ବାକ୍ୟ ବିଶେଷ୍ୟର ପରେ ଏବଂ କ୍ରିୟାବିଶେଷଣ ବାକ୍ୟ କ୍ରିୟାର ପରେ ରହିଥିବାରୁ ବାକ୍ୟଟି ବ୍ୟାକରଣ ନିୟମ ଅନୁସାରେ ଠିକ ହେଉ ନାହିଁ । ‘‘ବହୁ ଦିନରୁ ପ୍ରପୀଡ଼ିତ ମୋର ପିତା ଦିନେ ଆମ୍ଭମାନଙ୍କ ମଧ୍ୟରୁ କେହି, ମା ମଧ୍ୟ, ଘରେ ଉପସ୍ଥିତ ନ ଥିଲାବେଳେ ହଠାତ୍ ମରିଗଲେ ।’’ ମାତ୍ର ଏଭଳି ବାକ୍ୟରେ ବ୍ୟାକରଣଗତ ଦୋଷ କିଛି ନ ଥିଲେ ସୁଦ୍ଧା, ଅନେକ ସମୟରେ ଏହାକୁ ଭାଙ୍ଗି କ୍ଷୁଦ୍ର କ୍ଷୁଦ୍ର ବାକ୍ୟରେ ପ୍ରକାଶ କଲେ ଶ୍ରୁତିମଧୁର ହୁଏ । ଯଥା :–‘‘ମୋର ପିତା ବହୁ ଦିନରୁ ପୀଡ଼ିତ ଥିଲେ । ସେ ଦିନେ ହଠାତ ମରିଗଲେ । ସେତେବେଳେ ଆମ୍ଭେମାନେ କେହି ଘରେ ନ ଥିଲୁ । ମା ମଧ୍ୟ ନ ଥିଲେ ।’’ ଏତ ଗଲା ଅନୁବାଦର କଥା । ବଡ଼ ବଡ଼ ମୌଳିକ ବାକ୍ୟ ଲେଖିଲାବେଳେ ମଧ୍ୟ ଏ ଦୋଷ ଘଟିଥାଏ । ସୁତରାଂ ନବୀନ ଲେଖକମାନେ ସରଳ ବାକ୍ୟ ଲେଖିବାକୁ ଅଭ୍ୟାସ କଲେ, ଅନେକ ସମୟରେ ଏ ଦୋଷରୁ ନିଷ୍କୃତି ମିଳେ ।

 

୫। କ୍ଳିଷ୍ଟତା–ଏହାକୁ ଇଂରେଜିରେ ‘Circumlocution’ କହନ୍ତି । ପ୍ରାଚୀନ ଲେଖାମାନଙ୍କର ଏ ଦୋଷ ବହୁଳ ଦେଖାଯାଏ । ‘‘ଯେଉଁଠାରେ ହରି ଦିନେ ଅନନ୍ତ ଶୟନ କରିଥିଲେ, ତାହାର କୂଳରେ କାଲି ବୁଲୁ ବୁଲୁ, ତାହାଙ୍କର ମୂର୍ତ୍ତିର ସହିତ ମୋର ଦୃଷ୍ଟିର ସମ୍ୱନ୍ଧ ଘଟିଥିଲା ।’’ ଲେଖିଲେ କ୍ଳିଷ୍ଟତା ଦୋଷ ହେବ । କାରଣ ଏହାକୁ ସହଜ ଭାବରେ ‘‘କାଲି ସମୁଦ୍ରକୂଳରେ ବୁଲୁ ବୁଲୁ ମୁଁ ତାଙ୍କୁ ଦେଖିଥିଲି’’–ଲେଖି ପ୍ରକାଶ କରାଯାଇପାରେ । ଆହୁରି ମଧ୍ୟ ଯାହା ଗୋଟିଏ ଶବ୍ଦରେ ପ୍ରକାଶିତ ହେବ ତାହାକୁ ଗୋଟିଏ ବାକ୍ୟରେ ଏବଂ ଯାହା ଗୋଟିଏ ବାକ୍ୟରେ ପ୍ରକାଶିତ ହେବ ତାହାକୁ ପାଞ୍ଚଟି ବାକ୍ୟରେ ପ୍ରକାଶ କରିବାଦ୍ୱାରା ଏ ଦୋଷ ଘଟିଥାଏ । ଯଥା :–‘‘ଯେଉଁ ବାଳକ ସୁଶୀଳ ତାହାକୁ ସମସ୍ତେ ସୁଖ ପାଆନ୍ତି ।’’ ନ ଲେଖି,‘‘ସୁଶୀଳ ବାଳକକୁ ସମସ୍ତେ ସୁଖ ପାଆନ୍ତି ।’’ ଲେଖିବା ଉଚିତ । ସଂକ୍ଷିପ୍ତ ଭାଷାରେ ଭାବପ୍ରକାଶ ରଚନାର ଗୋଟିଏ ଉପାଦେୟ ଗୁଣ । ଇଂରେଜିରେ କହନ୍ତି, ‘Brevity is the soul of wisdom.’

 

୬ । ଅସ୍ପଷ୍ଟତା–ବାକ୍ୟରେ କୌଣସି ଅଙ୍ଗର ଅଭାବରୁ, କିମ୍ୱା କେତେଗୁଡ଼ିଏ ଶବ୍ଦ ଅଧିକା ଥିବାରୁ, ଅଥବା ଲେଖକଙ୍କର ସ୍ୱଗଠିତ ଶବ୍ଦର ପ୍ରୟୋଗରୁ ଭାବ ଅବୋଧ୍ୟ ହୁଏ । ଅନେକ ସମୟରେ ଲେଖକ ଗୋଟିଏ କଥା ମନରେ ଭାବି ବାକ୍ୟରେ ଆଉ ଗୋଟିଏ କଥା ପ୍ରକାଶ କରିଥାନ୍ତି । ଏଗୁଡ଼ିକ ରଚନାରେ ବିଶେଷ ଦୋଷ । ଅନେକ ଲେଖକ ଇଚ୍ଛାପୂର୍ବକ ଅଭିଧାନରୁ କଠିନ ଅପ୍ରଚୁର ଶବ୍ଦ ବାଛି ବ୍ୟବହାର କରିଥାନ୍ତି । ସାଧାରଣ ଅବୋଧ୍ୟ ଭାଷାକୁ ସେମାନେ ଆଦର୍ଶ ବୋଲି ମଣନ୍ତି । କିନ୍ତୁ ବାସ୍ତବରେ ସହଜ, ସରଳ, ସୁବୋଧ୍ୟ ଓ ସୁଖପାଠ୍ୟ ଲେଖାହିଁ ଭଲ ଲେଖା । ନୂତନ ଶବ୍ଦ ଗତି, ଭାଷାରେ ବ୍ୟବହାର କରିବା ଦୋଷାବହ ନୁହେଁ, ବରଂ ଭାଷାର ଶ୍ରୀବୃଦ୍ଧି ପକ୍ଷେ ଆବଶ୍ୟକ । କିନ୍ତୁ ଏହା ବୋଲି ସେଗୁଡ଼ିକରେ ଭାଷା ଅବୋଧ୍ୟ ହେବା ଉଚିତ ନୁହେଁ ।

 

୭। ଅପୁଷ୍ଟତା–ରଚନାରେ, ବିଶେଷତଃ ନୂତନ ଲେଖକଙ୍କର ଲେଖାରେ ଏପରି କେତେଗୁଡ଼ିଏ ବାକ୍ୟ ବା ବାକ୍ୟାଂଶ ଥାଏ, ଯାହାଦ୍ୱାରା ରଚନାର ମୁଖ୍ୟ ଅର୍ଥ ପରିପୁଷ୍ଟ ହୁଏ ନାହିଁ । ଏଭଳି ବାକ୍ୟ ବା ବାକ୍ୟାଂଶକୁ ସମ୍ପୂର୍ଣ୍ଣ ବାଦ ଦେଲେ ମଧ୍ୟ ରଚନାର କୌଣସି ଅଙ୍ଗହାନି ହୁଏ ନାହିଁ-। କୌଣସି ବିଷୟରେ ପ୍ରବନ୍ଧ ଲେଖିବା ପୂର୍ବରୁ ଉପକ୍ରମ ବା ମୁଖବନ୍ଧରେ ‘ସୃଷ୍ଟିକର୍ତ୍ତା ପରମେଶ୍ୱର’ ଅଥବା ‘ସୃଷ୍ଟିର ପ୍ରାକ୍ କାଳ’ରୁ ଆରମ୍ଭ କରିବାରେ ଏବଂ ଉପସଂହାରସ୍ଥଳେ ‘ଦେଶର ମଙ୍ଗଳ’ ବା ‘ମାନବଜାତିର କଲ୍ୟାଣ’ ପ୍ରଭୃତିରେ ଶେଷ କରିବାରେ ଏହି ଦୋଷ ସାଧାରଣତଃ ଦେଖାଯାଏ । କ୍ଷୁଦ୍ର କ୍ଷୁଦ୍ର ପରିଚ୍ଛେଦ ଓ ବାକ୍ୟମାନଙ୍କରେ ମଧ୍ୟ ଏ ଦୋଷ ଦେଖାଯାଏ ।

 

୮। ବ୍ୟାହତିରଚନାରେ ଏକ ସ୍ଥଳରେ ଯେଉଁ ଭାବ ପ୍ରକାଶ କରାଯାଏ, ତାହାର ପରବର୍ତ୍ତୀ ଅନ୍ୟ ଏକ ସ୍ଥଳରେ କୌଣସି ଶବ୍ଦ ବା ବାକ୍ୟର ଅଯଥା ବ୍ୟବହାରଦ୍ୱାରା ଅନେକ ସମୟରେ ତାହାର ବିପରୀତ ଭାବ ପ୍ରକାଶିତ ହୋଇଥାଏ । ଇଂରେଜି ବିଦେଶୀୟ ଭାଷା ହୋଇଥିବାରୁ ତହିଁରେ କୌଣସି ଏକ ବାକ୍ୟ ମଧ୍ୟରେ ସୁଦ୍ଧା ଛାତ୍ରମାନଙ୍କର ଏ ଭୁଲ ଦେଖାଯାଏ । ଓଡ଼ିଆରେ ସେପରି ହୁଏ ନାହିଁ ସତ୍ୟ; କିନ୍ତୁ ପ୍ରବନ୍ଧ ଲେଖିବାବେଳେ ଏହା ଅନେକ ସମୟରେ ଦେଖାଯାଏ । ଏହା ସେତେ ପରିମାଣରେ ଭାଷାର ଦୋଷ ନୁହେଁ । ଲେଖିବା ପୂର୍ବରୁ ଚିନ୍ତାର ଅସ୍ପଷ୍ଟତା ଏହାର କାରଣ ।

 

୯। ପୁନରୁକ୍ତି–ଗୋଟିଏ ଶବ୍ଦ ବା ବାକ୍ୟ ବାରମ୍ୱାର ପ୍ରୟୋଗ କଲେ, ଅଥବା ଗୋଟିଏ ଭାବ ପୁନଃ ପୁନଃ ପ୍ରକାଶିତ ହେଲେ, ଲେଖା ଅପ୍ରୀତିକର ହୁଏ । ଛାତ୍ରମାନଙ୍କର ଭାଷାର ପୁନରୁକ୍ତି ଯେତେ ପରିମାଣରେ ଦେଖାଯାଏ, ଚିନ୍ତାର ପୁନରୁକ୍ତି ତହିଁରୁ ଅତ୍ୟନ୍ତ ଅଧିକ । ଲେଖିବା ଆଗରୁ କଅଣ ଲେଖିବାକୁ ହେବ, ସେ ବିଷୟ ଭାବି ପ୍ରାଞ୍ଜଳ ଭାବରେ ଗୋଟିଏ କଙ୍କାଳଗଠନ କରିଥିଲେ, ପୁନରୁକ୍ତି ଏବଂ ବ୍ୟାହତି ଦୋଷ ଘଟିବାର ଆଶଙ୍କା ନ ଥାଏ ।

 

୧୦। ଅତିରଞ୍ଜନ–ବାଳକ ଓ ନବୀନ ଯୁବକମାନଙ୍କ ପ୍ରାଣରେ ଯୁକ୍ତିଠାରୁ ଭାବୋଚ୍ଛ୍ୱାସର ପରିମାଣ ବେଶୀ । ଅଳ୍ପକଥା ତାଙ୍କୁ ବଡ଼ପରି ଲାଗେ । ଅସମ୍ଭବ ବି ସମୟେ ସମୟେ ସମ୍ଭବ ବୋଲି ଜଣାପଡ଼େ । ସୁତରାଂ ତାଙ୍କ ଭାଷାରେ ଅତିରଞ୍ଜନ ରହିବା ସ୍ୱାଭାବିକ । ସୀମାମଧ୍ୟରେ ରହିଲେ ଏହା କ୍ଷମଣୀୟ ସତ୍ୟ, କିନ୍ତୁ ବାଗ ଛାଡ଼ି ଦେଇ, ଅତିରଂଜନରେ ଭାସିଗଲେ, ରଚନା କଳୁଷିତ ହୁଏ । ପଦ୍ୟରେ ଏହା କେତେକ ପରିମାଣରେ ସୌନ୍ଦର୍ଯ୍ୟ ବୃଦ୍ଧି କରେ । ତଥାପି ସୀମା ଅତିକ୍ରମ କଲେ ପଦ୍ୟ ମଧ୍ୟ ଅପାଠ୍ୟ ହୁଏ । ଗଦ୍ୟରେ ଅତିରଞ୍ଜନର ସ୍ଥାନ ନାହିଁ । ପଦ୍ୟରେ ଅତିରଞ୍ଜନର ଗୋଟିଏ ଉଦାହରଣ,–

 

ପର୍ବତ ଆକାରେ ପଡ଼ିଅଛି ଦୁଃଶାସନ,

ବସିଅଛି ତା ଉପରେ ପବନ ନନ୍ଦନ,

ଭୟଙ୍କର ହୁଂକାରେ ଅଧରେ ଦନ୍ତ ଚାପି

ରେ ରେ କାର କରିଣ ଗର୍ଜ୍ଜଇ କାଳରୂପୀ,

ଗଗନମାର୍ଗକୁ ତୋଳୁଅଛି ବଜ୍ରମୁଷ୍ଟି,

କି ଅବା ମନ୍ଦର ଗିରି ପଡ଼ୁଅଛି, ତୁଟି

କାଳଚକ୍ର ପରାୟେ ବୁଲାଇ ବେନି ଡୋଳା,

ଚରଣେ ଚାପଇ ଭୀମ ଦୁଃଶାସନ ଗଳା ।

 

କିନ୍ତୁ ଗଦ୍ୟରେ ଏପରି ବର୍ଣ୍ଣନା ଉପହାସାସ୍ପଦ ।

 

୧୧। ପତତ୍‌ ପ୍ରକର୍ଷତା–ସାଧାରଣ କଥାରେ ଏହାକୁ ‘ଗୋରୁ ଚାଣ୍ଡାଳ’ ଦୋଷ କହନ୍ତି । ତତ୍‌ସମ (ସଂସ୍କୃତ) ଶବ୍ଦ ସଙ୍ଗେ ଦେଶଜ (କଞ୍ଚା ଓଡ଼ିଆ) ଶବ୍ଦର ଅଯଥା ମିଶ୍ରଣରେ ଏହି ଦୋଷ ହୁଏ । ଆହୁରି ମଧ୍ୟ ଅନେକଗୁଡ଼ିଏ ବାକ୍ୟ ଅଳଙ୍କାର ଓ ଆଡ଼ମ୍ୱରପୂର୍ଣ୍ଣ ଭାଷାରେ ଲେଖିଗଲା ପରେ ହଠାତ୍‌ ଉଲଗ୍ନ ବା ସାଧାରଣ ଭାଷାର ପ୍ରୟୋଗ କଲେ ମଧ୍ୟ ଏ ଦୋଷ ଘଟେ । ଉଦାହରଣ,–

 

୧.

କୃଷକେ ଉପାଡ଼ନ୍ତି ବାଳୁଙ୍ଗା କ୍ଷେତୁଁ,

 

ସାଧୁ ଯେସନେ ଆତ୍ମ ବଡ଼ିମା ଚେତୁଁ ।

 

 

 

ରାଧାନାଥ

୨.

କେହି ନ ଶୁଣିଲେ ବାହୁନି ବାହୁନି

 

କଲି ମୁଁ ଯେତେ ବିଳାପ,

 

କୃପା ବହି ଆଶୁ ମୃତ୍ୟୁ ବହିବାକୁ

 

ନ ଥିଲେ ସେ କୂପେ ସାପ

 

ରାଧାନାଥ

 

୩ । ସହସା ବଜ୍ରନିନାଦବତ୍ ଏକ ଭୀଷଣ ଶବ୍ଦ ଜନମଣ୍ଡଳିର ଶ୍ରୂତିଗୋଚର ହେଲା ତା ଉତାରୁ ବାଡ଼ଟା ଭାଜି ପଡ଼ିଲା ।

 

ପିଲାମାନେ ସହଜ ସରଳଭାଷାରେ ନ ଲେଖି ନିଜ ଶକ୍ତିଅତୀତ ଓଜସ୍ୱିନୀ ଭାଷାରେ ଲେଖିବାକୁ ଗଲାବେଳେ ଅନେକ ସମୟରେ ଏ ଦୋଷ କରିଥାନ୍ତି । କିନ୍ତୁ ଲେଖି ପାରିଲେ ତତ୍‌ସମ ଓ ଦେଶଜ ଶବ୍ଦ ମିଶାଇ ଲେଖିଲେ ମଧ୍ୟ ଏ ଦୋଷ ହୁଏ ନାହିଁ ।

 

୧୨। ଅନୁଚିତତା–ଯେଉଁ ଉପମା ବା ଉଦାହରଣ ପ୍ରୟୋଗରେ ଉପମେୟ ବା ବର୍ଣ୍ଣିତ ବିଷୟରେ ଅପକର୍ଷ ସାଧିତ ହୁଏ ତାହାକୁ ଅନୁଚିତତା କହନ୍ତି ଯଥା,–

 

ରାମଚନ୍ଦ୍ରଙ୍କ ବାହୁଶାଖାରେ ସୀତା କ୍ରୀଡ଼ାକୌତୁକୀ ବାନରୀ ଥିଲେ ।

 

ଏଠାରେ ବାନରୀ ଉପମାଦ୍ୱାରା ଉପମେୟ ସୀତାଙ୍କର ଅପକର୍ଷ ସାଧିତ ହୋଇଅଛି ।

 

୧୩। ବ୍ୟକ୍ତିତ୍ୱପ୍ରକାଶ–ପ୍ରବନ୍ଧ ଲେଖିଲାବେଳେ ନିଜ କଥା ଲେଖିବା, ନିଜର ଗୌରବ ବା ପ୍ରାଧାନ୍ୟ ପ୍ରକାଶ କରିବା, ଅଥବା ଅନ୍ୟକୁ ଉପଦେଶ ଦେବା ଉଚିତ ନୁହେଁ । ବିଶେଷତଃ ଛାତ୍ରମାନଙ୍କ ପ୍ରବନ୍ଧରେ ‘ଏହା ମୋର ବିଶ୍ୱାସ’, ‘ଆମ୍ଭମାନଙ୍କର ଏହା ମତ ନୁହେଁ,’ ‘ତୁମ୍ଭେ,’ ‘ତୁମ୍ଭେମାନେ,’ ‘ମୁଁ ଏହା କହିପାରେ’ ପ୍ରଭୃତିର ବିଶେଷ ବ୍ୟବହାର ଅସୁନ୍ଦର । ଲବ୍ଧପ୍ରତିଷ୍ଠ ଲେଖକ, ବକ୍ତା, ଉପଦେଷ୍ଟା ବା ପତ୍ରିକାର ସମ୍ପାଦକମାନଙ୍କର ଏହିପରି ବ୍ୟକ୍ତିତ୍ୱ ପ୍ରକାଶ ଲେଖାରେ ଅନେକ ସମୟରେ ଆବଶ୍ୟକ ହୋଇଥାଏ ।

 

୧୪। ପକ୍ଷପାତ–ରଚନାରେ କୌଣସି ଜାତି ଧର୍ମ ବା ସମ୍ପ୍ରଦାୟବିଶେଷ ପ୍ରତି ଅଯଥା କଟାକ୍ଷ ଅଥବା ପ୍ରଶଂସା କରିବା ଅନୁଚିତ । ଉଦାହରଣସ୍ୱରୂପ ‘ବିବାହ’ ପ୍ରବନ୍ଧରେ ହିନ୍ଦୁ ପରିବାର ପଦ୍ଧତିକୁ ପ୍ରଶଂସା କରିବାପାଇଁ ତୁଳନାରେ ପାଶ୍ଚାତ୍ୟ ପାରିବାରିକ ଜୀବନକୁ ଅଯଥା ନିନ୍ଦା କରିବାର ନୁହେଁ ।

 

ସୌନ୍ଦର୍ଯ୍ୟ

 

୧ । ସମାନୋକ୍ତି–ଭାଷାର ଦୋଷ ମଧ୍ୟରେ ପୁନରୋକ୍ତି ବୋଲି ଯାହା କୁହାଯାଇଅଛି, ସମାନୋକ୍ତି କେତେକାଂଶରେ ବାହାରୁ ସେହିପରି ଦେଖାଗଲେ ମଧ୍ୟ ଭାଷାବିନ୍ୟାସର ଏହା ଗୋଟିଏ ସୌନ୍ଦର୍ଯ୍ୟ । କୌଣସି ଜଟିଳ ଚିନ୍ତାକୁ ସରଳ ଭାବରେ ପ୍ରକାଶ କରି ହୃଦୟସ୍ପର୍ଶୀ କରିବା ପକ୍ଷରେ ଏହା ବିଶେଷ ସାହାଯ୍ୟ କରେ । ଉଦାହରଣ–

 

ଜୀବନ କେତେଗୁଡ଼ିଏ କର୍ମର ସମଷ୍ଟି ମାତ୍ର । କର୍ମପରମ୍ପରା ଛଡ଼ା ଜୀବନରେ ଆଉ କିଛି ନାହିଁ, ବୋଲାଯାଇପାରେ । ବସିବା, ଶୋଇବା, ଚାଲିବା, ପଢ଼ିବା, ଖାଇବା, ହସିବା, କହିବା, ଶୁଣିବା, ଏମନ୍ତ କି ଚିନ୍ତା କରିବା ମଧ୍ୟ ଗୋଟିଏ ଗୋଟିଏ କ୍ରିୟା । ଏହି ସମସ୍ତ କ୍ରିୟା ପ୍ରବାହ ମଧ୍ୟରେ ଜୀବନ ଚାଲିଅଛି ।

 

ଏହି ଉଦାହରଣରେ ସବୁ ବାକ୍ୟର ଅର୍ଥ ଅନେକାଂଶରେ ସମାନ ହେଲେ ମଧ୍ୟ ଭାବକୁ ସ୍ଫୁଟତର କରିବାରେ ପ୍ରତ୍ୟେକେ କିଛି କିଛି ସାହାଯ୍ୟ କରୁଅଛନ୍ତି । ଏଥି ମଧ୍ୟରୁ କୌଣସି ବାକ୍ୟ କାଟି ଦେଲେ ଭାବ ଟିକିଏ ଅସ୍ପଷ୍ଟତର ହୋଇଯିବ । ପୁନରୁକ୍ତିରେ ଭାଷା ଶ୍ରୁତିକଟୁ ହେଲାପରି ଏଥିରେ ହୁଏ ନାହିଁ, ବରଂ ସୁଖପାଠ୍ୟ ହୁଏ । ଉପରୋକ୍ତ ଭାବଟିକୁ ଏପରି ପ୍ରକାଶ ନ କରି, ତଳଲିଖିତ ପ୍ରକାରେ ପ୍ରକାଶ କରିଥିଲେ ପୁନରୁକ୍ତି ଘଟିଥାନ୍ତା ।

 

ଜୀବନ କେତେଗୁଡ଼ିଏ କର୍ମର ସମଷ୍ଟି ମାତ୍ର । କର୍ମ ସମନାୟରେ ଜୀବନ ଗଠିତ ହୁଏ । କର୍ମସମୂହ ଜୀବନଗଠନର ଉପାଦାନ । କେତେଗୁଡ଼ିଏ କର୍ମ ଏକତ୍ରିତ ହୋଇ ଜୀବନ ହୋଇଅଛି ।

 

୨ । ଭାବାରୋହଣ (Climax)–ଏହାଦ୍ୱାରା ଭାବ କ୍ରମେ କ୍ରମେ, ଉପରକୁ ଉଠି ଚୂଡ଼ାନ୍ତରେ ପହଞ୍ଚି ହୃଦୟସ୍ପର୍ଶୀ ହୁଏ । ଉଦାହରଣ :–

 

ପରର ମଙ୍ଗଳ ଚିନ୍ତା କରିବା ସାଧୁତାର ପରିଚୟ, ସାଧନ କରିବା ଉନ୍ନତ ହୃଦୟର ଚିହ୍ନ, ଅନ୍ୟର ମଙ୍ଗଳ ସକାଶେ ନିଜ ମଙ୍ଗଳ ବିସର୍ଜ୍ଜନ କରିବା ଦେବତାର କାର୍ଯ୍ୟ, କିନ୍ତୁ ଯେ ଅପର ସକାଶେ, ନିଜର ଦେଶ ଏବଂ ଜାତି ନିମନ୍ତେ ଜୀବନ ଦେଇପାରେ, ତାହାର କୀର୍ତ୍ତି କେଉଁ ଭାଷାରେ ପ୍ରକାଶ କରିବା ?

 

ଯୁଧିଷ୍ଠିର ଦ୍ୟୁତ କ୍ରୀଡ଼ାରେ ସର୍ବସ୍ୱାନ୍ତ ହେଲେ, କୌରବମାନଙ୍କଦ୍ୱାରା ବାରମ୍ୱାର ଲାଞ୍ଛିତ ଅବମାନିତ ହେଲେ, ପରେ ସିଂହାସନରୁ ବିତାଡ଼ିତ ହୋଇ ବିପଦସଂକୁଳ ବନଦେଶରେ ନାନା ନିର୍ଯାତନ ସହ୍ୟ କଲେ; ନାନାପ୍ରକାରେ ପୁନଃ ପୁନଃ ପ୍ରାଣନାଶର ଆଶଙ୍କା ଉପସ୍ଥିତ ହେଲା ତଥାପି ଧର୍ମବୀର ଦିନେ ହେଲେ ସତ୍ୟପଥରୁ ବିଚଳିତ ହୋଇନାହାନ୍ତି । ତାଙ୍କର ଏହି ସତ୍ୟନିଷ୍ଠା ନିମନ୍ତେ ସେ ଶତ ଶତ କୌରବଙ୍କୁ ପରାସ୍ତ କରି ଯୁଦ୍ଧରେ ଜୟୀ ହେଲେ, ପ୍ରଜାମାନଙ୍କଦ୍ୱାରା ଦେବତାସ୍ୱରୂପ ପୂଜିତ ହେଲେ, ଭଗବାନ୍ ଶ୍ରୀକୃଷ୍ଣଙ୍କୁ ଜୀବନର ପରମ ସୁହୃଦରୂପେ ଲାଭ କଲେ: କେବଳ ସେତିକି ନୁହେଁ, ପରିଶେଷରେ ଏକା ସେହି ସତ୍ୟବଳରେ, ସ୍ଵଦେହରେ ସ୍ୱର୍ଗ ଗମନ କରିଥିଲେ ।

 

୩ । ଭାବାରୋହଣ(Bathos)–ଏହା ଭାବୋଚ୍ଛ୍ୱାସର ସମ୍ପୂର୍ଣ୍ଣ ବିପରୀତ । ଏଥିରେ ଭାବ ଅତି ଉଚ୍ଚତର ସ୍ଥାନରୁ କ୍ରମେ କ୍ରମେ ନିମ୍ନତମସ୍ଥାନକୁ ଗଡ଼ି ଆସେ । ଏଥିରେ ସମୟେ ସମୟେ ଭାଷାର ସୌନ୍ଦର୍ଯ୍ୟ ଯେପରି ନଷ୍ଟ ହୋଇଥାଏ, ଯଥାଯଥ ପ୍ରୟୋଗ ହେଲେ, ସେହିପରି ମଧ୍ୟ ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ । ଉଦାହରଣ :–

 

ସେ ଦେଶର କଲ୍ୟାଣପାଇଁ ସମରପ୍ରାଙ୍ଗଣରେ ଦଣ୍ଡାୟମାନ ହୋଇ ଶତ ଶତ ଶତ୍ରୁସେନା ସଂହାର କରିଅଛନ୍ତି, ମୃଗୟା ନିମନ୍ତେ ବନଜଙ୍ଗଲରେ ବିଚରଣ କରି ଅସଂଖ୍ୟ ସିଂହ ଶାର୍ଦ୍ଦୂଳ ବଧ କରିଅଛନ୍ତି, ବର୍ଷବର୍ଷାନ୍ତରରେ ଶ୍ୟାମଳ ଶସ୍ୟକେଦାରମାନଙ୍କୁ ମତ୍ସ୍ୟଶୂନ୍ୟ କରିଅଛନ୍ତି, ରାତିରେ ଶୋଇଲାବେଳେ ଖଟରୁ ଓଡ଼ଷ ମଧ୍ୟ ମାରିଅଛନ୍ତି ।

 

ଏପରି ନ କରି ନିମ୍ନଲିଖିତ ପ୍ରକାରେ ପ୍ରକାଶ କଲେ ଏହା ଲେଖାର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରେ । ଉଦାହରଣ :–

 

ରାମଚନ୍ଦ୍ର ପୃଥିବୀରେ ତ୍ୟାଗର ଉନ୍ନତ ଆଦର୍ଶ ଦେଖାଇ ଅଛନ୍ତି, ନିଜ ସୁଖସ୍ୱାଚ୍ଛନ୍ଦ୍ୟରେ ଜଳାଞ୍ଜଳି ଦେଇ ପ୍ରଜାମାନଙ୍କୁ ପୁତ୍ରନିର୍ବିଶେଷରେ ପରିପାଳନ କରିଅଛନ୍ତି, ଜନକ ଜନନୀଙ୍କୁ ଭକ୍ତି, ଭାଇମାନଙ୍କୁ ଶ୍ରଦ୍ଧା ଓ ସ୍ନେହ କରିଅଛନ୍ତି, ଏପରି କି ସେ ସାମାନ୍ୟ ଅନୁଚର ପ୍ରତି ମଧ୍ୟ ଦିନେ ତାଙ୍କର କର୍ତ୍ତବ୍ୟ ଭୁଲି ନାହାନ୍ତି ।

 

୪ । ଭାବବିବର୍ତ୍ତନ (Apostrophe)–ଅନେକ ସମୟରେ ଲେଖକ ଲେଖୁ ଲେଖୁ ଭାବାଧିକ୍ୟ ହେତୁ ମୁଖ୍ୟ ଚିନ୍ତାରୁ ଟିକିଏ ଭିନ୍ନ ଦିଗରେ ଭାସିଯାନ୍ତି । ଗଣ୍ଡିରୁ ବାହାରି ଶାଖାଗୁଡ଼ିକ ଯେପରି ସମସ୍ତ ବୃକ୍ଷର ସୌନ୍ଦର୍ଯ୍ୟ ବୃଦ୍ଧି କରେ, ସେହିପରି ଏଥିରେ ମୁଖ୍ୟ ଭାବ ସୁନ୍ଦର ଓ ପୁଷ୍ଟତର ହୁଏ । ସାଧାରଣ ଲେଖକମାନେ ଏହାକୁ ବ୍ୟବହାର କରି ନ ଜାଣି ‘ଅପୁଷ୍ଟ’ ଦୋଷରେ ପଡ଼ି ଥାଆନ୍ତି । ଉଦାହରଣ–

 

ମୋତେ ଯେତେବେଳେ ୧୨ ବର୍ଷ ବୟସ, ବାପା କଟକକୁ ପଢ଼ିବାକୁ ପଠାଇଲେ । କଟକ ମୋର ଅପରିଚିତ ସ୍ଥାନ । ଦୁଃଖବେଳେ ଟିକିଏ ସାନ୍ତ୍ୱନା ଦେବାକୁ କେହି ନାହିଁ । ଆନନ୍ଦ ସମୟରେ ପୁଣି ଟିକିଏ ପାଖରେ ବସି ହସିବ, ଏଭଳି ଜଣେ ମଧ୍ୟ ମିଳେ ନାହିଁ । ସଂଧ୍ୟାବେଳେ କାଠଯୋଡ଼ୀ କୂଳରେ ଆସି ବସେ । ଗଗନମଣ୍ଡଳରୁ ନିଶାମଣି ତାହାର ରଜତରଶ୍ମୀଧାରା ତଟିନୀର ବିମଳ ବକ୍ଷରେ ଅବିରଳ ତାଳି ଦେଉଥାଏ, ସେଥିରେ ପୁଣି ତଟିନୀର ମଧୁର କଳ କଳ ଧ୍ୱନି ଜନନୀର ଆଦର ଆଶ୍ୱାସନାରୁ ବଳି ପ୍ରାଣରେ ଅପୂର୍ବ ଶାନ୍ତିର ସଞ୍ଚାର କରେ । ଆହା ସେ ପ୍ରିୟତମ ତଟିନୀ ମୋର ! ସୁଖ ଦୁଃଖରେ କେତେ ଥର ତୋର ସ୍ନେହମୟ କୋଳରେ ବସି କେତେ ଏକାନ୍ତ ରଜନୀ କଟାଇଅଛି, ତୋର ଜଳଧାରା ବାଲୁକାବିତାନ ଉପରେ ମଧୁରମୋହନରେ ଭାସିଗଲା ପରି ଏହି ମୋର ପ୍ରାଣକୁ କେତେ ଥର ଭବିଷ୍ୟ ଜୀବନର ଅନନ୍ତ ମୋହନ କଳ୍ପନାରେ ଭସାଇ ଦେଇଅଛି । କିନ୍ତୁ ଆଜି କେତେ ଦୂରରେ ! ବର୍ତ୍ତମାନ ତୋ ମୋ ମଧ୍ୟରେ ଶତ ଶତ ଯୋଜନ ବ୍ୟବଧାନ । ପ୍ରାଣରୁ ବିସ୍ତୃତ ହୁଏ, ତଟିନୀ, ବାଲ୍ୟଜୀବନର ସେ ସବୁ ମଧୁମୟ ସ୍ୱପ୍ନ । ପୁଣି ସେହି ଛାତ୍ରାବାସର କଥା । ନୂଆ ହୋଇ ଯାଇଥିବାରୁ ଘରେ ବାପା ମାଁଙ୍କ କଥା ସବୁବେଳେ ମନେ ପଡ଼ୁଥାଏ, ସହପାଠିମାନଙ୍କ ସଙ୍ଗେ ମିଶିବାକୁ ସଙ୍କୋଚ ବୋଧ ହେଉଥାଏ, ଏପରି କି ଆବଶ୍ୟକ ବେଳେ ଚାକରମାନଙ୍କୁ ସୁଦ୍ଧା ପଦେ କଥା କହିବାକୁ ଡର ମାଡ଼ୁଥାଏ ।

 

ଏଥିରେ ଲେଖକ ଛାତ୍ରଜୀବନ ବର୍ଣ୍ଣନା କରୁ କରୁ ଛାତ୍ରାବାସକୁ ବଳି କାଠଯୋଡ଼ୀକୁ ସ୍ନେହ କରୁଥିବାରୁ ଭାବସ୍ରୋତରେ ଭାସି ସେହି କାଠଯୋଡ଼ୀ ବିଷୟରେ ଏତେ ଲେଖିଛନ୍ତି । କିନ୍ତୁ ସେଥିରେ ଏକାବେଳକେ ଭାସି ନ ଯାଇ ପୁଣି ମୁଖ୍ୟଚିନ୍ତା–ଛାତ୍ରଜୀବନ ବର୍ଣ୍ଣନାକୁ ଫେରି ଆସିଛନ୍ତି-। ଏଥିରେ ରଚନାର ଗୌରବ ବୃଦ୍ଧି ହୋଇଅଛି ।

 

୫ । ସ୍ୱଭାବୋକ୍ତି–ପଦ୍ୟରେ ସାଧାରଣତଃ କଳ୍ପନାର ଅତିରଞ୍ଜନ ଅଧିକ ପରିମାଣରେ ଥିବାରୁ ସ୍ଥାନେ ସ୍ଥାନେ ପ୍ରକୃତ ବର୍ଣ୍ଣନା ପାଠକ ପ୍ରାଣରେ ଆରାମ ଦିଏ । ଏହି ପ୍ରକାର ବର୍ଣ୍ଣନାକୁ ସ୍ୱଭାବୋକ୍ତି କହନ୍ତି । ଗଦ୍ୟରେ କଳ୍ପନା ଓ ଅତିରଞ୍ଜନରେ ଭାସି ନ ଯାଇ ପ୍ରକୃତ ବର୍ଣ୍ଣନାରେ ଆବଦ୍ଧ ରହିବା ଉଚିତ । ବର୍ତ୍ତମାନ ଭାଷାରେ ଅଳଂକାରର ଯୁଗ ନୁହେଁ । ଏହି ବୈଜ୍ଞାନିକ ଯୁଗରେ ଭାଷାରେ ସମସ୍ତେ ବସ୍ତୁ ବା ବିଷୟର ପ୍ରକୃତ ବର୍ଣ୍ଣନା ଲୋଡ଼ନ୍ତି । ପଦ୍ୟରେ ଏହାର ଉଦାହରଣ–

 

ସରଳା କୁମାରୀଚୟ ତୋଳି ନୀଳ କୁବଳୟ,

ପୂଜନ୍ତି ଦେବ ଶଂକରେ ବାଲୁକା ମନ୍ଦିରେ,

ଜଳାର୍ଦ୍ର କୁନ୍ତଳ ଧୀରେ କମ୍ପଇ ସମୀରେ ।

 

୬ । ଉପମା–ବର୍ଣ୍ଣିତ ବିଷୟର ଗୁରୁତ୍ୱ ବଢ଼ାଇବା ସକାଶେ ତାହାକୁ ଅନେକ ସମୟରେ ଉତ୍କୃଷ୍ଟତର, ଅଥବା ପୃଥିବୀର ଶ୍ରେଷ୍ଟତମ ପଦାର୍ଥ ସଙ୍ଗେ ତୁଳନା କରାଯାଇ ଥାଏ । ଚନ୍ଦ୍ର ସଙ୍ଗେ ମୁଖକୁ, ପଦ୍ମ ସଙ୍ଗେ ପାଦକୁ, ସିଂହ ସଙ୍ଗେ ବୀରକୁ, ମଣି ସଙ୍ଗେ ଗୁଣବାନ୍ ବ୍ୟକ୍ତିକି ତୁଳନା କରାଯାଏ । ଯେଉଁ ପଦାର୍ଥ ସହିତ ତୁଳନା କରାଯାଏ ତାହା ‘ଉପମାନ’ ଏବଂ ଯେଉଁ ପଦାର୍ଥକୁ ତୁଳନା କରାଯାଏ ତାହା ‘ଉପମେୟ’ । ଉପମା ଦୁଇ ପ୍ରକାର ।

 

(୧) ପୂର୍ଣ୍ଣୋପମା–ଯେଉଁଠାରେ ଉପମାନ ଉପମେୟ ଉଭୟର ଉଲ୍ଲେଖ କରାଯାଇ ସେମାନଙ୍କର ସମାନତା ଦେଖାଇ ଦିଆଯାଇ ଥାଏ, ସେହିଠାରେ ପୂର୍ଣ୍ଣୋପମା ହୁଏ । ଉଦାହରଣ–

 

ସୂର୍ଯୋଦୟରେ ଅନ୍ଧକାର ଦୂର ହେଲା ପରି, ବୁଦ୍ଧଙ୍କ ଆବିର୍ଭାବରେ ଭାରତର ଅଜ୍ଞାନ ଦୂର ହୋଇଥିଲା ।

 

୨ । ଲୁପ୍ତୋପମା–କିନ୍ତୁ ଉପରୋକ୍ତ ଉଦାହରଣରେ ଉପମାନ, ଉପମେୟ ଉଭୟର ଉଲ୍ଲେଖ କରାଯାଇ ସୁଦ୍ଧା ପରସ୍ପରର ସମାନତା ଦେଖାଇ ଦିଆ ନ ଗଲେ ଲୁପ୍ତୋପମା ହୁଅନ୍ତା । ଯଥା–

 

ବୁଦ୍ଧ ଭାରତର ରବି ଥିଲେ ।

 

ଏହିପରି ଆଉ କେତେଗୋଟି ଉଦାହରଣ, ଯଥା–

 

ତାର ସୌଭାଗ୍ୟ ବର୍ତ୍ତମାନ ଅସ୍ତ ହେଉଅଛି ।

ମଧୁବାବୁ ଦେଶର ଗୋଟିଏ ଉଜ୍ଜ୍ୱଳ ନକ୍ଷତ୍ର ।

ଚିନ୍ତା କାର୍ଯ୍ୟର ପ୍ରସୂତୀ ।

 

୭ । ରୂପକ–ଉପମାନ ଓ ଉପମେୟର ଅଭେଦ ଦେଖାଗଲେ ‘ରୂପକ’ ହୁଏ । ଏହା ଏକ ପ୍ରକାର ଲୁପ୍ତୋପମା । ଯଥା–

 

ଦାବାଗ୍ନିରୂପେ ଯେବେ ଦୁଃଖ ଅନଳ

ଦହିବ ହୃଦବନ ହୋଇ ପ୍ରବଳ ।

କିଏ ହେ ନାଥ ସ୍ନେହ ସଲିଳ ଦାନେ

ଶୀତଳ କରିବ ଏ ଦଗ୍ଧ ପରାଣେ ?

 

ଏଠାରେ ଦୁଃଖର ଅନଳଠାରୁ, ହୃଦୟର ବନଠାରୁ, ସ୍ନେହର ସଲିଳ ଠାରୁ ପ୍ରଭେଦ ନ ଥିଲା ପରି ଦେଖା ଯାଉଅଛି ।

 

୮ । ଦୃଷ୍ଟାନ୍ତ–ବର୍ଣ୍ଣନୀୟ ବିଷୟଟି ସରଳ ଓ ସହଜବୋଧ୍ୟ କରିବା ସକାଶେ ଆମ୍ଭେମାନେ ଅନେକ ସମୟରେ କେତେଗୁଡ଼ିଏ ଅନୁରୂପ ଦୃଷ୍ଟାନ୍ତ ଦେଇଥାଉ । ଏହା ଉପମା ପରି ବର୍ଣ୍ଣନୀୟ ବିଷୟର ଉତ୍କର୍ଷ ସାଧନ କରେ ନାହିଁ, ବରଂ ଅନେକ ସମୟରେ କୌଣସି ଉତ୍କୃଷ୍ଟ ବିଷୟକୁ ପ୍ରାଞ୍ଜଳ କରିବା ନିମନ୍ତେ ନିକୃଷ୍ଟତର ବିଷୟର ଦୃଷ୍ଟାନ୍ତ ଦିଆଯାଏ । ଉଦାହରଣ–

 

କ୍ଷୁଦ୍ର କ୍ଷୁଦ୍ର ଜଳ ବିନ୍ଦୁର ସମଷ୍ଟିରେ ମହାସମୁଦ୍ର, କ୍ଷୁଦ୍ର କ୍ଷୁଦ୍ର ମୃତ୍ତିକାକଣା ଏକତ୍ରିତ ହୋଇ ଏହି ବିଶାଳ ପୃଥିବୀ, କ୍ଷୁଦ୍ର କ୍ଷୁଦ୍ର ଅସଂଖ୍ୟ ତାରାମାନଙ୍କୁ ଘେନି ଅନନ୍ତ ଛାୟାପଥ । ସେହିପରି କ୍ଷୁଦ୍ର କ୍ଷୁଦ୍ର ଜୀବନର ସଂଯୋଗରେ ମହା ଜାତୀୟ ଜୀବନର ସୃଷ୍ଟି । ଅତଏବ ଏ କ୍ଷେତ୍ରରେ ଆମ୍ଭମାନଙ୍କର ସକଳ ଭେଦ ଭୁଲି ଯିବାକୁ ହେବ ।

 

ଗୋଟିଏ ଗଛ ମରିଗଲା ପରେ ତା ପୃଥିବୀପୃଷ୍ଠରୁ ଲୁପ୍ତ ହେଲା ପରି ଜଣାପଡ଼େ । କିନ୍ତୁ ବାସ୍ତବରେ ତା ହୁଏ ନାହିଁ । ତା ଭୂମିରେ ସାର ରୂପରେ ରହି ନୂତନ ବଳବତ୍ତର ବୃକ୍ଷର ଜୀବନଧାରଣରେ ସହାୟ ହୁଏ । ଆମ୍ଭମାନଙ୍କର ଏ ଅନୁଷ୍ଠାନଟି ଭାଙ୍ଗି ଯାଇପାରେ, କିନ୍ତୁ ଏହାର ଶକ୍ତିର କଣିକାଏ ମାତ୍ର ବିଲୁପ୍ତ ହେବ ନାହିଁ । ଏହି ଶକ୍ତି ଧାରଣ କରି, ଏପରି ଗୋଟିଏ ନୂତନ ଅନୁଷ୍ଠାନ ବିକଶିତ ହୋଇପାରେ, ଯାହାଦ୍ୱାରା ଦିନେ ପୃଥିବୀ ନିଜକୁ ଗୌରବାନ୍ୱିତ ମନେ କରିବ ।

 

୯ । ବିରୋଧାଭାଷ (Antithesis and epigram)–ଦୁଇ ଗୋଟି ବିପରୀତ ଭାବାପନ୍ନ ଶବ୍ଦ ବା ବାକ୍ୟଦ୍ୱାରା ରଚନାର ସୌନ୍ଦର୍ଯ୍ୟ ଓ ଶକ୍ତି ବଢ଼ିଥାଏ ।

 

୧)

ଯେଉଁଠାରେ ସବଳର ପୂଜା, ଦୁର୍ବଳ ଉପରେ ଏତେ ନିର୍ଯାତନ, ସେଠାରେ ବାସକରିବା ଉଚିତ ନୁହେଁ ।

(୨)

ତୁ ଆଜି ଅସୀମ ରାଜସମ୍ପଦରେ ଭାସୁଅଛୁ, ମୁଁ କିନ୍ତୁ ଦାଣ୍ଡର ଭିଖାରୀ ।

(୩)

ଈଶ୍ୱର ଦୂରରୁ ସୁଦୂର; ଅଥଚ ତାଙ୍କଠାରୁ ବଳି ନିକଟରୁ ନିକଟତର କିଏ ଅଛି ?

(୪)

ଜୀବନ ନୁହଇ ଜୀବନ୍ତ ମରଣ ।

 

(ରାଧାନାଥ)

 

୧୦ । ବ୍ୟଙ୍ଗୋକ୍ତି (Irony)–ଏହା ଅନେକ ସମୟରେ ଭାଷାର ଶକ୍ତି ଓ ସୌନ୍ଦର୍ଯ୍ୟ ବଢ଼ାଇ ଥାଏ । ଲେଖକ କୌଣସି ବିଷୟର ନିନ୍ଦା କରିବାକୁ ଯାଇ ସରଳ ଭାବରେ ପ୍ରକାଶ କରିବା ପରିବର୍ତ୍ତେ, ପ୍ରଶଂସାସୂଚକ ବାକ୍ୟ ବା ଶବ୍ଦର ବ୍ୟବହାରଦ୍ୱାରା ନିନ୍ଦାକୁ ଗୁରୁତର କରିଥାନ୍ତି ଯଥା :–

 

(୧) ଆରେ ଯା’ମ, ଭାରି ପଣ୍ଡିତଟେ !

 

(୨) ତୁମ୍ଭରି ଷଡ଼୍‌ଯନ୍ତ୍ରରେ ମୋର ଭାଇର ମୃତ୍ୟୁ, ତୁମ୍ଭର ଆତ୍ୟାଚାରରେ ମୋର ଅର୍ଥନାଶ, ଏତେ ମନସ୍ତାପ, ଜୀବନରେ ଦିନେ ସୁଖ ନାହିଁ, ଆହାର ନିଦ୍ରା ପର୍ଯ୍ୟନ୍ତ ତ୍ୟାଗ କରିଅଛି-। ତୁମ୍ଭ ପରି ବନ୍ଧୁ ନ ହେଲେ ଏ ଉପକାର କିଏ କରନ୍ତା !

 

୧୧ । ପ୍ରସାଦ–ରଚନାରେ ଯେ ଧର୍ମ ଥିଲେ ପଦଗତ ଅର୍ଥ ସହସା ବୋଧ ହୋଇ ଚିତ୍ତକୁ ପ୍ରସନ୍ନ କରେ ତାହାକୁ ପ୍ରସାଦ ଗୁଣ କହନ୍ତି ।

 

(୧)

ଜଗତୀ ଉପରେ ଜଗତ ମୋହିନୀ

 

ବସି ହେଉଥିଲା ବେଶ,

 

ଫୁଟି ଉଠୁଥିଲା ସୁସଞ୍ଚେ ଚରମେ

 

ତରଙ୍ଗ କୁଞ୍ଚିତ କେଶ ।

 

[ରାଧାନାଥ]

 

(୨) ସମ୍ମୁଖରେ ଅନନ୍ତ ଜଳରାଶି ଉତ୍ତୁଙ୍ଗ ତରଙ୍ଗମାଳାରେ କ୍ରୀଡ଼ା କରୁଅଛି, ପଦତଳେ ବିପୁଳାଧରଣୀ ପତିତା ରହିଅଛନ୍ତି, ଉର୍ଦ୍ଧ୍ୱରେ ଅନନ୍ତ ବାୟୁରାଶି; ତହିଁ ମଧ୍ୟରେ ଅସଂଖ୍ୟ ଗ୍ରହପୁଞ୍ଜ, ଅଗଣିତ ତାରକାରାଜି ଅବିରତ ଧାବିତ । ଚତୁର୍ଦ୍ଦିଗରେ ଅନନ୍ତ ବ୍ୟାପାର ! କିନ୍ତୁ ମଧ୍ୟସ୍ଥଳରେ ମୁଁ କିଏ, କି ହୀନ, କେତେ ସାମାନ୍ୟ !

 

୧୨। ପରିକର–ବିଶେଷଣ ଅଭିପ୍ରାୟମୂଳକ ହେଲେ ପରିକରାଳଙ୍କାର ହୁଏ ।

 

[୧] ବୀଜବନ୍ଧୋ । ବୀଜଇ ପ୍ରତି ସହାୟ ହୁଅ ।

 

[୨] ତିଳକ ଥିଲେ ଗୁଣୀନ୍ଦ୍ରମାନଙ୍କର ତିଳକ ।

 

୧୩ । ବିଭାବନା–ବିନା ହେତୁରେ କାର୍ଯ ଉତ୍ପତ୍ତି ହେଲେ ବା କାରଣ ଥାଇ କାର୍ଯର ଉତ୍ପତ୍ତି ନ ହେଲେ ବିଭାବନାଳଙ୍କାର ହୁଏ ।

 

[୧]

ସୁଖେ ପଡ଼େ ପୁଣିଏ ଭଳି ବିପଦ

 

ଏଡ଼େ ବେଗରେ

 

କିଏ ଜାଣିଥିଲାଏ ବଜ୍ର ପଡ଼ିବ

 

ବିନା ମେଘରେ ।

 

[୨] ହେ ଶକ୍ତି ଉପାସକ ବ୍ରାହ୍ମଣ ! ତୁମେ ପରା ଶାକ୍ତ ବୋଲି ଗୌରବ କର ? ଶକ୍ତି ଉପାସକ କୌଣସି ଜାତିର ଏ ଭଳି ଦୁର୍ଗତି ସମ୍ଭବେ କି ?

 

ପ୍ରଥମ ଉଦାହରଣରେ କାରଣ ନ ଥାଇ କାର୍ଯର ଉତ୍ପତ୍ତି ହେଉ ଥିବାରୁ, ଏବଂ ଦ୍ୱିତୀୟରେ କାରଣ ଥାଇ କାର୍ଯର ଉତ୍ପତ୍ତି ହେଉ ନ ଥିବାରୁ ବିଭାବନାଳଙ୍କାର ହୋଇଅଛି ।

 

୧୪ । ପ୍ରଶ୍ନ ଓ ବିସ୍ମୟ–ପ୍ରଶ୍ନଚିହ୍ନାନ୍ତ ଓ ବିସ୍ମୟଚିହ୍ନାନ୍ତ ବାକ୍ୟ ଅନେକ ସମୟରେ ରଚନାର ଶକ୍ତି ବର୍ଦ୍ଧନ କରେ ଯଥା :–

 

(୧) ବର୍ତ୍ତମାନ ଓଡ଼ିଶାର ଏ ଦୁର୍ଦ୍ଦଶା ଦେଖି ତୁମ୍ଭର ବିଶ୍ୱାସ ହେବ କି ଏହା ଦିନେ ଗୁଣଗୌରବରେ ଭାରତରେ ପୂଜିତ ହେଉଥିଲା ?

 

(୨) ସେହି କୋଣାର୍କ ରହିଅଛି, ଏକାମ୍ର କାନନର ଉତ୍ତୁଙ୍ଗ ଦେବମନ୍ଦିର ଗଗନମଣ୍ଡଳକୁ ସେହିପରି ଶିଖର ଟେକିଅଛି, କିନ୍ତୁ ସେହି ଶିଳ୍ପିକୁଳ କାହାନ୍ତି ! ଉତ୍କଳ ସୌଭାଗ୍ୟ ତ ଚିରଦିନ ନିମନ୍ତେ ଅସ୍ତ ହେଲା ।

 

୧୫ । ନିଷେଧ–ଶବ୍ଦ ଓ ବାକ୍ୟ ଉଭୟରେ ଏହା ପ୍ରକାଶ କରାଯାଏ । ଏହାର ପ୍ରୟୋଗରେ ଭାଷାର ଶକ୍ତି ବଢ଼େ । ଯଥା:–

 

(୧)

ଅମୂଲ୍ୟ, ଦୁର୍ଲ୍ଲଭ, ଅସାଧ୍ୟ ଇତ୍ୟାଦି ।

(୨)

ଏହା ସାମାନ୍ୟ ହୃଦୟର ପରିଚୟ ନୁହେଁ ।

(୩)

ଆଜି ଭାରତର ସେ ସୌଭାଗ୍ୟ ନାହିଁ, ସେ ବିକ୍ରମ, ଅଶୋକ ନାହାନ୍ତି: ବ୍ୟାସ, କଳିଦାସ ଅନ୍ତର୍ହିତ ହୋଇଅଛନ୍ତି; ଅତୀତର ସକଳ ସମ୍ପଦ ଆଜି ବିଲୁପ୍ତ ହୋଇଅଛି: ଅଛି କେବଳ ସ୍ନେହ ସ୍ମୃତି ।

 

୧୬ । ଶିଷ୍ଟତା (Euphemism)–କୌଣସି ଦୋଷାବହ ବିଷୟକୁ ଭାଷାଛଟାରେ ଲୁଚାଇ ରଖି, ସାଧାରଣ ଭାବରେ ପ୍ରକାଶ କଲେ, ଦୋଷ ଅନେକ ପରିମାଣରେ ଘୋଡ଼ାଇ ହୋଇଯାଏ । ଏଥିରେ ଲେଖକର ଶିଷ୍ଟତା ପ୍ରକାଶ ପାଏ । ଲେଖକ ଅନେକ ସମୟରେ ମଧ୍ୟ ଏହା ସାହାଯ୍ୟରେ ପକ୍ଷପାତ ଦେଖାଇଥାଏ । ଯଥା:–

 

ତାଙ୍କର ଦୂର୍ଭାଗ୍ୟ ଯେ, କୌଣସି କ୍ଷେତ୍ରରେ କେହି ତାଙ୍କର ମହତ୍ତ୍ୱ ବୁଝିପାରୁ ନାହାନ୍ତି ।

‘ତାଙ୍କର କୌଣସି ମହତ୍ତ୍ୱ ନାହିଁ’ ଏହି କଥାକୁ ଉପର ଲିଖିତରୂପେ ପ୍ରକାଶ କଲେ ଦୋଷ ଟିକିଏ ଆଚ୍ଛାଦିତ ହୋଇ ରହେ ।

 

୧୭ । ଲକ୍ଷ୍ୟାର୍ଥ ବିଶେଷଣ, (Transferred epithet)–ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଅନେକ ସମୟରେ ବ୍ୟକ୍ତିର ବିଶେଷଣ ବସ୍ତୁଠାରେ ଆରେପ କରାଯାଏ । ଯଥା:–

 

(୧) ସେ ଦିନର ଘଟଣା ମୋର ଦୁର୍ବଳା ଲେଖନୀ ବର୍ଣ୍ଣନା କରିପାରିବ ନାହିଁ ।

 

(୨) ଏହା କୌଣସି ଉନ୍ନତ ମସ୍ତକର ଚିନ୍ତାପରି ବୋଧ ହେଇଅଛି ।

 

୧୮ । ବ୍ୟକ୍ତିତ୍ୱାରୋପ–ଭାଷା ଛଟାରେ ବେଳେ ବେଳେ ଜଡ଼ବସ୍ତୁଠାରେ ଜୀବନ ଅରୋପ କରାଯାଏ । ଯଥା:–

 

(୧) ତାଙ୍କର ବ୍ୟବହାର ପ୍ରଭାତର ସ୍ମିତ ପରି ପ୍ରୀତିପ୍ରତ ।

 

(୨) ଇଚ୍ଛାନତ କୁମୁଦିନୀ ସୂର୍ଯ୍ୟାସ୍ତ ପରେ ପୁନର୍ବାର ପ୍ରସ୍ଫୁଟିତ ହେଲା ।

 

(୩) ଅନୁତାପର କଷାଘାତ, ବିପଦର ଭ୍ରୁକୁଟି, ନକ୍ଷତ୍ରବୀଜ ଚନ୍ଦ୍ର ।

 

୧୯ । ଅନୁପ୍ରାସ–ଗୋଟିଏ ବାକ୍ୟରେ କୌଣସି ବର୍ଣ୍ଣ ପୁନଃ ପୁନଃ ବ୍ୟବହୃତ ହେଲେ ଅନୁପ୍ରାସ ହୁଏ । ପଦ୍ୟରେ ଏହାର ପ୍ରୟୋଗ ବହୁଳ ଦୃଷ୍ଟ ହୁଏ । ଗଦ୍ୟରେ ଏହାର ବିଶେଷ ବ୍ୟବହାର ସାଧାରଣତଃ ରୁଚିବିରୁଦ୍ଧ । ବିନା ଚେଷ୍ଟାରେ ଲେଖି ହୋଇଗଲେ ଏହା ସୌନ୍ଦର୍ଯ୍ୟ ବୃଦ୍ଧି କରିପାରେ । ଯଥା:–

 

‘ଏଠାରେ କେତେଦିନ କିଞ୍ଚିତ କାର୍ଯ୍ୟ କରି ସେ କାହାକୁ କିଛି ନ କହି କାଲି କାହିଁକି କଟକ ଗଲେ’ । ଏହିପରି ଚେଷ୍ଟା କରି ଅନୁପ୍ରାସ ରଖିଲେ ବାକ୍ୟ ସୁନ୍ଦର ହୁଏ ନାହିଁ ।

 

‘ଶିବଙ୍କ କ୍ରୋଧରେ କ୍ରୁର କଟାକ୍ଷରେ ମଦନ ଭସ୍ମୀଭୂତ ହେଲା’ । ଏପରି ବ୍ୟବହାରରେ ଭାଷା ଟିକିଏ ସୁନ୍ଦର ହେଲାପରି ଜଣାପଡ଼େ ।

 

୨୦ । ଉଦ୍ଧୃତାଂଶଲିଖିତ ବିଷୟକୁ ଦୃଢ଼ୀଭୂତ କରିବା ସକାଶେ ଅନେକ ସମୟରେ ବିଶିଷ୍ଟ ଲେଖକଙ୍କର ଉକ୍ତି ଉଦ୍ଧୃତ କରାଯାଇଥାଏ । କୌଣସି କୌଣସିଠାରେ ବିଷୟର ଅବତାରଣା ଓ ଉପସଂହାରବେଳେ ମଧ୍ୟ ଏହାର ବ୍ୟବହାର ଦେଖାଯାଏ ।

 

ଭାଷାରେ ଏ ସକଳ ସୌନ୍ଦର୍ଯ୍ୟ ରହିଲେ ମଧୁର ଓ ରୁଚିକର ହୁଏ, କିନ୍ତୁ କୌଣସି ବିଶିଷ୍ଟ ଉଦ୍ଦେଶ୍ୟରେ ପ୍ରବନ୍ଧ ଲେଖିଲାବେଳେ ନୂତନ ଲେଖକମାନେ ଚେଷ୍ଟା କରି ଏ ସବୁ ସୌନ୍ଦର୍ଯ୍ୟ ଭାଷାରେ ଦେଖାଇବାକୁ ଯାଇ, ଅନେକ ସମୟରେ ପ୍ରବନ୍ଧକୁ ବିକୃତ କରି ପକାଇଥାନ୍ତି । ସାଧାରଣତଃ ଛାତ୍ରଙ୍କର ପ୍ରବନ୍ଧ ଦୋଷଶୂନ୍ୟ ହୋଇପାରିଲେ ଯଥେଷ୍ଟ ହେଲା, ବୋଲିବାକୁ ହେବ । ସୁତରାଂ ଛାତ୍ରମାନେ ସର୍ବ ପ୍ରଥମେ ଭାଷାକୁ ଦୋଷଶୂନ୍ୟ କରିବାକୁ ଚେଷ୍ଟା କରିବା ଉଚିତ । ସୌନ୍ଦର୍ଯ୍ୟବୋଧ ହୃଦୟର ଗୋଟିଏ ଉନ୍ନତ ବୃତ୍ତି । ବୟସ ଓ ଜ୍ଞାନର ବିକାଶ ସଙ୍ଗେ ସଙ୍ଗେ ଏହାର କ୍ରାମିମ ବୃଦ୍ଧି ହୁଏ । ହୃଦୟ ଉନ୍ନତ ଏବଂ ରୁଚି ମାର୍ଜିତ ହେଲେ, ଭିତରର ସୌନ୍ଦର୍ଯ୍ୟ ଭାଷାରେ ପ୍ରକାଶ ପାଏ । ଏଥିପାଇଁ ଚେଷ୍ଟ କରିବା ଦରକାର ହୁଏ ନାହିଁ । ତେବେ ଉପଯୁକ୍ତ ବୟସରେ ଏହି ସବୁ ସୌନ୍ଦର୍ଯ୍ୟ ସଙ୍ଗେ ପରିଚିତ ହେଲେ, ବା ଏହି ସବୁ ସୌନ୍ଦର୍ଯ୍ୟ ପ୍ରତି ଦୃଷ୍ଟି ରଖି ବଡ଼ ବଡ଼ ଲେଖକଙ୍କର ଲେଖା ପଢ଼ିଲେ ଓ ଆଲୋଚନା କଲେ ସୌନ୍ଦର୍ଯ୍ୟବୋଧର ବିକାଶ ଟିକିଏ ସହଜ ହୁଏ । ସହଜ ସରଳ ହେବା ଭାଷାର ପ୍ରଧାନ ଗୁଣ । ଏଥିପ୍ରତି ଛାତ୍ରମାନଙ୍କର ସର୍ବଦା ଉଦ୍ୟମ ରହିବା ଉଚିତ । ଭାଷା ଯେତେ ସୁନ୍ଦର ହେଉ ପଛକେ, ଲିଖିତ ବିଷୟଟି ସ୍ପଷ୍ଟରୂପେ ବୁଝା ନ ଗଲେ, ପାଠକ ମନରେ କୌଣସି ଧାରଣା ହୁଏ ନାହିଁ । ଏଥି ସଙ୍ଗେ ସଙ୍ଗେ ଭାଷାର ଶକ୍ତି ଓ ମାଧୁର୍ଯ୍ୟ ପ୍ରତି ଦୃଷ୍ଟି ରଖିବାକୁ ହେବ । କିନ୍ତୁ ଏହି ତିନୋଟିଯାକ ଗୁଣ ସର୍ବଦା ଛାତ୍ର ପ୍ରବନ୍ଧରେ ଆଶା କରାଯାଇ ନ ପାରେ । ଏସବୁ ଛଡ଼ା ଆଉ ଗୋଟିଏ ବିଷୟ ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ । ତାହା ସଂକ୍ଷେପରେ ଭାବ ପ୍ରକାଶ । ଭାଷା ସହଜ, ସରଳ ହେଲେ ସୁଦ୍ଧା ସଂକ୍ଷିପ୍ତତାର ଅଭାବରୁ ଅନେକ ସମୟରେ ଶକ୍ତି ଓ ମାଧୁର୍ଯ୍ୟ ହରାଇଥାଏ । ଇଂରେଜି ଲେଖକ ବେକନ୍‌ (Bacon)ଙ୍କର ପ୍ରବନ୍ଧ ଗୁଡ଼ିକ ଏତେ ଆଦର ପାଇବାର ପ୍ରଧାନ କାରଣ ତାଙ୍କର ଭାଷାରେ ସଂକ୍ଷିପ୍ତତା ।

Image

 

ଭାବର ଅଭିବୃଦ୍ଧି

(Expansion of thought)

 

୧ । କହିବା ଠାରୁ ବହିବା କଷ୍ଟ

 

ସଂସାରରେ ଅନେକ ବାକ୍ୟବୀର ଦେଖାଯାନ୍ତି, କିନ୍ତୁ କର୍ମକ୍ଷେତ୍ରରେ ଆମ୍ଭେମାନେ କେତେଜଣଙ୍କୁ ଦେଖୁ ? ଉପଦେଶ ଦେବା ବଡ଼ ସହଜ, ମାତ୍ର ସେହି ଉପଦେଶ ଅନୁସାରେ କାର୍ଯ୍ୟ କରିବାକୁ ହେଲେ କେତେ ସଂଯମ ଆବଶ୍ୟକ ତାହା ସମସ୍ତଙ୍କୁ ଜଣା । ବକ୍ତୃତା ଶୁଣିଲାବେଳେ ଆମ୍ଭେମାନେ ଉତ୍ତେଜିତ, ଉନ୍ମାଦିତ ହେଉ; କିନ୍ତୁ ବକ୍ତା ନିଜେ ଯାହା, ବକ୍ତୃତା ସବୁବେଳେ ତାର ଅନୁରୂପ ହୋଇ ନ ଥାଏ । ଲୋକେ ଆତ୍ମ-ପରୀକ୍ଷା ନ କରି ଏବଂ କଥିତ ବିଷୟର ଗୌରବ ହୃଦୟଙ୍ଗମ ନ କରି ଉପଦେଶ ଦେଇଥାନ୍ତି । ଏହା କ୍ଷୀଣ ଚିନ୍ତାର ସୂଚନା କରେ । ଆଉରି ମଧ୍ୟ ଲୋକେ ଭାଷା ଛଟାରେ ନିଜର ଦୋଷ ଘୋଡ଼ାଇ ରଖିବାକୁ ଚେଷ୍ଟା କରନ୍ତି । ସେଥିପାଇଁ କହନ୍ତି, ‘ଭାଷା ମନର ଭାବକୁ ଲୁଚାଇ ରଖିବାର ଗୋଟିଏ କୌଶଳ’ ।

 

କିନ୍ତୁ ଯେଉଁମାନେ ସର୍ବଦା କର୍ମରେ ରତ, କର୍ମକ୍ଷେତ୍ରରେ ନିଜ ନିଜର ଅଭାବ, ଅସୁବିଧା ଦାୟିତ୍ୱ ବୁଝୁଅଛନ୍ତି; ସେମାନଙ୍କ ମୁଖରୁ ଅନେକ ସମୟରେ ଅଳ୍ପ କଥା ବାହାରେ । ବିବେକର କେତେ କଶାଘାତ, ଅନୁତାପର କେତେ ଦଂଶନରେ ସେମାନେ ଅବିରତ ପ୍ରପୀଡ଼ିତ । ତାଙ୍କ ପ୍ରତି ଜୀବନ ଗୋଟିଏ ଅନନ୍ତ ସାଧନା ଓ ସଂଗ୍ରାମର କ୍ଷେତ୍ର । କହିବା ଲୋକ ଏ ଗୁରୁତ୍ୱ ବୁଝେ କି ? ବାସ୍ତବିକ କହିବାଠାରୁ ବହିବା କଷ୍ଟକର-

 

୨ । ମନ ଅନୁସାରେ ଫଳ ଫଳେ

 

ଏଠାରେ ମନ କେବଳ ଅସାର କଳ୍ପନା ନୁହେଁ, ଏହା କର୍ମୀର ଅଟଳ ପ୍ରତିଜ୍ଞା । ମନରେ କୌଣସି ଗୋଟିଏ ଚିନ୍ତା ଜାତ ହେଲେ, ତାହା ହଠାତ୍ କାର୍ଯ୍ୟରେ ପରିଣତ ହୁଏ ନାହିଁ । ପରିଣାମର ଭଲ ମନ୍ଦ ଉଭୟ ଦିଗ ବିବେଚନା କରି, ମନୁଷ୍ୟ କାର୍ଯ୍ୟ କରିବାର ଇଚ୍ଛା ପରିତ୍ୟାଗ କରେ, ଅଥବା କରିବାପାଇଁ ପ୍ରତିଜ୍ଞାବଦ୍ଧ ହୁଏ । ପ୍ରାଣରେ ଏହି ପ୍ରତିଜ୍ଞା ଆସିବା ପୂର୍ବରୁ, ଅର୍ଥାତ୍‌ ଚିନ୍ତାର ପ୍ରାଥମିକ ଅବସ୍ଥାରେ, କର୍ମର ପଥ ଅସ୍ପଷ୍ଟ ଥାଏ; ସୁତରାଂ କର୍ମଟି ଦୁଃସାଧ୍ୟ ବୋଧହୁଏ । କିନ୍ତୁ ଚିନ୍ତା ପ୍ରତିଜ୍ଞାରେ ପରିଣତ ହେଲେ ଆଉ ସେ ଅଭାବ ରହେ ନାହିଁ; କର୍ମର ପଥ ପ୍ରାଞ୍ଜଳ ଓ ପରିଷ୍କାର ହୁଏ ଏବଂ କାର୍ଯ୍ୟଟି ସହଜ, ସୁସାଧ୍ୟ ହୁଏ । ପ୍ରତିଜ୍ଞାରୁ କାର୍ଯ୍ୟ କରିବାର ପ୍ରବୃତ୍ତି ଓ ଅଧ୍ୟବସାୟ ଆସେ । ଥରେ ବିଫଳ ହେଲେ ଏ ପ୍ରବୃତ୍ତିର ବିରାମ ହୁଏନାହିଁ । ବରଂ ନାନା ବାଧାବିଘ୍ନର ଘାତପ୍ରତିଘାତରେ ଏହା ସବଳ ଓ ପରିପୁଷ୍ଟ ହୋଇ ସିଦ୍ଧିର ଦିଗରେ ଅଗ୍ରସର ହୁଏ । ବୁଦ୍ଧି କାର୍ଯ୍ୟସାଧନାରେ ସାହାଯ୍ୟ କରେ ସତ, କିନ୍ତୁ ପ୍ରତିଜ୍ଞାହଁ ସିଦ୍ଧି ଆନୟନ କରେ । ବାସ୍ତବିକ ମନର ଅସାଧ୍ୟ କିଛି ନାହିଁ ।

 

୩ । ଛିଣ୍ଡିବାର ନୁହେଁ ହୃଦୟ ବନ୍ଧନ, ବିରହେ ବିକଶେ ହୋଇ ଶତ ଗୁଣ

 

ବିରହର ଦୁଃଖ ବିସ୍ମୃତ ହେବା ମନୁଷ୍ୟ କଦାପି ଲୋଡ଼େ ନାହିଁ । ଅନ୍ୟ ସକଳ ପ୍ରକାର କ୍ଷତ ଆରୋଗ୍ୟ କରିବାକୁ–ଅନ୍ୟ ସକଳ ପ୍ରକାର ଦୁଃଖ ଭୁଲି ଯିବାକୁ ଆମ୍ଭେମାନେ ଇଚ୍ଛା କରୁ, କିନ୍ତୁ ଏହି କ୍ଷତ ବଢ଼ିଲେ, ଏ ଦୁଃଖ-ଅସମ୍ଭାଳ ହେଲେ, ପ୍ରାଣରେ ଏକ ଅଭୂତପୂର୍ବ ଆନନ୍ଦ ଅନୂଭୂତ ହୁଏ । ଫୁଲଟିଏ ଗଛରୁ ଝଡ଼ି ଶୁଖିଗଲା ପରି କୋମଳ ଶିଶୁ ଯେତେବେଳେ କୋଳରୁ ଅନ୍ତର୍ହିତ ହୁଏ, ସେ କଥା ପାଶୋରି ପକାଇବାକୁ କେଉଁ ମାଆର ଇଚ୍ଛା ହେବ ? ସ୍ନେହମୟୀ ଜନନୀର ସ୍ମୃତି ହୃଦୟରୁ ପୋଛି ଦେବାକୁ କେଉଁ ବାଳକ ଲୋଡ଼ିବ ? ପ୍ରାଣର ପ୍ରିୟତମ ପ୍ରତିମା ଯେତେବେଳେ ଚିର ବିଦାୟ ନେଇ ଯାଉଅଛନ୍ତି, ସେଥିରେ ବିରହ ଯାତନା ଘଟିପାରେ । କିନ୍ତୁ ଏହି ଯାତନାକୁ ବିସ୍ମୃତିରେ ଘୋଡ଼ାଇ ଦେବାକୁ କାହାର ଇଚ୍ଛା ହେବ ? ବନ୍ଧୁର ବିୟୋଗ ପରେ ବନ୍ଧୁ ପ୍ରତି ଯେଉଁ ସ୍ନେହ ହୃଦୟରେ ପୋଷଣ କରାଯାଏ, ତାହାଠାରୁ ବଳି ମନୁଷ୍ୟ ପ୍ରାଣର ଆଉ କି ସମ୍ପଦ ଅଛି ? ବିରହରେ ଦୁଃଖ ଥାଇପାରେ; କିନ୍ତୁ ଏହାର ସୁଖ ସଙ୍ଗେ ତୁଳନା କରିବାକୁ ଜଗତରେ ଅନ୍ୟ କିଛି ନାହିଁ । ବନ୍ଧୁ ମରିଯାଇ ଭସ୍ମରେ ଲୀନ ହୋଇଯାଏ ସତ, କିନ୍ତୁ ଶ୍ମଶାନଭୂମିରୁ ତାହାର କୋମଳ ମଧୁର ବାଣୀ ଅନବରତ ଉଠୁଥାଏ । ଜୀବିତାବସ୍ଥାରେ ବନ୍ଧୁତାରେ ଯେ ଆନନ୍ଦ, ତହିଁରୁ ଶତଗୁଣ ବଳି ଆନନ୍ଦ ବନ୍ଧୁର ମୃତ୍ୟୁରେ ।

 

୪ । ସୁଖରୂପେ ଯାହା ଜନ ନେତ୍ରେ ଦିଶେ, ହାତେ ଆସେ ହାତୁଁ ପଡ଼ିବା ପାଇଁ ସେ

 

ମନୁଷ୍ୟ ସସାଂର ସୁଖରେ ନିଜକୁ ଭସାଇ ଦିଏ କାହିଁକି ? ସେ ଯେଉଁ ପୁତ୍ର, ସ୍ତ୍ରୀ, ଧନ, ସମାନ୍ନ ସକାଶେ ଜୀବନ ଢାଳିଦିଏ, ଚାଳିଗଲାବେଳେ କ’ଣ ସେମାନେ ଫେରି ଚାହାନ୍ତି ? ଆମ୍ଭେମାନେ ସୁଖ ବୋଲି ଯାହାର ଅନୁସରଣ କରୁ, ଜୀବନର କେତେକ ସମୟପାଇଁ ସେ ଆମ୍ଭମାନଙ୍କୁ ଭୁଲାଇ ରଖିଥାଏ; ଚିରକାଳ ରହେ ନାହିଁ । ସେ ସୁଖ ଯେତେବେଳେ ଅନ୍ତର୍ହିତ ହୁଏ, ସେ ମୋହ ଯେତେବେଳେ ଭାଂଗିଯାଏ, ସେତେବେଳେ ଜୀବନ ପୁଣି ଶୁଷ୍କ, ନୀରସ ହୁଏ । ଯାହା ଜୀବନରେ ସ୍ଥିର ନୁହେଁ, ବିଦ୍ୟୁତର କ୍ଷଣିକ ଆଭା ପରି ଚକ୍ଷୁ ଝଲସାଇ ଯାହା କ୍ଷଣକେ ଅନ୍ତର୍ହିତ ହୁଏ, ତାହାର ମୋହରେ ନ ପଡ଼ି ମନୁଷ୍ୟ ଯଦି ନିତ୍ୟ ସୁଖ ଲୋଡ଼ୁଥାନ୍ତା, ତାହାହେଲେ ଜୀବନ ମଧୁମୟ ହୁଅନ୍ତା ।

 

୫ । ପରିବର୍ତ୍ତନହି ସୃଷ୍ଟିର ନିୟମ

 

କେତେକ ଲୋକ ପରିବର୍ତ୍ତନର ବିରୋଧୀ । କୌଣସି ପ୍ରାଚୀନ ଅନୁଷ୍ଠାନର ପରିବର୍ତ୍ତରେ ନୂତନ କିଛି ହେବାର ଦେଖିଲେ ସେମାନଙ୍କୁ ଅସହ୍ୟ ବୋଧ ହୁଏ । କିନ୍ତୁ ଦେଖିବାକୁ ଗଲେ, ପ୍ରକୃତିର ସମସ୍ତ ପରିବର୍ତ୍ତନଶୀଳ । ନଦୀ ବହିଯାଉଅଛି; ପବନ ମୁହୂର୍ତ୍ତ ମାତ୍ର ସ୍ଥିର ହୋଇ ରହୁ ନାହିଁ; ଗଛ ଲତାମାନେ ଆଜି ଯାହା ଅଛନ୍ତି କାଲି ତାଠାରୁ ଭିନ୍ନ । ଏହିପରି କେତେ ପରିବର୍ତ୍ତନ ପ୍ରତି ମୁହୂର୍ତ୍ତରେ ଘଟି ଯାଉଅଛି ।

 

ଏହି ପରିବର୍ତ୍ତନଦ୍ୱାରା ପୃଥିବୀରେ ଅବିରତ ଗୋଟିଏ ନୂତନତା–ନିରବଚ୍ଛିନ୍ନ ଗୋଟିଏ ଜୀବନସ୍ରୋତ ବହି ଯାଉଅଛି । ଏହି ସ୍ରୋତର ଗତିରୋଧ ହେଲେ ଜଗତର କ୍ରାମିକ ଉନ୍ନତି ଅସମ୍ଭବ ହେବ । କେବଳ ସେତିକି ନୁହେଁ । ଆମ୍ଭେମାନେ ଦେଖୁଅଛୁଁ, ପ୍ରକୃତିର ବିଚିତ୍ର ନିୟମରେ ଖରା ପରେ ବର୍ଷା, ଦୁଃଖ ପରେ ସୁଖ, ବିପଦ ଉତ୍ତାରେ ସମ୍ପଦ ଆସୁଅଛି ।

 

ବର୍ଷଯାକ କେବଳ ଗ୍ରୀଷ୍ମ ଋତୁ ହେଲେ ପୃଥିବୀ ଯେପରି ଶୁଷ୍କ ଓ ରସହୀନ ହୁଅନ୍ତା, ସେହିପରି ଦୁଃଖ ବିପଦ ପରେ ସୁଖ ସମ୍ପଦ ଆସୁ ନ ଥିଲେ ମାନବ ଜୀବନ ଦୁର୍ବହ ହୋଇପଡ଼ନ୍ତା । ସୁଖ ସମ୍ପଦ ପରେ ମଧ୍ୟ ଦୁଃଖ ବିପଦର ଆବଶ୍ୟକତା ଅଛି । ଦୁଃଖ ଦୁର୍ବିପାକର ମଧ୍ୟ ଦେଇ ନ ଗଲେ ଜୀବନର ପ୍ରଚ୍ଛନ୍ନ ଶକ୍ତି ସମୂହର ବିକାଶ ହୁଏ ନାହିଁ । ଶକ୍ତିରେହିଁ ଜୀବନ ଗଠିତ । ଏହିପରି କେତେଗୁଡ଼ିଏ ଶକ୍ତିରେ ବିଶ୍ୱଜଗତ ଚଳୁଅଛି । ପୁରାତନରୁ ନୂତନକୁ ଆସିଲାବେଳେ ଯେଉଁ ପରିବର୍ତ୍ତନ ଘଟେ ତହିଁରେ ଶକ୍ତିର ବିକାଶ । ପରିବର୍ତ୍ତନହିଁ ସୃଷ୍ଟିର ନିୟମ ।

 

୬ । ଉଦ୍ୟୋଗିନଂ ପୁରୁଷସିଂହମୁପୈତି ସିଦ୍ଧିଃ

 

ଜୀବନରେ ସିଦ୍ଧି ଲାଭ କରିବାକୁ ହେଲେ କଠୋର ଅଧ୍ୟବସାୟ ପ୍ରୟୋଜନ । ପ୍ରତିମୁହୂର୍ତ୍ତରେ ଲକ୍ଷ୍ୟ ସ୍ଥିର ରଖି କାର୍ଯ୍ୟ କରିବାକୁ ହେବ । ସାମୟିକ ଶ୍ରମରେ କେତେକ କାର୍ଯ୍ୟ ସାଧିତ ହୋଇପାରେ; କିନ୍ତୁ ଜୀବନରେ କଦାପି ସିଦ୍ଧି ଲାଭ ହେବ ନାହିଁ । ନିଜର ଖିଆଲଅନୁସାରେ ଅଥବା ପ୍ରଶଂସାର ଲାଳସାରେ ଲୋକେ କାର୍ଯ୍ୟରେ ହସ୍ତକ୍ଷେପ କରିପାରନ୍ତି; କିନ୍ତୁ ସେଥିରେ ସେମାନଙ୍କର ଜୀବନର ମହତ୍ତ୍ୱ ପ୍ରକାଶିତ ହୁଏ ନାହିଁ; ହୃଦୟର ଯୋଗ ନ ଥିବାରୁ ପ୍ରାଣର ବିକାଶ ଘଟେ ନାହିଁ । କୌଣସି କାର୍ଯ୍ୟ କରିବାକୁ ଗଲାବେଳେ ସେଥିରେ ହୃଦୟ ଢାଳିବାକୁ ହେବ, ଧୀର ନିରବଚ୍ଛିନ୍ନ ଗତିରେ ଅଧ୍ୟବସାୟ କରିବାକୁ ହେବ ।

 

ଏହିପରି ଅଧ୍ୟବସାୟରେ କେବଳ ଉନ୍ନତି ସମ୍ଭବ । ପର୍ବତରେ ଚଢ଼ିବାକୁ ହେଲେ ଧୀର ଅବିଚଳିତ ଗତିରେ ଶୃଙ୍ଗରୁ ଶୃଙ୍ଗକୁ ଉଠିଯିବାକୁ ହୁଏ । ସଂସାରରେ ଯେଉଁମାନେ ମହତ୍ତ୍ୱ ଲାଭ କରିଅଛନ୍ତି, ଜ୍ଞାନୀ ବା କର୍ମୀ ବୋଲି ପୂଜିତ ହୋଇଅଛନ୍ତି, ସେମାନଙ୍କର ଜୀବନ ଚିର ଅଧ୍ୟବସାୟ, ଅଟଳ ସାଧନାରେ ଗଠିତ । ମନୁଷ୍ୟ ନିଜକୁ କ୍ଷୁଦ୍ର ମଣି କାର୍ଯ୍ୟରୁ ପଶ୍ଚାତ୍ପଦ ବା ସିଦ୍ଧିଲାଭ ବିଷୟରେ ସନ୍ଦିହାନ ହେବା ଉଚିତ ନୁହେଁ ।

 

ଅଧ୍ୟବସାୟର ଅସାଧ୍ୟ ଜଗତରେ କିଛି ନାହିଁ । ଯେତେ ହୀନ ହେଲେ ସୁଦ୍ଧା ମନୁଷ୍ୟ ଯଦି ଦୃଢ଼ତାର ସହିତ ଉଦ୍ୟମ ପରେ ପୁଣି ଉଦ୍ୟମ କରେ, ଥରେ ଦୁଇ ଥରର ବିଫଳତାରେ ଶଙ୍କିତ ବା ଶଙ୍କୁଚିତ ନ ହୋଇ କର୍ଯ୍ୟରେ ଅଗ୍ରସର ହୁଏ, ତେବେ ଅଭୀଷ୍ଟ ନିଶ୍ଚୟ ପୂର୍ଣ୍ଣ ହେବ । ଉଦ୍ୟୋଗହିଁ ସିଦ୍ଧିର ଜନନୀ ।

 

7. Time is Money

 

ଲୋକେ ସଂସାରରେ ଧନ ଧନ ବୋଲି ପାଗଳ ହୁଅନ୍ତି । ଧନ ସକାଶେ ଧର୍ମ ଅଧର୍ମ ବୁଝନ୍ତି ନାହିଁ, ଭଲ ମନ୍ଦ ପ୍ରତି ଭ୍ରୁକ୍ଷେପ କରନ୍ତି ନାହିଁ । ଭାବନ୍ତି, ଜୀବନରେ କୌଣସି ଶ୍ରମ ବା ଉଦ୍ୟମ ନ କରି, ସତ୍ ଅସତ୍ ଯେ କୌଣସି ଉପାୟରେ ଧନୀ ହୋଇଯାନ୍ତେ । କିନ୍ତୁ ବାସ୍ତବରେ ଏହା ଧନୀ ହେବାର ପନ୍ଥା ନୁହେଁ । ମୁଣ୍ଡର ଝାଳ ତୁଣ୍ଡରେ ମାରି ଯେଉଁ ଧନ ଉପାର୍ଜ୍ଜନ କରାଯାଏ, ତାହା ପରିମାଣରେ ଅଳ୍ପ ହେଲେ ସୁଦ୍ଧା, ଲୋକ ତହିଁରୁ ପ୍ରକୃତ ସୁଖ ପାଇପାରେ । ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ କାର୍ଯ୍ୟରେ ଲଗାଇ ଲୋକ ଧନ ଉପାର୍ଜ୍ଜନ କରେ । ଅଳସୁଆ ନିଷ୍କର୍ମା ହୋଇ ବସିଥିଲାବେଳେ ବ୍ୟବସାୟୀ ସମୟର ଯଥାସମ୍ଭବ ବ୍ୟବହାର କରି ନିଜର ପରିଶ୍ରମଦ୍ୱାରା ଅତୁଳ ସମ୍ପଦ ଅର୍ଜ୍ଜନ କରୁଅଛି । ସମୟର ଯେ ପ୍ରକୃତ ବ୍ୟବହାର କରି ଜାଣଛି, ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଯେଉଁମାନଙ୍କ ନିକଟରେ ଅତିଶୟ ମୂଲ୍ୟବାନ୍‌, ସେମାନେ ‘ମୃତ ମୂଷିକକୁ ସୁବର୍ଣ୍ଣ ମୂଷିକରେ’ ପରିଣତ କରିପାରନ୍ତି । ଜୀବନରୁ ଗୋଟିଏ ମୁହୂର୍ତ୍ତ ନଷ୍ଟ ହେବା ଅର୍ଥ କେତେକ ଅର୍ଥନାଶ, ଏବଂ ସେହି ମୁହୂର୍ତ୍ତଟି କାର୍ଯ୍ୟରେ ଲଗାଇ ପାରିଲେ ସେତିକି ଅର୍ଥ ପ୍ରାପ୍ତି ହୁଏ । ଏହିପରି ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ କାର୍ଯରେ ଲଗାଇ ପାରିଲେ କାଙ୍ଗାଳ ନିଜକୁ କୁବେର କରିପାରେ । ବାସ୍ତବିକ ସମୟହିଁ ଧନ । କେବଳ ତେତିକି ନୁହେଁ, ସମୟ ମନୁଷ୍ୟର ଜୀବନ ।

 

୮ । ମାନବର ସେବାହିଁ ପ୍ରକୃତ ଈଶ୍ୱରଙ୍କର ସେବା

 

ଲୋକେ ଈଶ୍ୱରଙ୍କର ଆରାଧନା କରିବାକୁ ନିର୍ଜ୍ଜନରେ ତପସ୍ୟା ବା ସଂସାରର ଜଞ୍ଜାଳ ମଧ୍ୟରେ ବେଳେ ବେଳେ ଈଶ୍ୱରଙ୍କ ନାମ ଜପ କରିଥାନ୍ତି । କେହି ଅରଣ୍ୟକୁ କେହି ବା ଦେବାଳୟକୁ ଈଶ୍ୱର ଉପାସନାର ଉପଯୁକ୍ତ ପୀଠ ଭାବିଥାନ୍ତି । କୃପଣ ଅହୋରାତ୍ର ଦୁଃଖୀ ଦରିଦ୍ରଙ୍କର ରକ୍ତ ଶୋଷଣ କରି ଭାବେ ଯେ, କେତେକ ସମୟ ଈଶ୍ୱର ନାମ କରି ନିଷ୍କୃତି ପାଇବ । କିନ୍ତୁ ବାସ୍ତବରେ ତା ନୁହେଁ । କଥାରେ ଅଛି ‘ପାଞ୍ଚତୁଣ୍ଡରେ ହରି’ । ଯେ ଏହି ‘ପଞ୍ଚ ପରମେଶ୍ୱର’ର ସେବା କରି ଜାଣି ନାହିଁ, ତାହାର ଈଶ୍ୱର ଆରାଧନାରେ ଆଦୌ ଅଧିକାର ନାହିଁ । ଈଶ୍ୱରଙ୍କ ଆରାଧନା ସକାଶେ ଅନ୍ତରର ପବିତ୍ରତା ଆବଶ୍ୟକ । ସେଥିପାଇଁ ହୃଦୟକୁ ଅବିରତ ଅଗ୍ନି ପରୀକ୍ଷାରେ ପୂତ, ମହତ୍‌ କରିବାକୁ ହେବ । ଏ ଅଗ୍ନି ପରୀକ୍ଷାର କ୍ଷେତ୍ର ମନୁଷ୍ୟ ସମାଜ । ଦୁଃଖୀର ଦୁଃଖରେ ଦୁଃଖ ଅନୁଭବ କରିବା, ଈର୍ଷା ଦ୍ୱେଷ ପରିତ୍ୟାଗ କରି ସୁଖୀର ସମ୍ପଦରେ ସମପ୍ରାଣତା ବୋଧ କରିବାରେ ହୃଦୟର ମହତ୍ତ୍ୱ ଜଣାପଡ଼େ । ଦୁଃଖୀ, ଭିଖାରୀ, ରୁଗ୍ଣ ମୁମୂର୍ଷୂରୁପରେ ଈଶ୍ୱର ଲୋକର ଦ୍ୱାରସ୍ଥ ହୁଅନ୍ତି । ଯେ ଭିଖାରୀକୁ ଭିଖ ମୁଠିଏ ଦେଇ ନାହିଁ, ବିପଦରେ କାନ୍ଦୁଥିବା ଲୋକର ଆଖିରୁ ଲୁହଧାର ପୋଛି ଦେଇନାହିଁ, ସେ ଈଶ୍ୱରଙ୍କୁ ନିଜ ଦ୍ୱାରରୁ ତଡ଼ି ଦେଇଅଛି । ବୁଦ୍ଧଦେବ ଜୀବନରେ ଦିନେ ଈଶ୍ୱର ଆରାଧନା କରିନାହାନ୍ତି । ସେ ମଣୁଥିଲେ, କୋଟି କୋଟି ବିପନ୍ନ ମାନବର ସେବା କରିବାହିଁ ତାଙ୍କର କର୍ତ୍ତବ୍ୟ, ଏବଂ ସେହି ମାନବ ସେବାରେ ରାଜ୍ୟର ଅତୁଲ୍ୟ ସମ୍ପଦ, ରାଜ ସିଂହାସନ, ନା, ନିଜର ଜୀବନ ମଧ୍ୟ ଆହୁତି ଦେଇଥିଲେ । ଏହି ପ୍ରକାର ମାନବ ସେବାରେ ସେ ଯେ କେବଳ ଈଶ୍ୱର ସେବା କରିଥିଲେ ତାହା ନୁହେଁ; ଆଜି ସେଥିରେ ସେ ନିଜେ ଈଶ୍ୱର ହୋଇ ଅଛନ୍ତି ।

 

9. Cleanliness is next to godliness.

 

ହିନ୍ଦୁ ରମଣୀ ଗୁରୁବାର ଦିନ ରାତିରୁ ଘର ଦ୍ଵାର ଲିପି ରଖେ-ଶୁଦ୍ଧ ନିର୍ମଳ ଦେଖିଲେ ଲକ୍ଷ୍ମୀ ଘରକୁ ଆସିବେ । ଦେବାଳୟ ଗିର୍ଜ୍ଜା ପ୍ରଭୃତି ଯଥାସମ୍ଭବ ପରିଷ୍କାର ପରିଚ୍ଛନ୍ନ ରଖାଯାଏ । ଶୁଦ୍ଧ ପବିତ୍ର ସ୍ଥାନଟିଏ ଦେଖିଲେ ସେଠାରେ ସ୍ୱତଃ ମନରେ ପବିତ୍ର ଭାବ ଜାତ ହୁଏ । ଯାହାର ଲୁଗାପଟା ଅପରିଷ୍କାର, ତାହାର କାର୍ଯ୍ୟକଳାପ ଅସୁନ୍ଦର ଏବଂ ଅପ୍ରୀତିକର ଓ ତାର ହୃଦୟର ଭାବ ମଧ୍ୟ ସେହିପରିମାଣରେ ମଳିନ ଏବଂ ଆବିଳ ହେବ । ବାହ୍ୟ କ୍ରିୟାରେ ଅପରିଚ୍ଛନ୍ନ ହେଲେ, ସେହି ଅପରିଚ୍ଛନ୍ନତା ଅଜ୍ଞାତ ଭାବରେ ହୃଦୟକୁ ଗ୍ରାସ କରେ । ପରିଷ୍କାର ପରିଚ୍ଛନ୍ନ ଲୁଗାପଟା ପିନ୍ଧି କୌଣସି ଅପରିଷ୍କାର କାର୍ଯ୍ୟ କରିବାକୁ କାହାର ଇଚ୍ଛା ହୁଏ ନାହିଁ । ଭଲ ଲୁଗା ଦୁଇଖଣ୍ଡି ପିନ୍ଧିଲେ ମନରେ କିପରି ସାମୟିକ ଗୋଟିଏ ପବିତ୍ର ଭାବର ସଞ୍ଚାର ହୁଏ । ଈଶ୍ୱରଙ୍କର ଆରାଧନା କରିବାକୁ ଗଲାବେଳେ ଆମ୍ଭେମାନେ ଭଲକରି ଦୁଇଖଣ୍ଡି ଲୁଗା ପିନ୍ଧୁ, ଭଲ ସ୍ଥାନରେ ବସୁ ଏବଂ କାର୍ଯ୍ୟକଳାପରେ ଶୁଚି ହେଉ । ଏଗୁଡ଼ିକ ଉନ୍ନତ ଚିନ୍ତା ଏବଂ ଈଶ୍ୱର ଭାବ ପ୍ରାଣରେ ଉଦ୍ରେକ କରାଏ । ପରିଷ୍କାର ପରିଚ୍ଛିନ୍ନତାରୁ ଈଶ୍ୱରପରାୟଣତା ଆସେ ।

 

୧୦ । ଚିତ୍ର ପ୍ରତିମା ପରି ଦିଶୁ ସୁନ୍ଦର, ଚିରି ଭିତର ଦେଖ କି ନାରଖାର

 

(୧)

 

ମନୁଷ୍ୟ ନିଜର ସୌନ୍ଦର୍ଯ୍ୟର ଗର୍ବ କରେ, ନିଜ ରୂପଶ୍ରୀକୁ ସୁନ୍ଦର କରିବାକୁ ସର୍ବଦା ଚେଷ୍ଟା କରୁଥାଏ । ଆହୁରି ମଧ୍ୟ ଅନ୍ୟର ରୂପରେ ମୃଗ୍ଧ ହୋଇ ମନୁଷ୍ୟ ବେଳେବେଳେ ଭଲ ମନ୍ଦ ବିଚାର ଭୁଲିଯାଏ । ଯୁଗେ ଯୁଗେ ଏଥିରେ କେତେ ରାଜାଧିରାଜ ସିଂହାସନ ଚ୍ୟୁତ ହୋଇଅଛନ୍ତି, କେତେ ତପସ୍ୱୀ ସନ୍ୟାସୀ ଆସନରୁ ଟଳି ପଡ଼ିଅଛନ୍ତି, କେତେ ମହାସାମ୍ରାଜ୍ୟ ଧ୍ୱଂସ ହୋଇଅଛି । କିନ୍ତୁ ଦେଖି ବସିଲେ, ଏଥିରେ କଅଣ ଅଛି ? ଏ ସୌନ୍ଦର୍ଯ୍ୟ କେବଳ ବାହାରର ଆବରଣର ସୌନ୍ଦର୍ଯ୍ୟ । ଚର୍ମର ବାହାରେ ଯେଉଁ ଶୋଭା ଦେଖାଯାଏ, ଭିତରେ ତାହାର ସତ୍ତା ନାହିଁ । ଏହି ଚର୍ମ ଆବରଣ ଚିରି ଦେଖିଲେ ଭିତରେ କେବଳ ଅସ୍ଥି, ମାଂସ, ରକ୍ତ, ମଳ, ମୂତ୍ର, ଅନ୍ତ୍ର, ନାଡ଼ି ଇତ୍ୟାଦି । ଏ ଗୁଡ଼ାକରେ କାହାର ବିକାର ନ ହେବ ? ଆବରଣରୁ ମନୁଷ୍ୟକୁ ବିଚାର କରିବାର ନୁହେଁ ।

 

(୨)

 

ମନୁଷ୍ୟର ହୃଦୟ ନାନା ପ୍ରକାର ଦ୍ୱେଷ ହିଂସା କୁଟିଳତାରେ ପୂର୍ଣ୍ଣ; ନାନା ପ୍ରକାର ପାପ, ଅତ୍ୟାଚାର କଳଙ୍କ କାଳିମାରେ ଆବିଳତାମୟ । ପରର ସୌଭାଗ୍ୟ ଦେଖିଲେ ପ୍ରାଣରେ ଈର୍ଷା ଜାତ ହୁଏ, ପରର ସାମାନ୍ୟ ଦୋଷରେ ହୃଦୟ କ୍ରୋଧରେ ଜଳିଉଠେ । ଏହିପରି କେତେ ଅଭାବ, କେତେ ତ୍ରୁଟି ଯେ ମନୁଷ୍ୟଠାରେ ରହିଅଛି ତାହା କିଏ କଳନା କରିପାରିବ ? କିନ୍ତୁ ଏହିସବୁ ତ୍ରୁଟି ମନୁଷ୍ୟ ଦେଖି ଦେଖେ ନାହିଁ । ଅନ୍ୟ ନିକଟରେ ଆଦର ପ୍ରଂଶସା ପାଇବା ଜୀବନର ଉଦ୍ଦେଶ୍ୟ ହେବାରୁ ନିଜର ସୌନ୍ଦର୍ଯ୍ୟ ସବୁବେଳେ ଦେଖାଇ ହେବା ତାହାର ପ୍ରକୃତି ହୋଇପଡ଼େ । ଦ୍ୱେଷ, ହିଂସା, କପଟକୁଟିଳତା ଦୂର କରିବା ବଡ଼ କଷ୍ଟସାଧ୍ୟ । ସେଥି ନିମନ୍ତେ ବେଶି ସାଧନା ସଂଯମ ପ୍ରୟୋଜନ । ପଦେ ପଦେ ଜୀବନକୁ ଖଣ୍ଡାଧାରରେ ଚଳାଇବାକୁ ହେବ । ଏ ସବୁ କଷ୍ଟ ସାଧନା ସହିବା ପରିବର୍ତ୍ତେ ମନୁଷ୍ୟ ନିଜର ତ୍ରୁଟିମାନ ଘୋଡ଼ାଇ ରଖେ । ବାହାରଟିକି ଯତ୍ନରେ ତିଆରି ଲୋକଚକ୍ଷୁରେ ନିଜକୁ ସୁନ୍ଦର କରେ । କିନ୍ତୁ ଭିତର କି ନାରଖାର !

Image

 

ଅଭିବୃଦ୍ଧି ନିମନ୍ତେ କେତେଗୁଡ଼ିଏ ପଂକ୍ତି

 

୧.

ଯେ ଦେଶେ ଯାଇ, ସେ ଫଳ ଖାଇ ।

୨.

ତୁଳସୀ ଦୁଇ ପତରୁ ବାସେ ।

୩.

ଧୀର ପାଣି ପଥର କାଟେ ।

୪.

ସର୍ବମତ୍ୟନ୍ତ ଗର୍ହିତଂ ।

୫.

ଲମ୍ୱପଣନ୍ତ ସବୁଆଡ଼କୁ ପାଏ ।

୬.

ଚକ୍ରନେମି କ୍ରମେ ଭାଗ୍ୟ ଭ୍ରମେ ଏ ଜଗତେ ।

୭.

ପରିଶ୍ରମହିଁ ମନୁଷ୍ୟର ସର୍ବଶ୍ରେଷ୍ଠ ପ୍ରହରୀ ।

୮.

ମୁକୁଟ ମଣ୍ଡିତ ରାଜଶିର ନୁହଁଇ ଶାନ୍ତି ଆସ୍ପଦ ।

୯.

ଜଳିଲା ଦୀପ ତଳ ଅନ୍ଧାର ।

୧୦.

ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନ ଥିଲେ ସବୁ ଅସାର ।

୧୧.

ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି, ତରିବାକୁ ଏହି ସଂସାର-ବାରିଧି ।

୧୨.

ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖିଲେ ହେଁ ନୂଆ ଦିଶୁଥାଇ ।

୧୩.

ବସି ଖାଇଲେ ନଈବାଲି ସରେ ।

୧୪.

ନାହିଁ ମାମୁଠାରୁ କଣା ମାମୁ ଭଲ ।

୧୫.

ଡେଙ୍ଗା ମୁଣ୍ଡରେ ଠେଙ୍ଗା ।

୧୬.

କୌପୀନବନ୍ତଃ ଖଳୁ ଭାଗ୍ୟବନ୍ତଃ ।

୧୭.

ଅଣ୍ଟି ଛୁରୀ ତଣ୍ଟି କାଟେ ।

୧୮.

A little learning is a dangerous thing.

୧୯.

All is not gold that glitters.

୨୦.

To err is human, to forgive divine.

୨୧.

Grasp all, lose all.

୨୨.

Harm watch, harm catch.

୨୩.

Speech is silvern, silence golden.

୨୪.

Let the dead past bury its dead.

୨୫.

Fortune favours the brave.

୨୬.

Spare the rod, spoil the child.

୨୭.

Many a little makes a mickle.

୨୮.

This world is a school.

୨୯.

ଦୂରକୁ ପର୍ବତ ସୁନ୍ଦର ।

୩୦.

ହାତ ଅଳସେ ନିଶ ବଙ୍କା ।

୩୧.

ତୁଣ୍ଡ ବାଇଦ ସହସ୍ର କୋଶ ।

୩୨.

ଫଳିଲା ଗଛ ଫୋପଡ଼ ସହେ ।

୩୩.

ଅରକ୍ଷିତକୁ ଦଇବ ସାହା ।

୩୪.

ନ ଦେଖିଲା ଓଉ ଛ ଫଡ଼ା ।

୩୫.

ବେକରେ ପଡ଼ିଲେ ବଜାଇ ଶିଖନ୍ତି ।

୩୬.

ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ ।

୩୭.

Sweet are the uses of adversity.

୩୮.

Tell me whom you admire and I will tell you what you are.

୩୯.

Dispatch is the soul of business.

୪୦.

ବିଷମ ଅଟେ ଏ ସଂସାର ବେଭାର, ଅଢ଼େଇ ଦିନକୁ ସାତ ଦିନଭାର ।

୪୧.

ଗୋଦରୀ ଲୋ ଗୋଡ଼ ତଳକୁ ଚାହାଁ ।

୪୨.

ଢିଙ୍କି ସ୍ୱର୍ଗକୁ ଗଲେ ଧାନ କୁଟେ ।

୪୩.

ବଡ଼ ମାଛର କଣ୍ଟା ସାର ।

୪୪.

ଜୀବର ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି ।

୪୫.

ଗୋଦରା କୋଡ଼େ ଯେତେ ମାଡ଼େ ସେତେ ।

୪୬.

Time or tide waits for no man.

୪୭.

ଛୋଟୀକି ଶ୍ରୀମନ୍ତ ବୋଇଲେ ଗୋଡ଼ ବୁଲେଇ ବୁଲେଇ ପକେ ।

Image

 

ପ୍ରବନ୍ଧ ଲିଖନ

 

ଭାବ ଅଭିବୃଦ୍ଧିରେ ଗୋଟିଏ ବିଶିଷ୍ଟ ଭାବକୁ ବଢ଼ାଇ କିପରି ଲେଖାଯାଏ, ସେ କଥା ଦେଖାଇ ଦିଆଯାଇଅଛି । ଏଥିରେ ଚିନ୍ତାର ଗୋଟିଏ ସଙ୍କେତ ବୁଝାଇ ସ୍ପଷ୍ଟତର କରି ଦିଆଯାଏ । ଭାବ ଅଭିବୃଦ୍ଧି କଲାବେଳେ ଯାହା ଯାହା ମନକୁ ଆସେ ସେ ସବୁ କଦାପି ଲେଖାଯାଏ ନାହିଁ । ସେ ମଧ୍ୟରୁ ଯାହା ଅଭିବୃଦ୍ଧି ପକ୍ଷେ ଅନୁକୂଳ ସେତିକି ମାତ୍ର ରଖି, ଆଉ ସବୁ ବାଦ୍‌ ଦେବାକୁ ହୁଏ । ଏହିପରି ସାବଧାନତା ପ୍ରବନ୍ଧ ଲେଖିବାବେଳେ ମଧ୍ୟ ଆବଶ୍ୟକ । ବରଂ ପ୍ରବନ୍ଧ ଲେଖିବାବେଳେ ସମଷ୍ଟି ଓ ବ୍ୟଷ୍ଟି ଏହି ଦୁଇ ଭାବରେ ସାବଧାନ ହେବାକୁ ହେବ । ପ୍ରଥମେ ପ୍ରବନ୍ଧ ବିଷୟରେ ନାନା ଦିଗରୁ ଚିନ୍ତା କରି ଯେଉଁ ଯେଉଁ ବିଷୟ ରହିଲେ ପ୍ରବନ୍ଧର ଅଙ୍ଗବୃଦ୍ଧି କରିବ, ସେହି ସବୁ ବିଷୟମାନଙ୍କୁ ସଙ୍କେତ ଆକାରରେ ରଖି ଅବଶିଷ୍ଟଗୁଡ଼ିକୁ ପରିତ୍ୟାଗ କରିବାକୁ ହେବ । ଦ୍ୱିତୀୟରେ ସଙ୍କେତ ସବୁ ସ୍ଥିର ହେଲା ପରେ ପ୍ରତ୍ୟେକଟିର ଅଭିବୃଦ୍ଧିବେଳେ ପୁଣି ଏହି ଭଳି ସାବଧାନତା ଦରକାର । ଏହା ଛଡ଼ା ପ୍ରବନ୍ଧର ଶୃଙ୍ଖଳା ଓ ସୌନ୍ଦର୍ଯ୍ୟ ନିମନ୍ତେ ଯେଉଁ ସଙ୍କେତ ଯେଉଁ ସ୍ଥାନରେ ରହିବାର କଥା, ତାକୁ ସେହିଠାରେ ରଖିବାକୁ ହେବ । ଏଥି ପ୍ରତି ଦୃଷ୍ଟି ନ ଦେଲେ, ପ୍ରବନ୍ଧ ବିକୃତ ହୁଏ ।

 

ସବୁ ଦିଗରୁ ଚିନ୍ତା କରି ପ୍ରବନ୍ଧ ଲେଖିବା ଛାତ୍ରମାନଙ୍କଠାରୁ ସର୍ବଦା ଆଶା କରାଯାଏ ନାହିଁ-। ପ୍ରବନ୍ଧ ବିଷୟରେ କେତେଗୁଡ଼ିଏ ସାଧାରଣ ଚିନ୍ତାକୁ ଶୃଙ୍ଖଳାବଦ୍ଧ କରି ରଖିପାରିଲେ, ତାଙ୍କ ପକ୍ଷରେ ଯଥେଷ୍ଟ ହେଲା ବୋଲିବାକୁ ହେବ । କୌଣସି ଗୋଟିଏ ବିଷୟରେ ଭାବିବାକୁ ଗଲେ ଅନେକ ଚିନ୍ତା ଆସି ମନରେ ପଡ଼େ । ସେ ଗୁଡ଼ିକ ସାଧାରଣତଃ ବିଶୃଙ୍ଖଳ, ସେମାନଙ୍କ ମଧ୍ୟରୁ ଅନେକ ମଧ୍ୟ ଆପ୍ରାସଙ୍ଗିକ । ଅପ୍ରାସଙ୍ଗିକ ଚିନ୍ତାଗୁଡ଼ିକ ପରିତ୍ୟାଗ କରି, ବିଶୃଙ୍ଖଳ ଭାବରେ ଥିବା ଚିନ୍ତାଗୁଡ଼ିକୁ ଶୃଙ୍ଖଳାରେ ପକାଇବା ପ୍ରବନ୍ଧ ଲେଖିବାରେ ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ଏହାହିଁ ଛାତ୍ରମାନଙ୍କର ପ୍ରଥମେ ଶିଖିବା ଉଚିତ । ବୟସ ଓ ଜ୍ଞାନ ସଙ୍ଗେ ଚିନ୍ତାଶକ୍ତି ବଢ଼ିଲେ ନୂତନ ନୂତନ ଚିନ୍ତା ମନକୁ ଦେଖାଯିବ । ପିଲାଦିନୁ ସେଥି ସକାଶେ ବ୍ୟସ୍ତ ହେବା ଉଚିତ ନୁହେଁ । ପରୀକ୍ଷାରେ ଲେଖିଲାବେଳେ ଛାତ୍ରମାନେ ନିଜ ନିଜ ପ୍ରବନ୍ଧରେ ନୂତନ ଚିନ୍ତା ଦେଖାଇବାକୁ ଯାଇ ସେ ବିଷୟରେ ଅନେକ ଭାବିଥାନ୍ତି; ସେଥିରେ ସମୟ ନଷ୍ଟ ହୁଏ; ପୁଣି କୌଣସି କୌଣସି ଚିନ୍ତା ସେମାନଙ୍କର କ୍ଷମତାର ଅତୀତ ହୋଇଥିବାରୁ ସେଗୁଡ଼ିକ ଅସ୍ପଷ୍ଟ ହୋଇଥାଏ ଏବଂ ପ୍ରବନ୍ଧ ସ୍ଥୂଳରେ ଅସୁନ୍ଦର ହୁଏ । ଏପରି ସ୍ଥଳରେ, ପରୀକ୍ଷାରେ ଲେଖିବାବେଳେ, ନୂତନ ଚିନ୍ତାପ୍ରତି ସେତେ ଦୃଷ୍ଟି ନ ଦେଇ, ନିଜର ସୁପରିଚିତ ଚିନ୍ତାଗୁଡ଼ିକ ଶୃଙ୍ଖଳାବଦ୍ଧ କରି ସରଳ, ସହଜ ଓ ସୁବୋଧ୍ୟ ଭାଷାରେ ଲେଖିପାରିଲେ, ପ୍ରବନ୍ଧରେ ପରୀକ୍ଷକ ସନ୍ତୁଷ୍ଟ ହୋଇଥାନ୍ତି ।

Image

 

ପ୍ରବନ୍ଧର ଶ୍ରେଣୀ ବିଭାଗ

 

ପ୍ରବନ୍ଧ ତିନି ପ୍ରକାର–ପ୍ରବନ୍ଧରେ ବିଷୟ ଭେଦରେ ପ୍ରକାର ଜାଣିବାକୁ ହୁଏ । କୌଣସି ବସ୍ତୁ, ବ୍ୟକ୍ତି ବା ସ୍ଥାନ ବିଷୟରେ ଲିଖିତ ପ୍ରବନ୍ଧ ବର୍ଣ୍ଣନାତ୍ମକ । ଜୀବନଚରିତ ଓ ଐତିହାସିକ ବର୍ଣ୍ଣନା ଯେଉଁ ପ୍ରବନ୍ଧରେ ଥାଏ, ତାହାକୁ ବିବରଣାତ୍ମକ କୁହାଯାଏ । ଗାଈ, ପାଣି, ସୂର୍ଯ୍ୟ, ମନୁଷ୍ୟ ପ୍ରଭୃତି ବିଷୟରେ ଲିଖିତ ପ୍ରବନ୍ଧ ବର୍ଣ୍ଣନାତ୍ମକ ଏବଂ ରାଧାନାଥ, ଚନ୍ଦ୍ରଶେଖର, ନଅଙ୍କ, କାଞ୍ଚୀବିଜୟ ପ୍ରଭୃତି ବିଷୟରେ ଲିଖିତ ପ୍ରବନ୍ଧ ବିବରଣାତ୍ମକ । ଏହି ଉଭୟ ଶ୍ରେଣୀର ପ୍ରବନ୍ଧର ଗୋଟିଏ ବିଶେଷତ୍ୱ ଅଛି-। ଏହା କୌଣସି ନିର୍ଦ୍ଦିଷ୍ଟ ପଦାର୍ଥ ବା ଘଟନାର ଅବଲମ୍ୱନରେ ଲେଖାଯାଏ । ଅବଲମ୍ୱନଟି ନିର୍ଦ୍ଦିଷ୍ଟ ଥିବାରୁ ଭିନ୍ନ ଭିନ୍ନ ଲେଖକଙ୍କଦ୍ୱାରା ଲେଖା ହେଲେ ମଧ୍ୟ ପ୍ରବନ୍ଧମାନଙ୍କରେ ବିଷୟଗତ ପ୍ରଭେଦ ଘଟେ ନାହିଁ । ଭାବନାତ୍ମକ ପ୍ରବନ୍ଧ ଏ ଦୁଇଟିଠାରୁ ଅନେକାଂଶରେ ପୃଥକ୍‌ । ଦୟା, କ୍ଷମା, ଧର୍ମ ପ୍ରଭୃତି ବିଷୟରେ ଲିଖିତ ପ୍ରବନ୍ଧକୁ ଭାବନାତ୍ମକ କୁହାଯାଏ । ଏ ଶ୍ରେଣୀର ପ୍ରବନ୍ଧଗୁଡ଼ିକ ଚିନ୍ତାପ୍ରସୂତ । ଏଥିରେ ଗୋଟିଏ ଅବଲମ୍ୱନ ଥାଏ ସତ୍ୟ, କିନ୍ତୁ ସେ ଅବଲମ୍ୱନଟି ବର୍ଣ୍ଣନା ବା ବିବରଣାତ୍ମକ ନୋହିଥିବାରୁ ଲେଖକ ନିଜର ଚିନ୍ତା ଅନୁସାରେ ଅବଲମ୍ୱନକୁ ଯେ କୌଣସି ଆକାର ଦେଇପାରନ୍ତି । ସେହି ହେତୁରୁ ଏକା ବିଷୟରେ ଲିଖିତ ଭାବନାତ୍ମକ ପ୍ରବନ୍ଧ ଲେଖକର ଚିନ୍ତା ଭେଦରେ ଭିନ୍ନ ଭିନ୍ନ ଆକାର ଧାରଣ କରିଥାଏ । ଉଦାହରଣସ୍ୱରୂପ ‘‘ବାଲ୍ୟବିବାହ’’ ବିଷୟରେ ଲେଖିଲାବେଳେ କେହି ଏହାର ସପକ୍ଷରେ କେହି ବା ଏହାର ବିପକ୍ଷରେ ଲେଖିପାରନ୍ତି । ଜଣକର ଯୁକ୍ତି ଓ ଚିନ୍ତାପ୍ରଣାଳୀ ଅନ୍ୟ ଜଣଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ । ତଥାପି ଯୁକ୍ତି ସଙ୍ଗତ ଓ ଚିନ୍ତାପ୍ରଣାଳୀ ନିର୍ଦ୍ଦୋଷ ହୋଇଥିଲେ, ଉଭୟ ପ୍ରକାର ପ୍ରବନ୍ଧ ତୁଲ୍ୟ ଆଦର ପାଇଥାଏ । କିନ୍ତୁ ପ୍ରବନ୍ଧଲେଖକ ସପକ୍ଷ ବା ବିପକ୍ଷରେ ଲେଖିବାକୁ ଯାଇ, ନିଜ ପକ୍ଷର ଯୁକ୍ତି ଅବଲମ୍ୱନ କରି, ଅନ୍ୟ ପକ୍ଷର ଯୁକ୍ତି ପ୍ରତି ଅନାସ୍ଥା କରିବା ଉଚିତ ନୁହେଁ । ଲେଖିଲାବେଳେ ନିରପେକ୍ଷ ଭାବରେ ଲେଖିବା ଉଚିତ । ଉଭୟ ଦିଗର ଯୁକ୍ତି ସଂଗ୍ରହ କରି ସେଗୁଡ଼ିକ ଗୋଟି ଗୋଟି କରି ଓଜନ କଲା ପରେ ନିଜର ମତ ପ୍ରକାଶ କରିବାକୁ ହେବ । ତାହା ହେଲେ ଭାବନାତ୍ମକ ପ୍ରବନ୍ଧ ସର୍ବାଙ୍ଗୀନ ଓ ସୁନ୍ଦର ହେବ । ଏକ ପକ୍ଷ ଧରି ଲେଖିଗଲେ ପ୍ରବନ୍ଧ ଆଦର ପାଇପାରେ, କିନ୍ତୁ ତାହା ଅପୂର୍ଣ୍ଣ ।

 

ପିଲାମାନେ ପ୍ରଥମେ ଲେଖିବାକୁ ଆରମ୍ଭ କଲାବେଳେ ଭାବନାତ୍ମକ ବିଷୟଗୁଡ଼ିକ ସର୍ବଥା ପରିତ୍ୟାଗ କରିବା ଉଚିତ । ବର୍ଣ୍ଣନାତ୍ମକ ପ୍ରବନ୍ଧ ଲେଖିବା ପିଲାମାନଙ୍କ ପକ୍ଷରେ ସହଜ । ଏ ଶ୍ରେଣୀର ପ୍ରବନ୍ଧ ଟିକିଏ ଭଲକରି ଲେଖିପାରିଲେ, ତେଣିକି ବିବରଣାତ୍ମକ ପ୍ରବନ୍ଧ ଉଦ୍ୟମ କରାଯାଇପାରେ । ଏହି ଉଭୟ ପ୍ରକାର ପ୍ରବନ୍ଧରେ ଭଲରୂପେ ଅଭ୍ୟସ୍ତ ହେବା ପରେ ସହଜ ସହଜ ଭାବନାତ୍ମକ ପ୍ରବନ୍ଧ ଧରିବାକୁ ହେବ । ପ୍ରବନ୍ଧ ସାଧାରଣତଃ ଏହି ତିନି ଶ୍ରେଣୀରେ ବିଭକ୍ତ ସତ୍ୟ, କିନ୍ତୁ ଏହି ବିଭାଗର ସୀମା ସେପରି ନିର୍ଦ୍ଦିଷ୍ଟ ନୁହେଁ । ବର୍ଣ୍ଣନାତ୍ମକ ପ୍ରବନ୍ଧରେ ବିବରଣ ଓ ଭାବନା ରଖାଯାଇପାରେ । ଅଥଚ ବର୍ଣ୍ଣନାହିଁ ତାହାର ମୂଳ । ବିବରଣ ଓ ଭାବନାର ପରିମାଣ ତହିଁରେ ଅତି ଅଳ୍ପ । ସେହିପରି ବିବରଣାତ୍ମକ ପ୍ରବନ୍ଧରେ ବର୍ଣ୍ଣନା ଓ ଭାବନା ଏବଂ ଭାବନାତ୍ମକ ପ୍ରବନ୍ଧରେ ବର୍ଣ୍ଣନା ଏବଂ ବିବରଣ ରହିପାରେ ।

Image

 

ସଙ୍କେତ ନିରୂପଣ

 

ବର୍ଣ୍ଣନାତ୍ମକ ପ୍ରବନ୍ଧ–ବର୍ଣ୍ଣନାତ୍ମକ ପ୍ରବନ୍ଧ ପ୍ରାଣୀ ବିଷୟରେ ହେଲେ, ପ୍ରଥମେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ବର୍ଣ୍ଣନା ରହିବ । ଏଥି ମଧ୍ୟରେ ଯେଉଁଗୁଡ଼ିକ ସର୍ବ ପ୍ରଥମେ ଆମ୍ଭମାନଙ୍କ ଦୃଷ୍ଟିରେ ପଡ଼େ, ସେ ଗୁଡ଼ିକ ଆଗେ ଉଲ୍ଲେଖ କରାଯିବ । ଅଙ୍ଗ ବର୍ଣ୍ଣନା ପରେ ପ୍ରତ୍ୟଙ୍ଗ ବର୍ଣ୍ଣନା ହେବ । କିନ୍ତୁ ଅନେକ ସମୟରେ ପ୍ରାଣିମାନଙ୍କର ଏପରି ଅଙ୍ଗ ଥାଏ, ତାହା ସେହି ଶ୍ରେଣୀର ଜନ୍ତୁମାନଙ୍କର ବିଶେଷତ୍ୱ । ସେହି ଅଙ୍ଗଗୁଡ଼ିକର ବର୍ଣ୍ଣନା ଆଗରୁ ରହିବା ଉଚିତ । ଗାଈ ବିଷୟରେ ଲେଖିବାକୁ ଗଲେ ‘ତାର ଚାରିଟି ପାଦ’ ଏବଂ ମନୁଷ୍ୟ ବିଷୟରେ ଲେଖିଲେ ‘ତାର ଦୁଇଟି ପାଦ’ ଇତ୍ୟାଦି ପ୍ରଥମେ ଲେଖିବାକୁ ହେବ । ଅଙ୍ଗ ପ୍ରତ୍ୟଙ୍ଗ ବର୍ଣ୍ଣନା ପରେ ପ୍ରାଣୀର ଖାଦ୍ୟ ଓ ବାସସ୍ଥାନ ଲେଖିବାକୁ ହେବ । ତତ୍ପରେ ତାହାର ସ୍ୱଭାବ, ଏବଂ ଶେଷରେ ବ୍ୟବହାର ବର୍ଣ୍ଣନରେ ପ୍ରବନ୍ଧ ଶେଷ କରିବାକୁ ହେବ । ସ୍ୱଭାବ କିମ୍ୱା ବ୍ୟବହାର ବର୍ଣ୍ଣନାବେଳେ ଯେବେ ସେହି ସମ୍ପର୍କରେ କୌଣସି ଗଳ୍ପ ଜଣାଥାଏ, ସେଥି ସଙ୍ଗେ ଦିଆଯାଇପାରେ । ଆହୁରି ମଧ୍ୟ କୌଣସି କୌଣସି ପ୍ରାଣିବିଷୟରେ ଅଧିକ କିଛି ବିଶେଷତ୍ୱ ଥାଇପାରେ । ଯେପରି ହାତୀ ଧରା ହେବା, ଗାଈ ହିନ୍ଦୁ ସାଧାରଣଙ୍କଦ୍ୱାରା ପୂଜିତ ହେବା, ସାପ ଶିବଙ୍କ ଭୂଷଣ ହେବା, ଏବଂ ବାସୁକୀ ରୂପରେ ପୃଥିବୀକୁ ଟେକି ଧରିବା ପ୍ରଭୃତି । ଏହି ସବୁ ବିଷୟମାନ ପ୍ରବନ୍ଧର ସର୍ବ ଶେଷରେ ଦେବା ଉଚିତ ।

 

ସ୍ଥାନ ବିଷୟରେ :–

 

(୧)

ଅବସ୍ଥାନ, ଚତୁଃସୀମା ଓ ଆୟତନ ।

(୨)

ଯାତୟାତର ସୁବିଧା ।

(୩)

ଅଧିବାସୀ-ଜାତି, ଧର୍ମ, ବ୍ୟବସାୟ, ଶାରୀରିକ ଓ ବ୍ୟାବହାରିକ ବିଶେଷତ୍ୱ ।

(୪)

ବିଶିଷ୍ଟ ଅନୁଷ୍ଠାନ, ଦ୍ରଷ୍ଟବ୍ୟ ବସ୍ତୁ ।

(୫)

ବାଣିଜ୍ୟ ଦ୍ରବ୍ୟ-ଆମଦାନୀ ଓ ରପ୍ତାନୀ ।

(୬)

ପ୍ରାକୃତିକ ଦୃଶ୍ୟ ।

(୭)

(ପାରିଲେ) ଇତିହାସ ।

 

ବିବରଣାତ୍ମକ ପ୍ରବନ୍ଧ :–

 

ଏଥିରେ ଇତିହାସର କ୍ରମ କଦାପି ଭାଙ୍ଗିବାକୁ ହେବ ନାହିଁ । ଅର୍ଥାତ୍‌ ଯେଉଁ ଘଟଣା ଆଗେ ଘଟିଥିଲା ତାକୁ ଆଗେ ଲେଖି, ଯେଉଁ ଘଟଣା ପଛରେ ଘଟିଥିଲା, ତାକୁ ପରେ ଲେଖିବାକୁ ହେବ । କୌଣସି ବିଶିଷ୍ଟ ଘଟଣାର କାରଣ, ବିବରଣ ଓ ପରିମାଣ କ୍ରମାନ୍ୱୟରେ ଲେଖିବା ଦରକାର ।

 

ଜୀବନୀ :–

 

(୧)

ଜନ୍ମ, ଜନ୍ମ ସମୟର ପାରିବାରିକ ଅବସ୍ଥା, (ପାରିଲେ) ସାମାଜିକ ଅବସ୍ଥା ।

(୨)

ଶୈଶବ, ବାଲ୍ୟଚରିତ୍ର, ଶିକ୍ଷା ।

(୩)

ସାଂସାରିକ ଜୀବନ ।

(୪)

ଜୀବନର ବିଶିଷ୍ଟ ଘଟଣା ।

(୫)

ମୃତ୍ୟୁ ।

(୬)

କାର୍ଯ୍ୟ, ଚରିତ୍ର ।

 

ଭାବନାତ୍ମକ–ଏହି ଶ୍ରେଣୀର ପ୍ରବନ୍ଧରେ ପ୍ରଥମରୁ ସାଧାରଣତଃ ଛାତ୍ରମାନେ ‘ମୁଖବନ୍ଧ’ ବା ‘ଉପକ୍ରମଣିକା’ ଏବଂ ଶେଷରେ ‘ଭାବନା’ବୋଲି ଗୋଟିଏ ଗୋଟିଏ ପରିଚ୍ଛେଦ ଲେଖିଥାନ୍ତି । ଛାତ୍ରଲିଖିତ ପ୍ରବନ୍ଧରେ ଏହାର ଆଦୌ ଆବଶ୍ୟକତା ନାହିଁ । ଏହା ପ୍ରବନ୍ଧକୁ ଅସୁନ୍ଦର ଓ ଅଯଥା ଦୀର୍ଘ କରିଥାଏ । ବଡ଼ ବଡ଼ ପ୍ରବନ୍ଧମାନଙ୍କରେ ମୁଖବନ୍ଧ ଦିଆଯାଇପାରେ, ଏବଂ ଉପସଂହାର ସ୍ଥଳରେ ପାଠକର ସହଜ ଧାରଣା ସକାଶେ ପ୍ରବନ୍ଧରେ ଆଲୋଚିତ ବିଷୟମାନଙ୍କର ସଂକ୍ଷିପ୍ତ ସାର ଗୋଟିଏ କ୍ଷୁଦ୍ର ପରିଚ୍ଛଦରେ ଲେଖାଯାଇପାରେ । ଛାତ୍ର ପ୍ରବନ୍ଧରେ ଏପରି ନ କରି ପ୍ରବନ୍ଧ ବିଷୟରେ ଯେଉଁସବୁ ସଙ୍କେତ ନିରୂପଣ କରାଯାଏ, ସେଗୁଡ଼ିକ ଧରି ଗୋଟିଏ ଗୋଟିଏ ପରିଚ୍ଛେଦ ଲେଖି ଦେଲେ ଯଥେଷ୍ଟ ହେଲା ।

 

ତୁଳନାତ୍ମକ–ଦୁଇଗୋଟି ବିଷୟ ତୁଳନା କରି ଯେ ପ୍ରବନ୍ଧ ଲେଖାଯାଏ ତାହା ତୁଳନାତ୍ମକ । ବର୍ଣ୍ଣନା, ବିବରଣ, ଭାବନା ଏହି ପ୍ରତ୍ୟେକ ପ୍ରକାର ପ୍ରବନ୍ଧରେ ତୁଳନା ରହିପାରେ । କୋଣାର୍କ ମନ୍ଦିରକୁ ଭୁବନେଶ୍ୱର ସଙ୍ଗେ ତୁଳନା କଲେ ତାହା ବର୍ଣ୍ଣନାତ୍ମକ । ଆକବରଙ୍କ ଶାସନକୁ ଆଓରଙ୍ଗଜେବଙ୍କ ଶାସନ ସଙ୍ଗେ ତୁଳନା କଲେ ତାହା ବିବରଣାତ୍ମକ । ଆଉ ମଧ୍ୟ ‘ବିଚାର ଓ ବିଚକ୍ଷଣତା’ କିମ୍ୱା ‘କୃପଣତା ଓ ମିତବ୍ୟୟିତା’ର ତୁଳନା କରି ପ୍ରବନ୍ଧ ଲେଖାଯାଇପାରେ । ଏପରି ପ୍ରବନ୍ଧ ଭାବନାତ୍ମକ । ଏ ଶ୍ରେଣୀର ପ୍ରବନ୍ଧମାନଙ୍କରେ ସଙ୍କେତର କ୍ରମ ନିର୍ଦ୍ଦିଷ୍ଟ ନୁହେଁ । ଭିନ୍ନ ଭିନ୍ନ ପ୍ରବନ୍ଧରେ କ୍ରମ ଭିନ୍ନ ଭିନ୍ନ ହୋଇପାରେ । ତେବେ ସାଦୃଶ୍ୟ ଓ ପାର୍ଥକ୍ୟ ଦେଖାଇ ଅଙ୍ଗ ବା ଅଂଶ ବିଶେଷଗୁଡ଼ିକର ତୁଳନା ଏ ପ୍ରକାର ପ୍ରବନ୍ଧର ସମ୍ୱଳ । ସେ ତୁଳନାରେ ଗୋଟିଏ କ୍ରମ ରହିପାରେ-। କେଉଁ ପ୍ରବନ୍ଧରେ କେଉଁ ବିଷୟ ନେଇ ଆଗ ତୁଳନା କରିବାକୁ ହେବ, ତାହା ଲେଖକର ବିଚାର ଓ ଚିନ୍ତାପଟୁତା ଉପରେ ନିର୍ଭର କରେ ।

Image

 

ଶୃଙ୍ଖଳା

 

ପ୍ରବନ୍ଧ ବିଷୟରେ ସଙ୍କେତ ନିରୂପଣ କରି, ସେହି ସଙ୍କେତମାନଙ୍କର ଅଭିବୃଦ୍ଧି କଲେ, ତାହା ଗୋଟିଏ ପ୍ରବନ୍ଧ ଆକାର ଧରିପାରେ । କିନ୍ତୁ ସେତିକିରେ ତାକୁ ପ୍ରବନ୍ଧ କୁହାଯିବ ନାହିଁ । କାରଣ, ପ୍ରତ୍ୟେକ ସଙ୍କେତର ଅଭିବୃଦ୍ଧି ଗୋଟିଏ ଗୋଟିଏ ପ୍ରବନ୍ଧ ହୋଇ ଅନ୍ୟ ପରିଚ୍ଛେଦମାନଙ୍କଠାରୁ ସମ୍ପୂର୍ଣ ପୃଥକ୍‌ ରହିପାରେ । ସେଥିରେ ପ୍ରବନ୍ଧଟି ମୋଟରେ କେତେଗୁଡ଼ିଏ ବିଭିନ୍ନ ପ୍ରକାର କ୍ଷୁଦ୍ର ପ୍ରବନ୍ଧର ସମଷ୍ଟି ହେବ ମାତ୍ର । କିନ୍ତୁ ତାହାହେଲେ ଚଳିବ ନାହିଁ । ପ୍ରବନ୍ଧଟି ମୂଳରୁ ଶେଷ ପର୍ଯ୍ୟନ୍ତ ଗୋଟିଏ ପ୍ରବନ୍ଧ ପରି ଜଣାପଡ଼ୁଥିବା ଦରକାର । ପ୍ରତ୍ୟେକ ପରିଚ୍ଛେଦ ପ୍ରବନ୍ଧର ମୁଖ୍ୟ ଉଦ୍ଦେଶ୍ୟକୁ ପରିପୃଷ୍ଟ କରୁଥିବ । ସେଥିପାଇଁ ଗୋଟିଏ ପରିଚ୍ଛେଦରୁ ଅନ୍ୟ ପରିଚ୍ଛେଦକୁ ଆସିଲାବେଳେ ଚିନ୍ତାର କୌଣସି ପାର୍ଥକ୍ୟ, ଅର୍ଥାତ୍‌ ଗୋଟିଏ ବିଷୟ ସାରି, ଆଉ ଗୋଟିଏ ନୂତନ ବିଷୟକୁ ଆସିଲା ଭଳି ଯେପରି ଜଣା ନ ପଡ଼େ, ସେଥି ପ୍ରତି ଦୃଷ୍ଟି ରଖି ଲେଖିବାକୁ ହେବ । ଗୋଟିଏ ପରିଚ୍ଛେଦରୁ ଅନ୍ୟ ପରିଚ୍ଛେଦକୁ ଚିନ୍ତା ସ୍ୱତଃ ଗଡ଼ି ଆସୁଥିଲା ପରି ଜଣାପଡ଼ୁଥିବ । ତାହାହେଲେ ସହଜରେ ଚିନ୍ତାର ଅନୁସରଣ କରି ପାଠକ ସୁଖରେ ପ୍ରବନ୍ଧ ପଢ଼ିପାରିବେ, ଏବଂ ପ୍ରତ୍ୟେକ ନୂତନ ପରିଚ୍ଛେଦ ଆରମ୍ଭରେ ଆଗ୍ରହ ଭାଜି ନ ଯାଇ, ଉତ୍ତରୋତ୍ତର ବଢ଼ିବ । ପ୍ରବନ୍ଧର ଏହି ଗୁଣକୁ ଶୃଙ୍ଖଳା କହନ୍ତି । ଯେଉଁ ବକ୍ତୃତା, ପ୍ରବନ୍ଧ ବା ପଦ୍ୟରେ ଆମ୍ଭେମାନେ ମୃଗ୍ଧ ହେଉ, ଏବଂ ସେହି ସମୟ ନିମନ୍ତେ ଗୋଟିଏ ନିରବଚ୍ଛିନ୍ନ ମଧୁର ଚିନ୍ତାରାଜ୍ୟରେ ଥିବାର ଅନୁଭବ କରୁ, ତହିଁରେ ଶୃଙ୍ଖଳା ଥାଏ ।

 

ଶୃଙ୍ଖଳା ସଙ୍ଗେ ସଙ୍ଗେ ପ୍ରବନ୍ଧର ଅଙ୍ଗଗୁଡ଼ିକର ଅନୁପାତ ପ୍ରତି ମଧ୍ୟ ଦୃଷ୍ଟି ରଖିବାକୁ ହେବ-। ଯେଉଁ ପରିଚ୍ଛେଦ ଯେତିକି ଦୀର୍ଘ ହେବା ଉଚିତ ତାକୁ ସେତିକି କରିବାକୁ ହେବ । ଗୋଟାଏ ପରିଚ୍ଛେଦ ଅଯଥା ଦୀର୍ଘ ହୋଇ, ଅନ୍ୟ ଗୋଟିଏ ପରିଚ୍ଛେଦ ଅତି ଛୋଟ ହୋଇଗଲେ, ଛୋଟ ପରିଚ୍ଛେଦର ଭାବ ଅସ୍ପଷ୍ଟ ରହିବ । ଅଥଚ ବଡ଼ ପରିଚ୍ଛେଦର ଭାବକୁ ସ୍ପଷ୍ଟ ଓ ପରିସ୍ଫୁଟ କରିବା ସକାଶେ ଅଯଥା ପ୍ରବନ୍ଧର କଳେବର ବୃଦ୍ଧି ହେବ । ପିଲାମାନଙ୍କ ପ୍ରବନ୍ଧରେ ଅନେକ ସମୟରେ ମୁଖବନ୍ଧ ଏତେ ଦୀର୍ଘ ହୋଇଥାଏ ଯେ, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରବନ୍ଧର ଅନ୍ୟାନ୍ୟ ଅଂଶ ସବୁ ଭଲକରି ଲେଖି ହୁଏନାହିଁ । ସମୟ ନିର୍ଦ୍ଦିଷ୍ଟ ଥିଲାବେଳେ (ପରୀକ୍ଷା ପ୍ରଭୃତିରେ) କେଉଁ ପରିଚ୍ଛେଦରେ କେତେ ସମୟ ଦିଆଯାଇ ପାରିବ, ମୋଟାମୋଟି ଆଗରୁ ସ୍ଥିର କରିବା ଉଚିତ ।

 

ଶୃଙ୍ଖଳା ଓ ଅନୁପାତ ଭାବନାତ୍ମକ ପ୍ରବନ୍ଧରେ ରଖିବା ବିଶେଷ ପ୍ରୟୋଜନ, ଏବଂ ଟିକିଏ ଚେଷ୍ଟା କଲେ ସହଜରେ ରଖାଯାଇପାରେ । ବିବରଣାତ୍ମକ ପ୍ରବନ୍ଧରେ ଶୃଙ୍ଖଳା ନିତାନ୍ତ ଆବଶ୍ୟକ, ଏବଂ ପରିଚ୍ଛେଦମାନ ଛୋଟ ବଡ଼ ହେଲେ ମଧ୍ୟ ଅନୁପାତ ଠିକଥାଏ । ବର୍ଣ୍ଣନାତ୍ମକ ପ୍ରବନ୍ଧରେ ଏପରି ଶୃଙ୍ଖଳା ନ ଥାଏ ସତ୍ୟ, କିନ୍ତୁ ବର୍ଣ୍ଣନାରେ ଗୋଟିଏ କ୍ରମ (ଅର୍ଥାତ୍‌ କାହାପରେ କାହାକୁ ଲେଖିବାକୁ ହେବ) ରହିବା ସର୍ବଥା ଆବଶ୍ୟକ । ଏହାହିଁ ବର୍ଣ୍ଣନାତ୍ମକ ପ୍ରବନ୍ଧର ଶୃଙ୍ଖଳା ।

Image

 

ବ୍ୟଞ୍ଜନା ବା ଇଙ୍ଗିତ

 

ଇଙ୍ଗିତ ସାହିତ୍ୟର ଚରମ କଳା । ସଂସ୍କୃତ ଅଳଙ୍କାର ଶାସ୍ତ୍ରରେ ଏହାକୁହିଁ ଲକ୍ଷ୍ୟ କରି ପ୍ରଥମେ ‘ଧ୍ୱନି’ ଶବ୍ଦ ବ୍ୟବହାର କରାଯାଇଥିଲା । ପ୍ରାଚୀନ ସାହିତ୍ୟରେ ବର୍ଣ୍ଣନାର ମାତ୍ରାବେଶି । ଏମନ୍ତ କି ଭଞ୍ଜ ଯୁଗର ସାହିତ୍ୟ ଭାବ ଓ ସୌନ୍ଦର୍ଯର ବିଶ୍ଳେଷଣ ବା ବ୍ୟାଖ୍ୟାନରେ ଏକାବେଳକେ ପୂର୍ଣ୍ଣ । ସେଥିରେ ପାଣ୍ଡିତ୍ୟ, ଭାଷାବିଭବ ଓ କଳ୍ପନାର ଦୂରପ୍ରସାର ଦେଖି ପାଠକ ବେଳେ ବେଳେ ବିମୁଗ୍ଧ ହୋଇଥାଏ ସତ, କିନ୍ତୁ କବିତା ବା ଶିଳ୍ପର ସ୍ୱାଧୀନ ଅନୁଭୂତି ମଧ୍ୟରେ ପାଠକକୁ ନିରବଲମ୍ୱ ଭାବରେ ଛାଡ଼ି ଦେବାପାଇଁ ସେଥିରେ ପ୍ରାଣ ନ ଥାଏ । ତାହା ପାଠକକୁ ବର୍ଣ୍ଣନା ମାତ୍ରର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ଆବଦ୍ଧ କରି ରଖେ । ହୃଦୟରେ ଭାବର ଦ୍ୱାର ଫିଟାଇବାପାଇଁ ଇଙ୍ଗିତହିଁ ପ୍ରଧାନ ଅବଲମ୍ୱନ । ଏଥିରେ ବିଶେଷ ବର୍ଣ୍ଣନା ନ ଥାଏ, କିନ୍ତୁ ଭାବରେ ସାମାନ୍ୟ ସଞ୍ଚାରରେ ପାଠକ କେତେ ବର୍ଣ୍ଣନା, କେତେ କଳ୍ପନ କିପରି କରି, ବିମୁଗ୍ଧ ହୁଏ, ତାହା ବୁଝାଇ କହିବା ଅସମ୍ଭବ । ଟିକିଏ ଠାରି ଦେଲେ ବେଳେ ବେଳେ ପ୍ରାଣରେ ଯେ ଭାବ ହୁଏ, ଦୀର୍ଘ ବକ୍ତୃତାର ଆସ୍ଫାଳନଠାରୁ ତାହା ଯେପରି ଭିନ୍ନ, ଇଙ୍ଗିତରୁ ବର୍ଣ୍ଣନା ସେହିପରି ସ୍ୱତନ୍ତ୍ର । ଟିକିଏ ମୁରୁକି ହସାରେ ସମୟ ବିଶେଷରେ ଲୋକ ଉପରେ ଉପହାସର ବନ୍ୟା ଭାସିଯାଏ । ଉପହସିତ ବ୍ୟକ୍ତିର ଭ୍ରମ ପ୍ରମାଦ, ଦୋଷ ଦୁର୍ଗୁଣ ସଭା ସମାଜରେ ପକାଇ, ସମାଲୋଚନା କଲେ, ପ୍ରାଣରେ ସେ ସଙ୍କୋଚ ଆସିବ କି ? ଇଙ୍ଗିତରେ ଭାବରେ ସଙ୍କେତ ମାତ୍ର ପାଇ, ପାଠକ ଅନନ୍ତ ବର୍ଣ୍ଣନା ଭିତରେ ନିଜକୁ ସ୍ୱାଧୀନ ଭାବରେ ଫିଙ୍ଗି ଦେଇ, ଅନୁଭୂତିରେ ତନ୍ମୟ ହୁଏ । ମୂର୍ତ୍ତିର ଗୋଟିଏ ମୁଠାରେ ବା ଚକ୍ଷୁର ଭଙ୍ଗିରେ କ୍ରୋଧର ସଙ୍କେତ ମାତ୍ର ଦେଖାଇ ଜାଣିଲେ, ଶିଳ୍ପ ଯେପରି ସୁନ୍ଦର ହୁଏ, ମୂର୍ତ୍ତିକୁ ଉନ୍ମୁକ୍ତକେଶ, ବିକଟଦଶନ, ଲୋଳ-ଜିହ୍ୱ, ଖଣ୍ଡା-ଖର୍ପର-ହସ୍ତ କରି, ଚତୁର୍ଦ୍ଦିଗର ନୃମୁଣ୍ଡମାଳ ମଧ୍ୟରେ ଦଣ୍ଡାୟମାନ କରିଦେଲେ ସେ ଭାବ ଥାଏ କି ? ଜ୍ଞାନ ବୃଦ୍ଧିରେ ଭାବ ଯେପରି କି ସ୍ଥବିର ହୁଏ ।

 

କୋଣାର୍କର ‘‘ଦୁର୍ଦ୍ଦିନ-ଭ୍ରୂକୁଟୀ-କରାଳ-ଭାସେ’’ ସହିତ ଲାବଣ୍ୟବତୀର

 

‘‘ବିଜୂଳୀ ଜାମୁକୀ ଘନାଳିନଳି

ସ୍ତନିତ ତୁ ଶବ୍ଦ କୁଳିଶ ଗୁଳି

ମହୀଧର ଲାଖ

ପଥର:ଫୁଟି ଯାଉଅଛି ଦେଖ ।’’

 

ତୁଳନା କଲେ କେଉଁଥିରେ ଦୁର୍ଦ୍ଦିନର କରାଳ ଭାବ ବେଶି ଜାଗ୍ରତ ହୁଏ ?

 

ଇଙ୍ଗିତର ଉଦାହରଣ ଯଥା :–

 

(୧) ଏ ଚିତ୍ର ଜଗତରେ ଭଙ୍ଗାଗଢ଼ାର ଅନନ୍ତ ଅନବଚ୍ଛିନ୍ନ ଲୀଳା ମଧ୍ୟରେ ମନୁଷ୍ୟର କ୍ଷୁଦ୍ର ଅହଂକାର, ବାସ୍ତବିକ, ସୁନ୍ଦର ଦିଶେ ନାହିଁ ।

 

(୨) ଜୀବନ ନୁହଁଇ ଜୀବନ୍ତ ମରଣ ।

 

ପ୍ରକୃତ ବର୍ଣ୍ଣନାରେ ମଧ୍ୟ ଇଙ୍ଗିତ ରହିଲେ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇ ଥାଏ । ଯଥା–

 

କେସନ କହିବି ବିମଳ କେସବ

ଶ୍ୟାମ ବନମାଳେ ତପନ ହସେ,

ପୁଲିନ ସୀମନ୍ତେ ବିସାରୀ ସାଗର

ଦୂର ଚକ୍ରବାଳେ ଗଗନେ ମିଶେ ।

ତାରକା କମ୍ପନେ କୀଚିମାଳ ତୋଳି

ଦୂର ଦ୍ଵୀପୁଁ ଆସେ ସମୀର ତହିଁ,

ଶ୍ୟାମଳ କେଦାରେ ନାଚି ନାଚି ଯାଏ

ଶିଖରୁ ଶିଖରେ ଲୁହରେ ବହି ।

ଧୂସର ନୀଳିମେ କାନ୍ଥି ଘନ ପରି

ସ୍ଥିର ଚକ୍ରବାଳେ ଶିଖର ମାଳା;

ଅରୁଣ ବିତାସେ କନକ ତରଙ୍ଗେ

ହସଇ କେସନ ସାଗର ବେଳା ?

 

(କୋଣାର୍କେ)

Image

 

ସଙ୍କେତରୁ ପ୍ରବନ୍ଧ

 

ପରୀକ୍ଷାରେ ଦୁଇ ଶ୍ରେଣୀର ପ୍ରବନ୍ଧ ଲେଖିବାକୁ ଥାଏ । କେତେଗୁଡ଼ିକରେ ସଙ୍କେତ ଦିଆଯାଇ ଥାଏ, କେତେଗୁଡ଼ିକରେ ଦିଆଯାଇ ନ ଥାଏ । ସଙ୍କେତ ଦିଆଯାଇ ନ ଥିବା ପ୍ରବନ୍ଧରେ ଲେଖକର ସ୍ୱାଧୀନତା ଅଛି ଏବଂ ସେ ନିଜେ ଗୋଟିଏ ଶୃଙ୍ଖଳା ସ୍ଥିର କରିପାରେ । କିନ୍ତୁ ଯେଉଁଠାରେ ସଙ୍କେତ ଦିଆଯାଇ ଥାଏ, ସେଠାରେ ଲେଖକଙ୍କୁ ପରୀକ୍ଷକଙ୍କ ପ୍ରଦତ୍ତ ସଙ୍କେତରୁ ଯଥାସମ୍ଭବ ଶୃଙ୍ଖଳା ଅନୁମାନ କରିବାକୁ ହେବ । ଶୃଙ୍ଖଳା ସ୍ଥିର କରିବାରେ ନିତାନ୍ତ ଅସୁବିଧା ହେଲେ, କିମ୍ୱା ପ୍ରବନ୍ଧର ବିଶେଷ ସୌନ୍ଦର୍ଯ୍ୟ ନିମନ୍ତେ ସଙ୍କେତମାନଙ୍କର କ୍ରମ ମଧ୍ୟ ବଦଳାଇ ଦିଆଯାଇପାରେ ।

 

ପ୍ରବନ୍ଧ ଲଖିବା ପୂର୍ବରୁ ପ୍ରବନ୍ଧ ବିଷୟରେ ନାନାଦିଗରୁ ଚିନ୍ତା କରି, ସଙ୍କେତ ଅନୁସାରେ ଚିନ୍ତାଗୁଡ଼ିକର ଶ୍ରେଣୀ ବିଭାଗ କରି (ଅର୍ଥାତ୍‌ ଯେଉଁ ଚିନ୍ତା ଯେଉଁ ସଙ୍କେତର ଉପଯୋଗୀ ତାକୁ ସେହି ସଙ୍କେତ ତଳେ) ରଖିବାକୁ ହେବ । ଏଥି ସଙ୍ଗେ ସଙ୍ଗେ ପ୍ରବନ୍ଧର ଉପଯୋଗୀ ଭାଷା ଓ ଉଦ୍ଧୃତାଂଶ ପ୍ରଭୃତିର ଆଭାସ ମଧ୍ୟ ଦିଆଯାଉ ଥିବ । ପ୍ରବନ୍ଧ ବିଷୟରେ ଏହିଭଳି ସମଷ୍ଟି ଭାବରେ ଚିନ୍ତା କରି ଗଲା ପରେ ପୁଣି ଗୋଟିଏ ଗୋଟିଏ ସଙ୍କେତ ଧରି ତହିଁ ବିଷୟରେ ଯଦି କୌଣସି ଉପସଙ୍କେତ ବାକି ରହି ଯାଇଥାଏ, ତାକୁ ଦେବାକୁ ହେବ । ଏଥିପରେ ଗୋଟିଏ ଶୃଙ୍ଖଳାର ଆଭାସ ସ୍ଥିର କରିବାକୁ ହେବ । ତତ୍ପରେ ପ୍ରବନ୍ଧ । ଏ ସବୁ କାର୍ଯ୍ୟରେ ସମୟର କେତେକାଂଶ ବ୍ୟୟ ହେଲେ ମଧ୍ୟ ତାହା କରିବାକୁ ହେବ । ପରୀକ୍ଷା ସମୟରେ ଏହା କାଗଜର ପଛ ପାଖରେ କରା ଯାଏ ।

Image

 

ଉଦାହରଣ

ହସ୍ତୀ

 

୧-ଶରୀର ବର୍ଣ୍ଣନା । ୨-ଖାଦ୍ୟ, ବାସସ୍ଥାନ । ୩-ସ୍ୱଭାବ । ୪-ବ୍ୟବହାର । ୫-ହାତୀ ଧରା ।

ଅଭିବୃଦ୍ଧି

ବୃହତ୍‌ ଆକାର, କୃଷ୍ଣବର୍ଣ୍ଣ (ଧଳା ମଧ୍ୟ),ସ୍ତମ୍ଭାକାର ପଦ । ଦୋଳାୟମାନ ଶୁଣ୍ଢ, ସେଥିରୁ କରୀ, ଦୃଢ଼ଦନ୍ତ–ସେଥିରୁ ଦନ୍ତାବଳ-ସାଧାରଣରୁ ଭିନ୍ନ କାନ, କ୍ଷୁଦ୍ର ଚକ୍ଷୁ, ମୋଟା ଲୋମହୀନ ଚର୍ମ-ସୁତରାଂ ଦୁର୍ଭେଦ୍ୟ ।

ବନ୍ୟଗଛ ଡାଳ, ପତ୍ର, ତୃଣ; ପାଳିତ ହସ୍ତୀ ଧାନ, ଚାଉଳ ପ୍ରଭୃତି ଶୁଣ୍ଢ ସାହାଯ୍ୟରେ ଖାଆନ୍ତି; ଜଳପାନ ଦର୍ଶନୀୟ । ଗୋଟିଏ ଗଳ୍ପ । ଆସିଆ ଆଫ୍ରିକାର ପ୍ରକାର ଭେଦ ।

ବନ୍ୟ ଅବସ୍ଥାରେ ଦଳ ଦଳ ହୋଇ ରହନ୍ତି–ମନୁଷ୍ୟ ପରିବାର ସଙ୍ଗେ ତୁଳନା, ମାତାର ସ୍ନେହ, ପରସ୍ପର ପ୍ରତି ସହାନୁଭୂତି, କାଦୁଅପାଣିରେ ଘାଣ୍ଟି ହେବା, ପାଳିତ ଅବସ୍ଥାରେ ପ୍ରଭୁଭକ୍ତି, କୃତଜ୍ଞତା, ପ୍ରତିହିଂସା ପ୍ରବୃତ୍ତି, ସ୍ମରଣଶକ୍ତି ।

ବର୍ତ୍ତମାନ ପୂର୍ବାପେକ୍ଷା ବ୍ୟବହାର ଊଣା-ଯୁଦ୍ଧ, ଭାରବହନ, ଆରୋହଣ, ଶିକାର, ସର୍କସ, ଉତ୍ସବରେ । ମୃତ ଅବସ୍ଥାରେ ଦାନ୍ତ, ହାଡ଼ । ‘‘ହାତୀ ଜିଇଥିଲେ ଲକ୍ଷେ, ମଲେ ଲକ୍ଷେ ।’’

ଖାତଖୋଳି, ପୋଷାହାତୀ ପ୍ରଣୟରେ ଓ ଯନ୍ତାଦ୍ୱାରା ।

 

ପ୍ରବନ୍ଧ

 

ହାତୀ ସ୍ଥଳଭାଗରେ ସମସ୍ତ ପ୍ରାଣିମାନଙ୍କଠାରୁ ଆକାରରେ ବଡ଼ । ସମୁଦ୍ରର ତିମି ଅବଶ୍ୟ ଆକାରରେ ହାତିଠାରୁ ବୁହୁତ ବଡ଼ ଅଟେ । ଏହାକୁ ଛାଡ଼ିଦେଲେ ପ୍ରାଣିସୃଷ୍ଟିରେ ହାତିଠାରୁ ବଳି ବୃହଦାକାର ପ୍ରାଣୀ ଆଉ କେହି ନାହିଁ । ହାତୀ ସାଧାରଣତଃ ଇଷତ୍‌ କୃଷ୍ଣବର୍ଣ୍ଣ । ବ୍ରହ୍ମଦେଶରେ ହାତୀ ଧଳା । କିନ୍ତୁ ପ୍ରକୃତରେ ସେମାନଙ୍କ ବର୍ଣ୍ଣ ସମ୍ପୂର୍ଣ୍ଣ ଧଳା ନୁହେଁ, ଟିକିଏ ଧୂସର ମାତ୍ର । ସ୍ତମ୍ଭାକାର ପଦ, ଦୋଳାୟମାନ ଶୁଣ୍ଢ ଏବଂ ଦାନ୍ତ ଏହାର ବିଶେଷତ୍ୱ । ଶୁଣ୍ଢ ଏହାର ହାତର କାର୍ଯ୍ୟକରେ, ସୁତରାଂ ଏହାକୁ ହାତୀ କହନ୍ତି । ଦାନ୍ତ ଦେଖିବାକୁ ଲମ୍ବା ଏବଂ ସୁନ୍ଦର । କେବଳ ଅଣ୍ଡିରା ହାତିମାନଙ୍କର ଏହି ଦାନ୍ତ ଥାଏ । ଏହା ଖାଦ୍ୟ ଦ୍ରବ୍ୟ ଚୋବାଇବାରେ ଆଦୌ ବ୍ୟବହୃତ ହୁଏ ନାହିଁ । ସେଥି ନିମନ୍ତେ ସବୁ ହାତିଙ୍କର ପାଟିରେ ସାନ ସାନ ଦାନ୍ତ ଥାଏ । ବଡ଼ ଦାନ୍ତ ସାହାଯ୍ୟରେ କେବଳ ସେ ଶତ୍ରୁକୁ ଆକ୍ରମଣ କରି ଆତ୍ମରକ୍ଷା କରେ । ଏହି ଦାନ୍ତ ହିଁ ଏହାର ବଳ । ସୁତରାଂ ହାତିକି ଦନ୍ତାବଳ କହନ୍ତି । ହାତିମାନଙ୍କର ସାଧାରଣତଃ ଏହିପରି ଯୋଡ଼ିଏ ଦାନ୍ତ ଥାଏ । କାହାରି କାହାରି କ୍ୱଚିତ୍‌ ଗୋଟିଏ ମଧ୍ୟ ଦେଖାଯାଏ । ଏପରି ହାତିକି ଏକଦନ୍ତା କହନ୍ତି । ହାତିର କାନ ଦିଓଟି ଦେଖିବାକୁ କୁଲା ପରି । କିନ୍ତୁ ଆକ୍ଷି ଆକାର ତୁଳନାରେ ଛୋଟ, ଅଥଚ ଅସୁନ୍ଦର ନୁହେଁ । ହାତୀ ଦେହରେ ପ୍ରାୟ ଲୋମ ନ ଥାଏ । ଏହାର ମୋଟ ଚମ ଏହାକୁ ଶୀତ ଆତପରୁ ରକ୍ଷା କରେ । ଚମ ପ୍ରାୟ ଏକ ଇଞ୍ଚ ମୋଟା ହୋଇଥିବାରୁ ହାତୀ ସହଜରେ ଗୁଳିରେ ମରେ ନାହିଁ । ହାତିମାନେ ସାଧାରଣତଃ ଦେଢ଼ଶ ବର୍ଷ ବଞ୍ଚିଥାଆନ୍ତି ।

 

ହାତୀ ଗଛରୁ ବଡ଼ ବଡ଼ ଡାଳ ଶୁଣ୍ଢ ସାହାଯ୍ୟରେ ଭାଙ୍ଗି ଖାଏ । ତୃଣ, ଶସ୍ୟ ପ୍ରଭୃତି ମଧ୍ୟ ଖାଇବାର ଦେଖାଯାଏ । ସମୟେ ସମୟେ ବନ୍ୟ ହାତୀ ଆସି, ବନ ନିକଟର ଶସ୍ୟକ୍ଷେତ୍ର ସବୁ ଉଜୁଡ଼ାଇ ଦିଅନ୍ତି । ପୋଷା ହାତିମାନଙ୍କୁ ଧାନ ଚାଉଳ ମଧ୍ୟ ଖାଇବାକୁ ଦିଆଯାଏ । ହାତୀ ଖାଦ୍ୟ ଦ୍ରବ୍ୟ ଶୁଣ୍ଢରେ ନେଇ ପାଟିରେ ପୁରାଏ । ପ୍ରଚୁର ଖାଉଥିବାରୁ ନ ଚୋବାଇ ଗିଳି ଦିଏ । ପ୍ରବାଦ ଅଛି, ହାତୀ କଇଥ ଗିଳି ଗୋଟା ସୁଦ୍ଧା ପୁଣି ମଳ ସଙ୍ଗେ ପରିତ୍ୟାଗ କରେ । ହାତୀ ଏତେ ଖାଏ ଯେ ସାଧାରଣ ଲୋକଙ୍କ ପକ୍ଷରେ ହାତୀ ପୋଷିବା ଅସମ୍ଭବ । ଗଳ୍ପରେ ଅଛି ବ୍ରହ୍ମଦେଶରେ କୌଣସି ଲୋକ ବିଶେଷ ଧନୀ ହୋଇଯିବାର ଦେଖାଗଲେ, ରାଜା ତାହାଙ୍କୁ ସମ୍ମାନ ଦେଖାଇବା ନିମନ୍ତେ ଗୋଟିଏ ହାତୀ ଉପହାର ଦିଅନ୍ତି । ଦୁଇ ଚାରି ବର୍ଷ ମଧ୍ୟରେ ହାତୀ ତାଙ୍କର ସର୍ବସ୍ୱ ଖାଇ ତାଙ୍କୁ ଦରିଦ୍ର କରିଦିଏ । ହାତିର ଜଳପାନ ଦର୍ଶନୀୟ । ସମୟ ସମୟରେ ଶୁଣ୍ଢରେ ପାଣି ନେଇ ହାତୀ ତାହା ନ ପିଇ ଫୁତ୍କାରରେ ଉପରକୁ ଛାଡ଼ିଦିଏ । ଏହା ବର୍ଷାପରି ଦେଖାଯାଏ ଏବଂ କ୍ଷଣକ ନିମନ୍ତେ ଏଥିରେ ଇନ୍ଦ୍ରଧନୁ ମଧ୍ୟ ପଡ଼ିଯାଏ ।

 

ହାତିମାନେ କେବଳ ଆସିଆ ଓ ଆଫ୍ରିକାରେ ଦେଖାଯାନ୍ତି । ପୃଥିବୀର ଅନ୍ୟତ୍ର ହାତୀ ନାହାନ୍ତି । ଆଫ୍ରିକାର ହାତିମାନେ ଆକାରରେ ଛୋଟ ଓ ଭିନ୍ନ ।

 

ବନ୍ୟହସ୍ତିର ଆସଙ୍ଗଲିପ୍ପା ଅତ୍ୟନ୍ତ ପ୍ରବଳ । ୫୦ ଠାରୁ ୨୦୦ ପର୍ଯ୍ୟନ୍ତ ଦଳବଦ୍ଧ ହୋଇ, ଏକତ୍ର ରହନ୍ତି । କିନ୍ତୁ ବନର କୌଣସି ନିର୍ଦ୍ଦିଷ୍ଟସ୍ଥାନରେ ଏମାନେ ସର୍ବଦା ରହନ୍ତି ନାହିଁ । ଭ୍ରମଣ କଲାବେଳେ ଦଳ ମଧ୍ୟରେ ସର୍ବାପେକ୍ଷା ଅଧିକ ବଳବାନ୍‌ ହସ୍ତୀ ଆଗରେ ଯାଏ । ଦୁର୍ବଳ, ରୁଗ୍ଣ ଏବଂ ଶିଶୁ ହସ୍ତିଗୁଡ଼ିକ ମଝିରେ ରହନ୍ତି, ପଛରେ ଯୁବକ ହସ୍ତିମାନେ । ଗୋଟିଏ ହସ୍ତୀ ଦଳକୁ ମନୁଷ୍ୟ ପରିବାର ସଙ୍ଗେ ତୁଳନା କରାଯାଇପାରେ । ବାସ୍ତବରେ ପଶୁ ହୋଇ ସୁଦ୍ଧା ହସ୍ତିମାନଙ୍କ ମଧ୍ୟରେ ବାତ୍ସଲ୍ୟ ଓ ମାତୃଭକ୍ତି ବିଶେଷ ପରିମାଣରେ ଦେଖାଯାଏ । ଏକଦା ଦଳେ ଶିକାରୀ ଗୋଟିଏ ମାଈ ହାତିକୁ ବଧ କଲେ । ତାର ସନ୍ତାନ ଏହା ଜାଣିପାରି ନିଜ ଜୀବନ ପ୍ରତି ଟିକିଏ ମମତା ନ ରଖି ଭୀଷଣ ଗର୍ଜ୍ଜନରେ ସେମାନଙ୍କୁ ଆକ୍ରମଣ କଲା ଏବଂ ଶେଷରେ ସେଥିରେ ପ୍ରାଣ ହରାଇଲା । ହାତିମାନେ ମଇଁଷି ପରି କାଦୁଅରେ ଘାଣ୍ଟି ହେବାକୁ ସୁଖ ପାଆନ୍ତି ।

 

ବନ୍ୟ ଅବସ୍ଥାରେ ହାତୀ ଏତେ ଦୁର୍ଦ୍ଦାନ୍ତ ହେଲେ ସୁଦ୍ଧା ଧରା ହୋଇ ପୋଷା ମାନି ଗଲେ, ଏହାପରି ବିଶ୍ୱସ୍ତ ଭୃତ୍ୟ ଅତି ଅଳ୍ପ । ପ୍ରଭୁ ଓ ମାହୁନ୍ତର ମୃତ୍ୟୁରେ ହାତିମାନେ ଝୁରି ଝୁରି ମରିଯିବାର ଶୁଣା ଅଛି । ହାତିମାନେ ମନୁଷ୍ୟ ପରି କୃତଜ୍ଞ ମଧ୍ୟ ହୁଅନ୍ତି । ଥରେ ଗୋଟିଏ ହାତିର ଆକ୍ଷିରେ ରୋଗ ହୋଇଥିବାରୁ ଡାକ୍ତର ଔଷଧ ପ୍ରୟୋଗ କରି ଗଲେ । ସେଥିରେ ଭୀଷଣ ଜ୍ୱାଳା ଯନ୍ତ୍ରଣା ହେବାରୁ ହାତିର କ୍ରୋଧ ଜାତ ହେଲା । କିନ୍ତୁ ପରେ କେତେକ ପରିମାଣରେ ସେଥିରେ ଆରୋଗ୍ୟ ଲାଭ କରିଥଲା । ଡାକ୍ତର ପୁଣି ଔଷଧ ନେଇ ଆସିଲାବେଳକୁ ହାତୀ ଆନନ୍ଦ ପ୍ରକାଶ କରି ଧୀର ଭାବରେ ଆକ୍ଷି ଦେଖାଇ ଦେଲା ଏବଂ ଶୁଣ୍ଢ ଓ କର୍ଣ୍ଣର ଚାଳନାରେ ନିଜର କୃତଜ୍ଞତା ଜଣାଇଥିଲା । ଏଥିରୁ ହାତିର ଅଦ୍ଭୁତ ସ୍ମରଣ ଶକ୍ତି ମଧ୍ୟ ଜଣାପଡ଼ୁଅଛି । ଏହି ସ୍ମରଣ-ଶକ୍ତି-ବଳରେ ସେ ଅପକାର ବା ଦୁର୍ବ୍ୟବହାର ଅନେକ ଦିନ ପର୍ଯ୍ୟନ୍ତ ମନେ ରଖି ପ୍ରତିହିଂସା ମଧ୍ୟ ନେଇପାରେ ।

 

ପୂର୍ବ ପରି ଆଜିକାଲି ହାତିର ବିଶେଷ ବ୍ୟବହାର ଦେଖାଯାଏ ନାହିଁ । ଆଜିକାଲି ରାସ୍ତାର ସୁବନ୍ଦୋବସ୍ତରୁ ଗାଡ଼ି, ମଟର ପ୍ରଭୃତି ଯିବାର ସୁବିଧା ହୋଇଅଛି । ଆଗେ ଯାତାୟାତରେ ହାତୀ ବ୍ୟବହୃତ ହେଉଥିଲା । ହାତୀ ଚଢ଼ି ଗଲେ ବନର ଶ୍ୱାପଦମାନଙ୍କଠାରୁ ବିଶେଷ କୌଣସି ଭୟ ନ ଥାଏ । ପୂର୍ବେ ହାତୀ ଯୁଦ୍ଧ, ଶିକାର ପ୍ରଭୃତିରେ ବିଶେଷ ପରିମାଣରେ ଲୋଡ଼ା ହେଉଥିଲା । ଏବେ ସେ ସବୁ ନାହିଁ, କହିଲେ ଚଳେ । ଆଜିକାଲି କେବଳ ସର୍କସ, ଉତ୍ସବ ପ୍ରଭୃତିରେ ହାତିମାନେ ଦେଖାଯାନ୍ତି ।

 

ମରିଗଲା ପରେ ମଧ୍ୟ ହାତୀ ବିଶେଷ ବ୍ୟବହାରରେ ଆସେ । ହାତିର ଦାନ୍ତ ଓ ହାଡ଼ ମୂଲ୍ୟବାନ୍‌ ପଦାର୍ଥ । ଏଥିରେ ଖଟ, ପଲଙ୍କ, ସିଂହାସନ ପ୍ରଭୃତି ତିଆରି ହୁଏ । ସେହି ହେତୁରୁ କହନ୍ତି, ‘‘ହାତୀ ଜିଇଥିଲେ ଲକ୍ଷେ ମଲେ ଲକ୍ଷେ ।’’

 

ସାଧାରଣତଃ ତିନିଗୋଟି ଉପାୟରେ ହାତୀ ଧରାଯାଏ । ହାତୀ ଉନ୍ମତ୍ତ ହେଲାବେଳେ ଗୋଠ ଛାଡ଼ି ପଳାଇ ଆସେ । ସେତେବେଳେ ଲୋକେ ହାତୀ ଯିବା ବାଟରେ ବଡ଼ ବଡ଼ ଖାତ ଖୋଳି ତାକୁ ଡାଳ ପତ୍ରରେ ଘୋଡ଼ାଇ ରଖନ୍ତି । ହାତୀ ଏଥିରେ ପଡ଼ିଗଲେ, ଆଉ ଯାଇପାରେ ନାହିଁ-। ମାଈ ହାତୀ ସାହାଯ୍ୟରେ ଅଣ୍ଡିରା ହାତିମାନଙ୍କୁ ଭୁଲାଇ ଆଣି ଫାସରେ ମଧ୍ୟ ହାତୀ ଧରାଯାଇ ଥାଏ । ଏ ଉପାୟରେ ଥରକେ କେବଳ ଗୋଟିଏ ହାତୀ ଧରି ହୁଏ । କିନ୍ତୁ ଗିରିଦାରେ ଏକ ସମୟରେ ଗୋଠେ ହାତୀ ଧରାଯାଇ ପାରନ୍ତି । ହାତୀ ଧରିବା ପୂର୍ବରୁ ଯେଉଁ ଜଙ୍ଗଲରେ ହାତୀ ଥାନ୍ତି, ସେଠାରେ ଶାଳଗଣ୍ଡି ଘେରାଇ ଗୋଟିଏ ସୁଦୃଢ଼ ପାଚେରୀ ତିଆରି କରନ୍ତି । ଏହାର ନାମ ଗିରିଦା । ଗିରିଦାର ଫାଟକ ବାଟେ ହାତିମାନଙ୍କୁ କୌଶଳରେ ଭିତରକୁ ପୂରାଇ, ଧରନ୍ତି । ଓଡ଼ିଶାର ଗଡ଼ଜାତମାନଙ୍କରେ ହାତୀ ଧରାଯାଏ । ଏବେ ହାତୀ ଧରିବାରେ ରାଜାମାନଙ୍କର କ୍ଷମତା ଟିକିଏ ସଙ୍କୁଚିତ ହୋଇଅଛି ।

Image

 

ସମୟ

 

୧–ଏହାର ଗତି ଓ ଶକ୍ତି । ୨- ସମୟର ବ୍ୟବହାର । ୩–ହିନ୍ଦୁର ସମୟ କଳ୍ପନା । ୪-- ସଦ୍‌ବ୍ୟବହାରର ଫଳ ।

 

ଅଭିବୃଦ୍ଧି

 

୧- ନଦୀପରି ସୁଖ ଦୁଃଖ, ଆଳସ୍ୟ ବିଳାସକୁ ଅପେକ୍ଷା କରେ ନାହିଁ-ଉଦ୍ଦେଶ୍ୟ ? ରାଜା, ବୀର, ସାମ୍ରାଜ୍ୟ ସମୟର କ୍ରୀଡ଼ନକ ।

 

୨- ଏପରି ସମୟକୁ ଅନୁସରଣ କରିବାକୁ ହେଲେ, ପ୍ରତିଜ୍ଞା ଓ କର୍ମପ୍ରବଣତା, କାର୍ଯ୍ୟ ବିଭାଗ, କାର୍ଯ୍ୟ ନିର୍ଘଣ୍ଟ । ଗଲା ସମୟ ବାହୁଡ଼ିବ ନାହିଁ । ମୂଲ୍ୟ- ସମୟହିଁ ଜୀବନ, ଜୀବନର ପରିମାଣ ସମୟରେ ନୁହେଁ, କାର୍ଯ୍ୟରେ । ମାର୍କଣ୍ଡେୟଙ୍କର ଆୟୁ ।

 

୩–ସମୟର ନାମ ଶିବ; ଶିବଙ୍କ ସ୍ଥାନ ଶ୍ମଶାନ–ଆଳସ୍ୟ ବିଳାସର ବଳିରେ ସମୟର ପୂଜା ।

 

୪–ସଂସାରରେ ସକଳ ପ୍ରକାର ଉନ୍ନତି–ବ୍ୟକ୍ତିଗତ, ଜାତୀୟ, ସାମାଜିକ ।

 

ପ୍ରବନ୍ଧ

 

ନଦୀ ଅବିଶ୍ରାନ୍ତ ଭାବରେ ବହିଗଲା ପରି ସମୟ ଅବିରତ ଚାଲି ଯାଉଅଛି । ଦିନ ରାତି ଯେପରି ନଦୀ ପ୍ରବାହର ବିରାମ ନାହିଁ, ସମୟର ପ୍ରବାହ ସେହିପରି ଆମ୍ଭମାନଙ୍କର କି ଜାଗରଣରେ, କି ନିଦ୍ରିତାବସ୍ଥାରେ ସମ ଭାବରେ ଚାଲିଅଛି । ଜଣେ ଇଂରେଜ ଲେଖକ କହିଅଛନ୍ତି ଯେ ‘‘ଏ ନଦୀରେ କେହି ଦୁଇଥର ସ୍ନାନ କରିନାହିଁ ।’’ ସେହିପରି ଯେଉଁ ମୁହୂର୍ତ୍ତ ଚାଲି ଯାଉଅଛି ତା ଆଉ ପୁନର୍ବାର ମିଳେ ନାହିଁ । କେତେ ମୁହୂର୍ତ୍ତ ଏହି ଭାବରେ ଆସି ଚାଲି ଯାଉଅଛି । ଏଥି ମଧ୍ୟରୁ କେହି ଗୋଟିଏ ଆମ୍ଭମାନଙ୍କର ସୁଖ ଦୁଃଖକୁ ଅପେକ୍ଷା କରୁ ନାହିଁ । ରୋଗ ଶୋକରେ ପଡ଼ିଥିଲାବେଳେ ସମୟ ଟିକିଏ ଚାହିଁ ବସୁ ନାହିଁ । କି ଉଦ୍ଦେଶ୍ୟରେ ସମୟ ଏଡ଼େ ବେଗରେ ଧାଇଁ ଅଛି ତାହା କିଏ କହିପାରେ ? ସମୟର ଏହି ଅନନ୍ତ ପ୍ରବାହ ବହୁଦୂର ଅତୀତ ସହିତ ପ୍ରଚ୍ଛନ୍ନ ଭବିଷ୍ୟତକୁ ଏକ ସୂତ୍ରରେ ଗୁନ୍ଥି ରଖୁଅଛି । ସମୟର ଏ ଶକ୍ତି ନ ଥିଲେ, ଭୂତ ଭବିଷ୍ୟ ବର୍ତ୍ତମାନ ପ୍ରତ୍ୟେକ ପରସ୍ପରରୁ ବିଚ୍ଛିନ୍ନ ହୋଇ ରହନ୍ତେ । ଆଜିର ଘଟନା କାଲିର ଘଟନା ଉପରେ ନିର୍ଭର କରନ୍ତା ନାହିଁ । ସମାଜର ବର୍ତ୍ତମାନ ଅବସ୍ଥା ଅତୀତ ଉନ୍ନତିର ମଧୁର ପରିଣତିରେ ରସାଣିତ ହୁଅନ୍ତା ନାହିଁ; କି ବର୍ତ୍ତମାନ ଦେଖି ଲୋକ ଭବିଷ୍ୟତ ଗଢ଼ିବାକୁ ପ୍ରୟାସ କରିପାରନ୍ତା ନାହିଁ । ଏଥିରେ ମାନବ ଜୀବନ, ତଥା ପୃଥିବୀର ଉନ୍ନତି, ଅସମ୍ଭବ ହୋଇ ପଡ଼ନ୍ତା । ରାମଚନ୍ଦ୍ରଙ୍କ ପରି ରାଜା, ଭୀମ ଅର୍ଜୁନ ପରି ଶକ୍ତିଶାଳୀ ବୀର, ନେପୋଲିଅନଙ୍କ ପରି ଦିଗ୍‌ବିଜୟୀ, ଗ୍ରୀସ୍‌ ରୋମ ପରି ବିଶାଳ ସାମ୍ରାଜ୍ୟ, ସମସ୍ତେ କାଳର ବିପୁଳ ଗର୍ଭରେ ପଡ଼ି ନିଜ ନିଜର ଶକ୍ତି ହରାଇଅଛନ୍ତି । ପୁଣି କେତେ ବୀର, କେତେ ଦିଗ୍‌ବିଜୟୀ, କେତେ ନୂତନ ସାମ୍ରାଜ୍ୟ ସେମାନଙ୍କର ଶ୍ମଶାନ-ଭସ୍ମରୁ ଉଠିଅଛନ୍ତି । ସମୟ ଯେପରି ଭାଙ୍ଗିଅଛି, ସେହିପରି ଗଢ଼ିଅଛି । ଏହି ଭଙ୍ଗା ଗଢ଼ାରେହେଁ ସୃଷ୍ଟି-ବିକାଶ ସାଧିତ ହେଉଅଛି । ଅଦ୍ଭୁତ ଏହାର କାର୍ଯ୍ୟ !

 

ଅତଏବ ସମୟର ଅନୁସରଣ କରିବାକୁ ହେଲେ, ଆମ୍ଭମାନଙ୍କୁ ସେହିପରି କ୍ଷିପ୍ର ଗତିରେ ଚାଲିବାକୁ ହେବ । ବୃଥାରେ ମୁହୂର୍ତ୍ତେ ବିଶ୍ରାମ ନେଲେ ବା ମୁହୂର୍ତ୍ତେ ନଷ୍ଟ କରିଦେଲେ ତାହା ଆମ୍ଭମାନଙ୍କ ଜୀବନରେ ଗୋଟିଏ ଫାଙ୍କ ହୋଇ ରହିଯିବ, ଜୀବନ ଅପୂର୍ଣ୍ଣ ହେବ । ଜୀବନର ପ୍ରତ୍ୟେକ ମୁହୂର୍ତ୍ତ କାର୍ଯ୍ୟରେ ଲଗାଇବାକୁ ଅଟଳ ପ୍ରତିଜ୍ଞା ଲୋଡ଼ା । କେତେବେଳେ କେଉଁ କାର୍ଯ୍ୟ କରିବାର କଥା, ତାହା ଆଗରୁ ନିରୂପଣ କରି କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ କରି ରଖିବାକୁ ହେବ । କେବଳ ଏତିକି ନୁହେଁ । ଏପରି ଭାବରେ କାର୍ଯ୍ୟ ବିଭାଗ କରିବାକୁ ହେବ ଯେ ସମସ୍ତ ଦିବସ ମଧ୍ୟରେ ଯେପରି ମୁହୂର୍ତ୍ତ ଗୋଟିଏ ଖାଲି ନ ରହେ । ସମୟ ମନୁଷ୍ୟର ଦୁର୍ଲ୍ଲଭ ସମ୍ପଦ । ମଣିକାଞ୍ଚନର ମୂଲ୍ୟ ଏହା ନିକଟରେ ତୁଚ୍ଛ । ମଣି କାଞ୍ଚନ ଥରେ ହଜାଇ ଦେଲେ ପୁଣି ମିଳିପାରେ, କିନ୍ତୁ ଗଲା ସମୟ ଆଉ ଫେରି ଆସେ ନାହିଁ । ସମୟର ମୂଲ୍ୟ କୌଣସି ପାର୍ଥିବ ବସ୍ତୁରେ କରି ହେବ ନାହିଁ । ସମୟରୁ ଗୋଟିଏ ମୁହୂର୍ତ୍ତ ନଷ୍ଟ ହେଲେ ଜୀବନର କେତେକ ଅଂଶ କ୍ଷୟ ହୁଏ । ଜାଣି ଶୁଣି ସମୟର ଅପବ୍ୟବହାର କଲେ, ତାହା ଏକ ପ୍ରକାର ଆତ୍ମହତ୍ୟା । ସମୟର ସୁବ୍ୟବହାରହିଁ ଜୀବନ । ଜୀବନର ଦୀର୍ଘତା ବର୍ଷ ମାସରେ ହିସାବ କରାଯାଏ ନାହିଁ । ଯେ ଯେତେ କାର୍ଯ୍ୟ କରିଅଛି ତାର ଜୀବନ ସେତିକି ଦୀର୍ଘ । ଶଙ୍କରାଚାର୍ଯ୍ୟ ଯୌବନରେ ମରିଥିଲେ । ତଥାପି ସେ ଅନେକ ବୃଦ୍ଧଙ୍କଠାରୁ ବୟୋଽଧିକ । ମାର୍କଣ୍ଡେୟ ସାତ ବର୍ଷ ମାତ୍ର ବଞ୍ଚିଥିଲେ । କିନ୍ତୁ ସେହି ସାତ ବର୍ଷରେ ସେ ଏତେ କାର୍ଯ୍ୟ କରିଥିଲେ ଯେ ସେ ସାତ କଳ୍ପ ବଞ୍ଚିଥିଲେ ବୋଲି କଳ୍ପନା କରାଯାଏ ।

 

ହିନ୍ଦୁ ସମୟର ମୂଲ୍ୟ ବୁଝିଥିଲା । ସମୟର ଅପର ନାମ ଶିବ, ଅର୍ଥାତ୍‌ ମଙ୍ଗଳ । ସମୟର ପୂଜା କଲେ ମାନବର ମଙ୍ଗଳ ହୁଏ । ସମୟର ପୂଜାହିଁ ଈଶ୍ୱରଙ୍କ ପୂଜା । ଏହି ପୂଜା ଭୋଗ ବିଳାସରେ କରାଯାଇ ନ ପାରେ । ସଂଯମ, ସାଧନାରେ, ଅର୍ଥାତ୍‌ କର୍ତ୍ତବ୍ୟ କର୍ମ କରିବାରେ, ଏହା କରିବାକୁ ହେବ । ଶିବଙ୍କର ଆସ୍ଥାନ ଶ୍ମଶାନରେ । ସେଠାରେ ମୃତ ବ୍ୟକ୍ତି ଭସ୍ମରେ ପରିଣତ ହୁଏ । ଆଳସ୍ୟ, ଜଡ଼ତା, ଭୋଗ, ବିଳାସ ମନୁଷ୍ୟର ମୃତ୍ୟୁ । ଏଗୁଡ଼ିକ ଭସ୍ମ କରି, ତହିଁ ଉପରେ କର୍ମମୟ ଜୀବନ ଗଢ଼ିବାକୁ ହେବ ।

 

ସମୟର ପୂଜା କଲେ ଜୀବନର ମଙ୍ଗଳ, ସମୟର ସୁବ୍ୟବହାରରେ ଜୀବନର ବିକାଶ ହୁଏ । ଜୀବନରେ ଉନ୍ନତି ସାଧନ କରିବାକୁ ହେଲେ ଅନବରତ କାର୍ଯ୍ୟରେ ରତ ରହିବାକୁ ହେବ । କର୍ମ ହି ଜୀବନର ମନ୍ତ୍ର । ସେଥିପାଇଁ କହନ୍ତି, ‘‘କାର୍ଯ୍ୟଂ ବା ସାଧୟେତ୍‌ ଶରୀରଂ ବା ପାତୟେତ୍‌ ।’’ ବ୍ୟକ୍ତିଗତ ଜୀବନରେ ଯେପରି କାର୍ଯ୍ୟର ସାଧନରେ ଉନ୍ନତି ସମ୍ଭବ ହୁଏ, ସେହିପରି ସମାଜ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତି କର୍ମପରାୟଣ ହେଲେ ସାମାଜିକ ଓ ଜାତୀୟ ଉନ୍ନତି ସାଧିତ ହେବ ।

Image

 

ପ୍ରବନ୍ଧ ରଚନା ସକାଶେ ସଙ୍କେତ

[ଅଭିବୃଦ୍ଧି ସହ]

ବ୍ୟାୟାମ

 

ଆବଶ୍ୟକତା–ଜୀବନରେ ସ୍ୱାସ୍ଥ୍ୟର ମୂଲ୍ୟ-ସ୍ୱାସ୍ଥ୍ୟ ନିମନ୍ତେ ଦେହରୁ ଦୂଷିତ ପଦାର୍ଥ ଦୂର ହେବା ଦରକାର-ଅଙ୍ଗଚାଳନାରେ, ଝାଳ, ନିଶ୍ୱାସଦ୍ୱାରା; ସାଧାରଣ ଚାଲିବା, ବୁଲିବା, କଥା କହିବାରେ ମଧ୍ୟ ଏହା ହୁଏ । ବ୍ୟାୟାମରେ ଅଧିକ ପରିମାଣରେ ।

 

ପ୍ରକାର–ବୁଲିବା, ପହଁରିବା, ଘୋଡ଼ା ଚଢ଼ିବା, ଦଣ୍ଡ, କସର୍‌ତ, ଡୁଡ଼ୁ, ଫୁଟବଲ, ଟେନିସ୍‌, କ୍ରିକେଟ । କେତେଗୁଡ଼ିଏ ସୁଖପ୍ରଦ-କେତେକ ନୀରସ ।

 

ମାନସିକ ଉନ୍ନତି–ଶରୀର ଓ ମନର ସମ୍ବନ୍ଧ, ରୁଗ୍ଣ ଶରୀରରେ ଚିନ୍ତାର ଦୁର୍ବଳତା, କ୍ରୋଧ ପ୍ରଭୃତିର ଆଧିକ୍ୟ, ବଳରୁ ମନର ପ୍ରଫୁଲ୍ଲତା, ଦୁଃଖବିପଦ ପ୍ରତି ହେୟ ଜ୍ଞାନ । ସୁଖପ୍ରଦ ବ୍ୟାୟାମରେ ମାନସିକ ଉନ୍ନତି ଅଧିକ ପରିମାଣରେ ହୁଏ ।

 

କ୍ଷତିର ଆଶଙ୍କା–ଅତି ମାତ୍ରାରେ, ଦୁର୍ବଳତା, ରୋଗ, ମାନସିକ ଅବନତି, ସମୟ ନାଶ; ଅନିୟମିତତାରେ ଅପକାର ।

 

ପରିବାର

 

ପରିବାରର ବର୍ଣ୍ଣନା–ପିତା ମାତା, ଭାଇ ଭଉଣୀ, ସ୍ନେହ ସୂତ୍ରରେ ଆବଦ୍ଧ, ଯେପରି ଏକ ରକ୍ତ, ସେହିପରି ଏକ ପ୍ରାଣ ।

 

ଗୃହସୁଖ–ବାଲ୍ୟକାଳରେ ପିତା ମାତାଙ୍କର ବାତ୍ସଲ୍ୟ-ଯୌବନରେ ଦାମ୍ପତ୍ୟ ପ୍ରଣୟ, ସନ୍ତାନ ସନ୍ତତିଙ୍କ ପ୍ରତି ସ୍ନେହ ମମତା; ସ୍ନେହର ଆଦାନ ପ୍ରଦାନ । ସଂସାରର ଅନ୍ୟ ସୁଖଠାରୁ ଏଥିରେ ଆନ୍ତରିକତା ବେଶି । ଧନ, ସମ୍ପଦ, ରାଜସିଂହାସନ, ଯଶ, ସମ୍ମାନ ଏହା ନିକଟରେ ତୁଚ୍ଛ ।

 

ପ୍ରଥମ ଓ ପ୍ରଧାନ ବିଦ୍ୟାଳୟ–ଭାଷା ଶିକ୍ଷା, ସାମାଜିକତା, ଭକ୍ତି, ପ୍ରୀତି ପ୍ରଭୃତି କୋମଳ ବୃତ୍ତିର ବିକାଶ, ସଂଯମ, ତ୍ୟାଗ ପ୍ରଭୃତି ଗୃହରୁ ଆରମ୍ଭ ।

 

ସାମାଜିକ ଉନ୍ନତି ସଙ୍ଗେ ଏହାର ସମ୍ବନ୍ଧ–ଅସଭ୍ୟ ସମାଜରେ ପାରିବାରିକତାର ଅଭାବ-। ଅର୍ଦ୍ଧୋନ୍ନତ ସମାଜରେ-ଉନ୍ନତ ସମାଜରେ ।

Image

 

ଓଡ଼ିଶାରେ ଅନ୍ତ୍ୟେଷ୍ଟି

 

ମୃତ୍ୟୁକାଳୀନ ବର୍ଣ୍ଣନା–ପାଞ୍ଚଦାନ, ବୈତରଣୀ, ମୁମୂର୍ଷୁମୁଖରେ ଜଳଦାନ, ତୁଳସୀମୂଳେ ସ୍ଥାପନ, ମୃତ୍ୟୁ, ପରିବାରରେ ବିଳାପ ।

 

ଦାହ–କୋକେଇ-ଶବ ଶ୍ମଶାନକୁ ନେବା-ସଧବାମାନଙ୍କର ଶବ ସହ ଡେଙ୍ଗୁରା, ଲିଆ, କଉଡ଼ି ଆଦି–ପଥଶ୍ରାଦ୍ଧ, ଚିତା, ମୁଖାଗ୍ନି ।

 

ଦଶାହ–ଆଶୌଚ, ତିକ୍ତାନ୍ନ, ଆର୍ଥିକ ଅବସ୍ଥା ଭେଦରେ ଭୋଜନଦାନ, ପ୍ରେତକର୍ମ, ଘଟସ୍ଥାପନ, ଅସ୍ଥିଶେଚନ । ଦଶମ ଦିବସ-କ୍ଷୌର, ନବବସ୍ତ୍ର ଇତ୍ୟାଦି; ମଧୁରାନ୍ନ-ଏକାଦଶ ଦ୍ୱାଦଶ ଶ୍ରାଦ୍ଧ ।

 

ଉଦ୍ଦେଶ୍ୟ–ଗୋଷ୍ଟିମଧ୍ୟରେ ଏବଂ ଅନୁଷ୍ଠାନର ଆଡ଼ମ୍ବରରେ ଦୁଃଖର ହ୍ରାସ, ମୃତ ପ୍ରତି ଶ୍ରଦ୍ଧା ପ୍ରକାଶ–ଅର୍ଥବ୍ୟୟ ଉପରେ ନିର୍ଭର କରେ ନାହିଁ । ଆତ୍ମାର ସଦ୍‌ଗତି ।

 

ରାଧାନାଥ

 

ଜନ୍ମ–ଜନ୍ମକାଳରେ ଦେଶରେ ସାହିତ୍ୟ ପ୍ରତି ଅନାଦର-ନୂତନ ଶିକ୍ଷାର ଆରମ୍ଭ-ସୁତରାଂ ସାହିତ୍ୟ ଚର୍ଚ୍ଚାର ଆବଶ୍ୟକତା । ଜନ୍ମସ୍ଥାନ ବାଲେଶ୍ୱରର କେଦାରପୁର, ୧୮୪୮ ସାଲ, ବଙ୍ଗୀୟ କାୟସ୍ଥ, ପିତା ସୁନ୍ଦରନାରାୟଣ ରାୟ, ମାତା ତାରିଣୀ ଦାସୀ ।

 

ବାଲ୍ୟବସ୍ଥା ଓ ଶିକ୍ଷା–ପାଞ୍ଚବର୍ଷ ପରେ ମାତାଙ୍କର ମୃତ୍ୟୁ, ଷଷ୍ଠବର୍ଷରେ ବିଦ୍ୟାରମ୍ଭ, ଅସୁସ୍ଥତା ଶିକ୍ଷାରେ ପ୍ରତିବନ୍ଧକ, ୧୦ ବର୍ଷରେ ବାଲେଶ୍ୱର ଜିଲ୍ଲାସ୍କୁଲ, ଗଣିତ ପ୍ରତି ଆଗ୍ରହ, ଷୋଳବର୍ଷ ବୟସରେ ପ୍ରବେଶିକା ପରୀକ୍ଷା, ଅର୍ଥାଭାବ ଓ ରୋଗ ଯୋଗୁ କଲିକତା ପ୍ରେସିଡେନ୍‌ସି କଲେଜ ତ୍ୟାଗ । ବାଲ୍ୟକାଳରୁ ପିତାଙ୍କର କଠୋର ଶାସନ । ପାରିବାରିକ ଅବସ୍ଥା; ସ୍ୱଭାବ-ବିନୟୀ, ମିଷ୍ଟଭାଷୀ ।

 

ସାଂସାରିକ ଜୀବନ–୩୦ ଟଙ୍କାରେ ଶିକ୍ଷକତା, ବାଲେଶ୍ୱର ପରେ ପୁରୀ, ବାଙ୍କୁଡ଼ା, ତତ୍ପରେ ଡେପୁଟି ଇନ୍ସପେକ୍ଟର, ଭୂଦେବ ବାବୁଙ୍କ ସଙ୍ଗେ ପରିଚୟ, ଆଳାପ । ମଧୁସୂଦନଙ୍କ ସଙ୍ଗେ ବନ୍ଧୁତା, ଜଏଣ୍ଟ ଇନ୍ସପେକ୍ଟର, ଇନ୍ସପେକ୍ଟର । ବିବାହ, ସନ୍ତାନ ସନ୍ତତି, ଅର୍ଥାର୍ଜ୍ଜନ, ଦେଶ ଭ୍ରମଣ ସ୍ପୃହା, ସାହିତ୍ୟ ପ୍ରତି ଅତୁଳ ଅନୁରାଗ, ଚର୍ଚ୍ଚା ।

 

ଶେଷ ଜୀବନ–କାର୍ଯ୍ୟରୁ ଅବସର ଗ୍ରହଣ, ବହୁଦିନର ନସ୍ୟ ଅଭ୍ୟାସ ପରିତ୍ୟାଗ; ଅତୀତ ଅପରାଧପାଇଁ ଅନୁତାପ, ମୃତ୍ୟୁ ୧୯୦୮, ଚୈତ୍ର ପୂର୍ଣ୍ଣମୀ ।

 

କାର୍ଯ୍ୟ ଓ ଚରିତ୍ର–ଦେଶରେ ଶିକ୍ଷାର ବିସ୍ତାର, ଶିକ୍ଷକମାନଙ୍କ ପ୍ରତି ସଦ୍‌ବ୍ୟବହାର, ଗୁଣର ଆଦର, ଜାତୀୟ ମମତା, ପୁସ୍ତକ ରଚନା, କେତେକ ସୁରୁଚି ସମ୍ପନ୍ନ ନୁହେଁ । ମହାଯାତ୍ରା, ଚିଲିକା ସର୍ବ ପ୍ରଧାନ । ଓଡ଼ିଶାରେ ନବୀନ ସାହିତ୍ୟର ପ୍ରବର୍ତ୍ତକ ।

Image

 

ଭାରତରେ ଗ୍ରୀଷ୍ମକାଳ

 

ସମୟ ଓ କାରଣ–ସାଧାରଣତଃ ବୈଶାଖ ଜ୍ୟେଷ୍ଠ, କିନ୍ତୁ ବର୍ଷାକାଳ ମଧ୍ୟ ଏହାର ଅଂଶ-। ‘ଅଣସର ଗୁଳୁଗୁଳି’ ଆଷାଢ଼ରେ । ସୂର୍ଯ୍ୟର ଉତ୍ତରାୟଣ ଦିବାଭାଗର ବୃଦ୍ଧି, ରାତ୍ରିର ଅଳ୍ପତା-। ସୁତରାଂ ତାପ ବୃଦ୍ଧି ।

 

ସୁବିଧା ଅସୁବିଧା–ସୂର୍ଯ୍ୟ ଉତ୍ତାପରେ ନାନାରୋଗର କୀଟାଣୁ ନାଶ । ସୁସ୍ୱାଦୁ ଫଳ-ଆମ୍ବ, ପଣସ, ଜାମୁ, ସପୁରୀ । ପ୍ରଚଣ୍ଡ ଗ୍ରୀଷ୍ମ । ସାମୟିକ ବର୍ଷା ଯୋଗୁଁ ଯାତାୟତର ଅସୁବିଧା, ଜଳର ଅଭାବ, ଗୃହ ଦାହ, ଜୀର୍ଣ୍ଣଶକ୍ତିର ହ୍ରାସ, ସୁନିଦ୍ରାର ଅଭାବ, ପ୍ରବଳ ତୃଷା ।

 

ସୌନ୍ଦର୍ଯ୍ୟ–ଫଳପୁଷ୍ପାବନତ ବୃକ୍ଷ ଲତା, ତୋଟା ବନ ପ୍ରଭୃତିର ଶୀତଳତା, କୋକିଳର ଗାନ, ସାୟଂକାଳୀନ ଶୀତଳ ସମୀରଣ, ଶୋଭା ।

 

ରୁକ୍ଷତା–ନଦୀପୁଷ୍କରିଣୀ ଶୁଷ୍କ, ବନପ୍ରାନ୍ତର ସବୁ ଶ୍ରୀହୀନ, ବନପର୍ବତର ଅଗ୍ନି, ଦିନ ରାତିରେ ଭୟଙ୍କର ଝାଞ୍ଜି, ସ୍ଥାନେ ସ୍ଥାନେ ମରୀଚିକା, ଉତ୍ତପ୍ତ ଭୂପୃଷ୍ଠ ।

 

ଆମୋଦ–ଉତ୍ତାପରୁ ରକ୍ଷା ପାଇବାପାଇଁ ସାମାନ୍ୟ ବିଳାସ-ଚନ୍ଦନ ପଙ୍ଖା, ଶୀତଳ ପଟି, ପାଚିଲା ଗାମୁଛା । ନାନା ଆମୋଦକର ଅନୁଷ୍ଠାନ ପଣାସଂକ୍ରାନ୍ତି, ଚନ୍ଦନଯାତ୍ରା, ସ୍ନାନଯାତ୍ରା ।

Image

 

ଜଳଯାତ୍ରା

 

ଆରମ୍ଭଆୟୋଜନ, ସମୟ, ସେ ଦିନରପାଗ, ଉଦ୍ଦେଶ୍ୟ, ଆରମ୍ଭ ଓ ଉଦ୍ଦିଷ୍ଟ ସ୍ଥାନ ।

 

ଯାତ୍ରାବର୍ଣ୍ଣନା–ଯାନ, ଯାନଚାଳକ ଓ ସହଯାତ୍ରୀ, ସେମାନଙ୍କ ବ୍ୟବହାର, ଚତୁର୍ଦ୍ଦିଗର ଦୃଶ୍ୟ, ସାମୟିକ ବିପଦର ଆଶଙ୍କା, ନିଜ ମନର ଅବସ୍ଥା, ଆମୋଦ ପ୍ରମୋଦ ।

 

ଫଳାଫଳ–ଦେହ ଓ ମନ ଉପରେ ଯାତ୍ରାର ପ୍ରଭାବ, ନିଜର ଅନୁଭୁତି, ତହିଁରୁ ଶିକ୍ଷା ।

Image

 

ଧନ

 

ଧନ କଣ ? –ସାଧାରଣ ମତରେ ଟଙ୍କା, ସୁନା ଇତ୍ୟାଦି । ଧନୀ ବୋଇଲେ କଣ ବୁଝାଯାଏ ? ଟଙ୍କା ସୁନା ପ୍ରକୃତ ଧନ ନୁହେଁ । କାରଣ ଜୀବନ ଧାରଣ ପକ୍ଷେ ଏହାର ଆଦୌ ଆବଶ୍ୟକତା ନାହିଁ । ଖାଦ୍ୟ, ବସ୍ତ୍ର, ଗୃହ ପ୍ରଭୃତି ଧନ ।

 

ଉପାର୍ଜ୍ଜନ–ଅଧ୍ୟବସାୟଦ୍ୱାରା, ଶାରୀରିକ ପରିଶ୍ରମ, ମାନସିକ ଶକ୍ତି ଧନ ପ୍ରାପ୍ତିର ହେତୁ-। କୃଷି, ବାଣିଜ୍ୟ, ଚାକିରୀ, ଓକିଲାତି, ଡାକ୍ତରୀ ପ୍ରଭୃତି ପୁସ୍ତକ ରଚନା । ଉଦ୍‌ଭାବନ ।

 

ଧନ ବ୍ୟୟ–ବ୍ୟୟହିଁ ଧନର ସାର୍ଥକତା, ନିଜ ମଙ୍ଗଳରେ (ବିଳାସ ପ୍ରତି ସାବଧାନ ଥାଇ, ବିଳାସିତା ଧନର ଅପବ୍ୟୟ) ପରର ମଙ୍ଗଳରେ, ଶିକ୍ଷାର ବିସ୍ତାର ନିମନ୍ତେ, ଦେଶର ଉପକାରପାଇଁ-। ଏହିଗୁଡ଼ିକରେ ମନୁଷ୍ୟତାର ବିକାଶ । କୃପଣର ଧନ ସଞ୍ଚୟ-କୃପଣ ଦରିଦ୍ରଠାରୁ ହୀନ, ତା ଜୀବନରେ ଧନର ଉପଭୋଗ ନାହିଁ ।

 

ଧନପ୍ରତି ହିନ୍ଦୁର ଅସ୍ଥା–ନାମ ଚଞ୍ଚଳା, କ୍ଷଣ ଭଙ୍ଗୁର; ଜ୍ଞାନର ବୈରୀ-ଲକ୍ଷ୍ମୀ, ସରସ୍ୱତୀ । ସେଥିପାଇଁ ହିନ୍ଦୁମାନେ ଦାରିଦ୍ର୍ୟ ବ୍ରତ କରି ନେଉଥିଲେ ।

Image

 

ବାଣିଜ୍ୟ

 

ବାଣିଜ୍ୟ କ’ଣ ? ଦ୍ରବ୍ୟର କ୍ରୟ ବିକ୍ରୟ, କିନ୍ତୁ ନିର୍ମାଣ ନୁହେଁ । ଗୋଟିଏ ଦେଶ ମଧ୍ୟରେ ହେଲେ ଅନ୍ତର୍ବାଣିଜ୍ୟ, ଭିନ୍ନ ଭିନ୍ନ ଦେଶରେ ହେଲେ ବହିର୍ବାଣିଜ୍ୟ ।

 

ସଫଳତାର ଉପକରଣନୂତନ କାର୍ଯ୍ୟ କରିବାରେ ଶଙ୍କାର ଅଭାବ, ପ୍ରଚୁର ଅର୍ଥ, ତାହାର ବ୍ୟୟପ୍ରତି ଅକୁଣ୍ଠା । ସାଧୁତା, ପ୍ରତାରଣା ନ କରିବା, ବାଣିଜ୍ୟ ସଙ୍ଘରେ ପରସ୍ପର ପ୍ରତି ବିଶ୍ୱାସ, ପ୍ରତିଯୋଗିତା, କିନ୍ତୁ ଦ୍ୱେଷ ହିଂସା ନ ଥାଇ, ସାମାନ୍ୟ କ୍ଷତିରେ ହତୋତ୍ସାହ ନ ହେବା । ନାନା ଦ୍ରବ୍ୟର କାରବାରରେ କ୍ଷତିର ସମ୍ଭାବନା ଅଳ୍ପ ।

 

ବାଣିଜ୍ୟର ଉପକାରିତା–‘ବାଣିଜ୍ୟେ ବସତେ ଲକ୍ଷ୍ମୀଃ’, ବ୍ୟକ୍ତି ବିଶେଷ ବା ଦେଶ ବିଶେଷର ଲାଭ, ମୋଟରେ ପୃଥିବୀର ଲାଭ ନୁହେଁ । ଭିନ୍ନ ଭିନ୍ନ ସ୍ଥାନର ଲୋକ ସହିତ ମିଳନ ଓ ଜ୍ଞାନର ବିନିମୟ । ପୃଥିବୀ ବ୍ୟାପୀ ସ୍ନେହ, ମମତା, ସହାନୁଭୂତି । ପ୍ରଶସ୍ତ ବାଣିଜ୍ୟରେ ମନରୁ ଉଦାରତା । ସଂକୀର୍ଣ୍ଣ ବାଣିଜ୍ୟରେ ସାବଧାନ ନ ହେଲେ ମନରେ ସଂକୀର୍ଣ୍ଣତା ଆସିପାରେ ।

 

ମୁଦ୍ରା ଯନ୍ତ୍ର

 

ପୁରାକାଳର ପୁସ୍ତକ ପ୍ରଚାରଭୁର୍ଜପତ୍ର ଓ ତାଳପତ୍ରରେ, କେବଳ ହାତରେ ଲେଖା ଯାଉଥିଲା । ସୁତରାଂ ଗ୍ରନ୍ଥମାନଙ୍କର ଅଳ୍ପ ପ୍ରଚାର । ଅନେକ ଗ୍ରନ୍ଥର ଲୋପ ।

 

ମୁଦ୍ରାଯନ୍ତ୍ରର ଇତିହାସହଲେଣ୍ଡବାସୀ Lawrence Coster (ଲରେନ୍ସ କଷ୍ଟର୍‌-)-କାଠ ଅକ୍ଷରରେ ପିଲାଙ୍କୁ ପଢ଼ାଉ ଥିଲେ । ଘଟନାକ୍ରମେ ତଳେ ତାର ଛାପ ପଡ଼ିଗଲା । ଅକ୍ଷରର ଓଲଟା ଆକାର ଦେଖି, ଓଲଟା ଅକ୍ଷରରୁ ପ୍ରକୃତ ଅକ୍ଷର ହୋଇପାରେ ବିଚାରିଲେ । ୧୪୩୯ ସାଲରେ କାଠ ଅକ୍ଷରର ଛପା ଆରମ୍ଭ କଲେ । ସୀସା ଅକ୍ଷର ଛାପାକାଳି ମଧ୍ୟ ସେ କରିଥିଲେ । ୧୪୫୨ ସାଲରେ ଢଳା ଧାତୁ ନିର୍ମିତ ଅକ୍ଷର ଆବିଷ୍କାର । ୧୮୦୦ ସାଲରେ ପ୍ରେସ୍‌ ଆରମ୍ଭ । ଭାରତକୁ ମିଶନାରୀମାନଙ୍କଦ୍ୱାରା ସର୍ବପ୍ରଥମେ ଆନୀତ ।

 

ଉପକାରିତା–ପୁସ୍ତକର ବହୁଳ ପ୍ରଚାର, ଜ୍ଞାନ ବିସ୍ତାର, ସସ୍ତାଦାମ, ସମୟ ଲାଭ, ଚିନ୍ତା ଓ ରଚନା କରିବାର ପ୍ରବୃତ୍ତି ବୃଦ୍ଧି ।

Image

 

ସ୍ତ୍ରୀ ଶିକ୍ଷା

 

ସମାଜରେ ସ୍ତ୍ରୀ ଜାତିର ସ୍ଥାନ–ସ୍ତ୍ରୀ ପୁରୁଷ ଉଭୟଙ୍କୁ ନେଇ ସମାଜ, ପରିବାରରେ କାର୍ଯ୍ୟର ସ୍ୱାଭାବିକ ପ୍ରଭେଦ । ସ୍ତ୍ରୀ ଜାତିର ସ୍ୱାଭାବିକ ଦୁର୍ବଳତା; ନାମ ଅବଳା, ହୃଦୟର କୋମଳ ବୃତ୍ତିଗୁଡ଼ିକ ସେମାନଙ୍କୁ ପରନିର୍ଭଳଶୀଳ କରେ । ‘‘ବିନାଶ୍ରୟେ ନ ବର୍ତ୍ତନ୍ତେ କବିତା ବନିତା ଲତା ।’’ ମାତା ପତ୍ନୀରୂପେ ସମାଜର ରକ୍ଷକ, ପୁରୁଷର ଅର୍ଦ୍ଧାଙ୍ଗିନୀ, ସହଧର୍ମିଣୀ, ହିନ୍ଦୁର ସକଳ ଶୁଭ ଅନୁଷ୍ଠାନରେ ସ୍ତ୍ରୀର ସହଯୋଗୀତା, ଗୃହେ ଗୃହେ ଦେବୀରୂପେ ପୂଜିତ, ନାମ ଦେବୀ, ହିନ୍ଦୁ ସମାଜରେ ସ୍ତ୍ରୀ ସମ୍ପଦଦାତା ଲକ୍ଷ୍ମୀ, ବିଦ୍ୟାଦାତା ସରସ୍ୱତୀ, ବିଘ୍ନହନ୍ତ୍ରୀ ଦଶଭୂଜା ଦୁର୍ଗା ।

 

ସ୍ତ୍ରୀ ଜାତିର ଶିକ୍ଷକତା–ଶିଶୁର ମାତାଠାରୁ ଶିକ୍ଷା, ଚାଲିବା, ବୁଲିବା, ଭାଷା, ଚରିତ୍ର, ସ୍ତ୍ରୀଠାରୁ କୋମଳତା, ସରଳତା, ସ୍ନେହ, ପ୍ରୀତି, ବିଧବାଠାରୁ ନିଷ୍ଠା, ସଂଯମ ।

 

ଶିକ୍ଷାର ଆବଶ୍ୟକତା–ଶିକ୍ଷାର ଅଭାବରେ ମାତା ସନ୍ତାନ ପାଳନରେ ଏବଂ ପ୍ରାଥମିକ ଶିକ୍ଷାଦାନରେ ଅକ୍ଷମ, ସ୍ତ୍ରୀସୁଲଭ କୋମଳ ବୃତ୍ତିଗୁଡ଼ିକର ପୂର୍ଣ୍ଣ ବିକାଶ ଅସମ୍ଭବ । ଅଶିକ୍ଷିତ ପରିବାର ସଙ୍ଗେ ଶିକ୍ଷିତ ପରିବାର, ଆଦିମ ଅସଭ୍ୟ ପରିବାର ସଙ୍ଗେ ଆଧୁନିକ ସଭ୍ୟ ପରିବାରର ତୁଳନା ।

 

ସ୍ତ୍ରୀ ଜାତିର ସମ୍ଭାବନା–ରାଜପୁତ ରମଣୀମାନଙ୍କର ବୀରତ୍ୱ, ଯୁଦ୍ଧଭୂମିରେ ପ୍ରାଣଦାନ, ଲୀଳାବତୀ, ଖାନା ପ୍ରଭୃତିଙ୍କର ଅସାମାନ୍ୟ ପାଣ୍ଡିତ୍ୟ; ସୀତା, ସାବିତ୍ରୀ ପ୍ରଭୃତିଙ୍କର ଆଦର୍ଶ ଜୀବନ ।

 

କୃପଣତା ଓ ମିତ ବ୍ୟୟିତା

 

ଗୋଟିଏ ଘୃଣ୍ୟ; ଅନ୍ୟଟି ଶ୍ଳାଘ୍ୟ–ଗୋଟିଏ କର୍ତ୍ତବ୍ୟମାନଙ୍କୁ ସଙ୍କୁଚିତ କରି ଅର୍ଥ ସଞ୍ଚୟ କରେ, ଏପରି କି ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ଭୁଲିଯାଏ; ଅନ୍ୟଟି ତ୍ୟାଗର ଅବତାର, ନିଜର ସକଳ ସୁଖ ସ୍ୱାଚ୍ଛନ୍ଦ୍ୟ ସଂଯତ କରି, ଉଦାର ବ୍ୟକ୍ତିତ୍ୱର ପରିପୁଷ୍ଟିପାଇଁ, ଅନନ୍ତ କର୍ତ୍ତବ୍ୟର ସମୁଚିତ ସମାଧାନପାଇଁ, ଅର୍ଥ ସଞ୍ଚୟ କରି ରଖେ–ଗୋଟିଏ ପ୍ରାଣରେ ବେଦନା, ଭୟ, ଦୁଶ୍ଚିନ୍ତା, ସନ୍ଦେହ, ଅବିଶ୍ୱାସ, ଈର୍ଷା ପୋଷଣ କରେ; ଅନ୍ୟଟି ଉଦାର ଉନ୍ମୁକ୍ତତା, ସରସଧର୍ମ ଭୀରୁତା, ପ୍ରେମ ସରସତାରେ ପ୍ରାଣ ମଧୁମୟ କରେ-ଗୋଟିକର ପରିଣାମ ଅନନ୍ତ ଯାତନା ଓ ନରକଭୋଗ; ଅନ୍ୟଟିର ପରିଣାମ ବିଶୁଦ୍ଧସୁଖ-ଶାନ୍ତି, ସଂସାର ଜଞ୍ଜାଳରୁ, ମାୟା ବନ୍ଧରୁ ମୁକ୍ତି ।

Image

 

 

 

 

 

 

 

 

 

 

 

 

 

ପ୍ରବନ୍ଧ

 

ଚନ୍ଦ୍ରଶେଖର

 

ମହାପୁରୁଷମାନଙ୍କର ଜନ୍ମ ସାଧାରଣ ଲୋକଙ୍କ ଜନ୍ମପରି ଅର୍ଥହୀନ ନୁହେଁ । ଦେଶର ଭାବ, ଚିନ୍ତା ଓ ଚରିତ୍ରର ପ୍ରତିନିଧିସ୍ୱରୂପ ମହାପୁରୁଷମାନେ ଜନ୍ମଲାଭ କରନ୍ତି । ତାଙ୍କ ଜୀବନରେ ଜାତୀୟ ଚରିତ୍ରର ବିକାଶ ଦେଖାଯାଏ । ଦେଶର ଯେଉଁ ଅବସ୍ଥାରେ ସେ ଜାତ ହୁଅନ୍ତି, ତାହାର ଉନ୍ନତି ଓ ଉତ୍କର୍ଷ ବିଧାନ କରିବା ତାଙ୍କ ଜନ୍ମର ଉଦ୍ଦେଶ୍ୟ । କିନ୍ତୁ ଏ ହିସାବରେ ଚନ୍ଦ୍ରଶେଖରଙ୍କର ଜନ୍ମ ହୋଇନାହିଁ । ଓଡ଼ିଶାର ସେହି ଯୁଗରେ ତାଙ୍କର ଜନ୍ମ ମରୁଦେଶରେ ଝରଣା, ସମତଳ ଭୂମିଉପରେ ପର୍ବତ, ଶ୍ମଶାନରେ ତୁଳସୀ ପରି । ଦେଶ ଓ କାଳ ତାହାଙ୍କୁ ଜନ୍ମ ଦେଇ ନାହିଁ । ସେ ଯେପରି କି ଆକସ୍ମିତ ଭାବରେ ଓଡ଼ିଶାରେ ଖସିପଡ଼ିଥିଲେ ।

 

ଖଣ୍ଡପଡ଼ା ଚନ୍ଦ୍ରଶେଖରଙ୍କ ଜନ୍ମଭୂମି । ସେ ସ୍ଥାନର ପ୍ରକୃତି ଯେପରି ରମଣୀୟ, ସେହିପରି ମଧ୍ୟ ଭୀଷଣ । ଚତୁର୍ଦ୍ଦିଗରେ ବନ ପର୍ବତ; ଦେଖିଲେ ପ୍ରାଣରେ ଯୁଗପତ୍‌ ଆହ୍ଲାଦ ଓ ଭୟ ହୁଏ । ତତ୍ପରେ ଓଡ଼ିଶାର ଗଡ଼ଜାତମାନେ ସାଧାରଣତଃ ଯେପରି ଶିକ୍ଷାରେ ପାଶ୍ଚାତ୍‌ପଦ ଖଣ୍ଡପଡ଼ା ସେଥିରୁ ବହିର୍ଭୁତ ନୁହେଁ । ବର୍ତ୍ତମାନ ପର୍ଯ୍ୟନ୍ତ ସୁଦ୍ଧା ଖଣ୍ଡପଡ଼ା ଗଡ଼ରେ ଗୋଟିଏ ଡାକଘର ବସା ଯାଇ ନାହିଁ । ଏଭଳି ରାଜ୍ୟରେ ୧୮୩୫ ଖ୍ରୀଷ୍ଟାବ୍ଦରେ ଚନ୍ଦ୍ରଶେଖର ଜନ୍ମଗ୍ରହଣ କରିଥିଲେ । ରାଜବଂଶରେ ଜାତ ହୋଇଥିବାରୁ ତାଙ୍କର ଉପାଧି ‘ସାମନ୍ତ’ ଥିଲା । ତାଙ୍କ ଉପରେ କେତେଗୁଡ଼ିଏ ଭାଇ ମରିଯାଇ ଥିଲେ । ସେହି ହେତୁରୁ ବାପା ମା ‘ପଠାଣୀ’ ବୋଲି ଅପତିଆଣି ନା ଦେଇଥିଲେ-। ଚନ୍ଦ୍ରଶେଖରଙ୍କୁ ଓଡ଼ିଶାରେ ଚନ୍ଦ୍ରଶେଖର ସାମନ୍ତ ନାମରେ ଅତି ଅଳ୍ପ ଲୋକ ଜାଣନ୍ତି-। ତାଙ୍କର ଖ୍ୟାତନାମ ‘ପଠାଣୀ ସାଆନ୍ତ’ ।

 

ବାଲ୍ୟକାଳରେ ପାଠଶାଳାର ଶିକ୍ଷା ଶେଷ କରି, ଚନ୍ଦ୍ରଶେଖର ସଂସ୍କୃତ ପଢ଼ିଲେ । ଖଣ୍ଡପଡ଼ାରେ ଇଂରେଜି ଇସ୍କୁଲ ଥିଲେ, ସେଠାରେ ପଢ଼ି ସେ ଓଡ଼ିଶାରେ ଗୋଟିଏ ଅଦ୍ୱିତୀୟ ଆଧୁନିକ ଶିକ୍ଷିତ ପଣ୍ଡିତ ହୋଇ ପାରିଥାଆନ୍ତେ । ସେ ସୁବିଧା ଚନ୍ଦ୍ରଶେଖରଙ୍କ ଜୀବନରେ ହୋଇ ନାହିଁ । ନିଜର ପ୍ରତିଭା ବଳରେ ସେ କାବ୍ୟ, ଅଳଙ୍କାର, ବ୍ୟାକରଣ ଆଦି ପଢ଼ି ବିଶେଷ ପାରଦର୍ଶିତା ଓ ଜ୍ଞାନ ଅର୍ଜ୍ଜନ କରିଥିଲେ । ସଂସ୍କୃତ ଶେଷ ନ ହେଉଣୁ ତାଙ୍କୁ ଆଉ ଗୋଟିଏ ଶାସ୍ତ୍ର ଚର୍ଚ୍ଚା କରିବାର ସୁଯୋଗ ମିଳିଗଲା । ତାଙ୍କର ପିତୃବ୍ୟ ଫଳିତ ଜ୍ୟୋତିଷ ଆଲୋଚନା କରୁଥିଲେ । ଏହା ଦେଖି ତରୁଣ ବୟସ୍କ ଚନ୍ଦ୍ରଶେଖରଙ୍କ ମନ ସେହିଆଡ଼କୁ ଆକୃଷ୍ଟ ହେଲା । ପିତୃବ୍ୟଙ୍କ ସଙ୍ଗରେ ରାତ୍ରିରେ ଗ୍ରହ ନକ୍ଷତ୍ରମାନଙ୍କର ଗତି ନିରୀକ୍ଷଣ କରୁ କରୁ ସେହି ବିଷୟ ବିଶେଷ ଭାବରେ ଆଲୋଚନା କରିବାକୁ ତାଙ୍କର ପ୍ରବୃତ୍ତି ବଳିଲା । ସେ ସଂସ୍କୃତ କାବ୍ୟ, ଅଳଙ୍କାର ଚର୍ଚ୍ଚା ଛାଡ଼ିଦେଇ ଜ୍ୟୋତିଷ ଗ୍ରନ୍ଥମାନ ପଢ଼ିବାକୁ ଆରମ୍ଭ କଲେ । ସେତେବେଳେ ଓଡ଼ିଶା ବାହାରେ, ପୃଥିବୀର ନାନାଦେଶରେ ଜ୍ୟୋତିଷ ଚର୍ଚ୍ଚା କି ଭାବରେ, କି କି ଯନ୍ତ୍ରସାହାଯ୍ୟରେ କରାଯାଉଥିଲା ଚନ୍ଦ୍ରଶେଖର ସେ ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ । ଉତ୍ତର ବୟସରେ ଥରେ ଗୋଟିଏ ଦୂରବୀକ୍ଷଣ ଯନ୍ତ୍ର ଦେଖି ସେ ଦୁଃଖରେ କହିଥିଲେ ‘‘ଆହା, ମୁଁ ଏଥିରୁ ଗୋଟିଏ ଆଗରୁ ହେଲେ ପାଇଥାନ୍ତି ।’’ ଜ୍ୟୋତିଷ୍କ ପର୍ଯ୍ୟବେକ୍ଷଣ ନିମନ୍ତେ ସେ ‘ସୂର୍ଯ୍ୟସିଦ୍ଧାନ୍ତ’ ପଢ଼ି ତହିଁରେ ବର୍ଣ୍ଣିତ କେତେଗୁଡ଼ିଏ କାଠର ଯନ୍ତ୍ର ସ୍ୱୟଂ ତିଆରି କରିଥିଲେ । ସେ ଦେଖିଲେ ଯେ ଗ୍ରନ୍ଥ ବର୍ଣ୍ଣିତ ଗଣନା ସଙ୍ଗେ ଜ୍ୟୋତିଷ୍କମାନଙ୍କର ଗତିବିଧି ଆଦୌ ମିଳୁ ନାହିଁ; ସେହି ହେତୁରୁ ନିଜେ ଯତ୍ନ ସହିତ ବହୁକାଳ ପର୍ଯ୍ୟବେକ୍ଷଣ କରି, ଗୋଟିଏ ନୂତନ ସିଦ୍ଧାନ୍ତ ପ୍ରଣୟନ କଲେ । ତାହାର ନାମ ‘ସିଦ୍ଧାନ୍ତ ଦର୍ପଣ’ ।

 

ଖଣ୍ଡପଡ଼ାରେ ରହି, ଚନ୍ଦ୍ରଶେଖର କେତେ ଉଚ୍ଚ ଚିନ୍ତା ଓ ଆଲୋଚନା କରିଯାଇ ଅଛନ୍ତି ! କିନ୍ତୁ ଦିନେ ହେଲେ ସେ ରାଜ୍ୟରେ ସୁଖରେ କାଳ କଟାଇ ନାହାନ୍ତି । ରାଜା ତାହାଙ୍କୁ ଅନେକ ସମୟରେ ଅନେକ ପ୍ରକାର ନିର୍ଯାତନ ଦେଇଅଛନ୍ତି । ସକଳ ପ୍ରକାର ଉଚ୍ଚ ଚିନ୍ତା ମଧ୍ୟରେ ତାଙ୍କର ମାନସିକ ଅଶାନ୍ତିର କାରଣ ଯଥେଷ୍ଟ ରହିଥାଏ । ରାଜାଙ୍କର ଅପ୍ରିୟ ହୋଇ, ଧନ ସମ୍ପଦ ଭୋଗରୁ ବଞ୍ଚିତ ହେଲେ । ଉପଯୁକ୍ତ ଖାଦ୍ୟପେୟର ଅଭାବ ଜୀବନରେ ବହୁବାର ଘଟିଅଛି । ଏହା ଉପରେ ପୁଣି ଋଣର ଗୁରୁଭାର । ତତ୍ପରେ ପିଲାଟିଦିନରୁ ତାଙ୍କର ସ୍ୱାସ୍ଥ୍ୟ ଅତି ଦୁର୍ବଳ । ସେ ଅତି ରୁଗ୍ଣ ଓ କ୍ଷୀଣକାୟ ଥିଲେ । ପ୍ରାୟ ପ୍ରତିଦିନ ଶୂଳରୋଗ ଭୋଗିବାକୁ ହେଉଥିଲା । ତଥାପି ମୁହୂର୍ତ୍ତକ ନିମନ୍ତେ ସେ ତାଙ୍କର ଉଚ୍ଚ ଆସନରୁ ଓହ୍ଲାଇ ନାହାନ୍ତି । ରୋଗ, ଅଭାବ କାହିଁରେ ବିଚଳିତ ନ ହୋଇ ରାତି ରାତି ବସି ଜ୍ୟୋତିଷ୍କମାନଙ୍କର ଗତିବିଧି ପର୍ଯ୍ୟାଲୋଚନାରେ କଟାଇ ଅଛନ୍ତି ।

 

ଚନ୍ଦ୍ରଶେଖର ଖଣ୍ଡପଡ଼ାରେ ଆବିର୍ଭୂତ ହୋଇ ବନର ମାଳତୀ ବନରେ ଫୁଟି ଝଡ଼ିଲାପରି, ଶେଷରେ ଖଣ୍ଡପଡ଼ାରେହିଁ ବିଲୀନ ହୋଇଥାନ୍ତେ । କିନ୍ତୁ ମନୀଷାର ଏପରି ବିଲୟ ଅସମ୍ଭବ । ପ୍ରତିଭା ଲୁଚି ରହି ନ ପାରେ । କଟକ କଲେଜର ବିଜ୍ଞାନାଚାର୍ଯ୍ୟ ଯୋଗେଶଚନ୍ଦ୍ରଙ୍କ ସହିତ ତାଙ୍କର ଅକସ୍ମାତ ଯେଉଁ ଆଳାପ ହେଇଥିଲା, ସେଥିରେ ସେ ଚନ୍ଦ୍ରଶେଖରଙ୍କର ଅଲୌକିକ ପ୍ରତିଭାର ପରିଚୟ ପାଇଥିଲେ । ସେ ‘ସିଦ୍ଧାନ୍ତଦର୍ପଣ’ ଛପା କରାଇଲେ ଏବଂ ତହିଁରେ ନିଜେ ଇଂରେଜି ଭାଷାରେ ଗୋଟିଏ ମୁଖବନ୍ଧ ଲେଖିଲେ । ଏହି ମୁଖବନ୍ଧରେ ସେ ‘ସିଦ୍ଧାନ୍ତଦର୍ପଣ’, ତଥା ଚନ୍ଦ୍ରଶେଖରଙ୍କ ମନୀଷାର ଭୂୟସୀ ଗୁଣଗାନ କରିଅଛନ୍ତି । ତାଙ୍କରି ଯୋଗୁଁ ‘ସିଦ୍ଧାନ୍ତଦର୍ପଣ’ ଜ୍ୟୋତିଷ ଭଣ୍ଡାରରେ ଗୋଟିଏ ଅସାଧାରଣ ରତ୍ନବୋଲି ପରିଗଣିତ ହୋଇଅଛି ଏବଂ ଚନ୍ଦ୍ରଶେଖର ନିଜେ ଭାରତର ଦ୍ୱିତୀୟ ଭାସ୍କରାଚାର୍ଯ୍ୟ ରୂପରେ ବିଖ୍ୟାତ ହୋଇଅଛନ୍ତି । ସରକାର ତାଙ୍କର ଏ ପ୍ରତିଭାର ଉପଯୁକ୍ତ ସମ୍ମାନ ଦେଖାଇ ତାଙ୍କୁ ‘ମହାମହୋପାଧ୍ୟାୟ’ ଉପାଧି ଦେଇଥିଲେ ।

 

ଚନ୍ଦ୍ରଶେଖରଙ୍କର ଅସାଧାରଣ ପାଣ୍ଡିତ୍ୟ ଓ ପ୍ରତିଭାର ଫଳ ଭୋଗ କରିବାର ବର୍ତ୍ତମାନ ଓଡ଼ିଶାରେ ସମୟ ଆସି ନାହିଁ । ତେବେ ପୂର୍ବ ପ୍ରଚଳିତ ପାଞ୍ଜିରେ ଚନ୍ଦ୍ରଶେଖର ଯେଉଁ ପରିବର୍ତ୍ତନ ଓ ସଂଶୋଧନ କରିଅଛନ୍ତି, ତାହାକୁ ଉତ୍କଳର ପଣ୍ଡିତମାନେ ଅଭ୍ରାନ୍ତ ବୋଲି ଗ୍ରହଣ କରନ୍ତି । ଚନ୍ଦ୍ରଶେଖରଙ୍କର ପଞ୍ଜିକା ଦୃକ୍‌ସିଦ୍ଧ । ଗ୍ରହ ନକ୍ଷତ୍ରମାନଙ୍କର ଉଦୟ, ଅସ୍ତ ଓ ଗତି ସେ ନିଜ ଆଖିରେ ଯେପରି ଦେଖିଅଛନ୍ତି, ପାଞ୍ଜିକୁ ସେହିପରି ଭାବରେ ଗଢ଼ିଅଛନ୍ତି । ତାଙ୍କର ପାଞ୍ଜି ବର୍ତ୍ତମାନ ଉତ୍କଳରେ ବହୁଳ ଭାବରେ ଚଳେ । ଫଳିତ ଜ୍ୟୋତିଷରେ ଚନ୍ଦ୍ରଶେଖରଙ୍କର ବିଶେଷ ଚର୍ଚ୍ଚା ବା ପ୍ରୌଢ଼ି ନ ଥିଲା । ତଥାପି ଲୋକେ ତାଙ୍କ ନିକଟକୁ କୋଷ୍ଟି ନେଇଗଲେ, ସେ କିଛି ନ କହିଲେ କାଳେ ସେମାନଙ୍କ ମନରେ କଷ୍ଟ ହେବ, ସେଥିପାଇଁ ସେ ଅତି ସନ୍ତର୍ପଣରେ, ସାବଧାନ ହୋଇ, ପଦେ ଅଧେ ପ୍ରିୟ କଥା କହୁଥିଲେ । ଓଡ଼ିଶାର ସାଧାରଣ ଲୋକେ ତାଙ୍କୁ କେବଳ ଗୋଟିଏ ‘ନାହାକ’ ବୋଲି ଜାଣିଥିଲେ ।

 

ଜ୍ୟୋତିଷ ବିଷୟରେ ଚନ୍ଦ୍ରଶେଖରଙ୍କର ଅସାଧାରଣ ଗବେଷଣା, ପାଣ୍ଡିତ୍ୟ ଓ ପ୍ରତିଭା କଥା କହିଲାବେଳେ, ସଂସ୍କୃତସାହିତ୍ୟରେ ତାଙ୍କର କିପରି ବ୍ୟୁତ୍ପତ୍ତି ଥିଲା ତାହା ମଧ୍ୟ ମନେ ରଖିବାକୁ ହେବ । ସିଦ୍ଧାନ୍ତଦର୍ପଣର ଶ୍ଳୋକମାନ ଚନ୍ଦ୍ରଶେଖର ବିନା ପ୍ରୟାସରେ କାଳିଦାସ, ଭବଭୁତିଙ୍କ ପରି ଲେଖି ଯାଇଅଛନ୍ତି । ସେ ଯଦି ଜ୍ୟୋତିଷଚର୍ଚ୍ଚା ନ କରି, ସଂସ୍କୃତରେ କାବ୍ୟ ନାଟକ ଲେଖିଥାନ୍ତେ, ତାହାହେଲେ କେବଳ ଉତ୍କଳ କାହିଁକି ସମଗ୍ର ଭାରତ ଆଜି ତାଙ୍କୁ ଘେନି ଗର୍ବ କରନ୍ତା ।

 

ବିନୟ ପାଣ୍ଡିତ୍ୟର ସହଚର । ଚନ୍ଦ୍ରଶେଖର ବିନୟୀ, ମିଷ୍ଟଭାଷୀ ଓ ବନ୍ଧୁପରାୟଣ ଥିଲେ-। ତାହାଙ୍କର ସତ୍ୟାନୁରାଗ ଓ ଧର୍ମବିଶ୍ୱାସ ଦେଖି ଲୋକେ ମୁଗ୍ଧ ହେଉଥିଲେ । ଧୈର୍ଯ୍ୟ ଓ ସହିଷ୍ଣୁତା ଯଥେଷ୍ଟ ଥିଲା । ଏତେ ଜ୍ଞାନ ଓ ପ୍ରତିଭାର ଆଧାର ହୋଇ ସୁଦ୍ଧା ସେ ପଣ୍ଡିତସୁଲଭ ଅହଙ୍କାରକୁ ହୃଦୟରେ ସ୍ଥାନ ଦେଇ ନାହାନ୍ତି । ପୁରୀର ଜଗନ୍ନାଥଙ୍କ ପ୍ରତି ତାଙ୍କର ଅଚଳା ଭକ୍ତି ଥିଲା-। ବାଇସିପାହାଚରେ ମହାପ୍ରସାଦ ଖାଇ, ବଡ଼ଦାଣ୍ଡରେ ବୁଲିବାରୁ ବଳି ସେ ଜୀବନରେ ଆଉ ଅଧିକ ସୁଖ କଳ୍ପନା ନ କରିଥିଲେ । ଶ୍ରୀ କ୍ଷେତ୍ରରେ ଦେହତ୍ୟାଗ କରିବା ତାଙ୍କ ପ୍ରାଣର ଗୋଟିଏ ଚିରପୋଷିତ କାମନା ଥିଲା । ମୃତ୍ୟୁର କେତେକଦିନ ପୂର୍ବରୁ ସେ ପୁରୀରେ ବାସ କରୁଥିଲେ-। ୧୯୦୪ ଖ୍ରୀଷ୍ଟାବ୍ଦ ଅର୍ଥାତ୍‌ ୧୩୧୨ ସାଲ ମେଷ ୨୯ ଦିନ ତାଙ୍କର ମୃତ୍ୟୁ ହେଲା । ଜୀବନବ୍ୟାପୀ ସାଧନାର ପରିଣାମରେ ଶ୍ରୀକ୍ଷେତ୍ରରେ ଦେହ ତ୍ୟାଗହିଁ, ଆତ୍ମାର ସିଦ୍ଧି ।

 

ବାଲ୍ୟ ବିବାହ

(ବିଶ୍ୱବିଦ୍ୟାଳୟ ପ୍ରଶ୍ନ)

 

୧–ବିବାହର ଉଦ୍ଦେଶ୍ୟ-ବାଲ୍ୟ ବିବାହ ଏହାର କେତେଦୂର ଅନୁକୂଳ । ୨–ବାଲ୍ୟ ବିବାହର ଅପକାରିତା । ୩–ବିବାହ କିପରି ହେବା ଉଚିତ ।

 

ଆଜିକାଲି ସଚରାଚର ସଭ୍ୟ ଜାତିମାନଙ୍କ ମଧ୍ୟରେ ବିବାହକୁ ପୁରୁଷ ସ୍ତ୍ରୀ ମଧ୍ୟରେ ଗୋଟିଏ ସାମାଜିକ ଚୁକ୍ତି ବୋଲି ମନେକରନ୍ତି । କିନ୍ତୁ ଚୁକ୍ତିଦ୍ୱାରା ଦାମ୍ପତ୍ୟବନ୍ଧନର ସେ ଦୃଢ଼ତା ଆସେ ନାହିଁ । ହୃଦୟର ମିଳନହିଁ ବିବାହ ସମ୍ପର୍କର ମୂଳମନ୍ତ୍ର ଏବଂ ଗୂଢ଼ ଉଦ୍ଦେଶ୍ୟ । ସ୍ତ୍ରୀ ବା ପୁରୁଷ ଜୀବନର ଅନନ୍ତ ଲକ୍ଷ୍ୟ ଦିଗରେ ଏକାକୀ ଧାବିତ ହେବାକୁ ଅସମର୍ଥ ହେବାରୁ ଜୀବନରେ ଜଣେ ସଙ୍ଗୀ ଲୋଡ଼େ ଏବଂ ସେହି ସଙ୍ଗିକୁ ନିଜର ଅର୍ଦ୍ଧାଙ୍ଗ ରୂପରେ ଗ୍ରହଣ କରେ । ପତି ପତ୍ନୀ ପ୍ରତ୍ୟେକ ଅର୍ଦ୍ଧାଙ୍ଗ ଏବଂ ଦୁହିଁଙ୍କର ମିଳନରେ ଗୋଟିଏ ପୂର୍ଣ୍ଣ ମାନବ ପ୍ରାଣ ଗଠିତ ହୁଏ । ପତି ପତ୍ନୀର ଏହି ପବିତ୍ର ମିଳନକୁ ହିନ୍ଦୁ ଅତି ପ୍ରାଚୀନ କାଳରୁ ବୁଝିଅଛି । ସେଥିପାଇଁ ସ୍ତ୍ରୀ ସ୍ୱାମିର ସହଧର୍ମିଣୀ । ଏପରି କି ହିନ୍ଦୁର ଦେବତା ହରଗୌରୀ, ରାଧାକୃଷ୍ଣ ପ୍ରଭୃତି ଯୁଗଳ ମୂର୍ତ୍ତିରେ ପୂଜିତ ହୁଅନ୍ତି । ଧର୍ମ ପଥରେ ସ୍ତ୍ରୀ ସ୍ୱାମୀର ସହାୟ । ସ୍ତ୍ରୀହୀନ ପୁରୁଷର ଧର୍ମାନୁଷ୍ଠାନମାନଙ୍କରେ ସ୍ଥାନ ନାହିଁ । ଏହି ହେତୁରୁ ସୀତାଙ୍କର ନିର୍ବାସନ ପରେ ରାମଚନ୍ଦ୍ର ତାହାଙ୍କର ସୁବର୍ଣ୍ଣମୂର୍ତ୍ତି ସ୍ଥାପନ କରି, ଅଶ୍ୱମେଧ ଯଜ୍ଞ କରିଥିଲେ ।

 

ଆଜିକାଲି ପୃଥିବୀର ଅନ୍ୟାନ୍ୟ ସଭ୍ୟ ଦେଶମାନଙ୍କରେ ପୁରୁଷ ସ୍ତ୍ରୀ ଯୌବନ ପ୍ରାପ୍ତ ହେବା ପରେ ନିଜ ନିଜର ଅଭିରୁଚି ଅନୁସାରେ ବିବାହ ବନ୍ଧନରେ ଆବଦ୍ଧ ହେଉଅଛନ୍ତି । ଏକ ସମୟରେ ଭାରତ ବର୍ଷରେ ଏପରି ପ୍ରଥା ଯେ ନ ଥିଲା ତାହା ନୁହେଁ । କିନ୍ତୁ ଆଜିକାଲି ଦେଖଯାଉଅଛି ଯେ ଅଳ୍ପ ବୟସର ବାଳକ ବାଳିକାମାନେ ପିତାମାତାଙ୍କଦ୍ୱାରା ପିତୁଳା ପରି ଅତି କୋମଳ ବୟସରେ ବିବାହ ସୂତ୍ରରେ ବଦ୍ଧ ହୋଇ ପଡ଼ୁଅଛନ୍ତି । ବାଲ୍ୟ ବୟସରେ, ବିବାହର ଗୂଢ଼ ଉଦ୍ଦେଶ୍ୟ ବୁଝିବାକୁ ଯେତେବେଳେ ବାଳକ ବାଳିକା ଉଭୟଙ୍କର ଶକ୍ତି ନ ଥାଏ, ସେହି ବୟସରୁ ବିବାହ ବନ୍ଧନରେ ପଡ଼ିଗଲେ, ବିବାହର ପାତିବ୍ରତ୍ୟ ଓ ଧର୍ମଭାବ ନଷ୍ଟ ହେବା ସ୍ୱାଭାବିକ । ଜୀବନ ପଥରେ ପରସ୍ପରର ସହାୟ ହେବା ଦୂରେ ଥାଉ, ଅତି କୋମଳ ବୟସରୁ ପ୍ରତ୍ୟେକ ପ୍ରତ୍ୟେକର ଭାର ହୋଇ ପଡ଼ନ୍ତି । ବିବାହ ହେଲା ପରେ କେବଳ ଯେ ସ୍ତ୍ରୀ ଭରଣ ପୋଷଣ ଭାର ସ୍ୱାମୀ ଉପରେ ପଡ଼େ ତାହା ନୁହେଁ; ସ୍ୱାମୀ ରୂପରେ ସ୍ତ୍ରୀ ନିକଟରେ ତାର ଜୀବନର ଦାୟିତ୍ୱ ଗୁରୁତର । ସେ ସ୍ତ୍ରୀର ଦେବତା; ଏଣୁ ନିଜକୁ ଦେବତୁଲ୍ୟ କରିବାକୁ ହେବ । କିନ୍ତୁ କୋମଳମତି ବାଳକ ଏପରି ଗୁରୁଦାୟିତ୍ୱ ବହନ କରିବାର ପାତ୍ର ନୁହେଁ । ବିବାହ ବନ୍ଧନ ସ୍ତ୍ରୀ ପୁରୁଷ ମଧ୍ୟରେ ଗୋଟିଏ ପ୍ରୀତିର ରଜ୍ଜୁ । ଏ ପ୍ରେମର ସ୍ୱର୍ଗୀୟତା ଓ ମାଧୁର୍ଯ୍ୟ ଉପଲବ୍ଧି କରିବା ନିମନ୍ତେ ବୁଦ୍ଧି, ବିବେକ ପକ୍ୱ ହେବା ପ୍ରୟୋଜନ । ଅପକ୍ୱ ବୟସରେ ବିବାହ କଲେ ଦାମ୍ପତ୍ୟ ଜୀବନରେ ସରସତାର ଯେପରି ଅଭାବ ହୁଏ, ପବିତ୍ରତା ଓ ନିଷ୍ଠା ସେହିପରି କମିଯାଏ । ତରୁଣ ବୟସରେ ବାଳକ ବାଳିକାଙ୍କ ହୃଦୟରେ ଭାବ ଯେ ନିତାନ୍ତ ଅପରିସ୍ଫୁଟ ଥାଏ, ଏ କଥା କିଏ ଅସ୍ୱୀକାର କରିବ ? ସେତେବେଳେ ବାଳକ ବାଳିକାମାନେ ଅନେକାଂଶରେ କାଠର ପିତୁଳା ପରି । ଦୁଇଟି କାଠର ପିତୁଳାକୁ କିମ୍ବା ଗୋଟିଏ ବର ସଙ୍ଗେ ଆଉ ଗୋଟିଏ ଓସ୍ତକୁ ବିବାହ କରାଇଲେ ସେହି ବୈବାହିକ ସମ୍ପର୍କରୁ ଯେପରି କୌଣସି ଦାମ୍ପତ୍ୟପ୍ରଣୟ, ପ୍ରେମ, ପବିତ୍ରତା ଆଶା କରାଯାଏ ନାହିଁ, ଅଳ୍ପବୟସ୍କ ବାଳକ ବାଳିକାମାନଙ୍କୁ ବିବାହସୂତ୍ରରେ ବାନ୍ଧି ପକାଇଲେ, ସେହିପରି ଦୁହିଁଙ୍କ ମଧ୍ୟରେ ହୃଦୟର ମିଳନ ଅଥବା ପ୍ରୀତିର ପ୍ରତିଦାନ ଆଶା କରିବା ବୃଥା ।

 

ବାଲ୍ୟବିବାହଦ୍ୱାରା ସମାଜର ଶାରୀରିକ, ମାନସିକ, ନୈତିକ ସକଳ ପ୍ରକାର ଅବନତି ଘଟୁଅଛି । ଅତି ଅଳ୍ପ ବୟସରୁ ବୈବାହିକ ଜୀବନ ଆରମ୍ଭ କଲେ, ବାଳକ ବାଳିକାମାନଙ୍କର ଯେ କିପରି ଶାରୀରିକ କ୍ଷତି ହୁଏ, ସେ କଥାର ପ୍ରମାଣ ଆମ୍ଭମାନଙ୍କ ସମାଜରେ ଭୂରିଭୂରି ମିଳୁଅଛି । ଶରୀର ଯେପରି ଦୁର୍ବଳ ହୁଏ, ରୂପଶ୍ରୀ ସେହିପରି ମଳିନ ଓ ବିବର୍ଣ୍ଣ ହୋଇଯାଏ । ତହିଁ ସଙ୍ଗେ ସଙ୍ଗେ ହୃଦୟର ସାହାସ, ଶକ୍ତି, ଉତ୍ସାହ ଏକାବେଳକେ ବିନଷ୍ଟ ହୁଏ । ଏପରି କି ଅତି ଅଳ୍ପ ବସୟରୁ ବିବାହ କରି, କୌଣସି କୌଣସି ବାଳକ ବାଳିକା ଅସମୟରେ ମୃତ୍ୟୁ ମୁଖରେ ପଡ଼ୁଅଛନ୍ତି । ଯେଉଁମାନେ ବଞ୍ଚି ରହୁଅଛନ୍ତି, ସେମାନେ ଚିରରୁଗ୍ଣ ହୋଇ, ଜୀବନକୁ ‘ଜୀବନ୍ତମରଣ’ କରୁଅଛନ୍ତି । ଶାରୀରିକ ଦୁର୍ବଳତା ସଙ୍ଗେ ପୁଣି ମାନସିକ ଦୁର୍ବଳତା । ମସ୍ତିଷ୍କ ଏପରି କ୍ଷୀଣ ଓ ସାରହୀନ ହୋଇଯାଏ ଯେ, କୌଣସି ବିଷୟକୁ ବିଶଦଭାବରେ ଚିନ୍ତା କରିବାର ଶକ୍ତି ଆଦୌ ରହେ ନାହିଁ । ସ୍ମରଣ ଶକ୍ତି ବହୁ ପରିମାଣରେ ନଷ୍ଟ ହୁଏ । ତତ୍ପରେ ଆହୁରି ଗୋଟିଏ କ୍ଷତି । ବିବାହ ହେବା ପରେ ବାଳକ ବାଳିକାଙ୍କର ଜୀବନର ଗତି ଟିକିଏ ବଦଳି ଯାଏ । ଗୃହର ଜଞ୍ଜାଳ ବଢ଼େ ଏବଂ ସାଂସାରର ଗୁରୁଭାର ଉପରେ ଆସି ପଡ଼େ । ଏପରି ସ୍ଥଳରେ ଛାତ୍ରଜୀବନର ସାଧନା, ସଂଯମ ଏକାବେଳକେ ଅସମ୍ଭବ । ବାଳକବାଳିକା ବିବାହିତ ହୋଇ, ନିଜକୁ ଟିକିଏ ବୟସ୍କ ମଣନ୍ତି ଏବଂ ବିଦ୍ୟାଭ୍ୟାସରୁ କ୍ରମେ କ୍ରମେ ତାଙ୍କର ମନ ଛାଡ଼ିଯାଏ । ଏହିପରି ଶାରୀରିକ ମାନସିକ ଦୁର୍ବଳତାରେ ପୀଡ଼ିତ ହୋଇ, ବାଳକବାଳିକାମାନେ ବେଳେ ବେଳେ ଜୀବନକୁ ଦୁର୍ବହ ମଣି ଥାଆନ୍ତି । ଶରୀର ଓ ମନ ଦୁର୍ବଳ ହୋଇଯିବାରୁ ନିଜ ଉପରେ ତାଙ୍କର ପ୍ରଭୁତ୍ୱ ରହେ ନାହିଁ । ସାମାନ୍ୟ ପ୍ରଲୋଭନରେ ମଧ୍ୟ ସେମାନେ ଆତ୍ମବିସ୍ମୃତ ହୋଇ ଏକାବେଳକେ ସେଥିରେ ଭାସି ଯାଆନ୍ତି । ନାନା ପ୍ରକାରରେ ଏହିପରି ନିଷ୍ପେଷିତ ହୋଇ, ବାଳକ ବାଳିକାଙ୍କର କୋମଳ ହୃଦୟରୁ ସ୍ନେହ, ପ୍ରୀତି, ସହାନୁଭୂତି ପ୍ରଭୃତି କ୍ରମେ କ୍ରମେ ତିରୋହତ ହୁଏ ଏବଂ ସଂସାର ବିଷମ ଓ ଜୀବନ ବିଷମୟ ହୋଇଯାଏ । ଏ ତ ଗଲା ଦମ୍ପତିର କ୍ଷତି । ଅଳ୍ପ ବୟସ୍କ ପିତା ମାତାଙ୍କଠାରୁ ସନ୍ତାନ ଜାତ ହେଲେ, ସେ ଦୁର୍ବଳ ଓ ଅଳ୍ପାୟୁ ହୁଏ । ପୁଣି ପିତା ମାତା ନିଜେ ରୁଗ୍ଣ ଓ ହୀନବଳ ହୋଇଥିବା ସ୍ଥଳେ ସନ୍ତାନ ଆହୁରି ଦୁର୍ବଳ ହେବାର କଥା । ଅଳ୍ପ ବୟସରେ ବିବାହ କରି ବାଳକ ବାଳିକା ଯେ କେବଳ ନିଜର ଅନିଷ୍ଟ କରନ୍ତି ତାହା ନୁହେଁ; ସେମାନେ ଅନିଷ୍ଟର ଏପରି ଗୋଟିଏ ବୀଜ ବପନ କରି ଯାଆନ୍ତି, ଯାହାଦ୍ୱାରା ପରିବାର ପୁରୁଷାନୁକ୍ରମେ ଦୁର୍ବଳରୁ ଦୁର୍ବଳତର ହୋଇ, ଅବଶେଷରେ ଲୋପ ପାଏ ।

 

ବାଲ୍ୟବିବାହଦ୍ୱାରା ବ୍ୟକ୍ତି ବିଶେଷ ଏବଂ ସମାଜର ଏହିସବୁ କ୍ଷତି ହେଉଥିଲେ ସୁଦ୍ଧା, ତାହା ପରିବର୍ତ୍ତରେ ପୂର୍ଣ୍ଣ ଯୁବତୀ ବିବାହ ସର୍ବଦା ସ୍ଥଳ-ନିର୍ବିଶେଷରେ ଅନୁମୋଦନ କରାଯାଇ ନ ପାରେ । ଯୁବକମାନେ ଯେ ପୂର୍ଣ୍ଣ ଯୌବନ ପରେ ଅର୍ଥାତ୍‌ ଶାସ୍ତ୍ର ଏବଂ ସ୍ୱାସ୍ଥ୍ୟବିଜ୍ଞାନ ଅନୁମୋଦିତ ଚବିଶ ପଚିଶ ବର୍ଷରୁ ଅଧିକ ବୟସରେ ବିବାହ କରିବେ, ତାହା କିଏ ଅସ୍ୱୀକାର କରୁନାହିଁ । ବାଳିକାମାନଙ୍କର ବିବାହ ବୟସ ଘେନି ଆଜିକାଲି ଭାରତବର୍ଷରେ ତୁମୁଳ ଆନ୍ଦୋଳନ ଚାଲିଅଛି । ଓଡ଼ିଶାରେ କ୍ଷତ୍ରିୟ, କରଣ ପ୍ରଭୃତି କେତେକ ପରିବାରରେ କନ୍ୟା ଯୁବତୀ ହେଲା ପରେ ବିବାହ କରେ । ବ୍ରାହ୍ମଣ, ବଣିଆ, ତେଲି, ଭଣ୍ଡାରି ପ୍ରଭୃତି ସମାଜରେ ସାତ ଆଠ ବର୍ଷର କନ୍ୟା ବିବାହ କରନ୍ତି । କୌଣସି ପ୍ରଥାକୁ ଭଲ ବା ମନ୍ଦ ବୋଲି ପ୍ରମାଣ କରିବାର କିଛି ଆବଶ୍ୟକତା ନାହିଁ । ତେବେ ସଚରାଚର ଦେଖାଯାଏ ଯେ, ବାଳିକାର ହୃଦୟ ସ୍ନେହ, ସହାନୁଭୂତି ପ୍ରଭୃତି ନାନା କୋମଳ ବୃତ୍ତିରେ ଗଠିତ ହୋଇଥିବାରୁ ତାହା ସହଜରେ ନମନୀୟ । ପ୍ରଲୋଭନ ସମକ୍ଷରେ କଠୋର, କର୍କଶ ପ୍ରାଣରେ ଛିଡ଼ା ହେବା ଯୁବକ ପକ୍ଷରେ ଯେପରି ସମ୍ଭବ, ଯୁବତୀ ପକ୍ଷରେ ସେପରି ନୁହେଁ । ଏହା କିଛି ଯୁବତୀର ଦୋଷ ନୁହେଁ, ବରଂ ଗୁଣ; ଏବଂ ଏହି ଗୁଣର ସୁବ୍ୟବହାର କରିବାକୁ ହେଲେ, ଯୁବତୀ ହୃଦୟର ସ୍ନେହ, ପ୍ରୀତି ପ୍ରଭୃତି ଏକାବେଳେକେ ମାରି ଦେବାକୁ ପ୍ରୟାସ ନ କରି, ବାଳିକା ବୟସରୁ ସେଗୁଡ଼ିକୁ କୌଣସି ନିର୍ଦ୍ଦିଷ୍ଟ ଦିଗରେ ଅଭିମୁଖୀ କରିଦେବା ଉଚିତ । ସେହି ହେତୁରୁ ଶାସ୍ତ୍ରକାରମାନେ ଲେଖିଅଛନ୍ତି :–

 

ଅଷ୍ଟବର୍ଷା ଭବେତ୍‌ ଗୌରୀ ନବବର୍ଷାର ରୋହିଣୀ,

ଦଶମେ କନ୍ୟକା ପ୍ରୋକ୍ତା ଅତଊର୍ଦ୍ଧ୍ୱଂ ରଜସ୍ଵଳା ।

 

ତେବେ ଆହୁରି ଗୋଟିଏ କଥା । ବାଳିକାର ଶିକ୍ଷା ନିମନ୍ତେ ତାହାର ବୟସ ବଢ଼ାଇବା ଉଚିତ । କିନ୍ତୁ ଏଥିସଙ୍ଗେ ମନେ ରଖିବାକୁ ହେବ ସମାଜରେ ପୁରୁଷ ଓ ସ୍ତ୍ରୀ ଉଭୟଙ୍କ ସ୍ଥାନ ଓ କାର୍ଯ୍ୟ ସମାନ ନୁହେଁ । ସୁତରାଂ ଶିକ୍ଷାର ପ୍ରକାର ଭେଦ ହେବା ସ୍ୱାଭାବିକ । ସାଧାରଣ ପୁସ୍ତକପାଠ ପରେ ବାଳିକାର ଶିକ୍ଷା ପରିବାରର କର୍ତ୍ତବ୍ୟସାଧନ ମଧ୍ୟରେ ହେବା ଉଚିତ । ସେବା, ଶୁଶ୍ରୂଷା, ସନ୍ତାନପାଳନ ଏବଂ ସନ୍ତାନ ଶିକ୍ଷା ପ୍ରଭୃତି ପାରିବାରିକ କାର୍ଯ୍ୟ ନାରୀ ଉପରେ ପ୍ରଥମାବସ୍ଥାରେ ନବବଧୂ ଭାବରେ, ତତ୍ପରେ ଗୃହର ଗୃହିଣୀ ଏବଂ ଶେଷରେ ପରିବାରର କର୍ତ୍ତ୍ରୀରୂପରେ ଚିରକାଳ ପଡ଼ି ଆସିଅଛି ଏବଂ ପଡ଼ିବ । ଏହିସବୁ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ହେବା ବାଳିକାପକ୍ଷରେ ଯେପରି ଆବଶ୍ୟକ, ସ୍କୁଲ କଲେଜରେ ପୋଥି ଧରି ପଢ଼ିବା କାଦପି ସେପରି ନୁହେଁ ।

Image

 

ପ୍ରବନ୍ଧ ପ୍ରବେଶ

ରେଲ ପଥରେ ଭ୍ରମଣ

 

୧୩୨୪ ସାଲ ମୀନମାସ ପ୍ରଥମ ଦିନ ମୋର ପ୍ରଥମ ବିଦେଶ ଯାତ୍ରା । ତାପୂର୍ବରୁ ଦିନେ ଘର ଛାଡ଼ି କେଉଁଆଡ଼େ ଯାଇ ନ ଥିଲି । ସେଦିନ ସନ୍ଧ୍ୟାବେଳେ ବନ୍ଧୁବାନ୍ଧବମାନଙ୍କଠାରୁ ବିଦାୟ ଘେନି ଘରେ ଆସି ଜିନିଷପତ୍ର ବାନ୍ଧିଲି । ଘଣ୍ଟା ସାତ, ଆଠ, ନଅ ବାଜିଗଲା । ମୁହୂର୍ତ୍ତରୁ ମୁହୂର୍ତ୍ତ ପ୍ରାଣରେ ଉଦ୍‌ବେଗ ବଢ଼ୁଥାଏ । ବୋଉ ଭାତ ବାଢ଼ି ଦେଲେ ଏବଂ ନିତିଦିନ ପରି ପାଖରେ ବସି ‘ଖା, ଖା’ ବୋଲି କହିଲେ । ଶୀଘ୍ର ବିଦାୟ ଦେବାକୁ ହେବ, ଏହି ଭାବନାରେ ଦୁଇ ଆଖିରୁ ଦୁଇ ଧାର ଲୁହ ଗଡ଼ି ପଡ଼ିଲା । ରାମ, ଉମା ପାଖରେ ଠିଆ ହୋଇଥିଲେ । ସେମାନେ ମଧ୍ୟ ‘କରୁଣାକର ଭାଇ, କୁଆଡ଼େ ଯିବ ? କହି କାନ୍ଦି ପକାଇଲେ । ଏମାନଙ୍କୁ ଛାଡ଼ି କୁଆଡ଼େ ଯିବି, ଏ କଥା ଭାବି ମୋ ମନରେ ବି ଟିକିଏ ଦୁଃଖ ହେଲା । ତଥାପି ସୁଦୂର ସାଗରବେଳାରେ ଅବକାଶ ଅତିବାହିତ କରିବାର ଆକର୍ଷଣୀ ଶକ୍ତିରେ ଗୃହ ଗ୍ରାମ, ଆତ୍ମୀୟ ସ୍ୱଜନଙ୍କଠାରୁ ଅନ୍ତର ହେଲି । ବାପ ବାଲେଶ୍ୱର ଇଷ୍ଟେସନଠାରେ ଟିକିଟ କରାଇ ବସାଇ ଦେଇ ଗଲେ ।

 

ମାନ୍ଦ୍ରାଜ ମେଲ ଯେଉଁ ସମୟରେ ପହଞ୍ଚିବାର କଥା ସେଦିନ ତାର ଘଣ୍ଟାକ ବାଦ୍‌ ଆସିଲା-। ପ୍ରଥମ ଦ୍ୱିତୀୟ ଶ୍ରେଣୀରେ ଯାତ୍ରିମାନେ ନିଶ୍ଚିନ୍ତରେ ଶୋଇଥିଲେ । ମୋର ତୃତୀୟ ଶ୍ରେଣୀରେ ଯିବାର କଥା । ତର ତର ହୋଇ ଭୁଲରେ ଦ୍ୱିତୀୟ ଶ୍ରେଣୀ ଗାଡ଼ି ଦୁଆର ଫିଟାଇ ଦେଇ ଭିତରକୁ ପଶିଗଲାବେଳକୁ ଜଣେ ସାହେବ ରାଗରେ ଚିତ୍କାର କରି ଉଠିଲେ । ପ୍ରଥମ, ଦ୍ୱିତୀୟ ଶ୍ରେଣୀ ଗାଡ଼ି ନିକଟରେ ତୃତୀୟ ଶ୍ରେଣୀର ଗରିବ ଯାତ୍ରିମାନଙ୍କର ଅନେକ ସମୟରେ ଏହିପରି ଦଶା ହୋଇଥାଏ-। ମୁଁ ଫେରିଆସି ଗୋଟିଏ ତୃତୀୟ ଶ୍ରେଣୀ କୋଠାରୀର ବସିଲି । ପାସେଞ୍ଜର ଅପେକ୍ଷା ମାନ୍ଦ୍ରାଜମେଲର ତୃତୀୟ ଶ୍ରେଣୀ ଭଡ଼ା ସେ ସମୟରେ କିଛି ଅଧିକ ଥିବାରୁ ମେଲ ଗାଡ଼ିଗୁଡ଼ିକରେ ଆଜିକାଲି ପରି ଭିଡ଼ ହେଉ ନ ଥିଲା । ମୁଁ ଯେଉଁ ଘରେ ବସିଲି, ସେଠାରେ ଦୁଇ ଜଣ ମାତ୍ର ଶୋଇଥିଲେ । ମୁଁ ଜିନିସପତ୍ର ଥୋଇ, ନିଶ୍ଚିନ୍ତ ହୋଇ ବସିଲା ପରେ ବିଦେଶରେ କିପରି ଭାବରେ ଚଳିବାକୁ ହେବ, ସେ ବିଷୟରେ ବାପା କେତେ ଉପଦେଶ ଦେଲେ । ଗାଡ଼ି ଶିଶିରି ଦେବାରୁ, ବାପା ମୋର ମୁଣ୍ଡ ମୁହଁ ଆଉଁଶି ଦେଇ ଘୁଞ୍ଚି ଛିଡ଼ା ହେଲେ । ମୁଁ ଗାଡ଼ି ଭିତରୁ ଧୀରେ ଭାବରେ ପ୍ରଣାମଟିଏ କଲି । ସେ ବିଦାୟର କଥା ଆଜି ମନେ ସ୍ପଷ୍ଟ ରହିଅଛି, ଏବଂ ସ୍ମରଣ କଲେ ରୋମାଞ୍ଚ ହେଉଅଛି ।

 

ଗାଡ଼ି ଚଞ୍ଚଳ ଗତିରେ ଅନେକ ଦୂରକୁ ଚାଲି ଆସିଲା । ପୂର୍ବ ଆକାଶର ଅର୍ଦ୍ଧ ପଥରେ ରହି, ଶଶାଙ୍କ ତାର ବିମଳ କିରଣଧାରା ଅବନୀପୃଷ୍ଠରେ ଢାଳି ଦେଉଥିଲା । ସେହି ଆଲୋକରେ ଦୂରରୁ ଗ୍ରାମର ତରୁ ଲତାମାନଙ୍କର କ୍ଷୀଣ ଛାୟା ମଧ୍ୟ କ୍ରମେ କ୍ରମେ ବିଲୀନ ହେଲା । ପରିଚିତ ସ୍ଥାନରୁ ପ୍ରିୟ ସ୍ୱଜନମାନଙ୍କୁ ଛାଡ଼ିଯାଇ ବିଦେଶରେ ଅଚିହ୍ନା ଲୋକଙ୍କ ମଧ୍ୟରେ କାଳ କଟାଇବା ସୁଖ କି ଦୁଃଖ, ତା ମୁଁ ଜାଣେ ନାହିଁ । କିନ୍ତୁ ଅଜ୍ଞାତର ଗୋଟିଏ କିପରି ବିଭୀଷିକା ଅଛି । ଗ୍ରାମ ବନ, ପରିଚିତ ପର୍ବତ, କେଦାର ମାଳା ଛାଡ଼ି ଯାଉ ଅଛି ଦେଖି, ମନରେ ବିଷାଦ ହେଲା ଏବଂ ତହିଁ ସଙ୍ଗେ ପୁଣି ବିଦେଶର ସୁଖ ଦୁଃଖର କଳ୍ପନାରେ ମନରେ ଟିକିଏ ଭୟର ସଞ୍ଚାର ହେଲା । ଆହୁରି ମଧ୍ୟ ବୋଉ ଓ ରାମ ଉମାଙ୍କର ଲୋତକ ଧାରା ଆଖି ଆଗରେ ନାଚିଗଲା । ତହିଁ ସଙ୍ଗେ ପୁଣି ବାପାଙ୍କର ବିଦାୟ ବେଳର ମୂର୍ତ୍ତି । ଏ ସବୁ ମଧ୍ୟରେ ଆଖି ଛଳ ଛଳ ହୋଇ ଦୁଇ ଟୋପା ଲୁହ ଗଡ଼ି ପଡ଼ିଲା । ‘ଛି, କି ଦୁର୍ବଳତା’ କହି ମନକୁ ଦମ୍ଭ କରି ନେଲି । କ୍ରମେ ନିଦ ଲାଗି ଆସିଲା । ନିଶ୍ଚିନ୍ତରେ ଶୋଇ ପଡ଼ିଥାନ୍ତି; କିନ୍ତୁ କେତେବେଳେ କଟକ ହେବ, ବିଶ୍ୱନାଥ ଆସିବେ, ଏହି ଭାବନାରେ ନିଦ ଭାଙ୍ଗି ଯାଉଥାଏ । ରାତି ଭୋର ହେଲାବେଳକୁ ଗାଡ଼ି କଟକରେ ପହଞ୍ଚିଲା । ଆଶା କରିଥିଲି, ବିଶ୍ୱନାଥ ପ୍ଲାଟ ଫର୍ମରେ ଆସି ଛିଡ଼ା ହୋଇଥିବେ । ନ ଦେଖି, ‘ବିଶି’, ‘ବିଶ୍ୱନାଥ’, ‘ରଥେ’ ବୋଲି ଅନେକ ଡାକିଲି । ଶେଷକୁ ବିଶ୍ୱନାଥ ତରତର ହୋଇ ଧାଇଁ ଆସିବାର ଦେଖିଲି । ଆନନ୍ଦରେ ବୁକୁ କୁଣ୍ଢେ ହୋଇଗଲା । ଗ୍ରାମରୁ ବିଦାୟ ବେଳର ଦୁଃଖ ଏବଂ ପ୍ରବାସର ଅନର୍ଦ୍ଦିଷ୍ଟତା ମନରୁ ପାଶୋର ହୋଇଗଲା । ଦୁହେଁ ଗାଡ଼ିରେ ବସି ନାନା ପ୍ରକାର ଆଳାପ କଲୁଁ ।

 

ଖୋରଧା ରୋଡ ଷ୍ଟେସନରେ ଗାଡ଼ି ପହଞ୍ଚିଲାବେଳକୁ ଠିକ୍‌ ସକାଳ । ସୂର୍ଯ୍ୟ ଦିଗ୍‌ବଳୟ ଉପରେ ଉଦୟ ହୋଇ, ଲୋହିତ ରଶ୍ମିରେଖା ଢାଳି ଦେଉଅଛି । ବରୁଣୀ ପର୍ବତର ଶ୍ୟାମଳ ବିଶାଳ କାୟା ତହିଁରେ କନକମୟ ଦିଶୁଅଛି । ଆହା, ପ୍ରକୃତିର କି ଅଭିନବ ଶୋଭା ! ଟିକଟ ଗ୍ରହିତାଙ୍କ ଅଯଥା କର୍କଶ ଚିତ୍କାର ଏ ମଧୁମୟ ଅନୁଭୂତିକୁ ହଠାତ୍‌ ଭାଙ୍ଗିଦେଲା । ଟିକଟ ଦେଖାଇ ଆମ୍ଭେମାନେ ଗାଡ଼ିରୁ ଓହ୍ଲାଇ, ପ୍ଳାଟଫର୍ମରେ ମୁହଁ ହାତ ଧୂଆଧୋଇ କଲୁଁ । ଖୋରଧାରୋଡ଼ ରେଲପଥର ଗୋଟିଏ କେନ୍ଦ୍ର ସ୍ଥଳୀ । ସେଠାରେ ବହୁଯାତ୍ରିଙ୍କ ସମାଗମ ହୁଏ । ପୁରୀର ପଣ୍ଡାମାନେ ଆସି ଯାତ୍ରିଙ୍କ ଉପରେ ବଳତ୍କାର କରନ୍ତି । ସେମାନେ ଆମ ଦୁହିଙ୍କର ମୁଣ୍ଡରେ ହାତ ନ ବୁଲାଇ, ଛାଡ଼ିଲେ ନାହିଁ । ଭଙ୍ଗା ବଙ୍ଗଳା ଭାଷାରେ ଆମ୍ଭ ଘରଦ୍ୱାର କଥା ପଚାରି, ଲେଉଟି ଗଲେ । ବୋଧହୁଏ ବେଶଭୂଷାରେ ଆମେ ବଙ୍ଗାଳିଙ୍କ ପରି ଦିଶୁଥିଲୁଁ ।

 

ଗାଡ଼ି ପୁଣି ପୂର୍ବଗତିରେ ଚାଲିବାକୁ ଆରମ୍ଭ କଲା । ଦିନ ହେବାର ଚାରିଆଡ଼ର ଦୃଶ୍ୟ ସ୍ପଷ୍ଟ ଦେଖାଯାଏ । କାଟଣି ପରେ କାଟଣି ଭେଦ କରି, ଗାଡ଼ି ବାୟୁ ବେଗରେ ଚାଲିଥାଏ । ପର୍ବତ ପରେ ପର୍ବତ ଦିଗ୍‌ବଳୟ ତଳେ ଲୁଚିଯାଏ । ଆହା ଏହି ବନ ପର୍ବତମାଳା ଉତ୍କଳଭୂମିର କି ମୋହନ ସମ୍ପଦ ! ତତ୍ପରେ ପୁଣି ସମ୍ମୁଖରେ ‘ମରାଳମାଳିନୀ ନୀଳାମ୍ୱୁ ଚିଲିକା’ ବାସ୍ତବିକ, ‘ଉତ୍କଳ-କମଳା-ବିଳାସ-ଦୀର୍ଘିକା’ ପରି ରହିଅଛି । ଏକ ଦିଗରେ ଚିଲିକା ଓ ଅନ୍ୟ ଦିଗରେ ପର୍ବତମାଳା । ଦୁହିଁଙ୍କ ମଧ୍ୟରେ ଆମେ ଦୁଇଜଣ ଯେପରି ଉଡ଼ି ଯାଉଅଛୁଁ । ସୋଲରି, ଭାଲେରି ପାର ହୋଇ ଗଲୁଁ-। ଭାଲେରିଠାରେ ମାନ୍ଦ୍ରାଜ ହତା ଆରମ୍ଭ ହେଲା । କିନ୍ତୁ ସେହି ବନ ପର୍ବତ ଓ ନୀଳାମ୍ୱୁ ରାଶିର ବିରାମ ନାହିଁ । ଖଲିକୋଟର ପାହାଡ଼ ନାସିରେ ଚିଲିକା କେତେବେଳେ ଦିଶୁଥାଏ, କେତେବେଳେ ଲୁଚିଯାଉଥାଏ । କବିଙ୍କର ଚିର ପରିଚିତ ଯୋଡ଼ିଏ ପଂକ୍ତି ମନେ ପଡ଼ିଗଲା ।

 

କ୍ଷଣକେ ଲୁଚାଏ କ୍ଷଣକେ ଦେଖାଏ,

ସ୍ୱପ୍ନଲବ୍ଧ ପ୍ରିୟ ପ୍ରତିମା ପରାଏ ।

 

ଗାଡ଼ି ରମ୍ଭାରେ ପାଣି ଖାଇ ପୁଣି ସେହିପରି ଚାଲିବାକୁ ଲାଗିଲା । ଏହିଠାରେ ଚିଲିକା ସଙ୍ଗେ ବିଦାୟ । ୠଷିକୁଲ୍ୟା ଗଞ୍ଜାମର ସୁପ୍ରସିଦ୍ଧ ନଦୀ । ପାଣିର ଚିହ୍ନ ଦେଖା ନାହିଁ । କେବଳ ବାଲୁକାର ଗୋଟିଏ ବିଶାଳ ଶଯ୍ୟା । ୠଷିକୁଲ୍ୟା ପାଖେ ଗାଡ଼ି ଟିକିଏ ରହି, ଶୀଘ୍ର ଛତ୍ରପୁରଠାରେ ପହଞ୍ଚିଲା । ଏହିଠାରେ ଲୋକଙ୍କର କଥା ଭାଷା, ଚାଲି ଚଲଣ ହଠାତ୍‌ ବଦଳି ଯିବାର ଦେଖି ବିଚାରିଲୁଁ, ‘‘ବର୍ତ୍ତମାନ ପ୍ରବାସକୁ ଆସି ଅଛୁଁ ।’’ ବ୍ରହ୍ମପୁର ପାର ହୋଇ ଗାଡ଼ି ଇଚ୍ଛାପୁରରେ ପହଞ୍ଚିଲା ମାତ୍ରକେ ‘ପାଲୁ’, ‘ପେରୁଗୁ’ ଶବ୍ଦରେ କାନ ଅତଡ଼ା ପଡ଼ିଗଲା । ଯାହାହେଉ ଇଚ୍ଛାପୁରର ‘ପେରୁଗୁ’ ଭାଗ୍ୟରେ ଥିଲେ ମିଳେ । ଆମ୍ଭ ଦୁହିଙ୍କୁ ଭୋଖ କରୁଥିଲା । ଦହି, କଟାପାଳୁଅ ଓ ଖଜା ପଣସ ଖାଇ; ପେଟରୁ ଅଧେ ଅଧେ ପୂରିଗଲା । ତତ୍ପରେ ପଲାସା ଇଷ୍ଟେସନ । ସେଠାରେ ଆମ୍ଭମାନଙ୍କର ଜଣେ ପରିଚିତ ରେଲକର୍ମଚାରିଙ୍କ ସଙ୍ଗେ ଦେଖା ହେଲା । ତାଙ୍କ ସୁବ୍ୟବସ୍ଥା ଓ ଦୟାରେ ଆମ୍ଭେମାନେ କଳ ନିକଟରେ ମୁନ୍ଦିଏ ମୁନ୍ଦିଏ ଗାଧୋଇ ପକାଇଲୁ । ସେଠାର ଚୂଡ଼ାଭଜା ଅତି ଉତ୍କୃଷ୍ଟ ଖାଦ୍ୟ । ପାଚିଲା ଆମ୍ୱ ଓ ସପୁରୀ ବିଶେଷ ମିଳୁଥିଲା । କଦଳିଗୁଡ଼ାକ ସୁସ୍ୱାଦୁ ନ ହେଲେ ମଧ୍ୟ ସସ୍ତା । ଆମ୍ଭେମାନେ ସବୁଥିରୁ କିଛି କିଛି କିଣି ନେଇ ଗାଡ଼ିରେ ବସିଲୁଁ । ଗାଡ଼ି ଛାଡ଼ିଲାବେଳକୁ ପାରଳାଖେମୁଣ୍ଡିର ଜଣେ ସହଯାତ୍ରୀ ଦୂରରୁ ମହେନ୍ଦ୍ର ପର୍ବତ ଚିହ୍ନାଇ ଦେଲେ । ବହୁବାର କର୍ଣ୍ଣରେ ଶୁଣିଥିବା କଥା ସ୍ୱଚକ୍ଷୁରେ ଦେଖି ପ୍ରାଣରେ ବିଶେଷ ଆନନ୍ଦ ହେଲା । ବିଶ୍ୱନାଥ ହୃଦୟର ଉଦ୍‌ବେଳନରେ ଗାଇ ପକାଇଲେ–

 

ଏତେ ଦିନେ ହେଲା ମୋ ନେତ୍ର ଗୋଚର

ଉତ୍କଳ ମଣ୍ଡଳେ ଶିଖରିଶେଖର ।

 

କନ୍ତୁ ରେଲଗାଡ଼ି ବଡ଼ ନିଷ୍ଠୁର । ପ୍ରିୟକୁ ପ୍ରିୟଠାରୁ ବିଚ୍ଛିନ୍ନ କରେ; ଦୁଃଖିକୁ ଦୁଃଖରେ ନେଇ ପକାଏ । ମୁହୂର୍ତ୍ତ ମଧ୍ୟରେ ମହେନ୍ଦ୍ରର ମଧୁମୟ ମୂର୍ତ୍ତି ଲୁଚିଗଲା । ନଉପଡ଼ା ଇଷ୍ଟେସନରେ ପାରଳାଖିମିଣ୍ଡିର ସହଯାତ୍ରୀ ବିଦାୟ ନେଇଗଲେ । ବର୍ତ୍ତମାନ ଘଡ଼ିରେ ଗୋଟାଏ ବାଜିଲାଣି; କିମ୍ୱା ନୂତନ ପ୍ରବାସର ଭାଷାରେ କହିଲେ, ‘ଉଣ୍ଟି ଘଣ୍ଟ’ ହୋଇଗଲାଣି । ବାଟରେ ଅନେକ ନଦୀ, ପର୍ବତ, ବନ, ଗ୍ରାମ, ପାର ହୋଇ, ବିଜୟନଗରରେ ପହଞ୍ଚିଲୁଁ । ବିଜୟନଗର ଗୋଟିଏ ବଡ଼ ଇଷ୍ଟେସନ । ସେଠାର ରାଜା ବଡ଼ ଧନବାନ୍‌ । ବର୍ଷରେ ଚାଳିଶ ଲକ୍ଷରୁ ଅଧିକ ଆୟ । କିନ୍ତୁ ଶୁଣିଲୁଁ, ରାଜା ବର୍ତ୍ତମାନ ପ୍ରଜା ଏବଂ ତାଙ୍କ ଉପରେ ରାଜା, ତାଙ୍କର ପାଞ୍ଚ ବର୍ଷର ଶିଶୁପୁତ୍ର । ବିଜୟନଗର ପରେ ରେଲ ମାର୍ଗର ଦୁଇ ପାଖରେ ବହୁତଗୁଡ଼ିଏ କଲମି ଆମ୍ୱ ତୋଟା ପଡ଼ିଲା । ସବୁଗୁଡ଼ିକ ଫଳରେ ଭରା । ଏହି ସବୁର ସୌନ୍ଦର୍ଯ୍ୟ ଦେଖୁ ଦେଖୁ ଗାଡ଼ି ଆସି ଓ୍ୱାଲଟେୟାର ଇଷ୍ଟେସନରେ ଠିଆ ହେଲାଣି ।

 

ଓ୍ୱାଲଟେୟାର ବଙ୍ଗନାଗପୁର ରେଲମାର୍ଗର ଶେଷ ଇଷ୍ଟେସନ । ଆମ୍ଭେମାନେ ସେଠାରେ ଓହ୍ଲାଇ ବଡ଼ ଅଚିହ୍ନା ବୋଧକଲୁ । କେହି ବନ୍ଧୁ ବାନ୍ଧବ ନାହାନ୍ତି । ପଦେ ଓଡ଼ିଆ କଥା ମଧ୍ୟ କାହା ମୁହଁରୁ ଶୁଣିଲୁ ନାହିଁ । ଟିକଟ ଦେଇ ଇଷ୍ଟେସନ ବାହାରକୁ ଗଲୁଁ । ସେଠାରେ ହାତ ମୁଣ୍ଡ ଠାରି ଖଣ୍ଡିଏ ଶଗଡ଼ରେ ବସିଲୁଁ । ଓ୍ୱାଲଟେୟାରରେ ଘୋଡ଼ାଗାଡ଼ି ମିଳେ ନାହିଁ । ଶଗଡ଼ିଆ ଛୋଟ ଖାଟରେ ଗୋଟିଏ ବକ୍ତା । କିନ୍ତୁ ତା ବକ୍ତୃତାରୁ ପଦେ ଆମ୍ଭେମାନେ ବୁଝିବାକୁ ଅସମର୍ଥ । ସେ ମଧ୍ୟ ଆମ କଥା ବୁଝୁନାହିଁ । ଶଗଡ଼ କେଉଁଠାକୁ ନେଲେ ଆମ୍ଭେମାନେ ସୁଖ ସ୍ୱଚ୍ଛନ୍ଦରେ ରାତି କଟାଇ ପାରିବୁ, ତାକୁ ଯେପରି ଅଗୋଚର, ଆମକୁ ମଧ୍ୟ ସେହିପରି ଅଗୋଚର । ଆହା, ଅବକାଶରେ ଯୁବକର ପ୍ରବାସ ବାସ ! କଷ୍ଟରେ ମଧ୍ୟ ଏତେ ସୁଖ ଅଛି !!

Image

 

ନାଟକ ଅଭିନୟ

 

୧–ଜୀବନରେ ଅମୋଦ ପ୍ରମୋଦର ଆବଶ୍ୟକତା । ୨–ରଙ୍ଗମଞ୍ଚର ଆମୋଦ ପ୍ରମୋଦ । ୩–ଉପକାରିତା । ୪–ଅଭାବ ।

 

ମନୁଷ୍ୟ ଜୀବନ ଅବଶ୍ୟ କର୍ମ ନିମନ୍ତେ ଅଭିପ୍ରେତ । ଯେଉଁ ଲୋକ ସଂସାରରେ ଯେତେ କାର୍ଯ୍ୟ କରିଯାଇଅଛି, ତାହାର ଟେକ ତେତିକି ବେଶି । ଇତିହାସରେ ଜନମୁଖରେ ତାହାର ନାମ ତେତିକି ଘୋଷିତ ହୁଏ । ଯେ ଜୀବନରେ କୌଣସି ବିଶେଷ କାର୍ଯ୍ୟ କରି ନାହିଁ, ସେ ମରିବା ସଙ୍ଗେ ସଙ୍ଗେ ମାନବ ମନରୁ ବିସ୍ମୃତ ହୁଏ । ଜୀବନ ପକ୍ଷରେ କର୍ମର ମୂଲ୍ୟ ଏତେ ଅଧିକ ହେଲେ ସୁଦ୍ଧା, କେବଳ କର୍ମ କରିବାରେ ହୃଦୟ ଶୁଷ୍କ, ନୀରାସ ହେବାର ସମ୍ଭାବନା ଅତ୍ୟନ୍ତ ବେଶି । ପୁରାଣ ପ୍ରଭୃତିରେ ଯେଉଁ ଯୋଗୀୠଷିମାନଙ୍କ କଥା ବର୍ଣ୍ଣିତ ଅଛି, ତାଙ୍କ ମଧ୍ୟରୁ କାହାରି କାହାରି ପ୍ରାଣରେ ମନୁଷ୍ୟସୁଲଭ ସରସତାର ଅଭାବ ଲକ୍ଷିତ ହୁଏ । ଏହାର କାରଣ ଜୀବନବ୍ୟାପୀ କର୍ମ, ସାଧନା, ତପସ୍ୟା । କର୍ମରେ ଜୀବନ କଠୋର ହେବା ସଙ୍ଗେ ସଙ୍ଗେ ଆମୋଦ ପ୍ରମୋଦ ତାକୁ ଟିକିଏ କୋମଳ ଓ କମନୀୟ କରେ । କିନ୍ତୁ କେବଳ ଆମୋଦ ପ୍ରମୋଦରେ ଜୀବନର କୌଣସି ମହତ୍ତ୍ୱ ରହେ ନାହିଁ । କର୍ମରେ ମନୁଷ୍ୟ ପାଷାଣ ପରି ହୋଇପାରେ ଏବଂ ସାଧନାଦ୍ୱାରା ସିଦ୍ଧି ଲାଭ କରିପାରେ । ଅନ୍ୟ ପକ୍ଷରେ ଖାଲି ଆମୋଦ ପ୍ରମୋଦରେ ଜୀବନକୁ ଢାଳି ଦେଲେ, ମନୁଷ୍ୟ ମୃଣାଳ ପରି ଅକର୍ମଣ୍ୟ ହୋଇ ଯିବାର କଥା । ଜୀବନରେ ପାଷାଣତ୍ୱର ପ୍ରୟୋଜନ ଅତ୍ୟନ୍ତ ଅଧିକ-। ତଥାପି ଟିକିଏ ମୃଣାଳତ୍ୱ ମିଶିଥିଲେ ତାହା ସୁନ୍ଦର, ଶୋଭନୀୟ ଓ ପ୍ରୀତିକର ହୁଏ । ଆମୋଦ ପ୍ରମୋଦ କର୍ମମୟ ଜୀବନକୁ ସରସ କରିବା ସଙ୍ଗେ ସଙ୍ଗେ, ଜୀବନରେ ନୂତନ ନୂତନ କର୍ମ କରିବାର ପନ୍ଥା, ଅଭିରୁଚି ଓ ଅଭିଳାଷ ଫିଟାଇ ଦିଏ ।

 

ରଙ୍ଗମଞ୍ଚର ଆମୋଦ ପ୍ରମୋଦ ଜୀବନର ସାଧାରଣ ଅନେକ ଆମୋଦ ପ୍ରମୋଦରୁ ଭିନ୍ନ-। କର୍ମଠ ସମାଜର ସାମୟିକ ଉପଭୋଗ ଓ ଅଶାନ୍ତି ଅପନୋଦନ ନିମନ୍ତେ ଏହା ସମାଜଦ୍ୱାରା ନିର୍ବାଚିତ ହୋଇଅଛି । ଏ ଶ୍ରେଣୀର ଆମୋଦ ପ୍ରମୋଦ ସୁରୁଚିସମ୍ପନ୍ନ ଓ ନିର୍ଦ୍ଦୋଷ । ଜୀବନର ଅନ୍ୟାନ୍ୟ କେତେକ ଆମୋଦ ପ୍ରମୋଦରେ ପିତାପୁତ୍ର, ଭାଇ ଭଉଣୀ ଏକତ୍ର ବସି ଉପଭୋଗ କରି ପାରିବେ ନାହିଁ । କିନ୍ତୁ ରଙ୍ଗମଞ୍ଚର ଉପଭୋଗ ସେପରି ନୁହେଁ । ଦିନଯାକ ପରିଶ୍ରମ କରି ସନ୍ଧ୍ୟା ସମୟରେ ପରିବାରର ସମସ୍ତେ, ବ୍ୟକ୍ତି ନିର୍ବିଶେଷରେ ଯାଇ, କେତେକ ମୁହୂର୍ତ୍ତ ସକାଶେ ରଙ୍ଗମଞ୍ଚର ସୁଖ ମଧ୍ୟରେ ଆପଣା ଆପଣାକୁ ଢାଳି ଦେଇ ପାରନ୍ତି । ରଙ୍ଗମଞ୍ଚର ଦୃଶ୍ୟପଟଗୁଡ଼ିକ ଚକ୍ଷୁ-ପ୍ରୀତିକର । ସଙ୍ଗୀତ ଶୁଣିଲେ ପ୍ରାଣରେ ଅପୂର୍ବ ଆହ୍ଲାଦ ହୁଏ । ବାଦ୍ୟ ବାଜଣା, ନୃତ୍ୟ, ଅଭିନୟ ପ୍ରଭୃତି ଅତିଶୟ ମଧୁର ଓ ଚିତ୍ତାକର୍ଷକ । ନାୟକ ନାୟିକାଙ୍କ ଚରିତ୍ର ଚିତ୍ରଣ ଆଖି ଆଗରେ ପ୍ରତ୍ୟକ୍ଷ ଭାବରେ ଦେଖି ପାରିଲେ, ପ୍ରାଣ ଅଭିଭୂତ ଓ ତନ୍ମୟ ହୁଏ ।

 

କେବଳ ଆମୋଦ ପ୍ରମୋଦ ଦେବାରେ ନାଟକର କାର୍ଯ୍ୟ ଶେଷ ନୁହେଁ । ସାମାଜିକ ଓ ଐତିହାସିକ ନାଟକରେ ନାୟକ ନାୟିକାଙ୍କ ମୁଖରେ ଲୋକଚରିତ୍ର ବିଷଦ ଭାବରେ ବର୍ଣ୍ଣିତ ହୋଇଥାଏ । ସମାଜର ବା ବ୍ୟକ୍ତିବିଶେଷର ଦୋଷ ଓ ତହିଁ ସଙ୍ଗେ ସଙ୍ଗେ ପ୍ରତ୍ୟକ୍ଷ ଭାବରେ ତାହାର ଭୀଷଣ ବିଷମୟ ପରିଣାମ ଦେଖିଲେ, ମନୁଷ୍ୟ ସ୍ୱତଃ ତହିଁରୁ ଯଥେଷ୍ଟ ଶିକ୍ଷଣୀୟ ବିଷୟ ଗ୍ରହଣ କରେ ଓ ତହିଁର ଫଳରେ କେବଳ ବ୍ୟକ୍ତିଗତ ଜୀବନରୁ କାହିଁକି, ସମସ୍ତ ସମାଜରୁ ମଧ୍ୟ ଦୋଷ, କୁକର୍ମ, ଅନ୍ୟାୟ, ପାପାଚରଣ ପ୍ରଭୃତି କ୍ରମେ କ୍ରମେ ଅପସାରିତ ହୁଏ । କେବଳ ଚରିତ୍ରରେ ଦୋଷ ଚିତ୍ରଣ କରିବା ନାଟକର ଉଦ୍ଦେଶ୍ୟ ନୁହେଁ । ତାହାର ବିଶେଷତ୍ୱ ଆଦର୍ଶ ପରିସ୍ଫୁଟ କରିବାରେ-। ଧର୍ମ, ବୀରତ୍ୱ, ଶୌର୍ଯ୍ୟ, ପ୍ରେମ, ଉଦାରତା, ସ୍ୱଦେଶ ପ୍ରୀତି, ତ୍ୟାଗ ପ୍ରଭୃତିର ଯେଉଁ ଉଜ୍ଜ୍ୱଳ ଚିତ୍ର ରଙ୍ଗମଞ୍ଚରେ ଅଭିନୟ କରାଯାଏ ସେସବୁ ଦେଖିଲେ ହୃଦୟ ସେହିଗୁଡ଼ିକରେ ଅନୁପ୍ରାଣିତ ହୁଏ । ଅଭିନୟ ଦେଖିଲାବେଳେ ଆମ୍ଭେମାନେ କେତେବେଳେ ହସୁ, କେତେବେଳେ ଅବା କାନ୍ଦୁ । କେତେବେଳେ ହୃଦୟ ରାଗରେ ଜଳି ଉଠେ, କେତେବେଳେ ଅବା ସ୍ନେହରେ କୋମଳ ହୋଇ ଆସେ । ଏ ସବୁ ଆମୋଦ ସତ୍ୟ; କିନ୍ତୁ ଜୀବନ ଗଢ଼ିବା ପକ୍ଷରେ ଏଗୁଡ଼ିକର ଶକ୍ତି ଅଳ୍ପ ନୁହେଁ । ଲୋକଚରିତ୍ର ସମ୍ୱନ୍ଧରେ ଗଳ୍ପ, ଉପନ୍ୟାସ, ଇତିହାସ ପ୍ରଭୃତିରେ ପଢ଼ିଲେ ମନରେ ଧାରଣା ମାତ୍ର ହୁଏ । କିନ୍ତୁ ଅଭିନୟରେ ଦେଖିଲେ ସେଗୁଡ଼ିକ ହୃଦୟରେ ଅଙ୍କିତ ହୋଇ ରହେ ।

 

ଏହାଛଡ଼ା ସାହିତ୍ୟର ଶ୍ରୀବୃଦ୍ଧି ପକ୍ଷରେ ନାଟକ ଅଭିନୟ ବିଶେଷରୂପେ ସାହାଯ୍ୟ କରେ-। ଉନ୍ନତ ଚିନ୍ତାପ୍ରସୂତ ଲେଖାରେ ଭାଷାର କ୍ଳିଷ୍ଟତା ଏବଂ ଭାବର ଅବୋଧ୍ୟତା ଜନ୍ମିବା ସମ୍ଭବ-। କିନ୍ତୁ ନାଟକୀୟ ଲେଖାରେ ସେ ଭଳି କ୍ଳିଷ୍ଟତା କଦାପି ରହି ନ ପାରେ । ସୁତରାଂ ନାଟକୀୟ ସାହିତ୍ୟ ଦେଶର ସାଧାରଣ ସାହିତ୍ୟ ଉପରେ ଗୋଟିଏ ମଧୁମୟ ପ୍ରଭାବ ବିସ୍ତାର କରି ତାହାକୁ ସୁଖପାଠ୍ୟ ଓ ସହଜବୋଧ୍ୟ କରେ । ତତ୍ପରେ ଉନ୍ନତ ଲେଖା ସମାଜର ଅଳ୍ପାଂଶ ଲୋକଙ୍କଠାରେ ଆଦୃତ ହେବାର କଥା । ସମାଜର କେବଳ କେତେକ ଲୋକ ସାହିତ୍ୟଚର୍ଚ୍ଚା କଲେ, ସମୂହ ଉନ୍ନତ ସମ୍ଭବପର ନୁହେଁ । ନାଟକ ଅଭିନୟଦ୍ୱାରା ସାହିତ୍ୟର ଉଚ୍ଚ ଉନ୍ନତ ଭାବମାନ ସାଧାରଣ ସମକ୍ଷରେ ପରିସ୍ଫୁଟ ହୁଏ ଏବଂ ସେମାନେ ଜାତୀୟ ସାହିତ୍ୟରୁ ନିଜ ନିଜର ଅଂଶ ଗ୍ରହଣ କରନ୍ତି । ନାଟକ ଏକପ୍ରକାର ଲୌକିକ ସାହିତ୍ୟ । ରଙ୍ଗମଞ୍ଚର ଅଭାବରେ ଦେଶର ଉନ୍ନତ ରୁଚି ଓ ଭାବ ଜନସାଧାରଣରେ ଅବିଦିତ ରହେ । ରଙ୍ଗସଞ୍ଚକୁ କେହି କେହି ଘୃଣା କରିଥାନ୍ତି । ଆମ୍ଭମାନଙ୍କ ଦେଶରେ ରଙ୍ଗମଞ୍ଚର ବର୍ତ୍ତମାନ ଅବସ୍ଥା ଦୃଷ୍ଟିରେ ତାହା ଠିକ୍‌ ହୋଇପାରେ କିନ୍ତୁ ବାସ୍ତବରେ ରଙ୍ଗମଞ୍ଚ, ଅର୍ଥାତ୍‌ ନାଟକ ଅଭିନୟ ସଭ୍ୟତାର ଚିହ୍ନ ଓ ପ୍ରଧାନ ସହାୟ ।

 

ତେବେ ଏଥି ସଙ୍ଗେ ସଙ୍ଗେ ସ୍ୱୀକାର କରିବାକୁ ହେବ ସେ ରଙ୍ଗମଞ୍ଚ ଯେପରି ଭାବରେ ପରିଚାଳିତ ହେବା ଉଚିତ ସେ ଭଳି ପ୍ରାୟ ହେଉ ନାହିଁ । ଲୋକଚରିତ୍ର ଗଠନ କରିବା ଏବଂ ଲୋକସାଧାରଣରେ ଉଚ୍ଚ ସାହିତ୍ୟ ଓ ଉନ୍ନତ ଭାବର ପ୍ରଚାର କରାଇବା ନାଟକ ଅଭିନୟର ଉଦ୍ଦେଶ୍ୟ ହୋଇଥିବା ସ୍ଥଳେ, ସେଥିରେ ସୁଚରିତ୍ର, କର୍ତ୍ତବ୍ୟପରାୟଣ ଲୋକେ ଯୋଗ ଦେବା ଉଚିତ-। ବର୍ତ୍ତମାନ ଅନେକ ସ୍ଥଳରେ ରଙ୍ଗମଞ୍ଚ ନାନ ପ୍ରକାର ପାପ କୁକ୍ରିୟାର ଆଶ୍ରୟସ୍ଥଳ ହୋଇଅଛି । ରଙ୍ଗମଞ୍ଚରେ ଅଭିନୟଦ୍ୱାରା ଯେଉଁ ଉନ୍ନତ ଆଦର୍ଶ ଦେଖାଇ ଦିଆଯାଉଅଛି, ତାହା ରଙ୍ଗମଞ୍ଚର ଜୀବନ ସଙ୍ଗେ ଆଦୌ ଖାପ ଖାଉ ନାହିଁ । ଏହା ଅବଶ୍ୟ ଗୋଟିଏ ଗୁରୁତର ତ୍ରୁଟି । କିନ୍ତୁ ଏ ତ୍ରୁଟିର ସଂଶୋଧନ କେବଳ ରଙ୍ଗମଞ୍ଚରେ ନାହିଁ । ରଙ୍ଗମଞ୍ଚ ଜାତୀୟ ଜୀବନର ଅଭିବ୍ୟକ୍ତି ମାତ୍ର । ଜାତୀୟ ଜୀବନ ଓ ରୁଚି ମାର୍ଜ୍ଜିତ ନ ହେଲେ, ରଙ୍ଗମଞ୍ଚର ଅବସ୍ଥା ଅନେକ ପରିମାଣରେ ଏହିପରି ରହିବ । ଅବଶ୍ୟ ସ୍ୱୀକାର କରିବାକୁ ହେବ ଯେ ରଙ୍ଗମଞ୍ଚ ଉତ୍ତମ ଆଦର୍ଶ ଦେଖାଇ ପାରିଲେ ତଦ୍ଦ୍ୱାରା ଜାତୀୟ ରୁଚି ଅନେକ ପରିମାଣରେ ବଦଳି ଯିବ । ଜାତୀୟ ଉନ୍ନତି ସାଧନରେ ସମାଜ ଓ ରଙ୍ଗମଞ୍ଚ ପରସ୍ପରର ସହାୟକ; କେହି କାହାଠାରୁ ବିଚ୍ଛିନ୍ନ ନୁହେଁ ।

Image

 

ରଥଯାତ୍ରା

 

୧ । ବୁଦ୍ଧ ଜୀବନ ସମ୍ୱନ୍ଧରେ ଗୋଟିଏ କିମ୍ୱଦନ୍ତୀରୁ ଉତ୍ପତ୍ତି । ୨ । ଯାତ୍ରାର ସମୟ, ଆୟୋଜନ । ୩ । ରଥର ବର୍ଣ୍ଣନା । ୪ । ପହଣ୍ଡି, ରଥଚଳା, ଲୋକସମାଗମ । ୫ । ହିନ୍ଦୁର ସଂହତ ଧର୍ମ ଜୀବନ ସଂରକ୍ଷଣରେ ପୁରୀ ରଥଯାତ୍ରାର କ୍ରିୟା ।

 

ଅନେକଙ୍କର ମତ, ହିନ୍ଦୁର ରଥଯାତ୍ରା ପର୍ବଟି ବୁଦ୍ଧ ଜୀବନର ଗୋଟିଏ କିମ୍ୱଦନ୍ତୀରୁ ବିକାଶ ପାଇଅଛି । ସୂତ୍ର, ବିନୟ, ଅଭିଧର୍ମ ଏହି ତିନିଗୋଟି ବୌଦ୍ଧ ପୀଟକ । କେହି କେହି କହନ୍ତି ଏହି ପୀଟକର ଅନୁକରଣରେ ତିନୋଟି ରଥର ସୃଷ୍ଟି । ରାଜପୁତ୍ର ସିଦ୍ଧାର୍ଥ ରଥରେ ତିନିଥର ବାହାରକୁ ବାହାରି ଜରା, ମୃତ୍ୟୁ, ସନ୍ନ୍ୟାସ ଦେଖିଥିଲେ । ଏଥିରେ ତାଙ୍କ ଜୀବନର ମହା ପରିବର୍ତ୍ତନ ଘଟିଥିଲା-। ସେ ଘଟନାତ୍ରୟର ସ୍ମାରକସ୍ୱରୂପ ରଥତ୍ରୟ ସମ୍ୱଳିତ ରଥ ଯାତ୍ରାର ଉତ୍ପତ୍ତି ବୋଲି ଆଉ କେହି କେହି ମଧ୍ୟ ଅନୁମାନ କରନ୍ତି । ସେ ଯାହା ହେଉ, ବୌଦ୍ଧମାନେ ଏହିପରି ଏକ ଯାତ୍ରାର ଅନୁଷ୍ଠାନ କରୁଥିଲେ । ଉଦୟଗିରିରେ ଥିବା ହାତିଗୁମ୍ଫାର ପଥରଲେଖା ବର୍ତ୍ତମାନ ପଢ଼ା ହୋଇଅଛି-। ସେଥିରେ ସ୍ପଷ୍ଟ ଲେଖାଅଛି ‘କଳିଙ୍ଗରେ କେତୁଭଦ୍ରଙ୍କର ଗୋଟିଏ ନିମକାଷ୍ଠ ମୂର୍ତ୍ତି ପ୍ରତିଷ୍ଠିତ ଥିଲା । ଖାରବେଳ ସେହିମୂର୍ତ୍ତିର ରଥଯାତ୍ରା ଉତ୍ସବ କରୁଥିଲେ ।’ ତେବେ ଜୈନରାଜା ଖାରବେଳଙ୍କ ପୂର୍ବରୁ ଏ ଅନୁଷ୍ଠାନର ଉଦ୍ଭବ । ପ୍ରାୟ ୨୧୦୦ ବର୍ଷପୂର୍ବ ବୌଦ୍ଧଯୁଗର କଥା । ବର୍ତ୍ତମାନ ଆମ୍ଭେମାନେ ବିଷ୍ଣୁଙ୍କର ବୌଦ୍ଧାବତାର ପୂଜାକରୁ । ସୁତରାଂ ବିଶ୍ୱାସ, ସେହି ବୌଦ୍ଧଭାବରୁ ରଥଯାତ୍ରା ଆସିଅଛି ।

 

ଅଷାଢ଼ ଶୁକ୍ଳ ଦ୍ୱିତୀୟାରେ ଏ ଯାତ୍ରାର ଆରମ୍ଭ । କିନ୍ତୁ ଯାତ୍ରାର ଆୟୋଜନ ବହୁଦିନରୁ ଲାଗିଥାଏ । ପ୍ରାୟବର୍ଷକ ପୂର୍ବରୁ ଓଡ଼ିଶାର ଗଡ଼ଜାତ ରାଜାମାନେ ନିଜ ନିଜର ଦେୟ କାଷ୍ଠ, କପଡ଼ା ସବୁ ରଥ ନିମନ୍ତେ ପଠାଇବାର ଆରମ୍ଭ କରନ୍ତି । ରଥ ସବୁ ପ୍ରତିବର୍ଷ ନୂଆ ହୁଏ । ରଥକାଠ ଦଶପଲାରୁ ପୁରୀକୁ ଆସିବା ସମସ୍ତେ ଜାଣନ୍ତି । ପ୍ରଥମ ନଦୀବୃଦ୍ଧି ସମୟରେ ଏ କାଠ-ପଟାଳି ସବୁ ଆସେ । ନଈ ଛାଡ଼ିଯିବାରୁ କେବେ କେବେ ମଧ୍ୟ କାଠ କଟକଠାରୁ ବୁହା ହୋଇ ଆସିଥିବାର ଦେଖା ଯାଇଅଛି । ପୁରୀର ପ୍ରସିଦ୍ଧ ମଠମାନ ବହୁକାଳରୁ ଏ କାଠ ବୋହିବା କାର୍ଯ୍ୟ କରି ଆସୁଅଛନ୍ତି । ଅକ୍ଷୟତୃତୀୟା ଦିନ ରଥଗଢ଼ା ଆରମ୍ଭ ହୁଏ । ଦୁଇ ମାସ ମଧ୍ୟରେ, ଅର୍ଥାତ୍‌ ଆଷାଢ଼ ଶ୍ରୀଗୁଣ୍ଡିଚା ଦିନକୁ ଏ କାର୍ଯ୍ୟ ଶେଷ ହୁଏ ।

 

ଏ ଯାତ୍ରା ହିନ୍ଦୁ ରାଜ୍ୟରେ ପ୍ରାୟ ସର୍ବତ୍ର ଅନୁଷ୍ଠିତ ହୁଏ । କିନ୍ତୁ ପୁରୀ ଏଥିପାଇଁ ପ୍ରସିଦ୍ଧ । ପୁରୀରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତିହ୍ନିଙ୍କପାଇଁ ତିନିଗୋଟି ରଥ ତିଆରି ହୁଏ । ଜଗନ୍ନାଥଙ୍କ ରଥ ସବୁଠାରୁ ବଡ଼ । ଏହାର ଉଚ୍ଚତା ୨୪ ହାତ । ଷୋଳଟି ଚକ ଉପରେ ଏହା ଚାଲେ । ନାମ ନନ୍ଦିଘୋଷ । ବଡ଼ଠାକୁରଙ୍କ ରଥ ଉଚ୍ଚତାରେ ହାତେ କମ୍‌ । ଚକ ୧୪ଟି, ନାମ ତାଳଧ୍ୱଜ । ସୁଭଦ୍ରାଙ୍କ ରଥ ଉଚ୍ଚତାରେ ଆହୁରି ହାତେ କମ୍‌, ଚକ ୧୨ ଟି, ନାମ ଦେବଦଳନ । ଚକମାନଙ୍କ ଉପରେ ଗୋଟିଏ ବହୁଭୁଜ ପୀଠ ବା ପୀଢ଼ ତିଆରି ହୁଏ । ବହୁଭୁଜର ପ୍ରତ୍ୟେକ କୋଣରେ ଅଥବା ଅଖ ଉପରେ ପଡ଼ିଥିବା କାଠମାନଙ୍କରେ ଗୋଟିଏ ଗୋଟିଏ ଖମ୍ୱି ଥାଏ । ପ୍ରାୟ ତିନିହାତ ଉଚ୍ଚରେ ରଥର ପୀଠ । ଏହି ପୀଠର ଚାରି ପାଖରୁ ବାରଣ୍ଡାପରି ଟିକିଏ କାଢ଼ିଦେଇ, ମଧ୍ୟଭାଗରେ ସେହିପରି ବହୁଭୁଜ ଆକୃତିରେ ଉତ୍କଳ ଶିଳ୍ପିର ରେଖଦେଉଳ ପରି ରଥଟି ଉଠିଥାଏ । ବହୁଦୂର ପର୍ଯ୍ୟନ୍ତ ରଥର ସୀମା ସବୁ ଲମ୍ୱ ଭାବରେ ଉଠି, ଶେଷକୁ ଚତୁର୍ଦ୍ଦିଗରୁ ଖିଲାଣ ପରି ମୁଦା ହୁଏ । ଉପରେ ଦେଉଳରେ ଥିବାପରି କୁମ୍ଭପୀଠ, କୁମ୍ଭ, ଚକ୍ର ଓ ପତାକା ସବୁ ଥାଏ । ଏ ସବୁ ପ୍ରତିବର୍ଷ ନୂଆ କାଠରେ ଗଢ଼ାହୁଏ । ଗୁଣ୍ଡିଚାର ଦୁଇ ଏକ ଦିନ ପୂର୍ବରୁ ରଥସବୁ ମଣ୍ଡିତ ହୁଏ । ପୂର୍ବରୁ ଆସି ସଞ୍ଚିତଥିବା ନୂତନ କପଡ଼ା ବା ବନାତ ସବୁ ଦିଆଯାଏ । ଏ ବନାତର ଆବରଣ ଦେଖିବାକୁ ବଡ଼ ସୁନ୍ଦର । ରେଖ ମନ୍ଦିରାକୃତି ରଥର ଚୂଡ଼ାରୁ ପୀଠ ପର୍ଯ୍ୟନ୍ତ ଏହା ଲମ୍ୱଭାବରେ, ପଟା ପଟା କରି, ରଥକୁ ଘୋଡ଼ାଇ ରଖିଥାଏ । ରଥର ଚାରିପାଖର ଚାରୋଟି ଆବରଣ ପଟ ବଡ଼ ସୁନ୍ଦର ଓ ବିସ୍ତୀର୍ଣ୍ଣ-। ନନ୍ଦିଘୋଷରେ ଏହା ହଳଦିଆ, ତାଳଧ୍ୱଜରେ ସାଗୁଆ ଓ ଦେବଦଳନରେ କଳା । ଯାତ୍ରିମାନେ ଦୂରରୁ ଏହି ଆବରଣପଟ ଦେଖି ସହଜରେ ରଥ ଚିହ୍ନି ପାରନ୍ତି । ରଥର ସବୁ ନୂଆ, କିନ୍ତୁ ସାରଥୀ, ଘୋଡ଼ା, ଅଖ ଓ ରେଖପୀଢ଼ ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ପିତୁଳାଗୁଡ଼ିକ ପୁରୁଣା । ଏଗୁଡ଼ିକ କାଷ୍ଠ ନିର୍ମିତ, ବହୁକାଳରୁ ମନ୍ଦିରରେ ଅଛନ୍ତି ।

 

ଜଗନ୍ନାଥଙ୍କର ଅନ୍ୟାନ୍ୟ ଯାତ୍ରାରେ ଚଳନ୍ତି ପ୍ରତିମା ବାହାରକୁ ଆସନ୍ତି । କିନ୍ତୁ ରଥ ଯାତ୍ରାର ବିଶେଷତ୍ୱ ଯେ ସେଥିରେ ଦାରୁବିଗ୍ରହ ବିଜେ ହୁଅନ୍ତି । ଗୁଣ୍ଡିଚା ଦିନ ପ୍ରତ୍ୟୁଷରୁ ବିଗ୍ରହ ସବୁ ଆସିବାର ଆରମ୍ଭ ହୁଏ । ଏ କର୍ଯ୍ୟକୁ ପହଣ୍ଡିବିଜେ କହନ୍ତି । ଦଇତା ସେବକମାନେ ଦଉଡ଼ି ଲଗାଇ ଆସ୍ତେ ଆସ୍ତେ ବାଇଶିପାହାଞ୍ଚ ବାଟେ ବିଗ୍ରହ ସବୁ ରଥକୁ ଆଣନ୍ତି । ରଥସବୁ ପୂର୍ବଦ୍ୱାର ବା ସିଂହଦ୍ୱାରଠାରେ ରଖାଥାଏ । ପ୍ରଥମେ ବଡ଼ଠାକୁରେ, ତାପରେ ସୁଭଦ୍ରା, ସର୍ବ ଶେଷରେ ଜଗନ୍ନାଥଙ୍କର ପହଣ୍ଡି ହୁଏ । ଯେଉଁ କ୍ରମରେ ପହଣ୍ଡି, ସେହି କ୍ରମରେ ରଥଚଳା । ଏକ ପଛରେ ଅପରଟି ଏହିପରି ତିନୋଟି ରଥ ସମାଗତ ଅସଂଖ୍ୟ ଲୋକଙ୍କଦ୍ୱାରା ଟଣାହୋଇ, ଯାଏ । ଟଣା ହେଲାବେଳେ ସେ ଦୃଶ୍ୟ ଅତି ଚମତ୍କାର । ପୁରୀରେ ସିଂହଦ୍ୱାରଠାରୁ ଉତ୍ତରକୁ ଯେଉଁ ରାସ୍ତାଟି ଅଛି ତାହାକୁ ବଡ଼ଦାଣ୍ଡ କହନ୍ତି । ଏହାହିଁ ରଥର ଦାଣ୍ଡ । ଏହାର ଶେଷରେ ଗୁଣ୍ଡିଚା ମନ୍ଦିର । ଏହି ମନ୍ଦିରରେ ସାତଦିନ ରହିବା ପରେ ତିନିମୂର୍ତ୍ତି ବାହୁଡ଼ାବିଜେ କରନ୍ତି । ପ୍ରତ୍ୟାବର୍ତ୍ତନରେ ପହଣ୍ଡି, ରଥଚଳାର ସେହି ଦୃଶ୍ୟ ପୁନର୍ବାର ଅଭିନୀତ ହୁଏ । ପୁରୀର ଏ ଯାତ୍ରା ସମୁଦାୟ ଭାରତରେ ସର୍ବଶ୍ରେଷ୍ଠ । ଏଥିରେ ଲୋକସମାଗମରେ ଲୀଳା ଦେଖିଲେ ଦର୍ଶକ ସ୍ତବ୍ଧ ହୁଏ । ରେଲ ଆସିବା ପରେ ବର୍ଷେ ବର୍ଷେ ଲକ୍ଷାଧିକ ଲୋକର ସମାଗମ ଦେଖାଅଛି ।

 

ଧର୍ମ ମତର ଅନନ୍ତ ଶାଖା ପ୍ରଶାଖା ମଧ୍ୟରେ ହିନ୍ଦୁ ଧର୍ମ ବଡ଼ ଜଟିଳ । ମତ ମତାନ୍ତର ନେଇ ଦେଖିଲାବେଳେ ଗୋଟିଏ ଗୋଟିଏ ଶାଖା ପ୍ରଶାଖା ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଜାତି ବୋଲି ବୋଧହୁଏ । ଅନୁଷ୍ଠାନମାନଙ୍କର ବୈଷମ୍ୟ ଓ ବିରୁଦ୍ଧ କର୍ମପରମ୍ପରା ମଧ୍ୟରେ ଏ ଭେଦ ଆହୁରି ସ୍ପଷ୍ଟତର । ଏ ଭେଦରୁ ଶିଥୀଳ କରି, ସଂହତ ଧର୍ମପ୍ରାଣତା ଓ ଜାତୀୟ ଭାବ ଜାଗ୍ରତ କରିବା ପାଇଁ ହିନ୍ଦୁର ଯାତ୍ରାମାନଙ୍କର ସୃଷ୍ଟି । ରଥଯାତ୍ରାର ମହାସମ୍ମିଳନ ସମୟରେ କୌଣସି ଭେଦ ଥାଏକି ? ଶୈବ, ଶାକ୍ତ, ବୈଷ୍ଣବ, ଏପରିକି ଶିଖ, ଜୈନ୍ୟମାନେ ମଧ୍ୟ ସକଳ ଭେଦ ଭୁଲି, ଏକ ମହାଦାଣ୍ଡରେ ଏକ ବଡ଼ଠାକୁରଙ୍କୁ ଘେନି ଚାଲିଲା ପରି ବୋଧ କରନ୍ତି । ବାସ୍ତବିକ, ହିନ୍ଦୁର ସଂହତ ଧର୍ମଜୀବନ ପରିପୁଷ୍ଟ ଓ ଦୃଢ଼ କରିବାରେ ଏ ରଥଯାତ୍ରାର କ୍ରିୟା କମ୍‌ ନୁହେଁ ।

Image

 

ଭାରତୀୟ ଦୁର୍ଭିକ୍ଷ

 

ଏହାର କାରଣ-ଭାରତର ବର୍ତ୍ତମାନ-ଦୁର୍ଭିକ୍ଷ ପ୍ରପୀଡ଼ିତ ସ୍ଥାନର ବର୍ଣ୍ଣନା, ନିବାରଣର ଉପାୟ ।

 

ଭାରତ ଶସ୍ୟପ୍ରଧାନ ଦେଶ । ବର୍ଷକେ ସାଧାରଣତଃ ଯାହା ବୃଷ୍ଟି ହୁଏ, ସେଥିରେ ଏ ଦେଶର କୃଷି ସୁନ୍ଦର ଭାବରେ ଚଳିବାର କଥା । କିନ୍ତୁ ବର୍ଷେ ବର୍ଷେ କୌଣସି କୌଣସି ଅଞ୍ଚଳରେ ଅଧିକ ବୃଷ୍ଟି ହୁଏ ଏବଂ କେଉଁ କେଉଁଠାରେ ବି ଅଳ୍ପ ବୃଷ୍ଟି ହୁଏ । ଯେଉଁ ବର୍ଷ ବିଶେଷ ବୃଷ୍ଟି ହୁଏ, ନଈ ନାଳ ସବୁ ପାଣିରେ ପୂରିଯାଏ । ବଢ଼ି ପ୍ରବଳ ହେଲେ ନଈକୂଳର ବନ୍ଧ ଭାଜି, ଫସଲ ସବୁ ଧୋଇଯାଏ । ଅନେକ ସମୟରେ ବିଲମାନଙ୍କରେ ପନ୍ଦର କୋଡ଼ିଏ ଦିନ ପର୍ଯ୍ୟନ୍ତ ପାଣି ଜମା ହୋଇ ରହେ । ସେଥିରେ ଅବା ଫସଲ ହେବ କୁଆଡ଼ୁ ? ଆଉ ଯେଉଁ ବର୍ଷ ଅଳ୍ପ ବୃଷ୍ଟି ହୁଏ ସେ ବର୍ଷ ପାଣିର ଅଭାବରୁ ଫସଲ ନଷ୍ଟ ହୁଏ । ଗୋଟିଏ ଫସଲ ନଷ୍ଟ ହେଲେ ଅବଶ୍ୟ ଦୁର୍ଭିକ୍ଷ ଆଶଙ୍କା ତେତେ ନାହିଁ । ଲୋକେ ଧାନ ଚାଉଳର ଖର୍ଚ୍ଚ ଖେଣ୍ଟି କୌଣସିରୂପେ ଚଳାଇ ନେଇ ପାରନ୍ତି । କିନ୍ତୁ ଲାଗେ ଲାଗେ ଦୁଇବର୍ଷ ଉପଯୁକ୍ତ ଫସଲ ନ ହେଲେ, ଖାଇବାକୁ ନ ପାଇ ଲୋକେ ବଡ଼ କଷ୍ଟ ପାଆନ୍ତି । ଦେଶରେ ଦୁର୍ଭିକ୍ଷ ପଡ଼େ । ପୁଣି ଆଜିକାଲି ଲୋକେ ଟିକିଏ ସୁଖସ୍ୱାଚ୍ଛନ୍ଦ୍ୟରେ ରହିବାକୁ ଯାଇ ବର୍ଷକର ଉଦ୍‌ବୃତ୍ତ ଶସ୍ୟ ବିକିରି କରି, ବିଳାସ ସାମଗ୍ରୀ କିଣନ୍ତି । ଏପରି କି ଅନେକ ସମୟରେ ପେଟରୁ ଊଣା କରି, ଏ ସବୁ ଅସାର ଜିନିସ କିଣିବାର ଦେଖାଯାଏ । ବିଳାସ ସାମଗ୍ରୀ ପ୍ରତି ଦେଶରେ ଯେତେ ଆଦର ବଢ଼ୁଅଛି, ସେତିକି ଦୁର୍ଭିକ୍ଷ ନିମନ୍ତେ ବାଟ ଫିଟି ଯାଉଅଛି ।

 

ବୁଢ଼ା ବୁଢ଼ାମାନେ କହନ୍ତି, ତାଙ୍କ ପିଲାଦିନେ ଧାନ ଟଙ୍କାକୁ ଭରଣେ ଥିଲା । ଏପରି ମଧ୍ୟ ଶୁଣାଯାଏ ଯେ, ଟଙ୍କାଟିଏ ଦେଇ ଜଣେ ମନୁଷ୍ୟ ଓଳିକେ ଯେତେ ବୋହି ନେଇ ପାରିବ, ସେତେ ଧାନ ପାଉଥିଲା । ବର୍ତ୍ତମାନ କିନ୍ତୁ ସମ୍ପୂର୍ଣ୍ଣ ବିପରୀତ । ନଅଙ୍କ ଦୁର୍ଭିକ୍ଷ ପରି ଦୁର୍ଭିକ୍ଷ ଓଡ଼ିଶାର ଆଉ ହୋଇନାହିଁ । ସେ ସମୟରେ ଧାନ ଚାଉଳ ବିଦେଶରୁ ଆସିବାର କୌଣସି ସୁବିଧା ନ ଥାଇ ସୁଦ୍ଧା ଟଙ୍କାକୁ ତିନିଗୌଣୀ ପାଏ ମିଳୁଥିଲା । ବର୍ତ୍ତମାନ ରେଲ, ଜାହାଜ ସ୍ୱଚ୍ଛନ୍ଦରେ ଚଳିଲାଣି । ତଥାପି ଆଜିକାଲି ମହରଗ ସମୟରେ ସ୍ଥାନେ ସ୍ଥାନେ ଏହି ଦର ହୋଇ ଯାଉଛି । ବର୍ତ୍ତମାନ ଅନ୍ନସମସ୍ୟା ଭାରତରେ ଗୁରୁତର ହୋଇ ପଡ଼ିଅଛି । ସଚ୍ଛଳ ଅବସ୍ଥାର ଲୋକମାନେ ବେଶ୍‌ ଚଳି ଯାଉଛନ୍ତି । କିନ୍ତୁ ଏ ଦେଶରେ ଦରିଦ୍ର ଓ ଶ୍ରମଜୀବିଙ୍କ ସଂଖ୍ୟା ଅତ୍ୟନ୍ତ ଅଧିକ । ଦୈନିକ ହାରିହାରି ପ୍ରାୟ ତିନିଅଣା ରୋଜଗାର କରି ଗୋଟିଏ କୁଟୁମ୍ୱ ପ୍ରତିପୋଷଣ କରିବା ବଡ଼ ଦୁରୂହ । ଭାରତରେ କେତେ ପରିବାରରେ ଯେ ଦିନରୁ ଓଳିଏ ଓଳିଏ ଉପବାସରେ ରହନ୍ତି, ତାହାର କଳନା କିଏ କରିବ-? ଏହି ଚିରଦୁର୍ଭିକ୍ଷ ଅବସ୍ଥାରେ ଦେଶରେ ସୁଖ ଶାନ୍ତି ଏକାବେଳକେ ଅସମ୍ଭବ । ଦେଶରେ ଶିକ୍ଷା ବଢ଼ୁ ନାହିଁ; କବି, ପଣ୍ଡିତ, ମନୀଷୀ ଜାତ ହେଉ ନାହାନ୍ତି; ଏବଂ ଜାତୀୟତାର ବିକାଶ ହେଉନାହିଁ ବୋଲି ଆମ୍ଭେମାନେ ଅନେକ ସମୟରେ ଦୁଃଖ ପ୍ରକାଶ କରିଥାଉ । କିନ୍ତୁ ‘ଅନ୍ନମୟୀ ପିଣ୍ଡ’ରେ ମୁଠିଏ ଅନ୍ନ ନ ପଡ଼ିଲେ, ଏ ସବୁ ଆଶା କରିବା ବୃଥା । କବି ଯଥାର୍ଥ କହି ଅଛନ୍ତି, ‘‘ଅନ୍ନଚିନ୍ତା ଚମତ୍କାରା, କାତରେ କବିତା କୃତଃ’’ । ଅନ୍ନ ଅଭାବରୁ ଭାରତର ନୈତିକ ଅଧୋଗତି କ୍ରମଶଃ ବଢ଼ୁଅଛି । ଅଧଲୋକପାଇଁ, ପେଟର ଦାଉରେ, ଭାଇ ଭାଇର ମୁଣ୍ଡ ପିଟୁଅଛି, ପୁଅ ବାପଠାରୁ ପୃଥକ୍‌ ହୋଇ ରହୁଅଛି । ଭାରତର ସକଳ ପ୍ରକାର ମଙ୍ଗଳ କାମନା କରିବା ପୂର୍ବରୁ ଭାରତ ହିତୈଷିମାନଙ୍କ ପକ୍ଷରେ ଦେଶର ଏହି ଅବସ୍ଥା ଦୂର କରିବା ସର୍ବଥା ଆବଶ୍ୟକ ।

 

ଏ ତ ଦେଶର ସାଧାରଣ ସମ୍ପଦ ସମୟର କଥା । ଲୋକେ କ୍ଷୀଣ, ରୁଗ୍ଣ, ଚକ୍ଷୁରେ ଜ୍ୟୋତିର ଅଭାବ, କପାଳ କୁଞ୍ଚିତ । ଦୁର୍ଭିକ୍ଷ ହେଲାବେଳେ ଏ ଦୃଶ୍ୟ ଆହୁରି ଭୟଙ୍କର । ଅନ୍ନର ଅଭାବରେ ସହସ୍ର ସହସ୍ର ଲୋକଙ୍କର କଙ୍କାଳ ମାତ୍ର ଥାଏ । ଦେଖିଲେ ବୋଧହୁଏ, ଯେପରି ପିଣ୍ଡରେ ପ୍ରାଣ ନାହିଁ । କେଉଁଠାରେ ଜଠରଜାଳାରେ ପିଲା କାନ୍ଦୁଅଛି; ମା ତାହାକୁ ନ ଦେଇ ନିଜେ ଖାଇ ଯାଉଅଛି । ଶାଗ ଏ ଦେଶର ସବୁ ଦିନର ଖାଦ୍ୟ । ଶାକାନ୍ନ ପାଇଲେ ଭାରତବାସୀ ସନ୍ତୁଷ୍ଟ । ଦୁର୍ଭିକ୍ଷ ସମୟରେ ଏ ଶାଗ ସୁଦ୍ଧା ମିଳେ ନାହିଁ । ଲୋକେ କୌଣସି ପ୍ରକାରେ ପେଟ ପୂରାଇବାକୁ ନାନା ପ୍ରକାର ଗଛର ଡାଳପତ୍ର ଗୋରୁ ଛେଳି ପରି ଚରି ଯାଆନ୍ତି । କିନ୍ତୁ ପ୍ରକୃତି ତାର ପ୍ରତିହିଂସା ନେବାକୁ ସର୍ବଦା ପ୍ରସ୍ତୁତ । ପାକସ୍ଥଳି ଉପରେ ଏହିପରି ଅତ୍ୟାଚାର ହେବାରୁ ବିସୂଚିକା, ଆମାଶୟ ପ୍ରଭୃତି ନାନାପ୍ରକାର ରୋଗ ଜାତ ହୁଏ । ସେଥିରେ ଶତ ଶତ ଲୋକ ମରନ୍ତି । ଦୁର୍ଭିକ୍ଷ ସମୟରେ ଦେଶରେ ବଡ଼ ସାନ, ଧନୀ ଦରିଦ୍ରର କିଛି ପ୍ରଭେଦ ରହେ ନାହିଁ । ଦରିଦ୍ର ଲୋକଙ୍କର ଅବସ୍ଥା ଯେ ଅଧିକତର ଶୋଚନୀୟ ହୁଏ ସେ କଥା ବିଶେଷ କରି କହିବାର ପ୍ରୟୋଜନ ନାହିଁ । ମଧ୍ୟବିତ୍‌ ଲୋକମାନେ କାଙ୍ଗାଳ ହୋଇ, ବାଟ ଘାଟରେ ‘ଦେହି, ଦେହି’ କରି ବୁଲୁଥାନ୍ତି । ଯେଉଁମାନେ ମର୍ଯ୍ୟାଦା ଜଗି, ଘର ଭିତରେ ତୁନି ହୋଇ ରହନ୍ତି, ସେମାନେ ଶୁଖି ଶୁଖି ମରନ୍ତି । ଧନୀ ଲୋକଙ୍କର ବିପଦ ଆହୁରି ବେଶି । କାହା ଘର ଲୁଟି ହୋଇଯାଏ; ନିଜ ସମ୍ପତ୍ତି ଜଗି ରଖିବାକୁ ଯାଇ କାହାର ବା ପ୍ରାଣନାଶ ହୁଏ । ଧନୀ ଲୋକଙ୍କ ଘରେ ଟଙ୍କା ଥାଇପାରେ; କିନ୍ତୁ ଦେଶରେ ଧାନ ଚାଉଳ ନ ଥିଲାବେଳେ ଟଙ୍କା ଖାଇ ତ ବଞ୍ଚିବେ ନାହିଁ । ସେମାନେ ନ ଖାଇ ନ ପିଇ, ପରିଶେଷରେ ସ୍ନେହସଞ୍ଚିତ ସେହି ଟଙ୍କା ସୁନା ଉପରେ ଢଳି ପଡ଼ନ୍ତି । ବାଟଘାଟ ଶବରାଶିରେ ପୂର୍ଣ୍ଣ, ବସୁନ୍ଧରା ଭୀଷଣ ଶ୍ମଶାନରେ ପରିଣତ ହୁଏ । ଚତୁର୍ଦ୍ଦିଗରେ ଶିବା, କୁକ୍କୁରଙ୍କର ବିକଟ ନୃତ୍ୟ ଲାଗିଥାଏ ।

 

ଆଗେ ଦୁର୍ଭିକ୍ଷର ଭୀଷଣତା ଯେପରି ଥିଲା, ଏବେ ତାହାଠାରୁ ଅନେକ ପରିମାଣରେ ଊଣା ହୋଇଅଛି । ଦେଶରେ ରେଲପଥ ଓ ସଡ଼କର ବିସ୍ତାର, ଜାହାଜ ଯାତାୟତ ଏହାର ପ୍ରଧାନ କାରଣ । ଏକସ୍ଥାନରେ ଦୁର୍ଭିକ୍ଷ ଲାଗିଲେ ଅନ୍ୟସ୍ଥାନକୁ ନାନାପ୍ରକାର ଖାଦ୍ୟ ସାମଗ୍ରୀ ସହଜରେ ଆସି ପାରୁଅଛି । ଦୟାଳୁ ସରକାର ରାଜକୋଷରୁ ଅର୍ଥ ସାହାଯ୍ୟ କରି ଲୋକମାନଙ୍କୁ ବଞ୍ଚାଇ ରଖୁଅଛନ୍ତି । ଦେଶର ହୃଦୟବାନ୍‌ ବ୍ୟକ୍ତିମାନେ ମଧ୍ୟ ସରକାରଙ୍କର ଏ ଉଦ୍ୟମରେ ଯଥେଷ୍ଟ ସାହାଯ୍ୟ କରୁଅଛନ୍ତି । ଇସ୍କୁଲ କଲେଜର ଛାତ୍ରମାନ ମୁଷ୍ଟିଭିକ୍ଷା କରିନେଇ ଦୁର୍ଭିକ୍ଷପୀଡ଼ିତ ସ୍ଥାନରେ ବାଣ୍ଟି ଦେଇ ଆସୁଛନ୍ତି । ସରକାର ନାଳ ପୋଖରୀ ପ୍ରଭୃତି ଖୋଳାଇ, ସକ୍ଷମ ଶ୍ରମଜୀବିମାନଙ୍କୁ ମଜୁରି ଦିଆଉ ଅଛନ୍ତି । ଦୁର୍ଭିକ୍ଷ ପଡ଼ିଲାବେଳେ ଅବଶ୍ୟ ଏ ସବୁ ଉପାୟରେ ଅନେକ ଲୋକଙ୍କର ପ୍ରାଣ ରକ୍ଷା ହେଉଅଛି; କିନ୍ତୁ ଏଗୁଡ଼ିକରେ ଦୁର୍ଭିକ୍ଷର ପୂର୍ଣ୍ଣ ପ୍ରତିବିଧାନ ହୋଇ ନ ପାରେ । ଭାରତ ଶସ୍ୟପ୍ରଧାନ ଦେଶ । ଏ ଦେଶରେ ଯଥେଷ୍ଟ ଶସ୍ୟ ଉତ୍ପନ୍ନ ହୋଇ ପାରୁଥିଲେ, ଲୋକଙ୍କର ଖାଇବାର ଅଭାବ ହୁଅନ୍ତା ନାହିଁ । କିନ୍ତୁ ବର୍ତ୍ତମାନ ଏ ଦେଶରେ କୃଷି ଯଥାବିଧିରେ ହେଉ ନାହିଁ । ଚାଷ କରି ନ ଜାଣିବାରୁ ଜମିର ଉର୍ବରତା କ୍ରମେ କ୍ରମେ ନଷ୍ଟ ହୋଇଯାଉଅଛି । କୃଷି ଗୋଟିଏ ବିଜ୍ଞାନ । ଅଜ୍ଞ ଲୋକଙ୍କ ଉପରେ ଦେଶର କୃଷିଭାର ରହିଲେ, ସେଥିରେ ଦେଶର ଅନ୍ନାଭାବ ଦୂର ହେବ କିପରି ? ଏହାର ପ୍ରତିକାର ନିମନ୍ତେ ସରକାର ଗୋଟିଏ କୃଷି ବିଭାଗ ଫିଟାଇ ତାହାକୁ ଶାସନପ୍ରଣାଳୀର ଅନ୍ତର୍ଗତ କରିଅଛନ୍ତି । କିନ୍ତୁ ଦେଶର ଶିକ୍ଷିତ ଲୋକେ କୃଷିପ୍ରତି ଦୃଷ୍ଟି ନ ଦେଲା ପର୍ଯ୍ୟନ୍ତ ଏ ଅଭାବ ସମ୍ପୂର୍ଣ୍ଣରୂପେ ଦୂର ହେବ ନାହିଁ । ଅତିବୃଷ୍ଟି ସମୟରେ ଫସଲ ରକ୍ଷା କରିବାକୁ ନଈବନ୍ଧ ଏବଂ ବଳକା ପାଣି ବହିଯିବାରୁ ନାଳ ପ୍ରଭୃତି ଦରକାର । ସେହିପରି ଅନାବୃଷ୍ଟି ସମୟ ନିମନ୍ତେ ଚାରିଆଡ଼େ କେନାଲ ବା ବଡ଼ ବଡ଼ ଜଳାଶୟ ଖୋଳା ହୋଇ ଜଳ ସଞ୍ଚିତ ରହିବା ଆବଶ୍ୟକ । ସ୍ଥାନେ ସ୍ଥାନେ ଶସ୍ୟଭଣ୍ଡାର ସ୍ଥାପିତ ହେଲେ ଅନେକ ପରମାଣରେ ଶସ୍ୟ ଦେଶରୁ ବାହାରି ନ ଯାଇ, ଦୁର୍ଭିକ୍ଷ ଦୁର୍ବିପାକର ସମୟ ଲାଗି ଗଚ୍ଛିତ ରହନ୍ତା । ବର୍ତ୍ତମାନ ଅବସ୍ଥାରେ ପେଟର ଅନ୍ନ ବଦଳରେ ବିଳାସ ସାମଗ୍ରୀ ନ ଲୋଡ଼ିବା ଭାରତ ପରି ଦେଶରେ ଦୁର୍ଭିକ୍ଷ ନିବାରଣର ଆଉ ଗୋଟିଏ ଉପାୟ ।

Image

 

ବର୍ଷାୠତୁ

(ବିଶ୍ୱବିଦ୍ୟାଳୟ ପ୍ରଶ୍ନ)

 

୧–ସମୟ ଓ କାରଣ । ୨–ଚତୁର୍ଦ୍ଦିଗ ବର୍ଣ୍ଣନା । ୩–ସୁବିଧା, ଅସୁବିଧା ।

 

ସାଧାରଣତଃ ଆଷାଢ଼ ଓ ଶ୍ରାବଣ ଏ ଦୁଇ ମାସକୁ ବର୍ଷାୠତୁ କହନ୍ତି । କିନ୍ତୁ ବାସ୍ତବରେ ଏ ଦୁଇଟି ମାସ ବର୍ଷା ହୋଇ ତତ୍‌ପରେ ମେଘ ଛାଡ଼ିଯାଏ ନାହିଁ । ଭାଦ୍ର ଓ ଆଶ୍ୱିନ ଶରତ୍‌କାଳ ବୋଲି ପରିଚିତ ହେଲେ ସୁଦ୍ଧା, ସେ ଦୁଇ ମାସରେ ବିଶେଷ ପରିମାଣରେ ବର୍ଷା ହୁଏ । ଏପରି କି କାର୍ତ୍ତିକମାସରେ ମଧ୍ୟ ବହୁଳ ବୃଷ୍ଟି ହେବାର ଦେଖାଯାଏ । ଜ୍ୟେଷ୍ଠ ମାସର ଶେଷ ଅଂଶକୁ ମଧ୍ୟ ସାମୟିକ ବର୍ଷା ହୋଇଥାଏ । ସାଧାରଣ କଥାରେ ‘ଚାତୁର୍ମାସ୍ୟା ଚାରିମାସ’ ବୋଲି କହନ୍ତି । ଏହା ହରିଶୟନଠାରୁ କାର୍ତ୍ତିକ ମାସର ଉଥାନ ଏକାଦଶୀ ପର୍ଯ୍ୟନ୍ତ । ଏ ସମୟରେ ଶୁଭ ଅନୁଷ୍ଠାନ ସବୁ ବନ୍ଦ ରହେ ଏବଂ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରାଯାଏ ନାହିଁ । ପୂର୍ବକାଳରେ ଭାରତବର୍ଷରେ ବିଦ୍ୟାଳୟମାନଙ୍କରେ ଚାତୁର୍ମାସ୍ୟା ସମୟରେ ପଢ଼ା ପଢ଼ି ବନ୍ଦ ହେଉଥିଲା । ‘ଧାରା ଶ୍ରାବଣ’ ଏହି ଚାତୁର୍ମାସ୍ୟାର ଅନ୍ତର୍ଗତ ।

 

ସାଧାରଣ ଲୋକେ କହନ୍ତି, ଇନ୍ଦ୍ର ସ୍ୱର୍ଗରାଜ୍ୟରେ ରହି ହାତିଦ୍ୱାରା ବର୍ଷା କରାନ୍ତି । କିନ୍ତୁ ବର୍ତ୍ତମାନ ବୈଜ୍ଞାନିକ ମତରେ ସ୍ଥିର ହୋଇଅଛି ଯେ ସୂର୍ଯ୍ୟୋତ୍ତାପରେ ପୃଥିବୀର ଜଳ ବାଷ୍ପରେ ପରିଣତ ହୋଇ ଉପରକୁ ଉଠେ । ଏହି ଜଳୀୟବାଷ୍ପରୁହିଁ ମେଘର ଉତ୍ପତ୍ତି । ମୌସୁମୀ ବାୟୁ ବହିଲେ ମେଘମାଳା ବିକ୍ଷିପ୍ତ ହୋଇ, ଚତୁର୍ଦ୍ଦିଗରେ ଯଥାପରିମାଣରେ ବୃଷ୍ଟି ହୁଏ । ଭାରତବର୍ଷରେ ବହୁଳ ବୃଷ୍ଟିର ଗୋଟିଏ କାରଣ ହିମାଳୟ ପର୍ବତ । ଭାରତ-ମହାସାଗରର ମେଘଗୁଡ଼ିକ ପବନସ୍ରୋତରେ ଉତ୍ତରକୁ ଭାସିଯିବାବେଳେ ହିମାଳୟରେ ବାଜି ପୁଣି ଲେଉଟି ଆସେ । ସେହି ମେଘଦ୍ୱାରା ଭାରତବର୍ଷରେ ବର୍ଷା ହୁଏ । ସମସ୍ତେ ଜାଣନ୍ତି, ବର୍ଷାଦିନରେ ଉତ୍ତରାପବନ ହେଲେ, କିମ୍ୱା ମେଘ ଉତ୍ତରଦିଗରୁ ଦକ୍ଷିଣଦିଗକୁ ଗତି କଲେ ବହୁଳ ବୃଷ୍ଟି ହୋଇଥାଏ । ଓଡ଼ିଶାରେ ପ୍ରବଚନ ଅଛି, ‘‘ଉତ୍ତର ମେଘ ଯେବେ ଦକ୍ଷିଣେ ପଶେ, ଚାଷୀ କହିଲେ, ପିଲେ, ନିଶ୍ଚେ ବରଷେ ।’’ ଭାରତବର୍ଷର କୌଣସି କୌଣସି ଅଞ୍ଚଳରେ ଯେତେ ଅଧିକ ବର୍ଷା ହୁଏ, ପୃଥିବୀର ଅନ୍ୟତ୍ର ସେପରି ହୁଏ ନାହିଁ । ଆସାମର ଚେରାପୁଞ୍ଜିରେ ବର୍ଷକେ ୪୫୮ ଇଞ୍ଚ ବର୍ଷା ହୁଏ । ଓଡ଼ିଶାର ବାର୍ଷିକ ବୃଷ୍ଟି ସାଧାରଣତଃ ୫୫ ରୁ ୬୫ ଇଞ୍ଚ ।

 

ବର୍ଷା କାଳରେ ପ୍ରକୃତିର ଦୃଶ୍ୟ ସରସ ଅଥଚ ଭୟଙ୍କର । ନିଦାଘତପ୍ତ ରୁକ୍ଷ ଧରଣୀ ତରୁଲତାର ଶ୍ୟାମ ଚ୍ଛବିରେ ବିଭୂଷିତ ହୋଇ କି ଅପୂର୍ବ ମାଧୁରୀ ଧାରଣ କରେ ! ଚତୁର୍ଦ୍ଦିଗର ଶୁଷ୍କ ନୀରସ ଗିରି ବନରେ ନବଜୀବନର ସଂଚାର ଦେଖାଯାଏ । ଶସ୍ୟ, କେଦାରମାଳା ତରୁଣ ଶସ୍ୟରାଜିରେ ବିମଣ୍ଡିତ ହୋଇ ପ୍ରାଣ ମନ ହରଣ କରେ । ବେଳେ ବେଳେ କୃଷକର ଉତ୍‌ଫୁଲ୍ଲ ସଂଗୀତ ଲହରୀ ଶସ୍ୟକ୍ଷେତ୍ରର ସେହି ମଧୁର ସମ୍ପଦକୁ ମଧୁରତର କରିଥାଏ । ସ୍ଥାନେ ସ୍ଥାନେ କଦମ୍ୱ ଏବଂ କୁମୁଦ ପ୍ରସ୍ଫୁଟିତ ହୁଏ । ଗୋପାଳ ବାଳକମାନେ ଗୋଗୋଷ୍ଠ ଫେରାଇ ଆଣିଲାବେଳେ କଇଁ କଦମ୍ୱର ମାଳା ଗଳାରେ ଲମ୍ୱାଇ, ଆନନ୍ଦରେ ଗୃହକୁ ବାହୁଡ଼ନ୍ତି । ବାଡ଼ମାନଙ୍କରେ ଜହ୍ନି, କଖାରୁ, କାକୁଡ଼ି ପ୍ରଭୃତି ମାଡ଼ିଥିବାରୁ ଚତୁର୍ଦ୍ଦିଗ ଯେପରି ହରିତାୟମାନ ଦେଖାଯାଏ, ସନ୍ଧ୍ୟାବେଳକୁ ପୁଣି ଏହିସବୁ ଲତାରେ ସ୍ୱର୍ଣ୍ଣାଭ କୁସୁମରାଜି ବିକଶିତ ହେବାରୁ, ଭୂପୃଷ୍ଠ ତାରକାଖଚିତ ଗଗନମଣ୍ଡଳର ଶୋଭା ଧାରଣ କରେ । ଏହିସବୁ ସଙ୍ଗେ ବାଳକ ବାଳିକାମାନଙ୍କ ଆନନ୍ଦ କୋଳାହଳ ମିଶି, ପଲ୍ଲୀର ପ୍ରକୃତିକୁ ସରସ ଓ ମଧୁମୟ କରେ । ନଈ, ନାଳ, ପୁଷ୍କରିଣୀ ପ୍ରଭୃତି ଜଳରାଶିରେ ପରିପୂର୍ଣ୍ଣ ହୁଏ । ଶ୍ୟାମଳ ଗିରିଶିଖରରେ ମେଘମାଳା ବିଚରଣ କଲାବେଳେ ମନେହୁଏ, ଯେପରି ସ୍ୱର୍ଗ ପୃଥିବୀ ସଙ୍ଗେ ମିଶି ଯାଉଅଛି । ଇନ୍ଦ୍ରଧନୁର ଶୋଭା ଆହୁରି ରମଣୀୟ । ସତେ ଅବା ଆକାଶଦେଶ ବର୍ଷାର ପୂର୍ଣ୍ଣ ସମ୍ପଦରେ ହସି ଉଠୁଅଛି । ଏ ସବୁ ଦେଖି ବନର ମୟୁର ଆନନ୍ଦରେ ନାଚି ଉଠେ । ନିଜର ବିଚିତ୍ର ପୁଚ୍ଛ ଉତ୍ତୋଳନ କରି କଳରବରେ ବନଦେଶକୁ ପ୍ରତିଧ୍ୱନିତ କରେ ।

 

କିନ୍ତୁ ବର୍ଷାକାଳୀନ ଆକାଶର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର । ଆକାଶର ସହଜ ସ୍ୱାଭାବିକ ନୀଳପର୍ଣ୍ଣ ଏବଂ ଅନନ୍ତ ବିସ୍ତୀର୍ଣ୍ଣତା ଏକାବେଳକେ ବିଲୁପ୍ତ ହୋଇ ଚତୁର୍ଦ୍ଦିଗ ନିବିଡ଼ କୃଷ୍ଣ ମେଘମାଳାରେ ଆଚ୍ଛନ୍ନ ହୁଏ । କୌଣସି କୌଣସି ସମୟରେ ସୂର୍ଯ୍ୟ ଏକାଦିକ୍ରମେ ଦୁଇ ଚାରି ଦିନ ଦେଖାଯାଏ ନାହିଁ । ଚନ୍ଦ୍ର ତାରା ମେଘମାଳାର ଅନ୍ତରାଳରେ ଲୁଚି ରହନ୍ତି । ବେଳେ ବେଳେ ଭୀଷଣ ବଜ୍ରନାଦ, ବିଦ୍ୟୁତର ବିକଟ ଚମକ ଆକାଶମଣ୍ଡଳକୁ ଆହୁରି ଭୟଙ୍କର କରେ । ବଜ୍ରପାତରେ ସମୟେ ସମୟେ ଗୃହ, ମନ୍ଦିର, ଉଚ୍ଚ ଅଟ୍ଟାଳିକା ସବୁ ବିଧ୍ୱସ୍ତ ଓ ଭୂମିସାତ୍ ହୁଏ । ଖଣ୍ଡ ପ୍ରଳୟପରି ବନ୍ୟାର ଭୀଷଣ ପ୍ଲାବନରେ ଘରଦ୍ୱାର ଭାସିଯାଏ, ଶସ୍ୟକ୍ଷେତ୍ର ସବୁ ନଷ୍ଟ ହୁଏ ଏବଂ ଅସଂଖ୍ୟ ପଶୁ, ମନୁଷ୍ୟ ଅକାଳରେ ପ୍ରାଣ ହରାନ୍ତି । ବେଳେ ବେଳେ ବର୍ଷା ସଙ୍ଗେ ପ୍ରବଳ ବାତ୍ୟା ହେଲେ ଘରଦ୍ୱାର, ଗଛପତ୍ର ଭାଙ୍ଗିଯାଏ ଏବଂ ପ୍ରାଣରେ ଘୋର ଆତଙ୍କ ଜନ୍ମେ । ମେଘାଚ୍ଛନ୍ନ ରାତ୍ରିର ଭୟଙ୍କରତା ଆହୁରି ଅଧିକ । ରାତ୍ରିର ଘୋର ଅନ୍ଧକାର ସଙ୍ଗେ ବଜ୍ର ବିଦ୍ୟୁତର ଭୀଷଣ କ୍ରୀଡ଼ା, ପ୍ରଭଞ୍ଜନର କରାଳ ଝଙ୍କାର, ଖଦ୍ୟୋତପଟଳର କ୍ଷଣିକ ଆଲୋକ ଏବଂ ଭେକ ସରୀସୃପର ବିକଟ ଚିତ୍କାର ମିଶି ପ୍ରକୃତିର ସଂହାରମୂର୍ତ୍ତି ଦେଖାଇ ଦିଏ ।

 

ସାଧାରଣତଃ ବର୍ଷାକାଳକୁ ଦୁର୍ଦ୍ଦିନ କହନ୍ତି । ବର୍ଷାକାଳର ପାଣି, ପବନ ସକଳ ପ୍ରକାର ଆନନ୍ଦ ଉତ୍ସବର ଅନ୍ତରାୟ ହୋଇ, ଜୀବନକୁ କେତେକ ପରିମାଣରେ ନୀରସ କରି ପକାଏ । ପଥ ଘାଟ ସବୁ ଦୁର୍ଗମ ହୁଏ । ବାଟୋଇମାନେ ଏକସ୍ଥାନରୁ ସ୍ଥାନାସ୍ତରକୁ ଯିବାରେ ନାନା ଆପଦ ବିପଦରେ ପଡ଼ନ୍ତି । ନଈ ନାଳ ପୂର୍ଣ୍ଣ ହୋଇଯିବାରୁ ଯାତାୟାତ ଅନେକ ପରିମାଣରେ ବନ୍ଦ ହୁଏ । ବର୍ଷା ଦିନରେ ଧନୀ ଲୋକର ବିଶେଷ ଅସୁବିଧା ହୋଇ ନ ପାରେ, କିନ୍ତୁ ଦରିଦ୍ରର କଷ୍ଟ କହିଲେ ସରେ ନାହିଁ । ଘରେ ମୁଠାଏ ଖାଇବାକୁ ନ ଥିବାରୁ ଝଡ଼ିବର୍ଷାରେ ତିନ୍ତି ତାକୁ ପରିଶ୍ରମ କରିବାକୁ ହୁଏ । ସେଥିରେ ପୁଣି ବେଳେବେଳେ ଅସୁସ୍ଥ ହୋଇପଡ଼େ । କୌଣସି କୌଣସି ଦରିଦ୍ର ପରିବାରରେ ଧାନ ଥିଲେ କାଠ ନ ଥାଏ । ପରିଷ୍କାର ପାନୀୟ ଜଳ ଅଭାବରୁ ବିସୂଚିକା, ଅଜୀର୍ଣ୍ଣ ପ୍ରଭୃତି ମାରାତ୍ମକ ରୋଗ ଚାରିଆଡ଼େ ବ୍ୟାପିଯାଏ । ଆର୍ଦ୍ର ବାୟୁର ସଂଘର୍ଷରେ ଜ୍ୱର, କଫ, ସର୍ଦ୍ଦିର ପ୍ରକୋପ ବଢ଼େ । ମାଳୁଆ ସ୍ଥାନମାନଙ୍କରେ ମାଲେରିଆ ହୋଇଥାଏ । ଅତିବୃଷ୍ଟିରେ ଅନେକ ସମୟରେ ଦରିଦ୍ର ଲୋକଙ୍କର ଘରଦ୍ୱାର ଭାଙ୍ଗିପଡ଼େ । ନଦୀବହୁଳ ସ୍ଥାନମାନଙ୍କରେ ସମୟେ ସମୟେ ଭୀଷଣ ବନ୍ୟା ହୋଇ, ଲୋକମାନଙ୍କର ବିଶେଷ କ୍ଷତି ସାଧନ କରେ । ସେଥିଯୋଗୁଁ ସ୍ଥାନେ ସ୍ଥାନେ ବି ଦୁର୍ଭିକ୍ଷ ହୁଏ । ଓଡ଼ିଶାର କେନ୍ଦ୍ରାପଡ଼ାର ଦୁର୍ଭିକ୍ଷ ମନରୁ ଯିବନାହିଁ । ଏତେ ହେଲେ ମଧ୍ୟ, ବର୍ଷା ଜଳଦାନ କରି ଜୀବନ ରକ୍ଷାକରେ । ବର୍ଷାର ଅଭାବରେ ଶସ୍ୟକ୍ଷେତ୍ର ସବୁ ଶୁଷ୍କ ମରୁଭୂମିରେ ପରିଣତ ହୁଅନ୍ତା, ବନପ୍ରାନ୍ତର ନୀରସ ବିକଟ ଆକାର ଧାରଣ କରନ୍ତା ଏବଂ ନଦୀ ପୁଷ୍କରିଣୀ ଜଳଶୂନ୍ୟ ହୁଅନ୍ତା । କବି ଯଥାର୍ଥ କହି ଅଛନ୍ତି–

 

ବରଷା କାଳ ଅଟେ ମଙ୍ଗଳକାରୀ;

ପାଳଇ ପରଜାଙ୍କୁ ବରଷି ବାରି ।

Image

 

ଓଡ଼ିଶାର ପ୍ରାଚୀନ ସାମରିକତା

 

ଓଡ଼ିଶାର ଶେଷ ସ୍ୱାଧୀନ ନରପତି ମୁକୁନ୍ଦଦେବ କଳାପାହାଡ଼ଦ୍ୱାରା ପରାସ୍ତ ହେବା ଦିନଠାରୁ ଓଡ଼ିଶାର ଅବସ୍ଥା ଯାହା ହୋଇଅଛି, ତାହା ପୂର୍ବେ ଏପରି ନ ଥିଲା । ଓଡ଼ିଆମାନେ ନିଜ ବାହୁ ବଳରେ ପ୍ରବଳପ୍ରତାପ ଶତ୍ରୁମାନଙ୍କୁ ପରାଜୟ କରି ବହୁକାଳ ପର୍ଯ୍ୟନ୍ତ ଓଡ଼ିଶାକୁ ସ୍ୱାଧୀନ ରଖିଥିଲେ । କେଶରୀବଂଶୀୟ ରାଜାମାନଙ୍କ ସମୟରେ ଓଡ଼ିଶାର ସୀମା ସେପରି ବିସ୍ତୃତ ନ ଥିଲା-। ସେମାନଙ୍କ ପରେ ଗଙ୍ଗବଂଶୀୟ ରାଜାମାନଙ୍କ ରାଜତ୍ୱ କାଳରେ ଓଡ଼ିଆ ଜାତିର ଶକ୍ତି ଫୁଟି ଉଠିଅଛି ।

 

ଆଜିକାଲି ରାଜାମାନେ ନିଜେ ଯାଇ ଯୁଦ୍ଧଭୂମିରେ କ୍ୱଚିତ ଛିଡ଼ା ହେଉଅଛନ୍ତି । ପୂର୍ବକାଳରେ ଓଡ଼ିଶାର ରାଜାମାନେ ସେନାପତିଙ୍କ ସହିତ ଯୁଦ୍ଧଭୂମିରେ ଅସ୍ତ୍ର ଧାରଣ କରୁଥିଲେ । କ୍ଷତ୍ରିୟମାନେ ସେନାପତି କିମ୍ବା ସୈନିକ ବିଭାଗରେ ଉଚ୍ଚ କର୍ମଚାରୀ ପଦରେ ନିଯୁକ୍ତ ହେଉଥିଲେ । ଓଡ଼ିଶାର ସୈନ୍ୟଦଳ ଖଣ୍ଡାୟତମାନଙ୍କଦ୍ୱାରା ଗଠିତ । ଏହି ଖଣ୍ଡାୟତମାନେ ଶାନ୍ତି ସମୟରେ ସାଧାରଣ କୃଷକ ପରି ଚାଷବାସ କରି ନିଜ ଘରେ ରହୁଥିଲେ । ତଥାପି ପ୍ରତ୍ୟେକ କୃଷକକୁ ରଣକୌଶଳ ଶିଖି ରଖିବାକୁ ହେଉଥିଲା । ଆଜିକାଲି ଜର୍ମାନୀ, ହଲାଣ୍ଡ ପ୍ରଭୃତି କେତେକ ସଭ୍ୟ ଦେଶରେ ବାଧ୍ୟତାମୂଳକ ଯୁଦ୍ଧଶିକ୍ଷା ଦିଆଯାଉଅଛି । ପ୍ରାଚୀନ ଓଡ଼ିଶାରେ ସମରଶିକ୍ଷା ବିଷୟରେ ଏତେ କଡ଼ା ନିୟମ ନ ଥିଲେ ସୁଦ୍ଧା କ୍ଷତ୍ରିୟ ଓ କୃଷକମାନେ ସମସ୍ତେ ଅଳ୍ପାଧିକ ପରିମାଣରେ ଯୁଦ୍ଧ ଶିଖୁଥିଲେ । ଯୁଦ୍ଧ ଶିଖିବା ଓଡ଼ିଶାର କେବଳ କର୍ତ୍ତବ୍ୟ ନ ଥିଲା, ଏହା କେତେକ ପରିମାଣରେ ତାହାର ବିଳାସ ଥିଲା ବୋଲି କୁହାଯାଇପାରେ । ଦଶହରା ଦିନ, ପୁରୀର ସାହୀଯାତ୍ରାରେ ଏବଂ ଅନ୍ୟାନ୍ୟ କେତେକ ସମାଜିକ ଅନୁଷ୍ଠାନରେ ଆଜିକାଲି ମଧ୍ୟ ଏହାର ଆଭାସ ଦେଖାଯାଏ । ଖଣ୍ଡା ବନ୍ଧୁକ ଅନେକ ଦିନ ହେଲା ଛାଡ଼ି ଦେଇଥିଲେ ସୁଦ୍ଧା ଓଡ଼ିଆ ଏ ପର୍ଯ୍ୟନ୍ତ ତାହାର ଆଦର ଓ ବ୍ୟବହାର ଭୁଲିନାହିଁ । ଖଣ୍ଡା ନିଜ ଆୟତ୍ତରେ ଥିବାରୁ ଓଡ଼ିଶାର ସୈନିକ ‘ଖଣ୍ଡାୟତ୍ତ’ ଉପାଧି ପାଇଥିଲେ ।

 

ବହୁକାଳରୁ ଭାରତବର୍ଷରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଆଦି ଜାତିର ସୃଷ୍ଟି ହୋଇ, ବ୍ରାହ୍ମଣକୁ ଯୁଦ୍ଧକାର୍ଯ୍ୟରୁ ବିରତ ରହିବାକୁ ହୋଇଅଛି । ବ୍ରାହ୍ମଣର ଦେବପୂଜା କରିବାର କଥା । କିନ୍ତୁ ଦେଶରେ ଶାନ୍ତିର ଅଭାବ ହେଲେ, ସକଳ ପ୍ରକାର ପୂଜା, ଆରାଧନା ଅସମ୍ଭବ । ସେଥିପାଇଁ ଦେଶରକ୍ଷା ବା ଦିଗବିଜୟ କରିବା ନିମନ୍ତେ ରାଜାଙ୍କର ଆହ୍ୱାନ ପାଇ ଓଡ଼ିଶାରେ ବ୍ରାହ୍ମଣ ସମରଭୂମିରେ ଆତ୍ମୋତ୍ସର୍ଗ କରିଅଛନ୍ତି । ବ୍ରାହ୍ମଣମାନେ ସେନାପତି, ବାହାନୀପତି, ସାମନ୍ତରୂପେ ଯୁଦ୍ଧବିଭାଗରେ ଉଚ୍ଚ ଅଧିକାରମାନ ପାଇଥିଲେ । ଏସବୁ ଉପାଧି ବ୍ରାହ୍ମଣମାନଙ୍କ ମଧ୍ୟରେ ବଂଶପରମ୍ପରାରେ ଗଡ଼ିଆସୁଅଛି । ବ୍ରାହ୍ମଣମାନେ ଯୁଦ୍ଧ କରି ସମାଜରେ ପତିତ ହେଉ ନ ଥିଲେ; ବରଂ ଅଧିକତର ଆଦର ଓ ସମ୍ମାନ ପାଇ ଅଛନ୍ତି । ପୁରୁଷୋତ୍ତମଦେବଙ୍କ ସମୟରେ ଗୋଦାବର ମିଶ୍ର ରଣନୀତି ବିଷୟରେ ଗ୍ରନ୍ଥ ପ୍ରଣୟନ କରିଅଛନ୍ତି । ଏ ସବୁରୁ ଓଡ଼ିଆ ଜାତିର ସମର କୌଶଳ ଓ ସାମରିକ ବିଜ୍ଞାନରେ ପାଣ୍ଡିତ୍ୟର ସ୍ପଷ୍ଟ ପରିଚୟ ମିଳୁଅଛି ।

 

ବୈଦେଶିକ ଶତ୍ରୁ, କଳାପାହାଡ଼ ପୂର୍ବରୁ, ଓଡ଼ିଶାରେ ପ୍ରବେଶ କରି ନ ଥିଲେ କହିଲେ ଚଳେ । କଳାପାହାଡ଼ ମଧ୍ୟ ଓଡ଼ିଆ ସୈନ୍ୟସାମନ୍ତଙ୍କ ଅନୁପସ୍ଥିତିବେଳେ ଜଣେ ଦୁଇଜଣ ସ୍ୱାର୍ଥପର ଭ୍ରାନ୍ତ ଓଡ଼ିଆଙ୍କ ସାହାଯ୍ୟରେ ଓଡ଼ିଶାକୁ ଆସିଥିଲେ । ଆତ୍ମରକ୍ଷାରେ ସଚରାଚର ସାମରିକତାର ବିକାଶ ହୋଇଥାଏ । କିନ୍ତୁ ଓଡ଼ିଶାର ସାମରିକତା ଦେଶବିଜୟରେ ବଢ଼ିଅଛି । ଓଡ଼ିଆମାନେ ଉତ୍ତର ଦକ୍ଷିଣରେ ଖଣ୍ଡଖଣ୍ଡ କରି, ଗୋଦାବରୀଠାରୁ ଗଙ୍ଗାନଦୀ ପର୍ଯ୍ୟନ୍ତ ସମସ୍ତ ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ନିଜ ଶାସନାଧୀନରେ ଆଣିଥିଲେ । ଦକ୍ଷିଣରେ ଗୋଦାବରୀଠାରୁ କୁମାରିକା ପର୍ଯ୍ୟନ୍ତ ଏବଂ ଉତ୍ତରରେ ଗଙ୍ଗାନଦୀଠାରୁ କେତେକ ପ୍ରଦେଶ ଓଡ଼ିଆରାଜାଙ୍କ ଅଧୀନତା ସ୍ୱୀକାର କରିଥିଲା । ପ୍ରତାପରୁଦ୍ରଙ୍କ ରାଜତ୍ୱକାଳ ଓଡ଼ିଶାରେ ରାଜଲକ୍ଷ୍ମୀଙ୍କର ପୂର୍ଣ୍ଣ ବିଭବର ସମୟ । ସେତେବେଳେ ଓଡ଼ିଶାର ସୀମା କୁମାରିକାଠାରୁ ହିମାଳୟର ପଦଦେଶ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଏହି ବିଶାଳ ଭୂଖଣ୍ଡର ଅଧିପତି ହୋଇ ଓଡ଼ିଆ ରାଜା ନିଜକୁ ‘ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟୋତ୍କଳ ବର୍ଗେଶ୍ୱରାଧିରାୟ’ ନାମରେ ପରିଚିତ କରି ପାରୁଥିଲେ । ସେହି ସମୟରେ ଓଡ଼ିଆମାନେ ସମୁଦ୍ରବକ୍ଷରେ ଯାଇ ସୁଦୂର ଦ୍ୱିପଖଣ୍ଡମାନଙ୍କରେ ଉପନିବେଶ ସ୍ଥାପନ କରିଥିଲେ । ସୁଦୂର ସାମୁଦ୍ରିକ ଅଭିଯାନରୁ ବୀର ଓଡ଼ିଆମାନେ ଫେରି ଆସିଲାବେଳେ ଅନ୍ତଃପୁରର ଅବଳାବୃନ୍ଦ ବୋଇତ ବନ୍ଦାଇ, ସେମାନଙ୍କୁ ଅଭିନନ୍ଦନ କରି ଆଣୁଥିଲେ । ସେ ଅତୀତ ଐଶ୍ୱର୍ଯ୍ୟ ବର୍ତ୍ତମାନ ‘ସାଧବ ବୋହୂ’ ବୋଇତ ବନ୍ଦାଇବା’ରେ ଆଖ୍ୟାୟିକାରେ ରହିଅଛି । ଆଜିକାଲି କାର୍ତ୍ତିକପୂର୍ଣ୍ଣିମା ଦିନ ସକାଳୁ ଓଡ଼ିଆ ନାରୀମାନେ ନଈ ପୋଖରୀରେ କଦଳୀ ବାସୁଙ୍ଗାର ବୋଇତ ବର୍ଷକୁ ବର୍ଷ ଭସାଇ ଦେଇ ଆସୁଛନ୍ତି । କିନ୍ତୁ ଜାଣୁ ନାହାନ୍ତି, ତାଙ୍କର ପୂର୍ବ ପୁରୁଷମାନଙ୍କର ଗୌରବାବହ ନୌଯାତ୍ରାର ଅବଶେଷ ଆଜି ଏଥିରେହିଁ ରହିଅଛି ।

 

ବିଦେଶ ଜୟ କରିବା ସଙ୍ଗେ ସଙ୍ଗେ ସ୍ୱଦେଶକୁ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ନିମନ୍ତେ ଓଡ଼ିଆମାନେ ସ୍ଥାନେ ସ୍ଥାନେ ଦୁର୍ଗ ନିର୍ମାଣ କରିଥିଲେ । ଦୁର୍ଗଗୁଡ଼ିକ ଦୁର୍ଭେଦ୍ୟ ଥିଲା । କୌଣସି କୌଣସିଠାରେ ଦୁର୍ଗର ପ୍ରାଚୀର ବ୍ୟତୀତ ଗୋଟିଏ ଗୋଟିଏ ପ୍ରଶସ୍ତ ପରିଖା ମଧ୍ୟ ଥିଲା । ଏସବୁ ଦୁର୍ଗର ଅସ୍ତିତ୍ୱ ଆଜିକାଲି ଓଡ଼ିଶାରେ ଦେଖାଯାଏ ନାହିଁ । ବାରବାଟି, ଚଉଦୁଆର, ବାରଙ୍ଗ ପ୍ରଭୃତି ସ୍ଥାନରେ କ୍ଷୀଣ ଅବଶେଷ ମାତ୍ର ରହିଅଛି । ଆବୁଲଫଜଲ ଗଣନା କରି ଲେଖି ଅଛନ୍ତି ଯେ, ଓଡ଼ିଶା ଗଜପତିଙ୍କ ଅଧୀନରେ କେବଳ ଓଡ଼ିଶା ମଧ୍ୟରେ ୧୨୯ ଗୋଟି ଦୁର୍ଗ ଥିଲା । ସୈନ୍ୟମାନେ ତିନି ଭାଗରେ ବିଭକ୍ତ ଥିଲେ । ଗଜାରୋହୀ ସୈନ୍ୟମାନେ ଯାତାୟାତ ନିମନ୍ତେ ନିତାନ୍ତ ସୁବିଧାଜନକ ନ ଥିବାରୁ ସେମାନଙ୍କ ସଂଖ୍ୟା ଅଧିକ ନ ଥିଲା । ଅଶ୍ୱାରୋହୀ ସୈନ୍ୟଙ୍କ ସଂଖ୍ୟା କୋଡ଼ିଏ ହଜାରରୁ ଅଧିକ । ପଦାତିକମାନଙ୍କ ସଂଖ୍ୟା ତିନି ଲକ୍ଷ ପଚାଶ ହଜାର । ମୋଗଲମାନେ ସେହି ସମୟରେ ଭାରତବର୍ଷର ବାଦଶାହ ଥିଲେ । ମୋଗଲ ସୈନ୍ୟସାମନ୍ତଙ୍କ ଅପେକ୍ଷା ଓଡ଼ିଆ ସୈନ୍ୟସାମନ୍ତଙ୍କର ସଂଖ୍ୟା ଅନୁପାତରେ ପ୍ରାୟ ଛ ଗୁଣ ଅଧିକ ଥିଲା । ସେ ସମୟରେ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଓଡ଼ିଶା ପରି ଯୁଦ୍ଧଶିକ୍ଷା ଦିଆଯାଉ ନ ଥିଲା ବୋଲି ଆବୁଲଫଜଲ ଉଲ୍ଲେଖ କରିଅଛନ୍ତି । ଓଡ଼ିଶାର ଦୁର୍ଗରଚନା ପରିପାଟୀ, ଯୁଦ୍ଧ କୌଶଳ ଓ ସୈନ୍ୟମାନଙ୍କ ବୀରତ୍ୱ ଦେଖି ଓଡ଼ିଆ ସାମରିକତା ପ୍ରତି ମରହଟ୍ଟା ବୀର ଶିବାଜିଙ୍କର ଭକ୍ତି ଜାତ ହୋଇଥିଲା ଏବଂ ଦିଲ୍ଲୀ ବାଦଶାହ ଆକବର ଓଡ଼ିଆ ଗଜପତିଙ୍କ ମିତ୍ରତା ଲୋଡ଼ିଥିଲେ ।

 

ଏସବୁ ଶକ୍ତି ସତ୍ତ୍ୱେ ଓଡ଼ିଆ ବିଜୟଗୌରବରେ ମତ୍ତ ହୋଇ ଦିନେ କର୍ତ୍ତବ୍ୟ ଭୁଲି ନାହିଁ । ଆଶ୍ରିତ ପ୍ରତି ସାହଚର୍ଯ୍ୟ ଏବଂ ବନ୍ଧୁ ପ୍ରତି ପ୍ରୀତି ଦେଖାଇବାରେ କେବେ ତ୍ରୁଟି କରି ନାହିଁ । ବଙ୍ଗଦେଶର ଶେଷ ହିନ୍ଦୁରାଜା ଲକ୍ଷ୍ମଣସେନ ଶତ୍ରୁଦ୍ୱାରା ନିଜ ଦେଶରୁ ବିତାଡ଼ିତ ହୋଇ, ଓଡ଼ିଶା ରାଜାଙ୍କଠାରେ ଶରଣ ପଶିଥିଲେ । ବାହମନୀରାଜ୍ୟର ସୁଲତାନ ବାରମ୍ବାର ପରାସ୍ତ ହୋଇ ଗଜପତିଙ୍କର ସାହାଯ୍ୟ ଭିକ୍ଷା କରିଥିଲେ । ବଙ୍ଗର ସୁଲତାନ ଇବ୍ରାହୀମ ଓଡ଼ିଆ ରାଜାଙ୍କ ଦ୍ୱାରରେ ଭିକ୍ଷ୍ୟାର୍ଥୀ ହୋଇ ଛିଡ଼ା ହେଲାବେଳେ ସେ ତାଙ୍କୁ ସାହାଯ୍ୟ କରିଅଛନ୍ତି । ଏପରି କି ଦିଲ୍ଲିର ପ୍ରବଳ ପ୍ରତାପ ବାଦଶାହ ଶତ୍ରୁଦମନ କରିବାପାଇଁ ଓଡ଼ିଆଙ୍କ ସାହାଯ୍ୟ ପ୍ରାର୍ଥୀ ହୋଇଥିଲେ । ପରକୁ ଅନୁଗ୍ରହ ଦେଖାଇବା ଓଡ଼ିଶାର ସେ ଯୁଗର ଚିରପ୍ରସିଦ୍ଧ ଜାତୀୟ ଚରିତ୍ର । ଓଡ଼ିଆମାନେ ଶକ୍ତି, ସାହାଯ୍ୟ, ଅନ୍ୟକୁ ଦାନ କରିଅଛନ୍ତି; କିନ୍ତୁ ଦିନେ କାହା ଦ୍ୱାରରେ ଭିକ୍ଷାର୍ଥୀ ହୋଇ ନାହାନ୍ତି । ଓଡ଼ିଆ ସୈନିକ ଯୁଦ୍ଧଭୂମିରେ ଶତ୍ରୁକୁ ପରାସ୍ତ ନ କଲେ ପ୍ରାଣବଳି ଦେଉଥିଲା, ଦୀନ ବେଶରେ ଘରକୁ ଫେରି ଆସୁ ନ ଥିଲା, କି ଶତ୍ରୁ ନିକଟରେ ମସ୍ତକ ନତ କରୁ ନ ଥିଲା । ଏହାହିଁ ଓଡ଼ିଆ ଚରିତ୍ରର ବିଶେଷତ୍ୱ, ଏହାହିଁ ତାହାର ସାମରିକତା ।

 

ହିନ୍ଦୁ ଜାତି ବିଭାଗ

(ଛାତ୍ର ପ୍ରବନ୍ଧରୁ ଆଂଶିକ ଗୃହୀତ)

 

୧–ଉତ୍ପତ୍ତି;–ଶ୍ରମବିଭାଗରେ, ଭୌଗୋଳିକ ଅବସ୍ଥାନ ଭେଦରେ, ଧର୍ମ ସମ୍ପ୍ରଦାୟ ଭେଦରେ । ୨–ଅପକାରିତା । ୩–ଉପକାରିତା ।

 

ସମାଜର ପ୍ରଥମ ଅବସ୍ଥାରେ ଲୋକମାନଙ୍କ ମଧ୍ୟରେ କୌଣସି ପ୍ରକାର ଭେଦ ନ ଥାଏ-। କ୍ରାମିକ ବିକାଶ ସଙ୍ଗେ ସଙ୍ଗେ ଭେଦର ସୃଷ୍ଟି ହୁଏ । ଆର୍ଥିକତା, ଶରୀର ଗଠନ ଓ ବର୍ଣ୍ଣ, କର୍ମ ଓ ଧର୍ମ ଭେଦରେ ସଚରାଚର ଜାତିର ସୃଷ୍ଟି ହୋଇଥାଏ । ଭାରତବର୍ଷରେ ପ୍ରଥମେ ଜାତିଭେଦର ସୃଷ୍ଟି କର୍ମର ବିଭାଗ ଅନୁସାରେ । ଐତିହାସିକମାନେ ଲେଖିଅଛନ୍ତି, ଯେତେବେଳେ ପ୍ରଥମେ ଆର୍ଯ୍ୟମାନେ ମଧ୍ୟ ଏସିଆରୁ ଆସି ପଞ୍ଜାବରେ ଉପନିବେଶ ସ୍ଥାପନ କଲେ ସେତେବେଳେ କୌଣସି ପ୍ରକାର ଭେଦ ନ ଥିଲା । ସମସ୍ତେ କୃଷି, ଶିକାର କରି ସମାନ ଭାବରେ ଜୀବିକା ନିର୍ବାହ କରୁଥିଲେ । କିନ୍ତୁ ବେଳେ ବେଳେ ଆଦିମବାସୀମାନଙ୍କ ସଙ୍ଗେ ଯୁଦ୍ଧ କାର୍ଯ୍ୟରେ ବ୍ୟାପୃତ ରହିବାକୁ ହେଉଥିବାରୁ କେତେକ ଲୋକ କେବଳ ଯୁଦ୍ଧ କରିବା ନିମନ୍ତେ ମନୋନୀତ ହେଲେ । ପୁଣି ଖାଲି ଜୀବିକାର୍ଜନ ଓ ଯୁଦ୍ଧରେ ବ୍ୟାପୃତ ରହିଲେ, ଈଶ୍ୱର ଆରାଧନାପାଇଁ ଅବସର ମିଳୁ ନ ଥିଲା । ସେହି ହେତୁରୁ କେତେକ ଲୋକ କେବଳ ଈଶ୍ୱର ଆରାଧନା କରିବାପାଇଁ ନିର୍ଦ୍ଦିଷ୍ଟ ହେଲେ । ଯେଉଁମାନେ ଈଶ୍ୱର ଆରାଧନାଦି ଧର୍ମ କାର୍ଯ୍ୟ କଲେ, ସେମାନେ କାଳକ୍ରମେ ଆଚାର ବ୍ୟବହାରରେ ଅନ୍ୟମାନଙ୍କ ଅପେକ୍ଷା ବିଶୁଦ୍ଧ ଓ ପବିତ୍ର ବିବେଚିତ ହୋଇ, ବ୍ରାହ୍ମଣ ନାମରେ କଥିତ ହେଲେ । ଯେଉଁମାନେ ଯୁଦ୍ଧକାର୍ଯ୍ୟରେ ରତ ଥିଲେ, ସେମାନଙ୍କର ନାମ କ୍ଷତ୍ରିୟ ରଖାଗଲା । ବାକି ଯେଉଁମାନେ ସମାଜର ଆଦିମ ବ୍ୟବସାୟ ଶିକାର, କୃଷି, ବାଣିଜ୍ୟ ପ୍ରଭୃତି କରିବାକୁ ରହିଲେ ସେମାନେ ବୈଶ୍ୟ ନାମରେ ଆଖ୍ୟାତ ହେଲେ । ଏହା ଛଡ଼ା ପତିତ ଆର୍ଯ୍ୟ ଓ ଆଶ୍ରିତ ଅନାର୍ଯ୍ୟମାନେ ଶୂଦ୍ର ବୋଲି ଗୃହୀତ ହେଲେ । ଏହି ଭାବରେ ହିନ୍ଦୁର ପ୍ରଧାନ ଚାରି ଜାତିର ସୃଷ୍ଟି । ଗୀତାରେ ଭଗବାନ କହିଅଛନ୍ତି–

 

‘‘ଚାତୁର୍ବର୍ଣ୍ଣ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ’’

 

ତତ୍ପରେ କାଳକ୍ରମରେ ଅସବର୍ଣ୍ଣ ଓ ଅନ୍ତ୍ୟଜ ବିବାହାଦିଦ୍ୱାରା ନୂତନ ନୂତନ ଉପଜାତିର ସୃଷ୍ଟି ହୋଇଅଛି ।

 

କର୍ମହିଁ ଜାତିବିଭାଗର ମୂଳ । ପ୍ରଥମେ କର୍ମ ଭେଦରେ ଚାରି ଜାତି ହୋଇଥିଲା । କ୍ରମେ ସମାଜର ଉନ୍ନତି ସଙ୍ଗେ ସଙ୍ଗେ ବ୍ୟବସାୟର ଜଟିଳତା ବଢ଼ିବାରୁ କୁମ୍ଭାର, ଭଣ୍ଡାରି, ତନ୍ତି, ବଢ଼େଇ ପ୍ରଭୃତି ଅନେକ ଉପଜାତିର ସୃଷ୍ଟି ହୋଇଅଛି । ବ୍ୟବସାୟ ଭେଦରେ ଏହି ପ୍ରକାର ଉପଜାତିର ସୃଷ୍ଟି ବର୍ତ୍ତମାନ ପର୍ଯ୍ୟନ୍ତ ହିନ୍ଦୁ ସମାଜରେ ପୂର୍ଣ୍ଣ ହୋଇ ନାହିଁ । ସମାଜ ବନ୍ଧନର କଠୋରତା ସଙ୍ଗେ ସଙ୍ଗେ କେତେ ଉପଜାତିର ସୃଷ୍ଟି ହେବ, କେଜାଣି ?

 

ଭୌଗୋଳିକ ଅବସ୍ଥାନ ଭେଦରେ ପୁଣି ଏହି ଉପଜାତି ବିଭାଗ ଆହୁରି ବଢ଼ୁଅଛି । ବଙ୍ଗୀୟ ବ୍ରାହ୍ମଣ ଓ କାୟସ୍ଥଙ୍କ ସଙ୍ଗେ ଉତ୍କଳୀୟ ବ୍ରାହ୍ମଣ ଓ କରଣଙ୍କର କୌଣସି ବିଶେଷ ଜାତିଗତ ସମ୍ପର୍କ ନାହିଁ । ଦେଖିଲେ ମନେହୁଏ, ପ୍ରତ୍ୟେକ ଯେପରି ଗୋଟିଏ ଗୋଟିଏ ଜାତି । ଏକ ପ୍ରଦେଶର ଲୋକେ ପ୍ରଦେଶାନ୍ତରରେ ଯାଇ ବସତି କଲେ, ସେହି ପ୍ରଦେଶସ୍ଥ ନିଜ ଜାତି ମଧ୍ୟରେ ମିଶି ପାରୁ ନାହାନ୍ତି ଏବଂ ନିଜ ଦେଶର ସେହି ଜାତିରୁ ମଧ୍ୟ ବିଚ୍ଛିନ୍ନ ହେଉ ଅଛନ୍ତି । ପ୍ରଦେଶ କାହିଁକି ଜିଲା ଜିଲାକେ ମଧ୍ୟ ଏକ ଜାତି ମଧ୍ୟରେ ବୈବାହିକାଦି ସମ୍ବନ୍ଧ ନ ହେବାର ଦେଖାଯାଏ । ଭାଷାଭେଦ ଓ ସ୍ଥାନେ ସ୍ଥାନେ ରାଜ ଅନୁଗ୍ରହ ମଧ୍ୟ ଏହି ସବୁ ପ୍ରଭେଦକୁ ବଢ଼ାଇଅଛି ।

 

ଧର୍ମଗତ ପ୍ରଭେଦ ପୁଣି ଉପଜାତି ସୃଷ୍ଟିର ଅନ୍ୟତମ କାରଣ । ହିନ୍ଦୁର ଧର୍ମ ସଙ୍ଗେ ସାମାଜିକ ବିଧାନ, ବ୍ୟବହାରାଦିର ଘନିଷ୍ଠ ସମ୍ବନ୍ଧ ରହିଅଛି । ଧର୍ମଶାସ୍ତ୍ର ଅନୁମୋଦିତ, ଧର୍ମାଙ୍ଗୀଭୂତ କର୍ମରୁ ଯେ ବିଚ୍ଛିନ୍ନ ହୁଏ, ତାକୁ ସମାଜରୁ ପୃଥକ୍ ହୋଇ ରହିବାକୁ ପଡ଼େ । ଏହିପରି ଭାରତରେ ବର୍ତ୍ତମାନ ବୁଦ୍ଧ, ନାନକ, ରାମାନୁଜ, ଚୈତନ୍ୟ ପ୍ରଭୃତିଙ୍କ ମତାବଲମ୍ବିମାନେ ସାଧାରଣ ହିନ୍ଦୁ ସମାଜରୁ ଓ ପରସ୍ପରଠାରୁ ଅଳ୍ପାଧିକ ପରିମାଣରେ ବିଚ୍ଛିନ୍ନ । କେବଳ ଏତିକି କାହିଁକି, ଧର୍ମ ବିଶ୍ୱାସର ସାମାନ୍ୟ ଭେଦରେ ମଧ୍ୟ ଗୋଟିଏ ଗୋଟିଏ କ୍ଷୁଦ୍ର ଉପଜାତି ଗଠିତ ହେଉଅଛି । ସୁତରାଂ ହିନ୍ଦୁ ସମାଜରେ ବର୍ତ୍ତମାନ ନାନା ଜାତି ଉପଜାତି । ‘ଛିତିଶ ପାଟକ’ ବୋଲି ଗୋଟିଏ କଥା ଶୁଣାଯାଏ ସତ୍ୟ, ଗଣି ବସିଲେ ସେହି ‘ଛତିଶ ପାଟକ’ ମଧ୍ୟରେ ଛତିଶ ଶହ ଉପପାଟକ ମିଳି ପାରେ ।

 

କର୍ମ, ବ୍ୟବସାୟ ଓ ଭୌଗୋଳିକ ଅବସ୍ଥାନ ପ୍ରଭୃତି ଭେଦରେ ମନୁଷ୍ୟସମାଜ ମଧ୍ୟରେ ଜାତିବିଭାଗର ସୃଷ୍ଟି ହେବା ଅତ୍ୟନ୍ତ ସ୍ୱାଭାବିକ । ସମାଜ ମଧ୍ୟରେ ଅଳ୍ପଲୋକ ଥିଲେ, କୌଣସି ପ୍ରକାର ବିଭାଗ ଆବଶ୍ୟକ ନୋହିପାରେ; କିନ୍ତୁ କ୍ରାମିକ ବୃଦ୍ଧି ଓ ଉନ୍ନତିରେ ସମାଜ ବିଶାଳ ଆକାର ଧାରଣ କଲେ, ତାହା ଯେ ଖଣ୍ଡ ବିଖଣ୍ଡ ହୋଇଯିବ, ଏଥିରେ କୌଣସି ସନ୍ଦେହ ନାହିଁ । ପୃଥିବୀରେ ସର୍ବତ୍ର ଏହି ନିୟମରେ ଜାତିବିଭାଗ ହୋଇଥିବାର ଦେଖାଯାଏ । କିନ୍ତୁ ଭାରତୀୟ ଜାତିବିଭାଗ ସେ ସବୁଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ଜାତିବିଭାଗର ପ୍ରଥମ ଅବସ୍ଥାରେ ତାହା ଯେତେ ସୁନ୍ଦର ଭାବରେ ପରିଚାଳିତ ହେଉ ପଛକେ, ବର୍ତ୍ତମାନ ଜଡ଼ ଓ ଜୀବନ ହୀନ ହୋଇ ପଡ଼ି ରହିଅଛି । ବ୍ରାହ୍ମଣର ସନ୍ତାନ ଯେତେ ନୀଚ ବ୍ୟବସାୟ କଲେ, ଅଥବା ଜ୍ଞାନ ଓ ଚରିତ୍ରରେ ଯେତେ ହୀନ ହେଲେ ମଧ୍ୟ ନିଜକୁ ପତିତବୋଲି ଭାବିବା ଦୂରେଥାଉ, କୌଳିକ ଜାତିପରମ୍ପରା ଯୋଗୁଁ ଗର୍ବରେ ବିସ୍ଫାରିତ ହେଉଅଛି । ଅନ୍ୟାନ୍ୟ ଜାତିମାନଙ୍କ ସମ୍ବନ୍ଧରେ ମଧ୍ୟ ଠିକ ଏହିପରି । ସେହି ହେତୁରୁ ସମାଜରେ ନୀଚର ଉଚ୍ଚ ପ୍ରତି ଭକ୍ତି, କିମ୍ବା ଉଚ୍ଚର ନୀଚପ୍ରତି ସ୍ନେହ ସହାନୁଭୂତି ନାହିଁ । ବର୍ତ୍ତମାନ ଜାତିବିଭାଗ କେବଳ ପରସ୍ପର ପ୍ରତି ଘୃଣା, ଅନାଦରରେ ଆବଦ୍ଧ ରହିଅଛି । ଏ ଭଳି ଅବସ୍ଥାରେ ଜାତିର ସମୂହ ଉନ୍ନତି ଯେ ଏକାବେଳେକେ ଅସମ୍ଭବ, ସେ କଥା କିଏ ଅସ୍ୱୀକାର କରିବ ? ସମାଜର ସ୍ୱାଭାବିକ ଭେଦରୁ ଦିନକୁ ଦିନ ଯେ ନୂତନ ନୂତନ କୃତ୍ରିମ ଭେଦ ସବୁ ସୃଷ୍ଟ ହେଉଅଛି, ସେଥିରେ ଏହି ସନାତନ ହିନ୍ଦୁ ସମାଜ ସମୂଳେ ଛାରଖାର ନ ହୋଇ ତିଷ୍ଠିବ ବା କିପରି ? କ୍ରମିକ ଉନ୍ନତି ସ୍ରୋତରେ ସମାଜ ମଧ୍ୟରେ ସ୍ନେହ, ଉଦାରତା ଯେ ସଞ୍ଚାର ହୁଅନ୍ତା, ତାହା ହେଉନାହିଁ । ବରଂଚ ଜାତି ଉପଜାତି ମଧ୍ୟରେ ସଂକୀର୍ଣ୍ଣତା ପ୍ରବଳଭାବରେ ବଢ଼ୁଅଛି । ଏପରି ସ୍ଥଳରେ ଭାରତ ସନ୍ତାନ ଯେ ସମସ୍ତ ଭାରତବ୍ୟାପୀ ଏକ ମହାଜାତୀୟ ଜୀବନର କଳ୍ପନା କରୁଅଛନ୍ତି, ତାହା ସମ୍ଭବ ହୋଇପାରେ କି ?

 

ଜାତିବିଭାଗ ଯୋଗୁଁ ଭାରତବର୍ଷରେ ମହାଜାତୀୟ ଜୀବନ ବର୍ତ୍ତମାନ ଅବସ୍ଥାରେ ଗଠିତ ହୋଇପାରୁ ନାହିଁ ବୋଲି ଯାହା କୁହାଗଲା, ସେ କଥା ସତ୍ୟ ହେଲେ ସୁଦ୍ଧା, ଜାତି ମଧ୍ୟରେ ବିଭାଗହି ଜାତିର ସମୂହ ଉନ୍ନତିର ଅନ୍ୟତମ କାରଣ । ଗୋଟିଏ କୌଣସି ବିଶିଷ୍ଟ କାର୍ଯ୍ୟକୁ ସମାଜର ସମସ୍ତେ କରିବାକୁ ଗଲେ ସେ କାର୍ଯ୍ୟଟି ଯେପରି ସାଧିତ ହେବ, ଜଣେ ଦୁଇଜଣ ସେ କାର୍ଯ୍ୟର ଭାର ନିଜ ମୁଣ୍ଡରେ ନେଇ ଲାଗିଲେ, ତାଠାରୁ ଅଧିକ ସୁଚାରୁରୂପେ ସାଧିତ ହେବାର କଥା । ପୁଣି କୌଣସି ଗୋଟିଏ କାର୍ଯ୍ୟ କରିବାକୁ ଜଣକର ଯେପରି ଶକ୍ତି ଥାଏ, ଆଉ ଜଣକର ସେପରି ନ ଥାଇ ପାରେ । ଯାହାର ଯେଉଁ କାର୍ଯ୍ୟ ସାଧନରେ ଅଧିକ ଶକ୍ତି, ସମାଜ ମଧ୍ୟରେ ତାହା ଉପରେ ସେହି କାର୍ଯ୍ୟର ଭାର ନ୍ୟସ୍ତ ରହିବା ଉଚିତ । ପୃଥିବୀର ଯାବତୀୟ କାର୍ଯ୍ୟକ୍ଷେତ୍ରରେ ଏହି ଭଳି ଶ୍ରମବିଭାଗ ଲାଗିଅଛି ଏବଂ ଅର୍ଥଶାସ୍ତ୍ରବିତ୍ ପଣ୍ଡିତମାନେ ଏହାର ପୋଷକତା କରୁଅଛନ୍ତି । ଆହୁରି ମଧ୍ୟ ପିତା ଯେଉଁ ବ୍ୟବସାୟରେ ନିପୁଣ, ପୁତ୍ରଠାରେ ଅଜନ୍ମରୁ ସେହି କାର୍ଯ୍ୟରେ ଆଗ୍ରହ ଓ ପଟୁତା ଦେଖାଯାଏ । ଏହିପରି ଯୁଗଯୁଗବ୍ୟାପୀ କୌଳିକ ବ୍ୟବସାୟପରମ୍ପରାରେ ଭାରତୀୟ ଆର୍ଯ୍ୟ ସକଳ ବିଭାଗରେ ଉଚ୍ଚସ୍ଥାନ ନେଇ ପାରିଅଛି । ବ୍ରାହ୍ମଣ ବଂଶରେ ବ୍ୟାସ, ବଶିଷ୍ଟ ଯେପରି ଜନ୍ମ ହୋଇଅଛନ୍ତି, କ୍ଷତ୍ରିୟ ଜାତିରେ ସେହିପରି ଭୀମ, ଅର୍ଜୁନପରି ମହାଯୋଦ୍ଧାଙ୍କର ଆବର୍ଭାବ ହୋଇଅଛି । ସେତେବେଳେ ହିନ୍ଦୁ କର୍ମରେ ସାନ ବଡ଼ ଦେଖୁ ନ ଥିଲା । କର୍ମ ଯେତେ ନିକୃଷ୍ଟ ହେଉ ନା କାହିଁକି ସେ ସେଥିରେ ନିଜକୁ ଗୌରବାନ୍ୱିତ ମଣୁଥିଲା । କର୍ମହିଁ ଜୀବନର ଧର୍ମ ଥିଲା । ଏହି ଧର୍ମ ଆଚରଣରେ ହିନ୍ଦୁ ଲୋକର ହିତ ଓ ପରମାତ୍ମାଙ୍କ ତୃପ୍ତି ଲୋଡ଼ୁଥିଲା । ସୁତରାଂ ଜାତିବିଭାଗ ଥିଲେ ମଧ୍ୟ ପ୍ରକୃତପକ୍ଷେ ହିନ୍ଦୁ ତେତେବେଳେ ଭେଦରେ ହୀନବଳ ହୋଇ ନ ଥିଲା । ସେହି ପ୍ରକାର ଜାତି ଭେଦହି ସର୍ବଦା ସ୍ପୃହଣୀୟ ଓ କରଣୀୟ ।

Image

 

ଆକବର ଓ ଆଓରଙ୍ଗଜେବ

 

ଭାରତ ଇତିହାସର ପ୍ରସିଦ୍ଧ ନରପତିମାନଙ୍କ ମଧ୍ୟରେ ଆକବର ଓ ଆଓରଙ୍ଗଜେବ ସୁବିଖ୍ୟାତ । ଉଭୟେ ଦିଗ୍‌ବିଜୟୀ ତୈମୁରଲଙ୍ଗଙ୍କର ବଂଶଧର ଏବଂ ତୈମୁରଙ୍କର ଅଦ୍ଭୁତ ସାହସ, ବିପଦରେ ସେ ଅସୀମ ଧୈର୍ଯ୍ୟ ଉଭୟଙ୍କଠାରେ ତୁଲ୍ୟରୂପେ ଦେଖା ଦେଇଥିଲା । ବିପଦହିଁ ମନୁଷ୍ୟର ପରୀକ୍ଷା । ଘନିଷ୍ଠ ବିପଦରେ ବୀର ହୃଦୟ ବିଳାସ ଓ ଆମୋଦ ଦେଖେ । ଏ ବିଳାସ ଭୋଗ ବାସନା ଉଭୟଙ୍କଠାରେ ଯଥେଷ୍ଟ ଥିଲା । ତଥାପି ଏମାନେ ବିଳାସର କ୍ରୀଡ଼ନକ ନ ଥିଲେ । ବିଳାସ ଏମାନଙ୍କର ଭୋଗ୍ୟବସ୍ତୁ ଥିଲା । ଘୋର ବିପଦରେ ନିଜ ନିଜର କ୍ରିୟାବିଧି ନିୟନ୍ତ୍ରିତ କରି ଏମାନଙ୍କ ବିଳାସ ପରିପୂର୍ଣ୍ଣ ଓ ବୀରତ୍ୱ ପରିସ୍ଫୁଟ ହୋଇଥିଲା । ଏକାଦିକ୍ରମେ ବହୁଦିନ ଧରି ଅଶ୍ୱପୃଷ୍ଠରେ ଗମନ କରିବାରେ ଆକବରଙ୍କର ଯେ ଧୈର୍ଯ୍ୟ, ବିକ୍ରମ ବାରମ୍ବାର ପ୍ରକାଶ ପାଇଅଛି, ସିଂହାସନ ପ୍ରାପ୍ତିର ପ୍ରବଳ ଉଦ୍ୟମରେ, ବିଜାପୁର ଓ ଗୋଲକୁଣ୍ଡାର ବିଜୟରେ ଆଓରଙ୍ଗଜେବଙ୍କର ସେହି ସାହସ ଓ ବିକ୍ରମ ଦେଖାଯାଏ ।

 

ଉଭୟଙ୍କ ଚରିତ୍ରରେ ଶୋର୍ଯ୍ୟ, ବୀର୍ଯ୍ୟ ଓ ଧୈର୍ଯ୍ୟର ଏହି ସମାନତା ଯୋଗୁଁ, ଉଭୟେ ସୁବିସ୍ତୃତ ସାମ୍ରାଜ୍ୟର ଅଧିକାରୀ ହୋଇ ପାରିଥିଲେ । ମୋଗଲ-ସାମ୍ରାଜ୍ୟର ବିପୁଳ ବିସ୍ତାର ଆକବରଙ୍କ ରାଜତ୍ୱରେ ଯେପରି ହୋଇଥିଲା, ଆଓରଙ୍ଗଜେବଙ୍କ ରାଜପଣରେ ପ୍ରାୟ ସେହିପରି ଥିଲା । ଦାକ୍ଷିଣାତ୍ୟରେ ମୁସଲମାନ ରାଜ୍ୟମାନ ଜୟକରି ଆଓରଙ୍ଗଜେବ ସାମ୍ରାଜ୍ୟ ବଢ଼ାଇଥିଲେ ସତ, କିନ୍ତୁ କାବୁଲ ଓ କାନ୍ଦାହାର ସମ୍ରାଜ୍ୟରୁ ବିଚ୍ୟୁତ ହୋଇ ଥିବାରୁ, ତାହା ଆକବରଙ୍କ ସାମ୍ରାଜ୍ୟ ସଙ୍ଗେ ପ୍ରାୟ ସମାନ ଥିଲା । ଉଭୟ ରାଜତ୍ୱରେ ଏପରି ବିଶାଳ ସାମ୍ରାଜ୍ୟର ବର୍ଦ୍ଧନ ଓ ରକ୍ଷଣରେ ବଡ଼ ବଡ଼ ହିନ୍ଦୁ ସେନାପତିମାନେହିଁ ପ୍ରଧାନ ପୃଷ୍ଠପୋଷକ । ପୁଣି ଉଭୟେ ଏତେବଡ଼ ସାମ୍ରାଜ୍ୟର ଉପଭୋଗ ସୁଦୀର୍ଘକାଳ ସମାନ ଭାବରେ କରି ପାରିଥିଲେ । ପୌରାଣିକ ଆଖ୍ୟାୟିକା ବାଦ ଦେଲେ, ଏପରି ଦୀର୍ଘ ରାଜତ୍ୱ ଭାରତ ଇତିହାସରେ ବଡ଼ ବିରଳ ।

 

ପ୍ରଥମେ ସିଂହାସନ ଲାଭପାଇଁ ଉଭୟଙ୍କୁ ବିଦ୍ୱେଷ ଓ ବିରୋଧର ମଧ୍ୟଦେଇ ଯିବାକୁ ପଡ଼ିଥିଲା । ଆକବର ଯେପରି ଆପଣାର ପିତୃବ୍ୟ ଓ ବନ୍ଧୁମାନଙ୍କୁ ବିଦ୍ରୋହ ଦମନ ନିମନ୍ତେ ବ୍ୟାପୃତ ଥିଲେ, ଆଓରଙ୍ଗଜେବ ସେହିପରି ବିକଟ ସଂକଟମାନ ପାର ହୋଇ, ଆପଣାର ଭାଇ ଓ ଆତ୍ମୀୟମାନଙ୍କ ବିରୁଦ୍ଧରେ ନିଜକୁ ଏକେଶ୍ୱର ସମ୍ରାଟ୍‌ କରିଥିଲେ ।

 

ଏହି ବିଶାଳ ସାମ୍ରାଜ୍ୟ ଭୋଗ ମଧ୍ୟରେ ଆକବର ଓ ଆଓରଙ୍ଗଜେବ ଉଭୟେ ନୀତି ଓ ଚରିତ୍ରରେ ସମାନ ନିଷ୍ଠାବାନ୍‌ ଥିଲେ । ଉଭୟଙ୍କ ରାଜ୍ୟ-ଶାସନନୀତିରେ ଯେତେ ପ୍ରଭେଦ ଥିଲେ ମଧ୍ୟ, ଆପଣାର ବିଶ୍ୱାସମତେ, ଉଭୟେ ସମାନ ନିଷ୍ଠାସହ ତାହା ଅନୁସରଣ କରିଥିଲେ । ଆକବର ନିଜ ଧର୍ମ ବିଶ୍ୱାସ ପ୍ରତି ଯେତେ ଆସ୍ଥାବାନ୍‌ ଏବଂ ଧର୍ମ ପ୍ରତିପାଳନ ଓ ପ୍ରତିଷ୍ଠା ନିମନ୍ତେ ଯେପରି ତତ୍ପରେ ଥିଲେ, ଆଓରଙ୍ଗଜେବ ମଧ୍ୟ ଆପଣାର ବିଶ୍ୱାସମତେ ଯେ ନୀତି ଓ ଧର୍ମକୁ ପବିତ୍ର ଜ୍ଞାନ କରିଥିଲେ, ତାହା ଅନୁସାରେ କାର୍ଯ୍ୟ କରିବାରେ ସେହିପରି କର୍ମଠ ଥିଲେ । ମୋଗଲ ଦରବାରର ସମସ୍ତ ଆଡ଼ମ୍ୱର ମଧ୍ୟରେ ଆଓରଙ୍ଗଜେବ ସମସ୍ତ ବିଳାସ ଭୋଗ ଛାଡ଼ି, କେବଳ ବ୍ୟାଘ୍ର ଚର୍ମରେ ଶୟନ, ସାଧାରଣ ସଙ୍ଗେ ସମାନ ଭାବରେ ଗିର୍ଜ୍ଜାକୁ ଯାଇ ଉପାସନା କରିବାରେ ସୁଖ ଅନୁଭବ କରୁଥିଲେ । ଆକବର ସକଳ ରାଜ୍ୟତନ୍ତ୍ର ଆପଣାର ସରଳ ସାର୍ବଜନୀନ ଧର୍ମଜୀବନ ଉପରେ ପ୍ରତିଷ୍ଠିତ କରି, ସନ୍ୟାସ ବେଶରେ ଗିର୍ଜ୍ଜାର ଉପାସନାରେ ଯୋଗ ଦେଉଥିଲେ । ସଂଯମ, ସାଧନା, ନିଷ୍ଠା ଉଭୟ ଚରିତ୍ରର ଅଲୌକିକ ବିଶେଷତ୍ୱ ।

 

ତଥାପି ସାମ୍ୟ ଅପେକ୍ଷା ବୈଷମ୍ୟହିଁ ଉଭୟଙ୍କ ଚରିତ୍ର ଓ କାର୍ଯ୍ୟକଳାପରେ ଅଧିକ ପରିଲକ୍ଷିତ ହୁଏ । ଆକବର ନିଜର ଅଲୌକିକ ପ୍ରତିଭାବଳରେ ସେ ବିଶାଳ ସାମ୍ରାଜ୍ୟ ନିଜେ ସ୍ଥାପନ କରିଥିଲେ । ମାତ୍ର ସାମ୍ରାଜ୍ୟ ଗଠନ ନିମନ୍ତେ ଯୁଦ୍ଧ ତାଙ୍କର ଏକମାତ୍ର ଉପାୟ ନ ଥିଲା । ଉଦାର ଶାସନନୀତି ଓ ମହାପ୍ରାଣତା ତାଙ୍କର ସାମ୍ରାଜ୍ୟ ବୃଦ୍ଧିର ପ୍ରଧାନ ଅବଲମ୍ୱନ । ନିତାନ୍ତ ବାଧ୍ୟ ନ ହେଲେ, ସେ ଯୁଦ୍ଧ ବିଗ୍ରହରେ ପଶୁ ନ ଥିଲେ । ରାଜ୍ୟ ଲାଳସାର ବଶବର୍ତ୍ତୀ ହୋଇ ବହୁରକ୍ତ ଭସାଇବା ତାଙ୍କ ପ୍ରକୃତି ନ ଥିଲା । ଶତ୍ରୁର ଆଘାତ ନିଜ ରାଜ୍ୟ ଉପରେ ନ ପଡ଼ିଲେ, ସେ ଶତ୍ରୁରାଜ୍ୟ କେବେ ଜୟକରି ବାହାରି ନାହାନ୍ତି । ସେ ବୁଝିଥିଲେ, ଭାରତରେ ସ୍ଥାୟୀ ସାମ୍ରାଜ୍ୟ, ଗଢ଼ିବାକୁ ହେଲେ, ଭାରତୀୟ ହିନ୍ଦୁମାନଙ୍କ ସାହାଯ୍ୟ ଆଗେ ଲୋଡ଼ା । ସେହିହେତୁରୁ ସେ ନିଜର ଉଦାର ନୀତି ବଳରେ ହିନ୍ଦୁମାନଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାଶ କରିଥିଲେ । ସତ୍ୟନିଷ୍ଠ ରାଜପୁତ ବୀରମାନଙ୍କ ସଙ୍ଗେ ବୈବାହିକ ସମ୍ୱନ୍ଧରେ ବା ଅନ୍ୟପ୍ରକାର ମୈତ୍ରୀ ଭାବରେ ଆବଦ୍ଧ ରହି, ସେହିମାନଙ୍କ ସାହାଯ୍ୟରେ ସାମ୍ରାଜ୍ୟର ବିସ୍ତାର ଓ ଶାସନ କାର୍ଯ୍ୟ ପରିଚାଳନ କରୁଥିଲେ । ସିଂହାସନରେ ବସିଲାବେଳେ ଦିଲ୍ଲୀ ତାଙ୍କର ଏକମାତ୍ର ରାଜ୍ୟଥିଲା । ଏଡ଼େ ବାଲ୍ୟବାସ୍ଥାରେ ବିଶାଳ ଭାରତବର୍ଷରେ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠା କଳ୍ପନା କରି, ବହୁ ବିଦ୍ରୋହ ଓ ଷଡ଼୍‌ଯନ୍ତ୍ର ମଧ୍ୟରେ ତାହା ଯେ କାର୍ଯ୍ୟରେ ପରିଣତ କରି ପାରିଥିଲେ, ଏହାହିଁ ତାଙ୍କ ପ୍ରତିଭାର ଅସାମାନ୍ୟତ୍ୱ ପ୍ରତିପାଦନ କରୁଅଛି ।

 

ଆଓରଙ୍ଗଜେବଙ୍କ ବିଷୟରେ କିନ୍ତୁ ତା ନୁହେଁ । ଆଓରଙ୍ଗଜେବ ଆକବରଙ୍କର ସୁଗଠିତ ସାମ୍ରାଜ୍ୟ ଉପଭୋଗ କରିବାକୁ ପାଇଥିଲେ । ଦୁର୍ବୃତ୍ତ ରାଜ୍ୟଲାଳସାର ବଶବର୍ତ୍ତୀ ହୋଇ ଦାକ୍ଷିଣାତ୍ୟର ମୁସଲମାନ ରାଜ୍ୟମାନ ବିଧ୍ୱସ୍ତ କରିଥିଲେ । ସେ ରାଜ୍ୟ ବିଜୟର କଠୋରତାରେ ଦୟା, ବିଶ୍ୱାସ, ମାନବପ୍ରେମର ସ୍ଥାନ ଆଦୌ ନ ଥିଲା; କିନ୍ତୁ ମାନବୀୟ ସଦ୍‌ଗୁଣମାନଙ୍କରେ ଆକବରଙ୍କର ବିଜୟର କଠୋରତା ଆଦୌ ଜଣାପଡ଼ୁ ନ ଥିଲା ।

 

ବିଭିନ୍ନ ଜାତି, ଧର୍ମ, ମତବାଦ ମଧ୍ୟରେ ଆକବର ଭାରତର ସମ୍ରାଟ୍‌ ହେଲେ । ତାଙ୍କ ସମ୍ରାଟ୍‌ ଉଚିତ ଉଦାର ହୃଦୟରେ ଭେଦାଭେଦର ସ୍ଥାନ ନ ଥିଲା । ତେଣୁ ସେ ସର୍ବଧର୍ମର ସମନ୍ୱୟ ଗୋଟିଏ ସାର୍ବଜନୀନ ଧର୍ମ କଳ୍ପନା କରି, ନିଜେ ପୁରୋଧାସ୍ୱରୂପ ନିଜ ବିଶାଳ ରାଜ୍ୟରେ ସେ ଧର୍ମର ପ୍ରଚାର କରିବାକୁ ଯତ୍ନ କରିଥିଲେ । ଏଥିଲାଗି ସେ ମୁସଲମାନମାନଙ୍କଦ୍ୱାରା ଘୃଣିତ, ଲାଞ୍ଛିତ ହୋଇଛନ୍ତି ସତ, କିନ୍ତୁ ସେଥିଲାଗି ସେ ଇତିହାସରେ ଅଦ୍ୟାବିଧି ପ୍ରଶଂସିତ । ସର୍ବସାଧାରଣ ପ୍ରଜାଙ୍କ ପ୍ରିୟ ହେବା ନିମନ୍ତେ ତାଙ୍କର ଏ ଚେଷ୍ଟା ସମସ୍ତ ରାଜା ଓ ଚକ୍ରବର୍ତ୍ତୀଙ୍କ ଅନୁକରଣୀୟ । ଆଓରଙ୍ଗଜେବଙ୍କଠାରେ ଏ ଉଦାରତାର ଲେଶ ନ ଥିଲା । ସେ ଭାବୁଥିଲେ, ‘‘ମୁସଲମାନ ଧର୍ମହି ଏକମାତ୍ର ଧର୍ମ । ଯେଉଁମାନେ ମୁସଲମାନ ନୁହଁନ୍ତି, ସେମାନେ ଅଭିଶପ୍ତ’’ । ଏହି ଧର୍ମାନ୍ଧତାରେ ସେ ହିନ୍ଦୁମାନଙ୍କୁ ଘୃଣା କରୁଥିଲେ, ଜୈନ, ଖ୍ରୀଷ୍ଟାନମାନଙ୍କୁ ନିଜଠାରୁ ପୃଥକ୍‌ ଦେଖୁଥିଲେ । ଫଳରେ ଆକବରଙ୍କ ଉଦାରତାରେ ଅନୁରକ୍ତ ହୋଇ, ଯେଉଁ ହିନ୍ଦୁମାନେ, ଜୈନ, ଖ୍ରୀଷ୍ଟାନମାନେ ମୋଗଲ ସାମ୍ରାଜ୍ୟ ଗଠନ ଓ ପରିଚାଳନାରେ ପ୍ରଧାନ ସହାୟକ ହୋଇଥିଲେ, ଆଓରଙ୍ଗଜେବଙ୍କ ଅବିଶ୍ୱାସ ଓ ଘୃଣା ସେମାନଙ୍କୁ ଶତ୍ରୁ କରି, ସାମ୍ରାଜ୍ୟ ପତନର ପ୍ରଧାନ କାରଣ ହେଲା ।

 

ରାଷ୍ଟ୍ରନୀତି ଓ ନୈତିକତା ବା ପାରମାର୍ଥିକତା ବିଭିନ୍ନ ବସ୍ତୁ ନୁହେଁ । ନୈତିକଭିତ୍ତି ଉପରେ ପ୍ରତିଷ୍ଠିତ ନ ହେଲେ, ରାଷ୍ଟ୍ରନୀତି ଲୋକପ୍ରିୟ ଓ ସ୍ଥାୟୀ ହୋଇ ନ ପାରେ । ଆକବର ଏହା ବୁଝିଥିଲେ । ଶାସନତନ୍ତ୍ରକୁ ଧର୍ମରେ ଅନୁପ୍ରାଣିତ କରିବାର ଚେଷ୍ଟା ନିମନ୍ତେ, ସେ କେବଳ ଭାରତ କାହିଁକି, ସମଗ୍ର ପୃଥିବୀରେ ନରପତିମାନଙ୍କ ମଧ୍ୟରେ ଅନନ୍ୟସାଧାରଣ । ସେଥିପାଇଁ ସେ ପୁଣ୍ୟଶ୍ଳୋକ ନରପତିମାନଙ୍କ ମଧ୍ୟରେ ପୂଜିତ ହୋଇ ଆସୁଅଛନ୍ତି । କିନ୍ତୁ ରାଷ୍ଟ୍ରନୀତି ଆଓରଙ୍ଗଜେବଙ୍କ ପ୍ରତି ଗୋଟିଏ ବିଳାସ ବସ୍ତୁ ଥିଲା । ଧର୍ମ ଓ ନୈତିକତା ପରିବର୍ତ୍ତରେ କେବଳ ମିଥ୍ୟା, କପଟାଚାର, ଅବିଶ୍ୱାସ ସମଗ୍ର ରାଜ୍ୟଶାସନ ଘୋଟି ରହିଥିଲା । ଏପରିକି, ନିଜ ପ୍ରାଣର ପୁତ୍ରମାନଙ୍କୁ ମଧ୍ୟ ଆଓରଙ୍ଗଜେବ ଅବିଶ୍ୱାସ କରୁଥିଲେ ।

 

ଆକବର ପାଣ୍ଡିତ୍ୟପ୍ରିୟ ଥିଲେ । ତାଙ୍କ ରାଜସଭା ପଣ୍ଡିତ ଓ ଗୁଣିଗଣମଣ୍ଡିତ ଥିଲା । କିନ୍ତୁ ଆଓରଙ୍ଗଜେବ ଗୁଣର ଚିର ବିରୋଧୀ । କୌଣସିଠାରେ ପାଣ୍ଡିତ୍ୟର ବିକାଶ, ବୁଦ୍ଧିର ପ୍ରଖରତା, କଳ୍ପନାର ବୈଚିତ୍ର୍ୟ ଦେଖିଲେ, ତାଙ୍କ ପ୍ରାଣ ଭୟ, ଆଶଙ୍କାରେ ଥରିଯାଉ ଥିଲା । ସେ ଭାବୁଥିଲେ, ‘ସେଗୁଡ଼ିକ ରାଜ୍ୟ ବିଦ୍ରୋହରେ କାଳେ ପ୍ରଯୁକ୍ତ ହୋଇପାରେ’ । ସୁତରାଂ ଗୁଣର ପୁରସ୍କାରରେ ତାଙ୍କଠାରୁ ଅବିଶ୍ୱାସହିଁ ମିଳୁଥିଲା । ଏପରି କି, ଜଣେ ପ୍ରସିଦ୍ଧ ଇତିହାସ ଲେଖକ ଖାଫି ଖାଁ ନିଜର ଲିଖିତ ଇତିହାସ ଆଓରଙ୍ଗଜେବଙ୍କ ଜୀବିତାବସ୍ଥାରେ ପ୍ରକାଶ କରିବାକୁ ସାହସ କରି ନ ଥିଲେ । ତାହା ଆଓରଙ୍ଗଜେବଙ୍କ ମୃତ୍ୟୁପରେ ପ୍ରକାଶିତ ହେଲା ।

 

ଏହିପରି ମିଥ୍ୟା, ପ୍ରବଞ୍ଚନା, ଅବିଶ୍ୱାସ ଶାସନର ଅବଲମ୍ୱନ ହେଲେ, ସାମ୍ରାଜ୍ୟ କେତେଦିନ ତିଷ୍ଠିପାରେ ? ଆଓରଙ୍ଗଜେବ ଆପଣାର କୁବୁଦ୍ଧି ଓ ଦୁର୍ନୀତି ଦୋଷରେ ସୁମହତ ମୋଗଲ ସାମ୍ରାଜ୍ୟର ଗୌରବ ନଷ୍ଟ କରି, ତାହାର ଧ୍ୱଂସର କାରଣ ହେଲେ । ଅନ୍ତିମ ଜୀବନରେ ଆଓରଙ୍ଗଜେବ ନିଜର ଜୀବନବ୍ୟାପୀ ଏ ମହାଭ୍ରମ ବୁଝିପାରି, ଦୁଃଖ ପ୍ରକାଶ କରିଥିଲେ । ଶିବାଜୀଙ୍କୁ ଲକ୍ଷ୍ୟ କରି ସେ କହିଥିଲେ, ‘‘ଶିବାଜୀ ଏକ ବିଶାଳ ଓ କ୍ଷମତାଶାଳୀ ସାମ୍ରାଜ୍ୟ ଗଢ଼ିବାରେ ଲାଗିଛନ୍ତି; ମାତ୍ର ମୁଁ ମୋର ସାମ୍ରାଜ୍ୟ ଭାଙ୍ଗିବାର ମୂଳ କାରଣ ହୋଇଛି ।” ଏ ଜ୍ଞାନୋଦୟ ଆହୁରି ଟିକିଏ ଆଗରୁ ହୋଇଥିଲେ, ଆକବରଙ୍କର ସେ ଉଦାର, ସମୃଦ୍ଧିଶାଳୀ, ଲୋକପ୍ରିୟ ମୋଗଲଶାସନ ଅଦ୍ୟାବଧି ଭାତରରେ ବିଦ୍ୟମାନ ଥିବାରେ ସନ୍ଦେହ ନ ଥିଲା ।

Image

 

ଦୁର୍ଗାପୂଜା

 

ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଦୁର୍ଗାଙ୍କ ସ୍ଥାନ–ପୂଜାର ଆଦିସୃଷ୍ଟି–ପୂଜାର ବର୍ଣ୍ଣନା ।

 

ହିନ୍ଦୁ ଚିରକାଳ ଦୁର୍ଗାଙ୍କୁ ଉଚ୍ଚସ୍ଥାନ ଦେଇ ଆସିଅଛି । ଦୁର୍ଗା ଏ ସୃଷ୍ଟିର ଆଦ୍ୟା ଶକ୍ତି । ପାପର ପ୍ରଭାବ ସମୟରେ ଯେତେବେଳେ ଇନ୍ଦ୍ର, ବରୁଣ, ବିଷ୍ଣୁ, ଶଙ୍କର ପ୍ରଭୃତିଙ୍କର ଶକ୍ତି ପରାଭୂତ ହୁଏ ସେତିକିବେଳେ ଦୁର୍ଗାଙ୍କର ଶକ୍ତି ଲୋଡ଼ା ପଡ଼େ । ଦୁର୍ଗା କରାଳରୂପିଣୀ । ଜଗତର ଦୁଃଖ ଦୁର୍ଗତି ଦୂର କରିବାପାଇଁ ତାଙ୍କର ଏ ଭୀଷଣ ମୂର୍ତ୍ତି । ସିଂହ ବାହନରେ ବସି, ଦଶଭୁଜରେ ଖଣ୍ଡା, ଖର୍ପର ପ୍ରଭୃତି ବିବିଧ ଆୟୁଧ ଧରି, ସେ ପାଦତଳରେ ମହିଷାସୁରକୁ ଦଳୁ ଅଛନ୍ତି । ଏପରି ଶକ୍ତିମୟୀ ଦେବୀଙ୍କର କଳ୍ପନା ହିନ୍ଦୁର ଦେବତାମାନଙ୍କ ମଧ୍ୟରେ ଆଉ ଦ୍ୱିତୀୟ ନାହିଁ । ପ୍ରଳୟ ସମୟର ସୃଷ୍ଟିରକ୍ଷା କରିବାକୁ ଏହିପରି ଶକ୍ତିର ଲୋଡ଼ା । ଦୁର୍ଗାଙ୍କର ଏହି ଶକ୍ତିରେ ଆଶ୍ରୟ ନେଇ, ହିନ୍ଦୁ ନିଜକୁ ଯାବତୀୟ ଦୁଃଖ ବିପଦରୁ ନିରାପଦ ମଣିଅଛି । ସେହି ହେତୁରୁ ତାଙ୍କର କରାଳ ମୂର୍ତ୍ତିରେ ଭୀତ ନ ହୋଇ, ତାଙ୍କୁ ମା’ ବୋଲି ଡାକି ପାରିଅଛି । ମାତୃପୂଜା ଜଗତର ସର୍ବଶ୍ରେଷ୍ଠ ପୂଜା-। ଦୁର୍ଗାଙ୍କୁ ଆଜି ହିନ୍ଦୁ ମହିଷମର୍ଦ୍ଦିନୀ, ସିଂହବାହିନୀ, ଦଶଭୂଜା ରୂପରେ ପୂଜା କରେ ସତ, କିନ୍ତୁ ମା’ ବୋଲି ଡାକିଲାବେଳେ ତାର ପ୍ରାଣରେ କି ମଧୁର ସ୍ୱର୍ଗୀୟ ଭାବ ଖେଳିଯାଏ !

 

ଦୁର୍ଗାପୂଜା ଭାରତର ଗୋଟିଏ ଅତି ପ୍ରାଚୀନ ଅନୁଷ୍ଠାନ । ରାମଚନ୍ଦ୍ର ଲଙ୍କାବିଜୟରେ ବାହାରିଲାବେଳେ ଦୁର୍ଗାଙ୍କର ଆରାଧନା କରି, ଦାରୁଣ ଦୁର୍ଗତିରୁ ନିଷ୍କୃତି ଲଭିଥିଲେ । ସେହିଦିନଠାରୁ ପ୍ରତ୍ୟେକ ହିନ୍ଦୁ ପରିବାରରେ ଦୁର୍ଗାଙ୍କର ଆରାଧନା ଚଳି ଆସିଅଛି ।

 

ଭାରତର ଅନେକ ସ୍ଥାନରେ ଦୁର୍ଗାପୂଜା ମହାସମାରୋହରେ ଅନୁଷ୍ଠିତ ହୁଏ । ଆଶ୍ୱିନ କୃଷ୍ଣ ଅଷ୍ଟମୀ ଦିନରୁ ଆରମ୍ଭ ହୋଇ ଷୋଳଦିନ ପରେ ଶୁକ୍ଳ ଦଶମୀ ଅଥବା ଦଶହରା ଦିନ ପୂଜାକାର୍ଯ୍ୟ ଶେଷ ହୁଏ । ବଡ଼ ବଡ଼ ପୀଠ ଏବଂ ବିଶିଷ୍ଟ ପରିବାର ବା ଗ୍ରାମମାନଙ୍କରେ ଷୋଳଦିନ ପୂଜା ହୋଇଥାଏ । କୌଣସି କୌଣସି ସ୍ଥାନରେ ଆଠଦିନ ପୂଜାହୁଏ । ସାଧାରଣତଃ ପରିବାରମାନଙ୍କରେ ‘ପାଞ୍ଚପୂଜା’ ବା ‘ତିନିପୂଜା’ ହୋଇଥାଏ । ଏ ସମୟରେ ହିନ୍ଦୁ ଗୃହମାନ ପ୍ରକୃତରେ ଦେବତାଙ୍କର ଅଧିଷ୍ଠାନ; ଗୋଟିଏ ଗୋଟିଏ କ୍ଷୁଦ୍ର ସ୍ୱର୍ଗପରି ବୋଧ ହେଉଥାଏ । ଘରଦ୍ୱାର ଶୁଦ୍ଧ ଭାବରେ ଲିପାପୋଛା ହୋଇ ପରିଷ୍କୃତ ହୋଇଥାଏ । ଶରତ୍‌ କାଳରେ ଗଙ୍ଗଶିଉଳୀ, ଅପରାଜିତା, ମାଳତୀ ପ୍ରଭୃତି ନାନା ସୁଗନ୍ଧ ମନୋହର ଫୁଲ ଫୁଟେ । ପିଲାମାନେ ରାତି ନ ପାହୁଣୁ ପବିତ୍ରପ୍ରାଣରେ ଯାଇ ମହାଆଗ୍ରହରେ ଫୁଲ ସଂଗ୍ରହ କରି ଆଣନ୍ତି । ଦେବୀଙ୍କର ସ୍ଥାନ ଏହି ସବୁ ଫୁଲରେ ଆଚ୍ଛାଦିତ ହୋଇଥାଏ । ଧୂପ, ଦୀପ, ନୈବେଦ୍ୟର ଗନ୍ଧରେ ଚତୁର୍ଦ୍ଦିଗ ମହକି ଉଠୁଥାଏ । ଘଣ୍ଟି, ଘଣ୍ଟା ଓ ଶଙ୍ଖର ଧ୍ୱନିରେ ପ୍ରାଣ ନାଚି ଉଠେ । ପୂଜାର ପ୍ରତିଦିନ ପ୍ରତ୍ୟେକ ଧୂପର ଶେଷରେ ଗୃହୀ ଦେବୀପ୍ରସାଦ ଭୋଜନ କରିବାକୁ ଆତ୍ମୀୟ ସ୍ୱଜନମାନଙ୍କୁ ନିମନ୍ତ୍ରଣ କରି ଆଣନ୍ତି ।

 

ଏତ ଗଲା ପରିବାର ବିଶେଷର ପୂଜା । ଗ୍ରାମର ସମଷ୍ଟିପୂଜାରେ ଗ୍ରାମଦେବତୀଙ୍କ ନିକଟରେ ଛେଳି, ମଇଁଷି ପ୍ରଭୃତି ବଳି ପଡ଼ନ୍ତି । ଏହା ଅବଶ୍ୟ ଗୋଟିଏ ଭୀଷଣ ଦୃଶ୍ୟ । ଦେଖିଲେ ଅନେକଙ୍କ ପ୍ରାଣରେ ଦୁଃଖ ଅନୁକମ୍ପା ଜନ୍ମି ପାରେ । କିନ୍ତୁ ବଳିଦାନ ଭାରତର ଗୋଟିଏ ପ୍ରାଚୀନ ଅନୁଷ୍ଠାନ । ହିନ୍ଦୁ ଏହାକୁ ଦେବୀପୂଜା ସଙ୍ଗରେ ବାନ୍ଧି ରଖିଅଛି । କରାଳମୂର୍ତ୍ତି ସିଂହବାହିନୀ ମହିଷମର୍ଦ୍ଦିନୀଙ୍କର ପରିତୃପ୍ତି ରକ୍ତପାନ ବ୍ୟତୀତ ଅନ୍ୟ କାହିଁରେ ହୋଇ ନ ପାରେ । ସମ୍ଭବତଃ ହିନ୍ଦୁର ଏହି ବିଶ୍ୱାସହିଁ ବଳିଦାନର ମୂଳରେ ରହିଅଛି । ସହରମାନଙ୍କରେ ଏସବୁ ପ୍ରକାର ପୂଜା ହେବା ସଙ୍ଗେ ସଙ୍ଗେ, ଆହୁରି କେତେ ପ୍ରକାର ଅନୁଷ୍ଠାନ ଦେଖାଯାଏ । ମାଟିରେ ଦୁର୍ଗାମୂର୍ତ୍ତିମାନ ତିଆର ହୋଇଥାନ୍ତି । ନାନାପ୍ରକାର ସୁନ୍ଦର ଭୂଷଣରେ ମୂର୍ତ୍ତିଗୁଡ଼ିକ ଝଟକି ଉଠୁଥାଏ । କୌଣସି କୌଣସି ମୂର୍ତ୍ତି ସାନ, ଆକୃତିରେ ସାଧାରଣ ମନୁଷ୍ୟ ପରି । କିନ୍ତୁ ବଡ଼ ବଡ଼ ପ୍ରକାଣ୍ଡ ମୂର୍ତ୍ତିମାନ ମଧ୍ୟ ଦେଖାଯାନ୍ତି । ପୁରୀ କଟକ ପ୍ରଭୃତିରେ ୮ । ୧୦ ହାତ ଉଚ୍ଚ ମୂର୍ତ୍ତିମାନ ତିଆରି ହୁଏ । ମୂର୍ତ୍ତିଗୁଡ଼ିକର ଷୋଢ଼ଶୋପଚାରରେ ପୂଜା ହେଲା ପରେ, ଦାଶହରା ବାସି ଦିନ ସେମାନଙ୍କୁ ନଗର ବୁଲାଇ ପାଣିରେ ‘ବିସର୍ଜନ’ କରନ୍ତି ।

 

ହିନ୍ଦୁର ବାରମାସରେ ତେର ଯାତ୍ରା । ଦୋଳ, ଚନ୍ଦନ, ସ୍ନାନଯାତ୍ରା ପ୍ରଭୃତି ପ୍ରତ୍ୟେକ ପର୍ବପଞ୍ଜିକାରେ ଗୋଟିଏ ଗୋଟିଏ ପ୍ରସିଦ୍ଧ ଉତ୍ସବ । କିନ୍ତୁ ଦୁର୍ଗାପୂଜା ଏ ସବୁ ଉତ୍ସବମାନଙ୍କଠାରୁ ଭିନ୍ନ । ଏଥିରେ ଧନୀ ଦରିଦ୍ର, ଉଚ୍ଚ ନୀଚ, ସମସ୍ତେ ସମପ୍ରାଣରେ ଯୋଗ ଦେଇଥାନ୍ତି । ଚିର ପ୍ରବାସିମାନେ ଅବସର ଘେନି ପୂଜାକୁ ଗ୍ରାମକୁ ଆସନ୍ତି ଏବଂ ସ୍ୱଜନ ପରିବାରଙ୍କ ସହିତ ଗ୍ରାମର ଆମୋଦପ୍ରମୋଦରେ କେତେଦିନ ନିଜକୁ ମିଶାଇ ଦିଅନ୍ତି । ଏ ସମୟରେ କେବଳ ଯେ ମୂର୍ତ୍ତିପୂଜା ହୁଏ, ତାହା ନୁହେଁ । ବ୍ୟବସାୟର ପାର୍ଥକ୍ୟ ଅନୁସାରେ ଯାହା ଯାହାର ପ୍ରଧାନ ହାତ ହତିଆର, ସେଗୁଡ଼ିକର ମଧ୍ୟ ପୂଜା ହୁଏ । ବ୍ରାହ୍ମଣ କରଣମାନେ ପୋଥି, ଲେଖନ, କଲମ ପ୍ରଭୃତି ପୂଜା କରନ୍ତି; କ୍ଷତ୍ରିୟ, ଖଣ୍ଡାଏତମାନେ ଖଣ୍ଡା, ଧନୁ, ତୀର ପ୍ରଭୃତି ବସାଇ ପୂଜା କରନ୍ତି; ବଢ଼େଇ ତାହାର କରତ, ଲିହଣ, କମାର ତାହାର ହାତୁଡ଼ି, ଗୁଡ଼ିଆ; ତାହାର ଚଟୁ ଏବଂ ଚଷା ଲଙ୍ଗଳ, ଲୁହା, ଦା ପ୍ରଭୃତିର ପୂଜା କରେ । ପୂଜା ଶେଷ ହେଲେ ଦଶହରା ଦିନ ପୂଜା ପାଇଥିବା ହାତ ହତିଆର ଘେନି, ପ୍ରତ୍ୟେକେ ନୂତନ ବର୍ଷରେ ନୂତନ ଉଦ୍ୟମରେ କାର୍ଯ୍ୟରେ ଲାଗିଯାନ୍ତି ।

Image

 

ଆଜ୍ଞାନୁବର୍ତ୍ତିତା

(ବିଶ୍ୱ ବିଦ୍ୟାଳୟ ପ୍ରଶ୍ନ)

 

ଏହା ସୃଷ୍ଟିର ନିୟମ–ଆବଶ୍ୟକତା, ମାନସିକ, ନୈତିକ ବିକାଶ ନିମନ୍ତେ–ଗୃହ, ସମାଜ, ବିଦ୍ୟାଳୟ ପ୍ରଭୃତିରେ-କିପରି ଅଭ୍ୟାସ କରିବାକୁ ହେବ- ଅଜ୍ଞାନୁବର୍ତ୍ତିତା ଓ ପରାଧୀନତା ।

 

ସମସ୍ତ ସୃଷ୍ଟି ଏକ ନିୟମରେ, କି ଏକ ପରମ ଆଦେଶରେ, ପରିଚାଳିତ । ଦିନ ରାତିର ପରିବର୍ତ୍ତନ, ଗ୍ରୀଷ୍ମ ପରେ ବର୍ଷା, ବୀଜରୁ ଅଙ୍କୁରୋଦ୍ଗମ ପ୍ରଭୃତି ପ୍ରକୃତିର ସକଳ କାର୍ଯ୍ୟରେ ଏହି ଆଦେଶ ଲକ୍ଷିତ ହୁଏ । ଏହି ଆଦେଶ ପାଳନରେ ସୃଷ୍ଟି, ସ୍ଥିତି, ଲୟ ପ୍ରଭୃତି ସୃଷ୍ଟିର ପ୍ରତ୍ୟେକ କ୍ରିୟା ନିୟନ୍ତ୍ରିତ ।

 

ଆଦେଶ ମାନି ଚଳିବା ଜଡ଼ ପ୍ରକୃତିରେ ଯେପରି ଆବଶ୍ୟକ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ମଧ୍ୟ ସେହିପରି ଆବଶ୍ୟକ । ଶିଶୁ ଜନ୍ମ ହେଲା ପରେ ତାକୁ ଜଡ଼ ଜଗତର କେତେକ ନିୟମର ଅଧୀନ ହୋଇ ଚଳିବାକୁ ହୁଏ । କିନ୍ତୁ ତାର ମନୁଷ୍ୟତାର ବିକାଶ ପକ୍ଷରେ କେବଳ ଜଡ଼ ଜଗତର ନିୟମ ଯଥେଷ୍ଟ ନୁହେଁ । ମାନସିକ ଓ ନୈତିକ ଉନ୍ନତି ନିମନ୍ତେ ତାହାକୁ ପିତା ମାତା ଗୁରୁଜନଙ୍କର ଆଦେଶ ଅନୁସାରେ ଚଳିବାକୁ ହେବ । ପୁଣି ଯେତେବେଳେ ବୟୋବୃଦ୍ଧି ସଙ୍ଗେ ଏହି ପ୍ରକାର ବାହ୍ୟିକ ଶାସନ ଆବଶ୍ୟକ ହୁଏ ନାହିଁ, ସେତେବେଳେ ଗୋଟିଏ ଆଦର୍ଶ ସ୍ଥାପନ କରିବାକୁ ହୁଏ । ତେଣିକି ସେହି ଆଦର୍ଶର ଆଦେଶରେ ଚଳିବାହିଁ ତାର ଜୀବନର ନୀତି ହୁଏ । ଆଦର୍ଶକୁ ଗୁରୁରୂପେ ବରଣ କରି,ସେ କେତେବେଳେ ତାର ଉପଦେଶ, କେତେବେଳେ ବା କଠୋର କଶାଘାତ, ଆନନ୍ଦରେ ଗ୍ରହଣ କରେ । ଯାହାର ଆଦର୍ଶ ଯେତିକି ଉନ୍ନତ, ତାହାର ମନୁଷ୍ୟତାର ବିକାଶ ପକ୍ଷରେ ସେହି ଆଦର୍ଶର ଆଦେଶ ତେତିକି ଅଧିକ ସାହାଯ୍ୟ କରେ । ନିଉଟନଙ୍କର ଜ୍ଞାନର ଆଦର୍ଶ ଅତି ଉଚ୍ଚ ହୋଇଥିବାରୁ ସେ କହୁଥିଲେ, ‘‘ମୁଁ ବାଳକ ତୁଲ୍ୟ ବେଳାଭୂମିରୁ ଉପଳଖଣ୍ଡ ମାତ୍ର ସଂଗ୍ରହ କରିଅଛି,’’ ଏବଂ ଆଦର୍ଶର ନିଦେଶ ବାଳକ ତୁଲ୍ୟ ସରଳ ପ୍ରାଣରେ ଗ୍ରହଣ କରିଥିବାରୁ ସେ ଜୀବନକୁ ଏତେ ମହତ୍‌ କିରପାରି ଥିଲେ । ଉପଯୁକ୍ତ ଗୁରୁର ଆଦେଶପାଳନହିଁ ପ୍ରକୃତ ଜୀବନ ।

 

ଶୈଶବରୁ ମନୁଷ୍ୟକୁ ଆଦେଶ ମାନି ଚଳିବାକୁ ହୁଏ । ପରିବାର ମଧ୍ୟରେ ଭାଇ, ଭଉଣୀ, ପିତା ମାତାଙ୍କର ସ୍ନେହମୟ ଆଦେଶର ବଶବର୍ତ୍ତୀ ହୋଇ ଚଳୁଥିବାରୁ ପାରିବାରିକ ବନ୍ଧନ ଦୃଢ଼ ହୁଏ ଏବଂ ତହିଁରେ ସୁଖ ଶାନ୍ତି ପୂରି ରହେ । ଯେଉଁ ଗୃହରେ ପୁତ୍ର ପିତାର, ପତ୍ନୀ ସ୍ୱାମୀର, ସାନ ଭାଇ ବଡ଼ ଭାଇର ଆଦେଶରେ ନ ଚଳେ ଏବଂ ଯେଉଁଠାରେ ପରସ୍ପର ପ୍ରତି ସ୍ନେହ ମମତା ନ ଥାଏ, ସେ ଗୃହ ନରକରୁ ଭୟଙ୍କର । ଗୃହରେ ଯେପରି ପିତାମାତାଙ୍କର ଆଦେଶ ମାନି ଚଳିବାକୁ ହୁଏ, ବିଦ୍ୟାଳୟରେ ସେହିପରି ଶିକ୍ଷାର୍ଥିମାନଙ୍କର ଶିକ୍ଷକଙ୍କ ଆଦେଶ ଅନୁସରଣ କରିବା ଉଚିତ । ସମାଜରେ ମଧ୍ୟ ସେହିପରି ଆଜ୍ଞାନୁବର୍ତ୍ତିତା ଆବଶ୍ୟକ । ଆମ୍ଭେମାନେ ଯେତେବେଳେ କହୁଁ, ‘‘ମହତି ହେବତା ହ୍ୟେଷା ନରରୂପେଣ ତିଷ୍ଠତି,’’ ସେତେବେଳେ ବୁଝୁ ଯେ, ରାଜାଙ୍କର ଆଦେଶକୁ ଦେବତାଙ୍କର ଆଦେଶ ପରି ପାଳନ କରିବାକୁ ହେବ । କେବଳ ସେତିକି ନୁହେଁ, ସମାଜରେ ଯାହାଙ୍କୁ ନାୟକ ବୋଲି ଧରାଯାଏ ତାଙ୍କ ଆଦେଶରେ ନ ଚଳିଲେ ସମାଜର ସ୍ଥିତି ଅସମ୍ଭବ । ସମାଜ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଅଭିମତ ଅଥବା ଅଭିରୁଚି ଅନୁସାରେ ନିରଙ୍କୁଶ ଭାବରେ କାର୍ଯ୍ୟ କରିଗଲେ, ସମାଜର ସମଷ୍ଟିଜୀବନ ଆଦୌ ହୋଇ ପାରିବ ନାହିଁ ।

 

ଜୀବନର ଆଜ୍ଞାନୁବର୍ତ୍ତୀ ହେବାକୁ ହେଲେ, ଆଜ୍ଞାନୁବର୍ତ୍ତିତା ଅଭ୍ୟାସ କରିବା ପ୍ରୟୋଜନ-। ପିତା ମାତା ଗୁରୁଜନମାନେ ଯାହା କହନ୍ତି, ତାହା ଧୀରଭାବରେ ଶୁଣି, ସେ ଅନୁସାରେ ଜୀବନକୁ ପରିଚାଳନ କରିବା, ଆଜ୍ଞାନୁବର୍ତ୍ତୀ ହେବାର ପ୍ରଥମ ସୋପାନ । ଆଦେଶପାଳନ ପ୍ରଥମରେ ଗୃହମଧ୍ୟରୁ ଆରମ୍ଭ ହୁଏ । ସେଥିପାଇଁ ଗୃହ ମନୁଷ୍ୟର ପ୍ରଥମ ବିଦ୍ୟାଳୟ । ଗୃହମଧ୍ୟରେ ପିତାମାତାଙ୍କ ଆଦେଶ ଅନେକ ସମୟରେ କଠୋର ହେଲେ ସୁଦ୍ଧା, ତହିଁରେ ସ୍ନେହ, ପ୍ରୀତି ମିଶା ହୋଇଥାଏ । ସେଥିପାଇଁ ସେ ଆଦେଶ ପାଳନ କଲାବେଳେ ଆଦେଶର କଠୋରତା ଅନୁଭବ କରି ହୁଏ ନାହିଁ । ସୁତରାଂ ଆଦେଶ ପାଳନ ପ୍ରତି ଦୂରାଗ୍ରହ ଆସେ ନାହିଁ । ପରିବାର ମଧ୍ୟରେ ଏହିପରି ମଧୁର-ଆଦେଶ-ପାଳନରେ ଅଭ୍ୟସ୍ତ ହେଲାପରେ ତେଣିକି ଜଗତର କଠୋର ଆଦେଶ ଲୋଡ଼ି ନେବାକୁ ସ୍ୱତଃ ପ୍ରବୃତ୍ତି ଜନ୍ମିବ । ସର୍ବଦା ମନେ ରଖିବାକୁ ହେବ ଯେ, ‘ତୃଣାଦପି ସୁନୀଚ’ଠାରୁ ମଧ୍ୟ ଆମ୍ଭମାନଙ୍କର ଶିଖିବାର ଯଥେଷ୍ଟ ଅଛି । ବେଳେ ବେଳେ ସେହି ‘ତୃଣାଦପି ସୁନୀଚ’ର ଆଦେଶ ମଧ୍ୟ ସ୍ପୃହଣୀୟ ଓ ପାଳନୀୟ । ଆଦେଶ ସ୍ୱତଃ ମିଳିଲାବେଳେ କେବଳ ନିଶ୍ଚେଷ୍ଟ ଭାବରେ ତାହାକୁ ଗ୍ରହଣ କରି ସନ୍ତୁଷ୍ଟ ରହିବାର ନୁହେଁ । ବରଂ ସର୍ବଦା ଚେଷ୍ଟା କରି ଜୀବନରେ ନୂତନ ନୂତନ ଆଦେଶ ପାଇବାର ପନ୍ଥା ଲୋଡ଼ିବାକୁ ହେବ । ଏହିଭଳି ଆଦେଶ ପାଳନରେ ଯେ ନିଜର ଜୀବନକୁ ଗଢ଼ିଅଛି, ଅପରକୁ ଆଦେଶ ଦେବାରେ କେବଳ ତାହାରି ଅଧିକାର । ସେହିଭଳି ଲୋକ ଦିନେ ଜନନାୟକ ହୋଇ ପାରନ୍ତି ।

 

ଆଜ୍ଞାନୁବର୍ତ୍ତିତା ଭାରତବାସିର ରକ୍ତମାଂସଗତ ହୋଇ ଯାଇଅଛି । ରାମଙ୍କର ବନବାସ, ଏକଲବ୍ୟର ଅଙ୍ଗୁଳିଦାନରୁ ଆରମ୍ଭ କରି ଦୈନନ୍ଦିନ ଜୀବନରେ ସ୍ମୃତି ସଂହିତାର କଠୋର ନିଦେଶ ପର୍ଯ୍ୟନ୍ତ କେଉଁଠାରେ ଆଜ୍ଞାନୁବର୍ତ୍ତିତା ରହିନାହିଁ ? ଆଜିକାଲି ପାଶ୍ଚାତ୍ୟ ଦେଶରେ ଆଜ୍ଞାନୁବର୍ତ୍ତିତାର ଉଜ୍ଜ୍ୱଳ ନିଦର୍ଶନ ବିଶେଷ ଦେଖାଯାଏ । ସେନାପତିର ଆଦେଶ ମାତ୍ରକେ ସହସ୍ର ସହସ୍ର ସୈନିକ ସମ୍ମୁଖଯୁଦ୍ଧରେ ପ୍ରାଣ ଦେଉଅଛନ୍ତି । ଜାହାଜ ବୁଡ଼ିଗଲାବେଳେ ଚାଳକର ଆଦେଶରେ ସ୍ତ୍ରୀ ବାଳକମାନଙ୍କୁ ନୌକାରେ ପଠାଇ ଦେଇ, ଶତ ଶତ ଲୋକ ସମୁଦ୍ର ଗର୍ଭରେ ଆତ୍ମୋତ୍ସଗ କରୁଅଛନ୍ତି ।

 

ଅନେକ ମନେକରନ୍ତି ଯେ ଅନ୍ୟର ଆଦେଶରେ ଚଳିଲେ ଜୀବନର ସ୍ୱାଧୀନଚିନ୍ତା ଲୋପ ପାଏ । ସ୍ୱାଧୀନଚିନ୍ତା ଲୋପ ପାଇବା ଅବଶ୍ୟ ମନୁଷ୍ୟ ଜୀବନରେ ଅଳ୍ପ କ୍ଷତି ନୁହେଁ । ତାହା ଦାସତ୍ୱ ସଙ୍ଗେ ସମାନ । କିନ୍ତୁ ଆଜ୍ଞାନୁବର୍ତ୍ତିତା ବାସ୍ତବରେ ଦାସତ୍ୱ ନୁହେଁ । ଜୀବନରେ ସାଧନା, ସଂଯମ ଓ କୃତିତ୍ୱ ନିମନ୍ତେ ଯେତେବେଳେ ମନୁଷ୍ୟ ନିଜ ଇଚ୍ଛାରେ ଅନ୍ୟର ଆଦେଶ ବରଣ କରି ଆଣେ, ସେଥିରେ ତାହାର ସ୍ୱାଧୀନତା ସ୍ଥୂଳ ବିବେଚନାରେ ଲୋପ ପାଇଲା ପରି ଜଣାପଡ଼ୁଥିଲେ ସୁଦ୍ଧା, ପ୍ରକୃତ ପକ୍ଷରେ ତାହା ଲୋପ ପାଏ ନାହିଁ; ବରଂ ଉତ୍ତରୋତ୍ତର ବିକଶିତ ହୁଏ । ଅସଂଯତ ଇଚ୍ଛାକୁ ଆଦେଶରେ ଦମନ କଲେ, ତହିଁରୁ ସ୍ୱାଧୀନ ଜୀବନ ଫୁଟି ଉଠେ । ସୁନାକୁ ପୋଡ଼ିଲେ ତାହାର ବର୍ଣ୍ଣ ଫିଟେ । ପେଣ୍ଡୁକୁ ଯେତିକି ଯୋରରେ ତଳକୁ ମରାଯାଏ, ତେତିକି ଯୋରରେ ତାହା ପୁଣି ଉପରକୁ ଉଠେ । ସେହିପରି ଯେ ଯେତିକି ନିଜକୁ ସାନ କରି, ସଂଯମର କଠୋର ନିଗଡ଼ ମଧ୍ୟରେ ଚଳାଇ ଅଛି, ସେ ସେତିକି ବଡ଼ ହୋଇଅଛି ।

 

ପୁରୀ ନଗରୀ

 

ଅବସ୍ଥାନ-ଇତିହାସ-ଅଧିବାସୀ-ପ୍ରଧାନ ପ୍ରଧାନ ଅନୁଷ୍ଠାନ-ଦୃଶ୍ୟ-ସ୍ୱାସ୍ଥ୍ୟ-ଭାବିଉନ୍ନତିର ସମ୍ଭାବନା ।

 

ପୁରୀ ଓଡ଼ିଶାର ଦକ୍ଷିଣ ପୂର୍ବ କୋଣରେ ସମୁଦ୍ରକୂଳରେ ୧୯।୪୮’ ଉତ୍ତର ଦ୍ରାଘିମା, ଓ ୮୫।୪୯’ ପୂର୍ବ ଅକ୍ଷାଂଶରେ ଅବସ୍ଥିତ । ଏହାର ପୂର୍ବ ଓ ଦକ୍ଷିଣରେ ବଙ୍ଗୋପସାଗର ଏବଂ ଉତ୍ତର ପଶ୍ଚିମରେ ଅଠରନଳା ନଈ । ଆୟତନ ପ୍ରାୟ ୫ ବର୍ଗ ମାଇଲ । ପୁରୀର ଆକାର ଅନେକ ପରିମାଣରେ ଶଙ୍ଖପରି ହୋଇଥିବାରୁ ଏହା ‘ଶଙ୍ଖକ୍ଷେତ୍ର’ରୂପେ ପରିଚିତ । ପୁରୀକୁ ଯାତାୟାତର ସକଳ ପ୍ରକାର ସୁବିଧା ଅଛି । ଜଗନ୍ନାଥ ସଡ଼କ ବହୁକାଳରୁ ଯାତ୍ରିମାନଙ୍କ ନିକଟରେ ସୁପରିଚିତ । ଭାରତର ନାନା ଅଞ୍ଚଳରୁ ଯାତ୍ରିମାନେ ଆଗେ ସେହି ବାଟେ ପୁରୀ ଆସୁଥିଲେ । ବର୍ତ୍ତମାନ ରେଲପଥରେ ପ୍ରାୟ ସମସ୍ତେ ଆସନ୍ତି । ବର୍ଷକେ ଥରେ ସମୁଦ୍ର ପଥରେ ଜାହାଜରେ ମଧ୍ୟ ଅନେକ ଯାତ୍ରୀ ଆସିଥାନ୍ତି । ଏହାଛଡ଼ା, ଓଡ଼ିଶାର ଦକ୍ଷିଣ ଅଞ୍ଚଳରୁ ନୌକାରେ ଚିଲିକା ପାରି ହୋଇ, ଅନେକେ ଆସନ୍ତି ।

 

ଜଗନ୍ନାଥ କ୍ଷେତ୍ର ପୁରାଣପ୍ରସିଦ୍ଧ । ମହାଭାରତ, ନୃସିଂହପୁରାଣ ପ୍ରଭୃତିରେ ଏହାର ଉଲ୍ଲେଖ ଅଛି । ଶ୍ରୀକ୍ଷେତ୍ର, ପୁରୁଷୋତ୍ତମ, ଜଗନ୍ନାଥ ଓ ପୁରୀ ନାମରେ ଏହା ଖ୍ୟାତ । ଏ ମଧ୍ୟରୁ ‘ପୁରୀ’ ନାମଟି ଆଧୁନିକ । ସମ୍ଭବତଃ ‘ପୁରୁଷୋତ୍ତମ ପୁରୀ’ ସଂକ୍ଷିପ୍ତ ହୋଇ ଏ ଆକାର ଧରିଅଛି । ସହରଟି ପ୍ରଥମେ ଏପରି ବଡ଼ ନ ଥିଲା । ପୁରୀରେ ଜଗନ୍ନାଥ ଥିବାରୁ କେତେକ ପଣ୍ଡା ପୂଜକ ସମୁଦ୍ର ନିକଟବର୍ତ୍ତୀ ବାଲୁକାମୟ ସ୍ଥାନରେ ପ୍ରଥମେ ବାସ କରୁଥିଲେ । ସେ ସ୍ଥାନକୁ ଆଜିଯାଏ ମଧ୍ୟ ‘ବାଲିସାହୀ’ ବୋଲି କୁହାଯାଉଅଛି । ନଗର କ୍ରମେ ଉତ୍ତର ପୂର୍ବଆଡ଼କୁ ବଢ଼ି, ବର୍ତ୍ତମାନ ଆକାର ଧାରଣ କରିଅଛି । ବାଣିଜ୍ୟର କେନ୍ଦ୍ର ବା ରାଜଧାନୀରୂପେ ସଚରାଚର ନଗରର ଉତ୍ପତ୍ତି । କିନ୍ତୁ ଜଗନ୍ନାଥହିଁ ପୁରୀନଗରୀର ମୂଳ । ତାଙ୍କରି ଯୋଗୁଁ ଏହାର ଉତ୍ପତ୍ତି ଓ ବିସ୍ତାର । ପ୍ରଥମେ ତୀର୍ଥରୂପେ ସ୍ଥାପିତ ହୋଇ, ପରେ ଯେତେବେଳେ ଗଙ୍ଗବଂଶୀୟ ରାଜାମାନଙ୍କର ରାଜଧାନୀରେ ପରିଣତ ହେଲା, ସେହି ସମୟରୁ ପୁରୀର ସମୃଦ୍ଧି ବଢ଼ିଅଛି । ବର୍ତ୍ତମାନ ପୁରୀ, ଜିଲ୍ଲାର ପ୍ରଧାନ ନଗର । ପୁରୀର ସ୍ଥାୟୀ ଅଧିବାସିଙ୍କ ସଂଖ୍ୟା ପ୍ରାୟ ବତିଶ ହଜାର । ଯାତ୍ରି-ସ୍ରୋତ ଅନବରତ ଲାଗିଥିବାରୁ ପ୍ରକୃତ ଲୋକସଂଖ୍ୟା ସର୍ବଦା ଏଥିରୁ ଅଧିକ । ଯାତ୍ରା ଉତ୍ସବ ସମୟରେ କୌଣସି କୌଣସି ବର୍ଷ ଲୋକସଂଖ୍ୟା ଏକଲକ୍ଷ ପର୍ଯ୍ୟନ୍ତ ହୋଇଯାଏ । ପୁରୀର ଅଧିବାସିମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ହିନ୍ଦୁ । ମୁସଲମାନଙ୍କ ସଂଖ୍ୟା ୪୦୦ରୁ ଊଣା ଏବଂ ଖ୍ରୀଷ୍ଟାନମାନଙ୍କ ସଂଖ୍ୟା ପ୍ରାୟ ୧୦୦ ଅଟେ । ସମୁଦ୍ରକୂଳବର୍ତ୍ତୀ ‘ରତ୍ନାକରପଡ଼ା’ ଯୋଗୁଁ ଲୋକସଂଖ୍ୟା ବର୍ତ୍ତମାନ କିଞ୍ଚିତ୍‌ ବଢ଼ିଅଛି । ରତ୍ନାକରପଡ଼ାର ଅଧିବାସିମାନେ ପ୍ରାୟ ସମସ୍ତେ ବଙ୍ଗୀୟ । ଏମାନଙ୍କୁ ଛାଡ଼ି ଦେଲେ, ପୁରୀର ଅନ୍ୟାନ୍ୟ ଅଧିବାସୀମାନଙ୍କୁ ଓଡ଼ିଆ କହିଲେ ଚଳେ । ଅତି ପ୍ରାଚୀନକାଳରୁ ପୁରୀ ସଂସ୍କୃତଚର୍ଚ୍ଚାର ଗୋଟିଏ ପ୍ରଧାନ କେନ୍ଦ୍ର । ବଡ଼ ବଡ଼ ପଣ୍ଡିତମାନେ ଆଗେ ଜ୍ଞାନ, ଦିଗ୍‌ବିଜୟ କାମନାରେ ପୁରୀକୁ ଆସୁଥିଲେ । ଶଙ୍କର, ଚୈତନ୍ୟ ପ୍ରଭୃତି ପୁରୀର ଗୁଣଗ୍ରାହିତାରେ ବଶୀଭୂତ ହୋଇ ଜୀବନର ବହୁ ସମୟ ଏଠାରେ କଟାଇ ଅଛନ୍ତି । ଓଡ଼ିଆଜାତିସୁଲଭ ସରଳତା ଯୋଗରୁ ପୁରୀରେ ବାସ ବସନର ଆଡ଼ମ୍ୱର ପୂର୍ବେ ନ ଥିଲା । ଅବସ୍ଥା ସଚ୍ଛଳ ଥିଲେ ମଧ୍ୟ ଲୋକେ ବିଳାସରେ ବୃଥା ଅର୍ଥବ୍ୟୟ କରୁ ନ ଥିଲେ । ବର୍ତ୍ତମାନ ପୁରୀର କେତେକ ଶ୍ରେଣୀର ଲୋକ କେବଳ ବିଳାସରେ ବୁଡ଼ି ରହି ଅଛନ୍ତି ।

 

ପୁରୀର ପ୍ରଧାନ ଅନୁଷ୍ଠାନ ମଧ୍ୟରେ ତାର ସାହୀଗୁଡ଼ିକ । ପୁରୀ ସହର ହେଲେ ମଧ୍ୟ ସାହୀ ସାହୀ ମଧ୍ୟରେ ପଲ୍ଲିସୁଲଭ ସୌହାର୍ଦ୍ର୍ୟ ରହିଅଛି । ‘ସାହୀ ଯାତ’ରେ ତାହା ବହୁ ପରିମାଣରେ ଜଣାପଡ଼େ । ଆଗେ ସାହୀଯାତ ପ୍ରତିବର୍ଷ ହେଉଥିଲା । ଏବେ କ୍ରମେ କ୍ରମେ ଲୋପ ପାଇଲାଣି । ଆଜିକାଲି ‘ଜାଗା ଘର’ଗୁଡ଼ିକ ଭାଜି ଯାଉଅଛି । କିନ୍ତୁ ଶାରୀରିକ ବଳାଧାନ ପକ୍ଷରେ ସେ ସବୁ ଚିରକାଳ, କେବଳ ପୁରୀକୁ କାହିଁକି, ସମସ୍ତ ଉତ୍କଳ ଦେଶକୁ ବିଶେଷଭାବରେ ସାହାଯ୍ୟ କରି ଆସିଅଛି । ଏଠାରେ ଅନେକଗୁଡ଼ିଏ ମଠ ଅଛି । ଏମାର, ଉତ୍ତରପାର୍ଶ୍ୱ, ଓଡ଼ିଆ, ବାଲିମଠ ପ୍ରଭୃତି ଏ ମଧ୍ୟରେ ପ୍ରଧାନ । ଏଗୁଡ଼ିକ ପୂର୍ବେ ଜ୍ଞାନ ଓ ଧର୍ମାଲୋଚନାର ଗୋଟିଏ ଗୋଟିଏ ପୀଠ ଥିଲା । ବର୍ତ୍ତମାନ ତାର ଆଭାସ କୌଣସି କୌଣସି ମଠରେ ଦେଖାଯାଏ । ବଡ଼ଦେଉଳ ଭାରତବର୍ଷରେ କେବଳ ଆକାରରେ ନୁହେଁ, ଖ୍ୟାତିରେ ମଧ୍ୟ ସବୁଠାରୁ ବଡ଼ । ଜଗନ୍ନାଥଙ୍କ ଦର୍ଶନପାଇଁ, ରାତି ପାହାନ୍ତିରୁ ରାତି ଅଧଯାଏ, ଲୋକେ ଦେଉଳକୁ ଯିବା ଆସିବା କରୁଥାନ୍ତି । ଏଠାରେ ପର୍ଯ୍ୟାପ୍ତ ପରିମାଣରେ ନାନାପ୍ରକାର ଭୋଗ ହୁଏ । ମହାପ୍ରସାଦ ବେଢ଼ା ମଧ୍ୟରେ ବିକ୍ରି ହେବାର ବନ୍ଦୋବସ୍ତ ଅଛି । ବାଇଶି ପାହାଚରେ ବସି, ଲୋକେ ଜାତିନିର୍ବିଶେଷରେ ଅଭଡ଼ା ଖାଇ ଥାଆନ୍ତି । ଜଗନ୍ନାଥଙ୍କର ଅନେକଗୁଡ଼ିଏ ଯାତ୍ରା ପର୍ବ ହୁଏ । ଏମଧ୍ୟରେ ଦୋଳ, ଚନ୍ଦନ, ଗୁଣ୍ଡିଚା, ଝୁଲଣ ପ୍ରଭୃତି କେତେଗୁଡ଼ିଏ ପ୍ରଧାନ । କେବଳ ବଡ଼ ଦେଉଳ ଯେ ପୁରୀର ଏକମାତ୍ର ତୀର୍ଥ, ତାହା ନୁହେଁ । ଜଗନ୍ନାଥଙ୍କୁ ଘେନି ସମୁଦ୍ର, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡ, ମଣିକର୍ଣ୍ଣିକା ପୁରୀର ପଞ୍ଚତୀର୍ଥ ହୋଇଅଛନ୍ତି ।

 

ଏ ସବୁ ତ ଗଲା, ପୁରୀର ପୁରାତନ ଅନୁଷ୍ଠାନ । ଏଗୁଡ଼ିକ ଛଡ଼ା ପୁରୀର କଚେରୀ, ଡାକ୍ତରଖାନା, ଇଂରେଜି ଓ ସଂସ୍କୃତ ସ୍କୁଲ ପ୍ରଭୃତି ନବ୍ୟ ଅନୁଷ୍ଠାନମାନ ଉଲ୍ଲେଖଯୋଗ୍ୟ । ସଂସ୍କୃତ ସ୍କୁଲ ଯୋଗୁଁ ପୁରୀର ପ୍ରାଚୀନ ସଂସ୍କୃତ ଶିକ୍ଷାର ଟେକ ବର୍ତ୍ତମାନ କେତେକ ପରିମାଣରେ ରହିଅଛି । ଇଂରାଜୀ ସ୍କୁଲରେ ଶିକ୍ଷା ପାଇ, ଅନେକ ଲବ୍ଧପ୍ରତିଷ୍ଟ ଲୋକ ବାହାରି ଅଛନ୍ତି ।

 

ପୁରୀର ଦୃଶ୍ୟ ଅତି ରମଣୀୟ । ଅଠରନଳା ଉପରେ ଛିଡ଼ା ହୋଇ, ଚାହିଁଲେ ଦିଗ୍‌ବଳୟ ପର୍ଯ୍ୟନ୍ତ କେବଳ ନାରୀକେଳ, ପୁନ୍ନାଗ, ରସାଳ ପ୍ରଭୃତିରେ ହରିତାୟମାନ ଦିଶେ । ମଧ୍ୟେ ମଧ୍ୟେ ପଲ୍ଲିସୁଲଭ ଶ୍ୟାମଳ ଶସ୍ୟକ୍ଷେତ୍ର । ସମଗରାଦହ ଗ୍ରୀଷ୍ମକାଳରେ ଶ୍ରୀହୀନ ହୋଇ ପଡ଼ିଥାଏ ସତ; ବର୍ଷାକାଳରେ ତାହାର ଶୋଭା ଅତି ମନୋହର । ଦେଖିଲେ ମନେହୁଏ, ଯେପରି ଦ୍ୱିତୀୟ ମହୋଦଧି । ତତ୍ପରେ ଅନ୍ୟଦିଗରେ ସମୁଦ୍ରର ଭୀମକାନ୍ତ ଦୃଶ୍ୟ । ଉତ୍ତାଳ ତରଙ୍ଗମାଳା ଅବିରତ ବାଲୁକାସ୍ତରଣରେ ଲୋଟି ଯାଉଅଛି । ସମୁଦ୍ରର କି ବିରାଟ ମୂର୍ତ୍ତି । ଦେଖିଲେ ଆଖି ପାଏ ନାହିଁ । ତହିଁ ସଙ୍ଗେ ପୁଣି ଗମ୍ଭୀର ଗର୍ଜ୍ଜନ ! ସମୁଦ୍ରକୂଳରୁ ସୂର୍ଯୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଅତି ରମଣୀୟ । ପ୍ରଭାତ ଓ ସନ୍ଧ୍ୟାର ଅରୁଣିମା ସମୁଦ୍ରର ନୀଳ ବକ୍ଷରେ ପ୍ରତିଫଳିତ ହୋଇ, ଭୂତଳରେ ସତେକି ଗୋଟିଏ ସଚଳ ଆକାଶ ସୃଷ୍ଟି କରେ ।

 

ପୁରୀ ସମୁଦ୍ରକୂଳରେ ଥିବାରୁ ଖରାଦିନରେ ବିଶେଷ ଗ୍ରୀଷ୍ମ, ଅଥବା ଶୀତ ଦିନରେ ବିଶେଷ ଶୀତ ହୁଏ ନାହିଁ । ସମୁଦ୍ରକୂଳର ଜଳବାୟୁ ସ୍ୱାସ୍ଥ୍ୟକର । ଏହି ପ୍ରଲୋଭନରେ ଅନେକ ବିଦେଶୀୟ ଆସି କ୍ରମେ ବସତି କରୁଅଛନ୍ତି । ଅବକାଶ ସମୟରେ ମଧ୍ୟ ଦଶ ପାଞ୍ଚ ଦିନ ନିମନ୍ତେ ଲୋକେ ଆସିଥାନ୍ତି । କିନ୍ତୁ ପୁରୀ ସହର ମଧ୍ୟରେ ଜଳବାୟୁ ଅନେକ ପରିମାଣରେ ଦୂଷିତ । ପାଣିରେ ଏପରି କିଛି ଦୋଷ ଅଛି ଯେ, ତାହା ଅଭ୍ୟାସ କରି ପିଇଲେ ବାତଜ୍ୱର ଗୋଦର ପ୍ରଭୃତି ରୋଗ ହୋଇଥାଏ । ଏହା ପୁରୀର ସ୍ଥାୟୀ ରୋଗ । ଏଥିରେ ଲୋକେ ହଠାତ୍‌ ମରି ନ ଗଲେ ସୁଦ୍ଧା, ଦୁର୍ବଳ ଓ ଅକର୍ମଣ୍ୟ ହେଉଅଛନ୍ତି । ତତ୍ପରେ ଯାତ୍ରାସମୟରେ ହଇଜା ପ୍ରବଳ ହୁଏ । ଏଥିରେ ଯାତ୍ରିମାନେ ବିଶେଷ ପରିମାଣରେ ମରନ୍ତି । କୌଣସି କୌଣସି ବର୍ଷ ସହରବାସିମାନେ ମଧ୍ୟ ଏହାର ଆକ୍ରମଣରେ ପଡ଼ିଥାନ୍ତି ।

 

ପୁରୀ ସହର ଯେପରି ଦିନକୁଦିନ ଆକାରରେ ବଢ଼ୁଅଛି, ସେହିପରି ବଢ଼ିଲେ ଅଳ୍ପ ସମୟ ମଧ୍ୟରେ ଏହା ଗୋଟିଏ ଅତି ବଡ଼ ସହର ହୋଇ ପଡ଼ିବ । ତତ୍ପରେ ରେଲ ଓ ଜାହାଜ ଉଭୟମାର୍ଗର ସୁବିଧା ଥିବାରୁ ପୁରୀକି ଗୋଟିଏ ବାଣିଜ୍ୟ କେନ୍ଦ୍ର କରାଯାଇପାରେ । ଆଜିକାଲି ଏହା ପୁରୀ ଜିଲାର ରାଜଧାନୀ ହୋଇଥିବାରୁ ଏହାର ପ୍ରାଧାନ୍ୟ ଟିକିଏ ବଢ଼ିଅଛି । ଏହାର ଅବସ୍ଥାନ ଓ ସାଧାରଣ ସ୍ୱାସ୍ଥ୍ୟଦୃଷ୍ଟିରେ ଏହା ଦିନେ ଓଡ଼ିଶାର ରାଜଧାନୀ ହୋଇପାରେ ବୋଲି କେହି କେହି ବିବେଚନା କରୁଅଛନ୍ତି । ବର୍ତ୍ତମାନ ଏ ପ୍ରଦେଶର ଛୋଟଲାଟ ବର୍ଷର କେତେକ ସମୟ ପୁରୀରେ କଟାଇବାକୁ ଆରମ୍ଭ କରିଅଛନ୍ତି । ପୁରୀ ଭାରି ଭାରତବିଖ୍ୟାତ ଧାମ ପକ୍ଷରେ ଏ ସବୁ ବଡ଼ କଥା ନୁହେଁ ବୋଲି କେହି କେହି କହିପାରନ୍ତି; କିନ୍ତୁ ପ୍ରାଚୀନ ଗୌରବ ସଙ୍ଗେ ଏହି ପ୍ରକାର ନବୀନ ଉତ୍କର୍ଷ ମିଶିଲେ ସ୍ଥାନର ମୂଲ୍ୟ ଓ ମହିମା ବାସ୍ତବିକ ବହୁ ପରିମାଣରେ ବଢ଼ିଥାଏ ।

Image

 

ଆତ୍ମତ୍ୟାଗ

 

ମନୁଷ୍ୟର ପଶତ୍ୱ–ପଶୁତ୍ୱର ଦଳନରେ ମନୁଷ୍ୟତାର ବିକାଶ–ଲାଳସା ତୃପ୍ତିରେ ସୁଖ ଓ ଲାଳସାଦମନରେ ସୁଖ–ଆତ୍ମତ୍ୟାଗରୁ ଉନ୍ନତ ଜାତୀୟତାର ବିକାଶ ।

 

ଶାସ୍ତ୍ରକାର କହିଅଛନ୍ତି, ‘ଆହାରନିଦ୍ରାଭୟମୈଥୁନଞ୍ଚ ସାମାନ୍ୟମେତତ୍‌ ପଶୁଭିର୍ନରାଣାଂ’ । ପଶୁର ଅନେକଗୁଡ଼ିଏ ପ୍ରବୃତ୍ତି ମନୁଷ୍ୟଠାରେ ବିଲକ୍ଷଣ ଦେଖାଯାଏ । ପଶୁ ସର୍ବଦା ଆତ୍ମପରିତୃପ୍ତି ଲୋଡ଼େ । ଯେ କୌଣସି ପ୍ରକାରେ ନିଜ ସୁଖ ସମ୍ପାଦନ କରି ପାରିଲେ, ସେ ସନ୍ତୁଷ୍ଟ । ମନୁଷ୍ୟ ଏହିପରି ନିଜସୁଖ ସକାଶେ ପାପ ଅନ୍ୟାୟରେ ଭାସିଯାଏ; କାମ, କ୍ରୋଧ, ଲୋଭ ପ୍ରଭୃତିର ଅଧୀନ ହୋଇ, ସତ୍‌ ଅସତ୍‌ର ପ୍ରଭେଦ ଭୁଲିଯାଏ । ଏହି କାମ, କ୍ରୋଧ ପ୍ରଭୃତି ମନୁଷ୍ୟର ପଶୁବୃତ୍ତି । ମନୁଷ୍ୟତାର ବିକାଶ ପକ୍ଷରେ ଏଗୁଡ଼ିକ ଘୋର ଅନ୍ତରାୟ । ସେହିହେତୁରୁ ପଣ୍ଡିତମାନେ ଏଗୁଡ଼ିକୁ ରିପୁ ଆଖ୍ୟା ଦେଇଅଛନ୍ତି ।

 

ଆଦିମ ଅବସ୍ଥାରେ ମନୁଷ୍ୟ ଅନେକ ପରିମାଣରେ ପଶୁପରି ଥିଲା । ସ୍ନେହ, ସହାନୁଭୂତି, ମମତା ପ୍ରଭୃତି ପ୍ରାଣରେ ଜନ୍ମି ନ ଥିବାରୁ ତାର ସମସ୍ତ କାର୍ଯ୍ୟକଳାପ କେବଳ ଆତ୍ମପରିତୃପ୍ତିରେ ପର୍ଯ୍ୟବସିତ ଥିଲା । ଆଜିକାଲି ଅସଭ୍ୟ ଜାତିରେ ମନୁଷ୍ୟର ଏ ପଶୁବୃତ୍ତି ଅନେକ ପରିମାଣରେ ଦେଖାଯାଏ । ସଭ୍ୟ ସମାଜରେ ମଧ୍ୟ ଶିଶୁ ପଶୁବୃତ୍ତି ଘେନି, ଜନ୍ମ ହୋଇଥାଏ । ସେଥିପାଇଁ କହନ୍ତି ‘ଜନ୍ମନା ଜାୟତେ ଶୂଦ୍ରଃ’ । ଜନ୍ମ ହେଲା ପରେ ବାସ୍ତବିକ୍‌ କେତେକ ଦିନ ଶିଶୁ ପଶୁ ହୋଇଥାଏ । ନିଜର ଲାଳସା ପରିତୃପ୍ତିପାଇଁ ଅନ୍ୟର ସୁବିଧା ଅସୁବିଧା ପ୍ରତି ଭୂକ୍ଷେପ ନ କରି, ପୃଥିବୀର ଯାବତୀୟ ପଦାର୍ଥ ଲୋଡ଼ିଥାଏ; ସୁଦୂର ଗଗନର ଚନ୍ଦ୍ରକୁ ମଧ୍ୟ ହାତ ବଢ଼ାଏ । କ୍ରମେ ପରିବାର ମଧ୍ୟରେ ସ୍ନେହର ଆଦାନ ପ୍ରଦାନରେ, ଶିକ୍ଷା ଓ ସଂସର୍ଗର ପ୍ରଭାବରେ, ହୃଦୟର ଉନ୍ନତ ବୃତ୍ତିଗୁଡ଼ିକର ବିକାଶ ସଙ୍ଗେ ସଙ୍ଗେ ପଶୁସୁଲଭ କାର୍ଯ୍ୟକଳାପ ପ୍ରତି ତା ପ୍ରାଣରେ ଅନାଦରେ ଆସେ-। ମନୁଷ୍ୟ ଭିତରେ ଦୁଇଗୋଟି ପ୍ରବୃତ୍ତି ରହିଅଛି । ନୀଚ ପ୍ରବୃତ୍ତିଟି ତାକୁ ପଶୁତ୍ୱରେ ଆବଦ୍ଧ କରି ରଖେ । ମାତ୍ର ଉଚ୍ଚ ପ୍ରବୃତ୍ତି ଯୋଗୁଁ ସେ ସର୍ବଦା ପଶୁତ୍ୱରୁ ଉଠି ଯଥାର୍ଥ ମାନବତ୍ୱ ନା, ଦେବତ୍ୱଆଡ଼କୁ ଅଗ୍ରସର ହେବାକୁ ପ୍ରୟାସ କରେ । ନୀଚ ପ୍ରବୃତ୍ତି ମଧ୍ୟରେ ସର୍ବଦା ପଡ଼ି ରହିଥିଲେ, ଏ ପ୍ରୟାସ ପ୍ରାଣରେ ଜାତ ହୁଅନ୍ତା ନାହିଁ । କିନ୍ତୁ ଥରେ ଯେତେବେଳେ ମନୁଷ୍ୟ ତାର ଉଚ୍ଚ ପ୍ରବୃତ୍ତିର ସୌନ୍ଦର୍ଯ୍ୟ ଓ ମହତ୍ତ୍ୱ ଉପଲବ୍ଧି କରେ ସେତେବେଳେ ସେ ନିଜ ଚେଷ୍ଟାରେ ପଶୁଭାବଗୁଡ଼ିକ ଦଳନ କରି, ତା ଉପରେ ଉନ୍ନତ ଜୀବନ ପ୍ରତିଷ୍ଠିତ କରେ । ଅସତ୍‌ରୁ ସତ୍‌କୁ ଉଠିବାପାଇଁ ବିକାଶୋନ୍ମୁଖ ପ୍ରାଣରେ ଅବିରତ ଏହିପରି ସଂଗ୍ରାମ ଲାଗିଅଛି । ଏହି ସଂଗ୍ରାମରେ ଯୋଗୀଋଷିମାନେ ଜୀବନର ସୁଖ ସ୍ୱଚ୍ଛନ୍ଦତା ପରିତ୍ୟାଗ କରି ବନବାସୀ ହୋଇଅଛନ୍ତି । ବୁଦ୍ଧଦେବ ରାଜ ସିଂହାସନ ଓ ରାଜ୍ୟର ବିପୁଳ ଐଶ୍ୱର୍ଯ୍ୟ ପରିହାର କରି, କଠୋର ସାଧନା ସଂଯମ ଓ ଦରିଦ୍ରତା ମଧ୍ୟରେ ନିର୍ବାଣ ଖୋଜି ଅଛନ୍ତି । ଜୀବନରେ ଏ ସଂଗ୍ରାମ ଯେ ଯେତିକି କରି ପାରିଅଛି; ଉନ୍ନତ ମନୁଷ୍ୟତା ତାର ପ୍ରାଣରେ ସେତିକି ବିକଶିତ ହୋଇଅଛି ।

 

କଥାରେ କହନ୍ତି ‘ସ୍ୱର୍ଗର ପଥ କଣ୍ଟକ ମୟ, ମାତ୍ର ନରକର ପଥ ଅତି ପ୍ରଶସ୍ତ’ ! ପାପର ପ୍ରଲୋଭନ ପୁଣ୍ୟର ଆକର୍ଷଣଠାରୁ ଗୁରୁତର । ପାପର ଆପାତମଧୁର ଆକର୍ଷଣରେ ମନୁଷ୍ୟ ସହଜରେ ଆକର୍ଷିତ ହୋଇଥାଏ । ଭୋଗ ବିଳାସ ଲୋଡ଼ିବା ତା ପକ୍ଷରେ ସ୍ୱାଭାବିକ । ଭୋଗ ବିଳାସ ସୁଖକର ସତ୍ୟ, କିନ୍ତୁ ସେ ସୁଖ କ୍ଷଣଭଙ୍ଗୁର, ପରିଣାମରେ ବିଷମୟ । ସେଥିରେ ଆକାଙ୍‌କ୍ଷାର ନିବୃତ୍ତି ବା ଅନନ୍ତ ପିପାସାର ପରିତୃପ୍ତି ଆସେ ନାହିଁ । ଲାଳସାର ପୂରଣରେ ଲାଳସା ନିବୃତ୍ତ ନ ହୋଇ ‘ହବିଷା କୃଷ୍ଣବର୍ତ୍ମେବ’ ବଢ଼େ ପ୍ରାଣ ଅଶାନ୍ତିରେ ପୂର୍ଣ୍ଣ ହୁଏ । ସେଥିପାଇଁ ପ୍ରକୃତ ସୁଖଶାନ୍ତି ଲାଳସାର ପରିହାରରେ ଖୋଜିବାକୁ ହେବ, ଉପଭୋଗରେ ନୁହେଁ । ସ୍ଥୂଳ ଦୃଷ୍ଟିରେ ଯାହା ସୁଖ ବୋଲି ବୋଧହୁଏ, ତାହା ଆପାତ ସୁଖ ହୋଇପାରେ; କିନ୍ତୁ ଟିକିଏ ଭିତରେ ପଶି ଦେଖିଲେ, ଏହା ପରିଣାମରେ କେବଳ ଦୁଃଖ ଓ ଯନ୍ତ୍ରଣାମୟ । କାମିନୀକାଞ୍ଚନର ମୋହରେ ପଡ଼ି ମନୁଷ୍ୟ କର୍ତ୍ତବ୍ୟ ଭୁଲି ପାଗଲ ହୁଏ; କିନ୍ତୁ ଦିନେ ସେଥିପାଇଁ ତାକୁ ଦୁଃଖ ଅନୁତାପରେ ସଡ଼ିବାକୁ ପଡ଼େ । ପୃଥିବୀର ଯାବତୀୟ ଭୋଗଲାଳସା ଏକ ପ୍ରକାର ନିଶା । ସେଥିରେ ଥରେ ପଡ଼ିଗଲେ ପରିଶେଷରେ ସର୍ବସ୍ୱାନ୍ତ ହୋଇ ମରିବାକୁ ହୁଏ । କିନ୍ତୁ ତାଠାରୁ ଦୂରରେ ରହିଲେ, ମନୁଷ୍ୟଜୀବନ ମଧୁମୟ ହୋଇଥାଏ । ଲାଳସା ପରିହାର କରିବାକୁ ହେବ । ସେ ପରିହାରରେ ପ୍ରଥମେ ଟିକିଏ ଯନ୍ତ୍ରଣା ହୋଇପାରେ; କିନ୍ତୁ ସେ ଯନ୍ତ୍ରଣାକୁ ଧୈର୍ଯ୍ୟ ସହକାରେ ସହିଗଲେ, ତାହା କ୍ରମେ କ୍ରମେ ସୁଖରେ ପରିଣତ ହୁଏ । ଘୋର ଝଡ଼ ତୋଫାନ ପରେ, ଆକାଶ ନିର୍ମଳ ହୁଏ; ଶାନ୍ତି ବିରାଜ କରେ-। ସେହିପରି ଭୋଗବିଳାସ ବଳି ଦେଇ, ଦୁଃଖ କଷ୍ଟ, ସାଧନା ସଂଯମ ମଧ୍ୟରେ ଯେଉଁ ସୁଖ ଅନ୍ୱେଷଣ କରିବାକୁ ହୁଏ, ତାହା ଧୀର, ନିତ୍ୟ ସୁଖ । ଆତ୍ମତ୍ୟାଗରେହିଁ ଆତ୍ମଲାଭ ହୁଏ । ଶଙ୍କର, ଚୈତନ୍ୟ, ଈଷା, ମହମ୍ମଦ ପ୍ରଭୃତି ଯେଉଁ ମହାପୁରୁଷମାନଙ୍କୁ ଆଜି ଜଗତ ଦେବତାରୂପେ ପୂଜା କରୁଅଛି, ଏହି ପ୍ରକାର ତ୍ୟାଗରେହି ସେମାନଙ୍କ ଆତ୍ମପ୍ରତିଷ୍ଠା ହୋଇଅଛି ।

 

ତ୍ୟାଗରେ ବ୍ୟକ୍ତିବିଶେଷର ଜୀବନ ଉଜ୍ଜ୍ୱଳ, ମହତ୍‌, ମଧୁମୟ ହୁଏ ସତ୍ୟ; କିନ୍ତୁ ସମାଜ ମଧ୍ୟରେ ଏହାର କ୍ରିୟା ଆହୁରି ଗୁରୁତର । ତ୍ୟାଗ କରିବା କଷ୍ଟସାଧ୍ୟ । ମନୁଷ୍ୟ କେବଳ ବେଳେ ବେଳେ ଏଥିରେ ଅପାରଗ ହୋଇପାରେ । କିନ୍ତୁ ଅନ୍ୟଠାରେ ଏ ତ୍ୟାଗ ଭାବ ଦେଖିଲେ, ପ୍ରାଣ ତାହା ପ୍ରତି ସ୍ୱତଃ ଆକୃଷ୍ଟ ହୁଏ, ହୃଦୟ ଭକ୍ତି ପ୍ରୀତି ଢାଳି ପୂଜା କରିବାକୁ ସ୍ୱତଃ ଉନ୍ମଖ ହୁଏ । ବୌଦ୍ଧଧର୍ମ ଏତେ ଶୀଘ୍ର ପୃଥିବୀରେ ପ୍ୟାପିଗଲା କପରି ? ବୌଦ୍ଧ ଜୀବନ ଦେଖିବାକୁ କଠୋର, ନୀରସ, ଶୁଷ୍କ ସତ; କିନ୍ତୁ ଏଥିରେ ତ୍ୟାଗର ସରସତା ପୂରି ରହିଅଛି । ପ୍ରାଣକୁ ଉନ୍ନତ ଓ ଉଦ୍‌ବୁଦ୍ଧ କରିବାପାଇଁ ତ୍ୟାଗହିଁ ଅବଲମ୍ୱନ । ସମାଜ ମଧ୍ୟରେ ଏହି ତ୍ୟାଗ ପରସ୍ପର ମଧ୍ୟରେ ଶ୍ରଦ୍ଧା ଭକ୍ତି ପ୍ରୀତି ବଢ଼ାଏ ଏବଂ ସମାଜବନ୍ଧନ ଦୃଢ଼ କରେ । ଅସଭ୍ୟ ସମାଜରୁ ସଭ୍ୟ ସମାଜ ଯେ ଆଜି ଏତେ ଉନ୍ନତ, ତାହା କେବଳ କେତେକ ମହତ୍‌ ବ୍ୟକ୍ତିଙ୍କର ଆତ୍ମତ୍ୟାଗ ଓ ଜୀବନବଳିର ଫଳ । ଯେଉଁ ଜାତି ତ୍ୟାଗ ଶିଖି ନାହିଁ, ତାହା ସକଳ ଧନ ସମ୍ପଦ ଐଶ୍ୱର୍ଯ୍ୟରେ ପୂର୍ଣ୍ଣ ହୋଇପାରେ; କିନ୍ତୁ ପ୍ରକୃତ ସାମାଜିକତା, ଜାତୀୟତା ସେଠାରେ ଅସମ୍ଭବ ।

Image

 

ବନ ବିଦ୍ୟାଳୟ

 

ଭାରତବର୍ଷର କେତେକ ସ୍ଥାନରେ ବର୍ତ୍ତମାନ ବିଦ୍ୟାଳୟ ନିମନ୍ତେ ମୂଲ୍ୟବାନ୍‌ ଗୃହ ବିଶେଷ ଭାବରେ ପ୍ରୟୋଜନବୋଲି ମନେକରାଯାଉ ନାହିଁ । ହରିଦ୍ୱାରର ଗୁରୁକୁଳ, ବୋଲପୁରର ଶାନ୍ତିନିକେତନ ଏବଂ ଆହୁରି ନିକଟରେ, ସତ୍ୟବାଦୀରେ ସ୍କୁଲର ପଢ଼ାଶୁଣା ଗଛମୂଳେ କରା ଯାଉଅଛି । ଏହାହିଁ ଭାରତବର୍ଷର ପ୍ରାଚୀନ ପଦ୍ଧତି ଥିଲା । ବ୍ରହ୍ମଚର୍ଯ୍ୟ ଅବସ୍ଥାରେ ଶିଷ୍ୟ ଗୁରୁଗୃହରେ ରହି ବିଦ୍ୟାଭ୍ୟାସ କଲାବେଳେ ଗୁରୁ ଶିଷ୍ୟ ଗଛମୂଳେ ବସୁ ଥିଲେ । ମନୁଷ୍ୟକୁ ସରଳତା, ସଂଯମ ଓ ସହିଷ୍ଣୁତା ଶିଖାଇବା ଶିକ୍ଷାର ଉଦ୍ଦେଶ୍ୟ । ଆଗେ ଏ କଥା ପୂର୍ଣ୍ଣମାତ୍ରାରେ ହେଉଥିଲା । ଆଜିକାଲି ବିଦ୍ୟାଳୟ ଗୃହ, ଛାତ୍ରାବାସ ପ୍ରଭୃତି କୋମଳପ୍ରାଣ ବାଳକମାନଙ୍କୁ ଟିକିଏ ବିଳାସ ଦିଗରେ ଟାଣି ନେଉଅଛି । ତାହାର ଫଳରେ ଅଳ୍ପଶିକ୍ଷିତ ବା ଅର୍ଦ୍ଧଶିକ୍ଷିତ ଲୋକମାନେ ଉତ୍ତର ଜୀବନରେ ନିଜ ନିଜର ଅଭାବ ପୂରଣ କରି ନ ପାରି ଜୀବନ ଅଶାନ୍ତିରେ କଟାଉ ଅଛନ୍ତି ।

 

ଅଳ୍ପ ବ୍ୟୟର ଗୃହ ସଙ୍ଗେ ଗୋଟିଏ ଗୋଟିଏ ବଗିଚା ରଖି, ବର୍ଷାଭିନ୍ନ ବର୍ଷର ଅଧିକାଂଶ ସମୟ ବଗିଚାର ବୃକ୍ଷମୂଳରେ ଶିକ୍ଷା ଦିଆଗଲେ, ଛାତ୍ରମାନଙ୍କର ବିଶେଷ ଉପକାର ହୁଅନ୍ତା । ଜନାକୀର୍ଣ୍ଣ ଗୃହ ମଧ୍ୟରେ ବିଶେଷ ସମୟ ବସି ପଢ଼ାଶୁଣା କଲେ ମସ୍ତିଷ୍କ ଭାରାକ୍ରାନ୍ତ ହୁଏ ଏବଂ ଦୂଷିତ ବାୟୁଦ୍ୱାରା ମନର ପ୍ରଫୁଲ୍ଲତା ଓ ଶରୀରର ସ୍ୱାସ୍ଥ୍ୟ ନଷ୍ଟ ହୁଏ । ଦିନବେଳେ ଗଛ ମୂଳେ ବସି ପଢ଼ାଶୁଣା କଲେ, ଅଙ୍ଗାରାମ୍ଳଜାନବାଷ୍ପର କୁଫଳରୁ ନିଷ୍କୃତି ମିଳେ । ବୃକ୍ଷଲତାମାନେ ଦୂଷିତ ବାୟକୁ ବିଶୁଦ୍ଧ କରିପାରନ୍ତି; ସୁତରାଂ ବନ ମଧ୍ୟରେ ବିଶୁଦ୍ଧ ବାୟୁର ଗୋଟିଏ ଅକ୍ଷୟ ଭଣ୍ଡାର ନିହିତ ଅଛି । ଏହି ବିଶୁଦ୍ଧ ବାୟୁ ମଧ୍ୟରେ ପଢ଼ାଶୁଣା ହେଲେ, ପଢ଼ାଇବାରେ ଶିକ୍ଷକଙ୍କର ଯେପରି ସ୍ଫୂର୍ତ୍ତି ହୁଏ, ପଢ଼ିବା ପ୍ରତି ଛାତ୍ରମାନଙ୍କର ସେହିପରି ଆଗ୍ରହ ଜନ୍ମେ ଏବଂ ପଠିତ ବିଷୟ ମନରେ ଅଙ୍କିତ ହୋଇ ରହେ ।

 

ଆଉରି ମଧ୍ୟ ବନବିଦ୍ୟାଳୟର ଚାରିଆଡ଼ ମୁକ୍ତ । ଗୃହରେ ଏକଥା ଅସମ୍ଭବ । ଗୃହ ମଧ୍ୟରେ ରହିଲେ ମନୁଷ୍ୟକୁ ଆବଦ୍ଧ ହୋଇ ରହିବାକୁ ପଡ଼େ ଏବଂ ତାହାର ଫଳରେ ପ୍ରାଣରେ କିପରି ଏକ ପ୍ରକାର ସଂକୀର୍ଣ୍ଣତା ଆସେ । କିନ୍ତୁ ବନ ମଧ୍ୟରେ ଉପରକୁ ଚାହିଁଲେ ପିଲାମାନେ ଅନନ୍ତ ଆକାଶ ଦେଖି ପାରନ୍ତି । ଚତୁର୍ଦ୍ଦିଗରେ ଜୀବନ୍ତ ତରୁଲତା । ସେଠାରେ କୋମଳପ୍ରକୃତି ବାଳକ ସୃଷ୍ଟିର ଗୋଟିଏ ନୂତନ ବିଭାବ ଦେଖିପାରେ । କ୍ଷୁଦ୍ର ମାନବପ୍ରାଣ ସଙ୍ଗେ ବିସ୍ତୀର୍ଣ୍ଣ ଆକାଶ ଏବଂ ପ୍ରକୃତିର ତରୁଲତା ମିଶିଯିବାର ସେ ଅନୁଭବ କରେ ।

 

କେବଳ ଏତିକି ନୁହେଁ । ମନୁଷ୍ୟ କେତେକ ପରିମାଣରେ ସ୍ୱାର୍ଥପର । ଜ୍ଞାନ ଆଲୋଚନା, ଧ୍ୟାନ ଧାରଣା ପ୍ରଭୃତି ମାନସିକ ଖାଦ୍ୟ ଦେବା ବ୍ୟତୀତ ଏହି ସ୍ୱାର୍ଥପରତା ଚୂର୍ଣ୍ଣ କରି ନୈତିକତାର ବିକାଶ କରାଇବା ବିଦ୍ୟାଳୟର କାର୍ଯ୍ୟ । ସମାଜ ମଧ୍ୟରେ ବିଭିନ୍ନ ବ୍ୟକ୍ତିଙ୍କର ସମ୍ପର୍କରେ ଆସିଲେ, ପ୍ରାଣରେ ମନୁଷ୍ୟଜାତି ପ୍ରତି ସ୍ନେହ, ସହାନୁଭୂତି ଜନ୍ମିବା ସ୍ୱାଭାବିକ । କିନ୍ତୁ ଏତିକିରେ ମାନବପ୍ରାଣର ପ୍ରଶସ୍ତତା ପୂର୍ଣ୍ଣ ହେଲା ନାହିଁ । ମାନବ ଏ ସୃଷ୍ଟିରେ ସର୍ବପ୍ରଧାନ ପ୍ରାଣୀ । ନିଜର ବୁଦ୍ଧି ବିବେକ ବଳରେ ସଂସାରରେ ରାଜତ୍ୱ କରୁଅଛି । କେବଳ ନିଜ ଜାତି ପ୍ରତି ସହାନୁଭୂତି ପ୍ରକାଶ କରିବାରେ ତାର ବିଶେଷତ୍ୱ କଣ ? ପିଲାମାନେ କୋମଳ ବୟସରୁ ବଗିଚାର ଗଛଲତା ମଧ୍ୟରେ ବସି ପଢ଼ିଲେ, ସେ ସବୁ ପ୍ରତି ପ୍ରାଣରେ ସ୍ୱତଃ ଆଦର, ସ୍ନେହ, ସହାନୁଭୂତି ଜାତ ହୁଏ । ଏହାର ଫଳରେ ପ୍ରାଣ ଉଦାର ହୁଏ ଏବଂ ‘ସର୍ବଭୂତସ୍ଥମାତ୍ମାନଂ’ ଅନୁଭବ କରିବାର ପଥ ଉନ୍ମୁକ୍ତ ହୁଏ ।

 

ପୁଣି ବଗିଚାର ଫୁଲଗୁଡ଼ିକ ଦେଖିଲେ, ଶିଶୁପ୍ରାଣରେ ଆଲ୍ଲାଦ ଜନ୍ମେ । କୁଆ କୋଇଲିଙ୍କ ମଧୁର ସ୍ୱରଲହରୀରେ ପ୍ରାଣ ନାଚି ଉଠେ । ଏଥିରେ ବାଳକମାନଙ୍କର ହୃଦୟ ଯେପରି ପ୍ରଫୁଲ୍ଲ ହୁଏ, ସୌନ୍ଦର୍ଯ୍ୟଜ୍ଞାନ ମଧ୍ୟ ସେହି ପରିମାଣରେ ବଢ଼େ । ବିଶେଷରେ ପିଲାମାନଙ୍କୁ ବଗିଚାରେ ଗଛ ପୋତିବାର ଅଭ୍ୟାସ ଶିକ୍ଷା ଦିଆଯାଇପାରେ । କେଉଁଠାରେ କିପରି ଭାବରେ ଗଛଟିଏ ପୋତିଲେ କୁଞ୍ଜ ଭିତରଟି ସୁନ୍ଦର ଦେଖାଯିବ; ସେ କଥା ସେମାନେ ଅଭ୍ୟାସରେ ଜାଣି ପାରନ୍ତି । ପ୍ରକୃତିରେ ଏହି ଉଦାର ସୌନ୍ଦର୍ଯ୍ୟ-ଅବ-ବୋଧରେ ପ୍ରାଣ ଉନ୍ନତ ଓ ସୌରଭମୟ ହୁଏ ।

 

ଆଜିକାଲି ଶିକ୍ଷିତ ଲୋକମାନଙ୍କ ମଧ୍ୟରେ ନାନା ରୋଗ ପ୍ରବଳ ଭାବରେ ବଢ଼ୁଥିବାର ଦେଖାଯାଉଅଛି । ପିଲା ଦିନରୁ ଶରୀରର ବିକାଶ ହେବା ସମୟ ଯାକ ଆବଦ୍ଧ ଗୃହ ମଧ୍ୟରେ ରହିବାକୁ ସ୍ୱାସ୍ଥ୍ୟ ଏକାବେଳକେ ନଷ୍ଟ ହୋଇଯାଉଅଛି । ଆଜିକାଲି ପଣ୍ଡିତ ବୋଇଲେ ଗୋଟିଏ ଦୁର୍ବଳ, ରୁଗ୍ଣ, କ୍ଷୀଣକାୟ ଲୋକର ପ୍ରତିମୂର୍ତ୍ତି ଆଖି ଆଗରେ ନାଚି ଯାଏ । ବାସ୍ତବିକ୍ ଦେଶର ଜ୍ଞାନିବ୍ୟକ୍ତିମାନେ ସେହିପରି ହୋଇଅଛନ୍ତି । ଖଣ୍ଡେ ଦୂର ଚାଲିଯିବାକୁ, ବା ବଡ଼ ପାଟି କରି କଥା କହିବାକୁ ଅନେକ ଅକ୍ଷମ । ଆବଦ୍ଧ ଗୃହରେ ରହି ପଢ଼ିବା, ଅବଶ୍ୟ ଏ ସବୁର ଏକମାତ୍ର କାରଣ ନୁହେଁ । ତେବେ ବାହାରେ ଗଛମୂଳେ ବସି ପଢ଼ାଶୁଣା କଲେ, ଏହି କୁଫଳ କେତେକ ପରିମାଣରେ ଊଣା ହୁଅନ୍ତା । ପ୍ରଧାନ ପ୍ରଧାନ ଶରୀର-ତତ୍ତ୍ୱବିତ-ପଣ୍ଡିତମାନେ ଏ ମତର ପୋଷକତା କରୁଅଛନ୍ତି-। ସେମାନେ କହନ୍ତି ଯେ, ଆଜିକାଲି ଶିକ୍ଷିତ ଲୋକଙ୍କର ଆୟୁହ୍ରାସ ହୋଇଯାଉଅଛି ଏବଂ ମୁକ୍ତ ବାୟୁ-ସ୍ରୋତରେ ବସି ପଢ଼ାଶୁଣା ଓ ଅନ୍ୟାନ୍ୟ କାର୍ଯ୍ୟ କରି ପାରିଲେ, ଜୀବନ ଦୀର୍ଘତର ହୁଅନ୍ତା । ବନ-ବିଦ୍ୟାଳୟ କଥା ବର୍ତ୍ତମାନ ଭାରତରେ ନୂଆ ପରି ଜଣାପଡ଼ୁଥିଲେ ସୁଦ୍ଧା, ଏହା ଭାରତର ଗୋଟିଏ ପ୍ରାଚୀନ ଅନୁଷ୍ଠାନ । ସୁଖର ବିଷୟ ଏହି ପ୍ରାଚୀନ ଅନୁଷ୍ଠାନ ପ୍ରତି ଆଜିକାଲି ପଣ୍ଡିତ, ମନୀଷୀ, ଉଚ୍ଚ ରାଜକର୍ମଚାରୀ ଓ ରାଜପୁରୁଷମାନଙ୍କର ଆଦର ଦେଖାଯାଉଛି ।

Image

 

ପ୍ରବନ୍ଧ ପ୍ରବେଶ

ସ୍ୱାସ୍ଥ୍ୟ

 

ସ୍ୱାସ୍ଥ୍ୟର ମୂଲ୍ୟ-ସ୍ୱାସ୍ଥ୍ୟନାଶର କାରଣ-ଖାଦ୍ୟ,ପେୟ,ବାୟୁ ଅଙ୍ଗଚାଳନାରେ ଅଭାବ, ଆନ୍ତରିକ ବାହ୍ୟିକ ଅପରିଚ୍ଛନ୍ନତା, ମନର ଦୁର୍ବଳତା-ସ୍ୱାସ୍ଥ୍ୟଲାଭର ଉପାୟ ।

 

ସ୍ୱାସ୍ଥ୍ୟ ଜୀବନର ପରମ ସମ୍ପଦ । ମନୁଷ୍ୟ ବିହୁଳ ଐଶ୍ୱର୍ଯ୍ୟର ଅଧୀଶ୍ୱର ହୋଇପାରେ, ସଂସାରର ସକଳ ପ୍ରକାର ଭୋଗ ବିଳାସରେ ଭାସିପାରେ, ଏପରି କି, ରାଜାଧିରାଜର ଆସନରେ ବସି ସସାଗରାଧରା ଶାସନ କରିପାରେ; କିନ୍ତୁ ସ୍ୱାସ୍ଥ୍ୟ ନ ଥିଲେ, ଏ ସକଳ ନୀରସ, ତୁଚ୍ଛ । ଜୀବନର ଉନ୍ନତି ନିରବଚ୍ଛିନ୍ନ ସାଧନା ଉପରେ ନିର୍ଭର କରେ । ଉପଯୁକ୍ତ ସାଧନା ନିମନ୍ତେ କେବଳ ଇଚ୍ଛା ଯଥେଷ୍ଟ ନୁହେଁ, ଶାରୀରିକ ବଳ ଓ ଶକ୍ତିର ପ୍ରୟୋଜନ । ସାମାନ୍ୟ ଅସୁସ୍ଥତାରେ ଶାରୀରିକ ଦୁର୍ବଳତା ଯାହାହେଉ, କର୍ମ କରିବାର ପ୍ରବୃତ୍ତି ମଧ୍ୟ ଏକାବେଳକେ ଲୋପ ପାଏ । ଫଳଲାଭରେ ଯେ କେବଳ ମାଧୁରୀ ଅଛି ତାହା ନୁହେଁ; କାର୍ଯ୍ୟ କରିବାରେ ମଧ୍ୟ ମନରେ ବିଶେଷ ଆହ୍ଲାଦ ହୁଏ । ସାଧନାର କିପରି ଗୋଟିଏ ମୋହିନୀ ଶକ୍ତି ଅଛି । ସେହି ଶକ୍ତିର ବଳରେ ମନୁଷ୍ୟ ସର୍ବଦା କାର୍ଯ୍ୟ କରିବା ଦିଗରେ ଆକୃଷ୍ଟ ହୋଇ ଆସେ । କିନ୍ତୁ ଅସୁସ୍ଥ ହୋଇ ପଡ଼ିଲେ, ପ୍ରାଣର ଆହ୍ଲାଦ ଲୋପ ପାଏ ଏବଂ କାର୍ଯ୍ୟସାଧନାର ସେ ଆକର୍ଷଣ ଶକ୍ତି ଏକାବେଳକେ ବିନଷ୍ଟ ହୁଏ । କର୍ମହିଁ ଜୀବନ । ସୁତରାଂ ସ୍ୱାସ୍ଥ୍ୟ କର୍ମପଥରେ ଆମ୍ଭମାନଙ୍କର ସହାୟ ହୁଏ ବୋଲି କହିଲାବେଳେ ବୁଝିବାକୁ ହେବ ଯେ ତାହା ଜୀବନର ସମ୍ୱଳ । ଶାରିରୀକ ଶ୍ରମ ନିମନ୍ତେ ସ୍ୱାସ୍ଥ୍ୟ ଯେତେ ଆବଶ୍ୟକ, ମାନସିକ ବିକାଶ ସକାଶେ ତହିଁରୁ ଅଧିକ । କେବଳ ସେତିକି ନୁହେଁ, ନୈତିକ ଉନ୍ନତି ମଧ୍ୟ ବହୁ ପରିମାଣରେ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିବାକୁ ଅନେକ ଲୋକ ଦୋଷାବହ ମନେକରନ୍ତି ନାହିଁ; କିନ୍ତୁ ବାସ୍ତବରେ ଏହା ଗୋଟିଏ ମହାପାପ । ଏହା ଏକ ପ୍ରକାର କ୍ରମିକ ଆତ୍ମହତ୍ୟା । କଥାରେ କହନ୍ତି, ‘‘ଶରୀରମାଦ୍ୟଂ ଖଳୁ ଧର୍ମ ସାଧନଂ ।’’

 

ପୃଥିବୀରେ ସୁସ୍ଥଲୋକଙ୍କ ସଂଖ୍ୟା ଅତି ଅଳ୍ପ । ନାନା ପ୍ରକାରରେ ମନୁଷ୍ୟ ସ୍ୱାସ୍ଥ୍ୟହରାଇ ବସେ । ‘ଶରୀର ବ୍ୟାଧିର ମନ୍ଦିରଂ’ । କେତେବେଳେ କେଉଁ ବାଟେ ରୋଗ ଆସି ଶରୀରକୁ ଆକ୍ରମଣ କରେ ବୁଝିବା ଦୁରୂହ । ସମସ୍ତ ସଂଯମମୟ ଜୀବନ ମଧ୍ୟରେ ଦିନେ ସାମାନ୍ୟ ସ୍ଖଳନ ଯୋଗୁଁ ନଳଙ୍କୁ କଳିର ଭୀଷଣ ପୀଡ଼ା ସହିବାକୁ ହୋଇଥିଲା । ସେହିପରି ମନୁଷ୍ୟ ଟିକିଏ ଅସାବଧାନ ହେଲେ, ସ୍ୱାସ୍ଥ୍ୟ ହରାଇଥାଏ । ଖାଦ୍ୟ, ପାନୀୟ, ବାୟୁ ପ୍ରଭୃତି ଜୀବନର ସକଳ ଆବଶ୍ୟକୀୟ ପଦାର୍ଥର ବ୍ୟବହାରରେ ସତର୍କ ରହିବାକୁ ହେବ । ଖାଦ୍ୟାଖାଦ୍ୟ ବିଷୟରେ ସ୍ୱାସ୍ଥ୍ୟବିଜ୍ଞାନ, ତଥା ଧର୍ମଶାସ୍ତ୍ର ଅତି ସୂକ୍ଷ୍ମପ୍ରଭେଦ କରିଅଛନ୍ତି । ଖାଦ୍ୟର ପରିମାଣ ଓ ପ୍ରକାର ଉପରେ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ନିର୍ଭର କରେ । ଖାଦ୍ୟ ବିଷୟରେ ଯଥାସମ୍ଭବ ସାବଧାନ ହୋଇ ଚଳିଲେ, ମନୁଷ୍ୟ ନିରୋଗ ହୁଏ । ଏପରି କି, ରୋଗିର ପଥ୍ୟ ବିଷୟରେ ଟିକିଏ ଦୃଷ୍ଟି ଦେଲେ ବିନା ଔଷଧରେ ଲୋକ ଆରୋଗ୍ୟ ଲାଭ କରିପାରେ । ଖାଦ୍ୟର ପ୍ରକାର ଭେଦରେ ମନୁଷ୍ୟର ପ୍ରକୃତିଗତ ବିଭିନ୍ନତା ମଧ୍ୟ ଦେଖାଯାଏ । ସେଥିପାଇଁ ହିନ୍ଦୁଶାସ୍ତ୍ରରେ ସାତ୍ୱିକ, ରାଜସିକ ଓ ତାମସିକ ଭେଦରେ ଖାଦ୍ୟର ଶ୍ରେଣୀ ବିଭାଗ କରାଯାଇଅଛି । ବର୍ତ୍ତମାନ ବୈଜ୍ଞାନିକ ମତରେ ସ୍ଥିର ହୋଇଅଛି ଯେ, ଖାଦ୍ୟ ଅପେକ୍ଷା ପାନୀୟ ଓ ବାୟୁଦ୍ୱାରା ନାନା ରୋଗର କୀଟାଣୁ ଶରୀରରେ ବିଶେଷ ଭାବରେ ପ୍ରବେଶ କରନ୍ତି । ବିସୂଚିକାର ବୀଜ ପାଣି ଓ ଦୁଧରେ ମିଶି ଏକସ୍ଥାନରୁ ସ୍ଥାନାନ୍ତରକୁ ସଂକ୍ରମଣ କରେ । ଯକ୍ଷ୍ମା, କ୍ଷୟକାଶ ପ୍ରଭୃତି ମାରାତ୍ମକ ରୋଗର ବିଷ ବାୟୁ ସ୍ରୋତରେ ଘରରୁ ଘରକୁ ଭାସିଯାଏ । ପୁଣି ବ୍ୟାୟାମ ସ୍ୱାସ୍ଥ୍ୟ ରକ୍ଷାର ଗୋଟିଏ ବିଶେଷ ଉପାଦାନ । ପ୍ରତି ମୁହୂର୍ତ୍ତରେ ଖାଦ୍ୟ ପାନୀୟ ଓ ବାୟୁ ସଙ୍ଗରେ ନାନା ପ୍ରକାର ବିଷ ଓ କୀଟାଣୁ ଶରୀରରେ ପ୍ରବେଶ କରୁଅଛି । ଆଉରି ମଧ୍ୟ ଶରୀରମଧ୍ୟସ୍ଥ କେତେକ ଦୂଷିତ ପଦାର୍ଥ ଅଙ୍ଗ ପ୍ରତ୍ୟଙ୍ଗରୁ ନିଃସୃତ ହୋଇ ଶରୀରମଧ୍ୟରେ ଜମା ହୋଇ ରହେ । ଉପଯୁକ୍ତ ଅଙ୍ଗଚାଳନା ହେଲେ ଘର୍ମ ଓ ପ୍ରଶ୍ୱାସରେ ଏହି ସବୁ କୀଟାଣୁ ଓ ଦୂଷିତ ପଦାର୍ଥ ବାହାରିଯାଏ । କିନ୍ତୁ ଲୋକେ ସାଧାରଣତଃ ଅଙ୍ଗଚାଳନା କରିବାରେ ବିମୁଖ । ଅଙ୍ଗଚାଳନା ପ୍ରତି ଏହି ଦୂରାଗ୍ରହ ଯୋଗୁଁ ମନୁଷ୍ୟକୁ ନାନା ରୋଗ ଭୋଗିବାକୁ ହୁଏ ।

 

ରୋଗର ଆଉ ଗୋଟିଏ କାରଣ ଅପରିଚ୍ଛନ୍ନତା । ଖାଦ୍ୟପେୟ, ଅଙ୍ଗଚାଳନା ପ୍ରଭୃତିରେ ସାବଧାନ ହୋଇ ସୁଦ୍ଧା ବସ୍ତ୍ର ପରିଧେୟ, ଆସନ ଆବାସ ଆଦି ଅପରିଷ୍କାର ଅପରିଚ୍ଛନ୍ନ ରଖିଲେ ତହିରୁ ନାନା ପ୍ରକାର ରୋଗ ଜନ୍ମିବାର କଥା । ପିଲାମାନଙ୍କର ଅଧିକାଂଶ ରୋଗ ଏହି କାରଣରୁ ହୋଇଥାଏ । ଦେହର ଚର୍ମ ଆବରଣକୁ ଅପରିଷ୍କାର କରି ବାଳକ ବାଳିକାମାନେ ସାଧାରଣତଃ କାଛୁ କୁଣ୍ଡିଆ ଭୋଗିଥାନ୍ତି । କିନ୍ତୁ ବାହ୍ୟିକ ଅପରିଚ୍ଛନ୍ନତା ଅପେକ୍ଷା ଅନ୍ତରର ଅପରିଚ୍ଛନ୍ନତା ଆହୁରି ଭୟଙ୍କର । ସେଥିରେ ପ୍ରକାଶ୍ୟ ଭାବରେ କୌଣସି ରୋଗ ହୋଇ ନ ପାରେ; କିନ୍ତୁ ହୃଦୟର ପ୍ରଫୁଲ୍ଲତା, ଉତ୍ସାହ, ଶକ୍ତି, ସାହସ, ଧୈର୍ଯ୍ୟ ସବୁ ବିନଷ୍ଟ ହୋଇଥାଏ । ହୃଦୟ ଅପବିତ୍ର ହେଲେ, ତାହା ମୃତ୍ୟୁ ସଙ୍ଗେ ସମାନ ।

 

ମନର ଦୁର୍ବଳତା ବା ଚିନ୍ତାରୁ ମଧ୍ୟ ରୋଗ ଜାତ ହୋଇଥାଏ । ଉନ୍ନତ ଚିନ୍ତା କଲେ, ଅବଶ୍ୟ ମନୁଷ୍ୟତାର ବିକାଶ ହୁଏ; କିନ୍ତୁ ନୀଚ, ନିରର୍ଥକ ଚିନ୍ତା ମନୁଷ୍ୟକୁ ଜୀବନ୍ତ ଅବସ୍ଥାରେ ଦଗ୍ଧ କରିଦିଏ । ସେଥିପାଇଁ କହନ୍ତି ‘‘ଚିତା ଚିନ୍ତା ଦ୍ୱୟୋର୍ମଧ୍ୟେ ଚିନ୍ତା ଏବ ଗରୀୟସୀ’’ ।

 

ସ୍ୱାସ୍ଥ୍ୟ ଲାଭ କରିବାକୁ ହେଲେ ଆମ୍ଭମାନଙ୍କୁ ଖାଦ୍ୟ, ପେୟ ଓ ବାୟୁ ବିଷୟରେ ଯେପରି ସାବଧାନ ହେବାକୁ ହେବ, ସେହିପରି ଉପଯୁକ୍ତ ଅଙ୍ଗଚାଳନା ପ୍ରତି ଦୃଷ୍ଟି ଦେବା ମଧ୍ୟ ଦରକାର । ଶରୀରର ବାହ୍ୟିକ ପରିଚ୍ଛନ୍ନତା ଓ ହୃଦୟର ପବିତ୍ରତା ପୁଣି ଏଥି ନିମନ୍ତେ ଅଳ୍ପ ଆବଶ୍ୟକ ନୁହେଁ । ଏଥି ସଙ୍ଗେ ସଙ୍ଗେ ନିଜର ବିଶ୍ୱାସ ଉପରେ ମନୁଷ୍ୟକୁ ନିର୍ଭର କରିବାକୁ ହେବ-। ବିଶ୍ୱାସଦ୍ୱାରା ଜଗତରେ ଅସମ୍ଭବ ସମ୍ଭବ ହୋଇପାରେ । ରୋଗିର ଯଦି ବିଶ୍ୱାସ ହୁଏ ଯେ, ସେ ଆରୋଗ୍ୟ ଲାଭ କରିବ, ତେବେ ଔଷଧର ଆବଶ୍ୟକତା ଆଉ କଣ ଅଛି ? ପାଖୁଡ଼ାଏ ବେଲପତ୍ର, କେଣ୍ଡେ ତୁଳସୀ ବା ‘ଗୁରୁଦେବ’ଙ୍କର ପଦେ କଥା ତାକୁ ନୀରୋଗ କରିପାରେ । ଦେବତାଙ୍କ ନିକଟରେ ‘ଅଧିଆ’ ପଡ଼ି ଶତ ଶତ ଲୋକ ଏହି ବିଶ୍ୱାସ ବଳରେ ରୋଗମୁକ୍ତ ହେଉଅଛନ୍ତି । ମାନବ ପ୍ରାଣରେ ‘‘ଜୀବମଶରଦଃଶତଂ, ପଶ୍ୟେମ ଶରଦଃଶତିଂ,’’ ଏ ବିଶ୍ୱାସର କାର୍ଯ୍ୟ ଊଣା ନୁହେଁ ।

Image

 

ବ୍ୟୟ

(ଅନୁସରଣରେ ଲିଖିତ)

 

ଧନ ବ୍ୟୟ ନିମନ୍ତେ । ସତ୍‌କାର୍ଯ୍ୟ ଓ ଖ୍ୟାତିଅର୍ଜନ ନିମନ୍ତେ ମଧ୍ୟ ବ୍ୟୟ କରାଯାଏ । ଅସାଧାରଣ ବ୍ୟୟ କରିବାକୁ ହେଲେ ବୁଝିସୁଝି ସାବଧାନତାର ସହିତ, ଉପଯୁକ୍ତ କ୍ଷେତ୍ରରେ କରିବା ଉଚିତ । ଦେଶ ସକାଶେ ବା ପାରତ୍ରିକ ମଙ୍ଗଳପାଇଁ ବହୁବ୍ୟୟ କରାଯାଇପାରେ । କିନ୍ତୁ ସାଧାରଣତଃ ନିଜର ଆୟ ଦେଖି, ବ୍ୟୟ କରିବାକୁ ହେବ । ସଂସାରରେ ସଚ୍ଛଳ ଭାବରେ ଚଳିବାକୁ ହେଲେ ବ୍ୟୟ ଆୟର ଅର୍ଦ୍ଧେକ ହେବା ଦରକାର । ଧନୀ ହେବାକୁ ଇଚ୍ଛା କଲେ, ଆୟର ଏକ ତୃତୀୟାଂଶରୁ ଅଧିକ ବ୍ୟୟ କରିବା ଅନୁଚିତ । ଆୟ ବ୍ୟୟର ହିସାବ ବୁଝିବା ଉନ୍ନତଚରିତ୍ର ଲୋକମାନେ ଘୃଣ୍ୟ ମନେକରିପାରନ୍ତି; କିନ୍ତୁ ବାସ୍ତବରେ ତାହା ନୁହେଁ । ସାଧାରଣତଃ ଦେଖାଯାଏ ଯେ, ଆୟ ବ୍ୟୟର ହିସାବ ନ ରଖିବାର କାରଣ କେବଳ ଅବହେଳା ବା ଶ୍ରମକାତରତା ନୁହେଁ । ସମ୍ମାନହାନି ଭୟରେ ଲୋକେ ହିସାବପତ୍ର ପ୍ରତି ଅନାସ୍ଥା କରିଥାନ୍ତି । କିନ୍ତୁ ଏହାର ଫଳରେ ସେମାନେ ସର୍ବସ୍ୱାନ୍ତ ହୋଇ ପରିଶେଷରେ ସେହି ସମ୍ମାନଟିକ ହରାଇ ବସନ୍ତି । ସମ୍ମାନଲିପ୍ସୁ ଲୋକମାନେ ତାହାଙ୍କର ଉଚ୍ଚ ଆସନରୁ ଟିକିଏ ଓହ୍ଲାଇ ଆସିଲେ, ନିଜର ଟେକ ବିଲକ୍ଷଣ ରଖି ପାରନ୍ତେ । ଯେଉଁମାନେ ନିଜର ବିଷୟ ବୁଝିବାକୁ ଅକ୍ଷମ, ସେମାନେ ବିଶ୍ୱସ୍ତ ଭୃତ୍ୟ ନିଯୁକ୍ତ କରି, ସେହି ଭୃତ୍ୟମାନଙ୍କୁ ବେଳେ ବେଳେ ପରିବର୍ତ୍ତନ କରିବା ପ୍ରୟୋଜନ । ନୂତନ ଭୃତ୍ୟକୁ ପ୍ରବଞ୍ଚନାର ଉପାୟ ଜଣା ନ ଥାଏ ଏବଂ ଜଣାଥିଲେ ମଧ୍ୟ, ତାର କରିବାକୁ ସାହସ ହୁଏ ନାହିଁ । ତେବେ ପୁରାତନ ଭୃତ୍ୟଙ୍କ ଉପରେ ବେଳେ ବେଳେ ସମ୍ପୂର୍ଣ୍ଣ ନିର୍ଭର କରାଯାଇପାରେ । ପୁଣି କୌଣସି ଗୋଟିଏ ଦିଗରେ ବ୍ୟୟର ପରିମାଣ ଅଧିକ ହେଲେ, ଅନ୍ୟ ଦିଗରେ ବ୍ୟୟସଂକୋଚ ଆବଶ୍ୟକ । ଯାହାର ଖାଦ୍ୟପେୟରେ ଅଧିକ ବ୍ୟୟ ହୁଏ, ତାହାର ପୋଷାକ ପରିଚ୍ଛଦରେ ଟିକିଏ ଖେଣ୍ଟିବା ଦରକାର । ଘର ଦ୍ୱାରରେ ଅଧିକ ଖର୍ଚ୍ଚ ହେଲେ, ଯାନବାହନଆଡ଼େ ଟିକିଏ ଊଣା କରିବାକୁ ହେବ । ଯାହାର କୌଣସି ଦିଗରେ ଖର୍ଚ୍ଚର ମାପ ଖାପ ନାହିଁ, ତା ପକ୍ଷରେ ସର୍ବସ୍ୱାନ୍ତ ହେବା ଅବଶ୍ୟମ୍ଭାବୀ । ଅସଂଯତ ବ୍ୟୟରେ ଲୋକ ଋଣଗ୍ରସ୍ତ ହୋଇପାରେ । ଋଣ ପରିଶୋଧ କଲାବେଳେ ଭବିଷ୍ୟତ ଫଳାଫଳ ବିଚାର କରି, ସାବଧାନତାର ସହିତ ପରିଶୋଧ କରିବାକୁ ହେବ । ବିଳମ୍ୱରେ ପରିଶୋଧ କଲେ, ସୁଧ ଯେପରି ବଢ଼ିଯାଇପାରେ, ଚଞ୍ଚଳ ପରିଶୋଧ କରିଦେଲେ, ସେହିପରି ଅନ୍ୟ ବିପଦ ଅଛି । ଋଣର ଭାର ମୁଣ୍ଡ ଉପରୁ ଚାଲିଗଲେ, ପୁଣି ନୂତନ ଋଣର ପନ୍ଥା ଫିଟିଯାଏ । ଋଣଗ୍ରସ୍ତ ଲୋକ ସର୍ବଦା ମିତବ୍ୟୟୀ । ପୁଣି ତାହାର ଆର୍ଥିକ ଦୁରବସ୍ଥା ଦେଖି ଲୋକେ ତାହାଠାରୁ କୌଣସି ଅର୍ଥସାହାଯ୍ୟ ଲୋଡ଼ିବାକୁ ସଙ୍କୋଚ ବୋଧ କରନ୍ତି । ଲୋକେ ଋଣର ବାହାନାରେ ଅନେକ ନ୍ୟାଯ୍ୟ ଦେୟରୁ ମଧ୍ୟ ନିବୃତ୍ତ ହୋଇଥାନ୍ତି । ବିଶେଷ ଦାନରୁ ପନ୍ଥା ବନ୍ଦ କରିବାକୁ ଲୋକେ ଇଚ୍ଛା ପୂର୍ବକ ନିଜକୁ ଋଣଗ୍ରସ୍ତ କରିବାର ସଂସାରରେ ଯେ ଦେଖା ନ ଯାଏ, ତାହା ନୁହେଁ । ନଷ୍ଟ ସମ୍ପତ୍ତି ଉଦ୍ଧାର କଲାବେଳେ ସାମାନ୍ୟ ସାମାନ୍ୟ ବିଷୟ ପ୍ରତି ହେଳା କରିବା ଅନୁଚିତ । ଏଥିରେ କୌଣସି ସମ୍ମାନହାନିର ଆଶଙ୍କା ନାହିଁ । ଅଳ୍ପକ ପାଇଁ ପରଦ୍ୱାରରେ ହାତ ପତାଇବା ଅପେକ୍ଷା କ୍ଷୁଦ୍ର କ୍ଷୁଦ୍ର ବ୍ୟୟସଂକୋଚରେ ସମ୍ମାନହାନିର ଆଶଙ୍କା ଅଳ୍ପ । ଯେଉଁ ବ୍ୟୟ ଜୀବନ ଯାକ ସବୁ ସମୟରେ ଲାଗି ରହିବ, ତାହା ଆରମ୍ଭ କଲାବେଳେ ବିଶେଷ ଭାବରେ ସାବଧାନ ହେବା ପ୍ରୟୋଜନ । ଏପରି ମଧ୍ୟ ଅନେକ ବ୍ୟୟ ଅଛି, ଯାହା ଥରେ ଆରମ୍ଭ ହେଲେ, ଆଉ ବନ୍ଦ କରି ହୁଏ ନାହିଁ । ସେପରି ବ୍ୟୟ ପ୍ରାୟ ନ କରିବା ଉଚିତ । କିନ୍ତୁ ସାମୟିକ ବ୍ୟୟରେ ମୁକ୍ତହସ୍ତ ହେଲେ, ବିଷୟ ହାନିର କୌଣସି ସମ୍ଭାବନା ନାହିଁ । ଏହିପରି ଦାନରେ ଦାତା ଦାନର ସୁଖ ଉପଭୋଗ କରିପାରେ ଏବଂ ଗ୍ରହୀତା ମଧ୍ୟ ଯଥେଷ୍ଟ ଉପକୃତ ହୁଏ ।

 

ବନ୍ଧୁତା

ବନ୍ଧୁତାର ଆବଶ୍ୟକତା-ବନ୍ଧୁତାର ଚିତ୍ତ-ଉପକାରିତା

 

ଯେ ନିର୍ଜନ ସ୍ଥାନରେ ବାସ କରି ସୁଖ ଶାନ୍ତିରେ କାଳ କଟାଇ ପାରେ, ସେ ହୁଏ ତ ଦେବତା, ନୋହିଲେ ପଶୁ । ସମାଜ ପ୍ରତି ଯାହାର ପ୍ରାଣରେ ଘୃଣା ଜନ୍ମିପାରେ, ସେ ପଶୁଛଡ଼ା ଆଉ କଅଣ ହେବ ? ତେବେ ସମାଜ ପ୍ରତି ସ୍ନେହ, ସହାନୁଭୂତି ମାତ୍ରା ହୃଦୟରେ ପ୍ରବଳ ହୋଇ ଉଠିଲେ, ସେହି ହୃଦୟର ଉଦ୍ୱେଳନ ମଧ୍ୟରେ, ବୁଦ୍ଧଦେବ ନିଜର ପରିବାର ଓ ରାଜ୍ୟ ତ୍ୟାଗ କଲାପରି, ମନୁଷ୍ୟ ବନ୍ଧୁବାନ୍ଧବ, ସମାଜ ପରିତ୍ୟାଗ କରି ସେମାନଙ୍କର ସମୂହ ଉନ୍ନତି ନିମନ୍ତେ ବନବାସୀ ହୋଇପାରେ । ଏହାହିଁ ଦେବତ୍ତ୍ୱ । କିନ୍ତୁ ଏପରି ଦେବତ୍ତ୍ୱ ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ମନୁଷ୍ୟ ପ୍ରାଣରେ ଭଗବାନ ଯେ ଆସଙ୍ଗଲିପ୍ସା ରୋପଣ କରିଅଛନ୍ତି, ତାହାର ଫଳରେ ସାଧାରଣ ମନୁଷ୍ୟ ବନ୍ଧୁବାନ୍ଧବ, ସାଙ୍ଗୀସହଚର ଘେନି ରହିବାକୁ ସୁଖକର ମଣେ । ମନୁଷ୍ୟ ପ୍ରକୃତିରେ ଅନେକ ପଶୁଭାବ ଅଛି । ପଶୁ ଯେପରି ନିଜର ସୁଖ ସ୍ୱଚ୍ଛନ୍ଦତା, ଭୋଗ ବିଳାସ ଖୋଜି ବୁଲେ, ଅନୁନ୍ନତ ମାନବ ସେହିପରି ଆପଣାର ସୁଖ ସମ୍ପଦ ଲୋଡ଼ିଥାଏ । ଏହିପରି ନିଜର ସୁଖ ସମ୍ପଦ ଲୋଡ଼ିବାରେ ମନୁଷ୍ୟର ବିଶେଷତ୍ୱ କିଛି ନାହିଁ । ଜୀବନରେ ମନୁଷ୍ୟତା ଲାଭ କରିବାକୁ ହେଲେ, ମନୁଷ୍ୟ ଯାହା ନିଜପାଇଁ ଲୋଡ଼େ, ପ୍ରତିବେଶୀ ନିମନ୍ତେ ମଧ୍ୟ ତାହାହିଁ ଲୋଡ଼ିବା ଆବଶ୍ୟକ । ପରିବାରରେ, ଉପଭୋଗର ଆଦାନପ୍ରଦାନ ମଧ୍ୟରେ ମନୁଷ୍ୟର ପଶୁଭାବ ଅନେକ ପରିମାଣରେ ତିରୋହିତ ହୁଏ-। କିନ୍ତୁ ପରିବାରର କ୍ଷୁଦ୍ରସୀମାମଧ୍ୟରେ ଆବଦ୍ଧ ରହିବାରେ ସନ୍ତୁଷ୍ଟ ନ ହୋଇ, ମନୁଷ୍ୟ ତାହାର ପ୍ରେମର ପରିସର ବଢ଼ାଇବାକୁ ଇଚ୍ଛାକରେ । ହୃଦୟରେ ଏହି ସ୍ୱାଭାବିକ ଲାଳସାର ପରିତୃପ୍ତି ନିମନ୍ତେ ବିବାହ ସମ୍ପର୍କ । ଏପରି କି, ହୃଦୟର ଏହି ଉନ୍ନତ ଭାବର ବିକାଶରେ ମନୁଷ୍ୟ ପ୍ରତିବେଶୀ ସଙ୍ଗେ ସଙ୍ଗାତ ମିତ ବସି, କୃତ୍ରିମ ଉପାୟରେ ସେମାନଙ୍କୁ ଜୀବନର ବନ୍ଧୁରୂପେ ବରଣ କରି ନିଏ । ପ୍ରାଣରେ ଆସଙ୍ଗଲିପ୍ସା ନ ଥିଲେ ମନୁଷ୍ୟ ବାସ୍ତବିକ ପଶୁ ହୋଇ ରହନ୍ତା । ଯାହାର ପ୍ରାଣରେ ଏ ଆସଙ୍ଗଲିପ୍ସାର ମାତ୍ରା ଯେତିକି ବେଶି, ଜୀବନର ରହସ୍ୟ ସେ ସେତିକି ଉପଲବ୍ଧି କରିଅଛି ଏବଂ ପଶୁତ୍ୱରୁ ଉଠି ଦେବତ୍ୱଆଡ଼କୁ ସେତିକି ଅଗ୍ରସର ହୋଇଅଛି । ମାନବ ପ୍ରାଣରେ ସ୍ନେହ ପ୍ରୀତିର ଉଚ୍ଛ ଗୋପନରେ ନିହିତ ଅଛି । ଏହା ସର୍ବଦା ବହି ଯିବାକୁ ଲୋଡ଼ୁଥାଏ ଏବଂ ଗତିରେ ପ୍ରତିହତ ଓ ଆବଦ୍ଧ ହେଲେ, ଶୁଷ୍କ ହୋଇଯାଏ ସତ୍ୟ; କିନ୍ତୁ ଏହାର ପ୍ରସାର ନିମନ୍ତେ ମୁଖ ଉନ୍ମୁକ୍ତ କରିଦେଲେ, ସମଗ୍ର ବିଶ୍ୱକୁ ପ୍ଳାବିତ କରିପାରେ । ଏହିଠାରେ ମନୁଷ୍ୟତାର ପୂର୍ଣ୍ଣ ବିକାଶ; ମାନବାତ୍ମାର ଚରମ ପରିତୃପ୍ତି ।

 

ସଚରାଚର ଦେଖାଯାଏ ଅନନ୍ତ ପ୍ରକୃତି ମଧ୍ୟରେ କେହି ଏକାକୀ ନାହିଁ । ସମସ୍ତେ ନିଜ ନିଜ ଅଭିରୁଚି ଅନୁସାରେ ସଙ୍ଗୀ ବାଛି ନିଅନ୍ତି । ପଶୁପକ୍ଷୀ ଯାହା ସହଜ ବୃତ୍ତିବଳରେ କରେ, ଉନ୍ନତତର ମନୂଷ୍ୟ ସେହି କାର୍ଯ୍ୟମାନ ନିଜର ବୁଦ୍ଧି ବିବେକ ସାହାଯ୍ୟରେ କରିଥାଏ । ମନୁଷ୍ୟ ନିଜର ବନ୍ଧୁ ଲୋଡ଼ିଲା ବେଳେ, ଯେ କୌଣସି ଲୋକନିକଟରେ ପ୍ରାର୍ଥୀ ହୁଏ ନାହିଁ । ଯେଉଁଠାରେ ହୃଦୟସଙ୍ଗେ ହୃଦୟ ମିଳିବାର ସମ୍ଭାବନା ଦେଖିପାରେ, ସେହିଠାରେ ସେ ଆପଣାର ପ୍ରୀତିର ଦ୍ୱାର ଉନ୍ମୁକ୍ତ କରିଦିଏ । ଜୀବନରେ ଏ ଶ୍ରେଣୀର ସଙ୍ଗୀ ପାଇବା ଅବଶ୍ୟ ବଡ଼ ଦୁରୂହ କଥା । ଆଜିକାଲି ସମାଜ, ସମିତି ପ୍ରଭୃତିରେ ଏକତ୍ର ବସି ଯେଉଁମାନେ ସଭ୍ୟ ଯୁଗର କୃତ୍ତ୍ରିମ ବନ୍ଧନରେ ନିଜ ନିଜକୁ ବାନ୍ଧି ରଖୁଅଛନ୍ତି, ସେମାନଙ୍କ ମଧ୍ୟରେ ଅନେକ ସମୟରେ ପ୍ରକୃତ ବନ୍ଧୁତା ଅଳ୍ପ । ଅପର ବ୍ୟକ୍ତିସଙ୍ଗରେ ବନ୍ଧୁତା ସ୍ଥାପନ କରି, ତାହା ସ୍ଥାୟୀ କରିବାକୁ ହେଲେ ବିଶେଷ ସାଧନା ଆବଶ୍ୟକ ହୁଏ । ପରସ୍ପର ପ୍ରତି ସମ୍ମାନପ୍ରଦର୍ଶନରେ ପ୍ରଥମେ ବନ୍ଧୁତାର ଅଙ୍କୁରରୋପଣ । ଯାହାକୁ ମନୁଷ୍ୟ ନିଜଠାରୁ ବଡ଼ ବୋଲି ବିବେଚନା କରେ, ତାହା ପ୍ରତି ହୃଦୟରେ ସ୍ୱତଃ ଭକ୍ତି ପ୍ରୀତି ଜାତ ହୁଏ । ବୟସ, ଆର୍ଥିକ ଅବସ୍ଥା ଓ ସାମାଜିକ ଆସନ ଭିନ୍ନ ହେଲେ, ଏହି ଭକ୍ତି ପ୍ରୀତି ଅନେକ ସମୟରେ କେବଳ ଭକ୍ତି ପ୍ରୀତିରେହି ରହିଯାଏ । କିନ୍ତୁ ଏଗୁଡ଼ିକ ସମାନ ହେଲେ, ତହିଁରୁ ହୃଦୟମିଳନ ଆରମ୍ଭ ହୁଏ । ହୃଦୟମିଳନ ଟିକିଏ ଘନିଷ୍ଠ ହୋଇ ଆସିଲେ, ବନ୍ଧୁ ବନ୍ଧୁର ସୁଖ ସ୍ୱଚ୍ଛନ୍ଦତା ନିମନ୍ତେ ନିଜର ସୁଖ ସ୍ୱଚ୍ଛନ୍ଦତା ଅନେକ ସମୟରେ ବିସର୍ଜନ କରେ । ଏହି ତ୍ୟାଗରେହିଁ ବନ୍ଧୁତାର ଅଭିବୃଦ୍ଧି । କ୍ରମେ କ୍ରମେ ପ୍ରେମର ବନ୍ଧନ ଦୃଢ଼ ହେଲେ, ବନ୍ଧୁ ବନ୍ଧୁ ମଧ୍ୟରେ ହୃଦୟଦ୍ୱାର ଉନ୍ମୁକ୍ତ ହୁଏ, ଭାବ ଏକ ପ୍ରାଣରୁ ଅନ୍ୟ ପ୍ରାଣକୁ ଖେଳିଯାଏ । ସେତେବେଳେ ବନ୍ଧୁଠାରୁ ଲୁଚାଇ ରଖିବାର ଆଉ କିଛି ରହେ ନାହିଁ । ପ୍ରାଣ ପ୍ରାଣ ମିଶି ଏକ ହୁଏ । ସେତେବେଳେ ବନ୍ଧୁର ସମ୍ପଦରେ ନିଜର ସମ୍ପଦ, ବନ୍ଧୁର ବିପଦରେ ନିଜର ବିପଦ । ଏ ସବୁ ବନ୍ଧୁତାର ସ୍ୱାଭାବିକ ବିକାଶ ପରି ବୋଧ ହେଉଅଛି ସତ୍ୟ; କିନ୍ତୁ ଏଥିମଧ୍ୟରେ ପଦେ ପଦେ କଠୋର ସାଧନା ରହିଅଛି । ବନ୍ଧୁତାର ସରସତା ଜୀବନର ବହୁ କଠୋରତା ଉପରେ ପ୍ରତିଷ୍ଠିତ । ବନ୍ଧୁ ନିର୍ବାଚନ କରି, ବନ୍ଧନ ଦୃଢ଼ ହୋଇଗଲାପରେ ମଧ୍ୟ ଅନେକ ସମୟରେ ସେ ବନ୍ଧନ ଛିଣ୍ଡି ଯିବାର ଦେଖାଯାଏ । ସେପରି ସ୍ଥଳରେ ବନ୍ଧୁ ନିର୍ବାଚନରେ ସଂଯମର ବା ବନ୍ଧୁତାର ରକ୍ଷାରେ ସାଧନାର ଅଭାବ ବୁଝିବାକୁ ହେବ । ବନ୍ଧୁଙ୍କର ନୂତନ ଯୁଗଳପ୍ରାଣ ଅତି କୋମଳ । ସେତେବେଳେ ସାମାନ୍ୟ ଅବିଶ୍ୱାସ ବା ବିରାଗରେ ବନ୍ଧୁତା ଯେପରି ଭାଙ୍ଗିଯାଇପାରେ, ସେହିପରି ଅନୁରାଗ ଓ ବିଶ୍ୱାସର କ୍ଷୀଣ କଣିକାଟିଏ ମଧ୍ୟ ଅବଲମ୍ୱନ କରି, ଉତ୍ତରୋତ୍ତର ବଢ଼ିପାରେ । ସେଥିପାଇଁ ଅଭ୍ୟାସ କରି, ହୃଦୟରେ ବିଶ୍ୱାସ, ଅନୁରାଗ ଜାଗ୍ରତ କରିବାକୁ ହେବ । ବନ୍ଧୁପ୍ରତି ସାମାନ୍ୟ ସନ୍ଦେହ ହେଲେ, ତାହା ତତ୍‌କ୍ଷଣାତ୍ ଦୂର କରିବାକୁ ହେବ । କୁଭାବମନ ମଧ୍ୟରେ ପୋଷି ରଖିଲେ ଚଳିବ ନାହିଁ । ପୁଣି ବନ୍ଧୁତାରେ ଯେପରି ଗୁଣଗ୍ରାହିତା ଆବଶ୍ୟକ, ବନ୍ଧୁର ଦୋଷ ବା ଦୁର୍ଗୁଣ ସକାଶେ କ୍ଷମା ମଧ୍ୟ ତତୋଽଧିକ ଆବଶ୍ୟକ । ତଥାପି ପରସ୍ପରଠାରେ ମନୁଷ୍ୟତାର ବିକାଶ ନିମନ୍ତେ ସଦଭିପ୍ରାୟରେ ଦୋଷଗୁଡ଼ିକ ଦେଖାଇ ଦେବାକୁ ହେବ । ଏକା ଏତିକି ନୁହେଁ, ବନ୍ଧୁର କୋମଳ ପ୍ରାଣରେ, ତଥା ବନ୍ଧୁତାରେ କାଳେ ଆଘାତ ଲାଗିବ,ଏ ଆଶଙ୍କାରେ ସର୍ବଦା ନିଜର ଦୋଷ ଦୁର୍ଗୁଣ ପ୍ରତି ତୀକ୍ଷ୍ଣଦୃଷ୍ଟି ରଖିବାକୁ ହେବ । ଏହିପରି ଜୀବନବ୍ୟାପୀ ସାଧନାମଧ୍ୟରେ ବନ୍ଧୁତାର ବିକାଶ ।

 

ସଂସାରରେ ଯେତେ ଶୁଭକର୍ମ ହୋଇଅଛି, ସେ ସବୁର ମୂଳରେ ବନ୍ଧୁତା । ସମାଜରେ ମନୁଷ୍ୟମାନଙ୍କ ମଧ୍ୟରେ ସ୍ନେହ ପ୍ରୀତ ବଢ଼ିଲେ ସମାଜର ଏବଂ ଜଗତର ଯେ ସମୂହ କଲ୍ୟାଣ ସାଧିତ ହେବ ସେଥିରେ ସନ୍ଦେହ କଅଣ ? କ୍ଷୁଦ୍ର ବ୍ୟକ୍ତିଗତ ଜୀବନରେ ମଧ୍ୟ ବନ୍ଧୁତାର ସୁଫଳ ସର୍ବଦା ସ୍ପଷ୍ଟ ଜଣାପଡ଼େ । ସମ୍ପଦ ବିପଦରେ ମନୁଷ୍ୟ ଆଉ ଜଣକର ସାହଚର୍ଯ୍ୟ ଲୋଡ଼େ । ନିଜେ ଉପଭୋଗ କଲେ ସେଥିରେ ସୁଖ ମିଳିପାରେ, କିନ୍ତୁ ପ୍ରାଣରେ ପୂର୍ଣ୍ଣ ଶାନ୍ତି ଆସେ ନାହିଁ । ମନେହୁଏ, ଯେପରି କିଛି ଅଭାବ ରହିଗଲା । ବନ୍ଧୁ ସହିତ ସମ୍ପଦ ଉପଭୋଗ କଲେ, ତାହାର ମାଧୁରୀ ଦ୍ୱିଗୁଣିତ ହୁଏ । ସେତେବେଳେ କେବଳ, ମନୁଷ୍ୟ ସୁଖ ମଧ୍ୟରେ ବୁଡ଼ି, ସେ ସୁଖର ପ୍ରକୃତ ପ୍ରାଣ ଅନୁଭବ କରେ । ବିପଦବେଳେ ମଧ୍ୟ ବନ୍ଧୁର ସହାନୁଭୂତିରେ ବିପଦର ବେଦନା ଜଣାପଡ଼େ ନାହିଁ । ଦୁଃଖଭାର ବିଭକ୍ତ ହୋଇଯାଏ । ବନ୍ଧୁଙ୍କୁ ଦେଖିଲେ ଦୁଃଖ-ସହିବାକୁ ପ୍ରାଣରେ ନବୀନ ଶକ୍ତି ଅନୁଭୂତ ହୁଏ । ଚରିତ୍ରଗଠନ ପକ୍ଷରେ ବନ୍ଧୁତା ବିଶେଷ ସାହାଯ୍ୟ କରେ । ପାପୀ ସର୍ବଦା ଲୋକଚକ୍ଷୁକୁ ଡରିଲା ପରି, ମନୁଷ୍ୟର ତ୍ରୁଟି, ହୃଦୟର କଳଙ୍କ କାଳିମା ବନ୍ଧୁର ସ୍ନେହମୟ ଦୃଷ୍ଟିସମକ୍ଷରେ ସର୍ବଦା ଭୀତ ହୁଅନ୍ତି ଏବଂ ପରିଣାମରେ ତିଷ୍ଠିପାରନ୍ତି ନାହିଁ । ବନ୍ଧୁର ଦୃଷ୍ଟି ଅନେକ ସମୟରେ ଅନ୍ତର୍ଦୃଷ୍ଟି ଫିଟାଇ ଦିଏ । ବନ୍ଧୁର ସହବାସରେ ଏହିପରି ଭାବ ଓ ଜ୍ଞାନର ପରିମାର୍ଜ୍ଜନା ସଙ୍ଗେ ସଙ୍ଗେ ହୃଦୟର ମହତ୍ତ୍ୱ କ୍ରମଶଃ ପରିସ୍ଫୁଟ ହୁଏ ।

Image

 

ସଂବାଦ ପତ୍ର

 

ଉତ୍ପତ୍ତି ଓ ଉଦ୍ଦେଶ୍ୟ-ଉପକାରିତା-ଭାରତରେ ସଂବାଦପତ୍ରର ଅବସ୍ଥା ।

 

ଆଜିକାଲି ଚାରିଆଡ଼େ, ବିଶେଷତଃ ସଭ୍ୟ ଦେଶମାନଙ୍କରେ ସାପ୍ତାହିକ ଓ ଦୈନିକ ନାନାଶ୍ରେଣୀର ସମ୍ବାଦପତ୍ର ପ୍ରକାଶିତ ହେଉଅଛି । କୌଣସି କୌଣସି ସମ୍ବାଦପତ୍ର ଦିନକୁ ଦୁଇଥର ମଧ୍ୟ ପ୍ରକାଶିତ ହୁଏ । ବର୍ତ୍ତମାନ ସମ୍ବାଦପତ୍ରର ପ୍ରାଧାନ୍ୟ ଏତେ ବଢ଼ିଅଛି ଯେ, କୌଣସି ଦେଶର ସମ୍ବାଦପତ୍ରର ସଂଖ୍ୟାରୁ ସେହି ଦେଶର ସଭ୍ୟତା ଅନେକ ସମୟରେ ନିର୍ଦ୍ଧାରିତ ହେଉଅଛି । ଏବେ ଏହା ଦେଶରେ ଯେତେ ଶ୍ରେଣୀର କାର୍ଯ୍ୟ କରୁଅଛି, ଆଗେ ସେପରି କରୁ ନ ଥିଲା । ପୃଥିବୀର ପ୍ରଥମ ନାମଯୋଗ୍ୟ ସମ୍ବାଦପତ୍ର ଇଟାଲି ଅନ୍ତର୍ଗତ ଭିନିସ୍‌ନଗରୀରୁ ପ୍ରକାଶିତ ହୋଇଥିଲା । ଭିନସ୍‌ର ଶାସନକର୍ତ୍ତା ଶାସନପ୍ରଣାଳୀ ସମ୍ବନ୍ଧରେ ଲୋକମାନଙ୍କୁ ନାନା ବିଷୟ ଅବଗତ କରାଇବା ନିମନ୍ତେ, ସେହି ପତ୍ର ପ୍ରକାଶ କରିଥିଲେ । ଏହା ପୂର୍ବରୁ ପ୍ରଜାମାନେ ଶାସନକର୍ତ୍ତାଙ୍କ କାର୍ଯ୍ୟରେ ବିଶେଷଭାବରେ ଅସନ୍ତୁଷ୍ଟ ହେଉଥିଲେ । ଏହାର ପ୍ରଚାରରେ ସେମାନଙ୍କର ଅଶାନ୍ତି ସମ୍ପୂର୍ଣ୍ଣରୂପେ ଦୂର ହୋଇଥିଲା ଏବଂ ଶାସକଶାସିତଙ୍କ ମଧ୍ୟରେ ସହାନୁଭୂତି ଓ ସମପ୍ରାଣତା ଉତ୍ତୋରତ୍ତର ବଢ଼ିବାର ଦେଖାଗଲା । ଶାସନପ୍ରଣାଳୀ ସମ୍ପର୍କରେ ଏହାର ଶୁଭଫଳ ଦେଖି ଇଉରୋପର ଅନ୍ୟାନ୍ୟ ଦେଶମାନେ କ୍ରମେ କ୍ରମେ ସମ୍ବାଦପତ୍ରର ଆଦର ଓ ପ୍ରଚାର କରିବାକୁ ଲାଗିଲେ । ରାଣୀ ଏଲିଜାବେଥ୍‌ଙ୍କ ରାଜତ୍ୱରେ ଯେତେବେଳେ ଇଂଲଣ୍ଡ ଓ ସ୍ପେନ ଭୀଷଣ ଯୁଦ୍ଧରେ ଲିପ୍ତ ଥିଲେ, ସେହି ଦୁର୍ଦ୍ଦିନରେ ଇଂଲଣ୍ଡରେ ଏହାର ପ୍ରଥମ ପ୍ରକାଶ । ଭାରତର ଆଦି ସମ୍ବାଦପତ୍ର ଇଣ୍ଡିଆ ଗେଜେଟ; ୧୭୪୪ଖ୍ରୀଷ୍ଟାବ୍ଦରେ ସରକାରଙ୍କଦ୍ୱାରା ସ୍ଥାପିତ ହୋଇଥିଲା ।

 

ସମ୍ବାଦପତ୍ର ପ୍ରଥମେ ଯେ ଉଦ୍ଦେଶ୍ୟର ସ୍ଥାପିତ ହୋଇଥିଲା, ତାହା ଆଜିକାଲି ସଚରାଚର ସେହି ଉଦ୍ଦେଶ୍ୟ ବହୁ ପରିମାଣରେ ସାଧିତ କରୁଥିଲେ ସୁଦ୍ଧା, ଅନ୍ୟାନ୍ୟ ଅନେକ ଦିଗରେ ସମାଜ ସେଥିରୁ ବିଶେଷ ଉପକାର ପାଉଅଛି । ସେଥିରେ ନାନା ଦେଶର ସମ୍ବାଦ ପ୍ରକାଶିତ ହେଉଥିବାରୁ, ଲୋକ ଗୃହକୋଣରେ ବସି ମଧ୍ୟ, ସମସ୍ତ ପୃଥିବୀକୁ ଯେପରି ନିଜ ଆଖି ଆଗରେ ଦେଖି ପାରୁଅଛି-। ସମ୍ବାଦପତ୍ରର ବହୁଳ ପ୍ରଚାର ଯୋଗୁଁ ସୁଦୂର ଜାପାନ, ମାର୍କିନ୍‌, ଇଉରୋପ, ଅଷ୍ଟ୍ରେଲିଆ ଆଜି ପରସ୍ପର ପ୍ରତିବେଶୀ ହୋଇଅଛନ୍ତି । ଏକ ଦେଶର ଚିନ୍ତା ଓ ଭାବ ଅଲକ୍ଷିତ ଭାବରେ ଅନ୍ୟାନ୍ୟ ସକଳ ଦେଶରେ ଖେଳି ଯାଉଅଛି ଏବଂ ଏହି ସୂତ୍ରରେ ପୃଥିବୀ ସକଳ ଭେଦ ବିଭିନ୍ନତା ଛାଡ଼ି ମହାସମ୍ମିଳନ ଦିଗରେ ଗତି କରୁଅଛି । ବ୍ୟକ୍ତିଗତ ଜୀବନରେ ମଧ୍ୟ ଏହାର କାର୍ଯ୍ୟ ଊଣା ନୁହେଁ । ଅବସରବେଳେ ବିଜ୍ଞ ଓ କର୍ମନିରତ ଲୋକମାନେ ସମ୍ବାଦପତ୍ର ପାଠରେ ସମ୍ବାଦ ପାଇବା ସଙ୍ଗେ ସଙ୍ଗେ ଶ୍ରମ ଅପନୋଦନ କରିଥାଆନ୍ତି । କିନ୍ତୁ ଇତର ସାଧାରଣ ଲୋକଙ୍କପକ୍ଷରେ ଏହା ଶିକ୍ଷକର କାର୍ଯ୍ୟ କରେ । ପାଠଶାଳାରେ ପଢ଼ିଲେ ସେମାନେ ଯାହା ଶିଖି ପାରନ୍ତେ, ସମ୍ବାଦପତ୍ର ପାଠଦ୍ୱାରା ତାଙ୍କର ତହିଁରୁ ଅଧିକ ଶିକ୍ଷା ହୁଏ । ପାଠଶାଳାରୁ ଉତ୍ତୀର୍ଣ୍ଣ ଛାତ୍ରର ଜ୍ଞାନ ସଂକୀର୍ଣ୍ଣ ପାଠ୍ୟବିଷୟରେ ସୀମାବଦ୍ଧ ଥାଏ । ସମ୍ବାଦପତ୍ର ପାଠକ କିନ୍ତୁ, କେବଳ ନିଜ ଦେଶର ନୁହେଁ, ସମଗ୍ର ପୃଥିବୀର ରାଜନୈତିକ, ସାମାଜିକ କୃଷି ବାଣିଜ୍ୟ ଶିଳ୍ପ ସମ୍ବନ୍ଧୀୟ ଯାବତୀୟ ଖବର ରଖି, ଯଥାସମୟରେ ନିଜ ଜୀବନରେ ତାହାର ବ୍ୟବହାର କରିପାରେ । ଆହୁରି ମଧ୍ୟ ଉଚ୍ଚ ଉନ୍ନତ ଚିନ୍ତା ଗ୍ରହଣ କରି ଜୀବନକୁ ଉନ୍ନତତର କରେ । କୃଷକ, ବେପାରୀ, ଶିଳ୍ପୀ, ସମସ୍ତଙ୍କପାଇଁ ସମ୍ବାଦପତ୍ରରେ ପଢ଼ିବାର ବିଷୟ ଅଛି । ନାନା ଭାବରେ ସମ୍ବାଦପତ୍ର ମାନବ ଜୀବନକୁ ପ୍ରଭାବିତ କରୁଅଛି । ଏହାର ସାହାଯ୍ୟରେ ସମାଜର ପାପ ଅପରାଧ, ପ୍ରଚାର ଭୟରେ, ସଙ୍କୁଚିତ ହେଉଅଛି ଏବଂ ପୁଣ୍ୟ ଓ ସତ୍‌କାର୍ଯ୍ୟ ଲୋକରେ ଆଦର ପାଇ, ବହୁ ପରିମାଣରେ ବଢ଼ୁଅଛି । ଦେଶର କଲ୍ୟାଣ ଓ ସମୂହ ଉନ୍ନତି ନିମନ୍ତେ ସମ୍ବାଦପତ୍ର ନିତାନ୍ତ ଆବଶ୍ୟକ ।

 

ପୃଥିବୀର ଅନ୍ୟାନ୍ୟ ସଭ୍ୟ ଦେଶମାନଙ୍କରେ ସମ୍ବାଦପତ୍ର ଯେପରି ଉନ୍ନତ ସ୍ଥାନ ଅଧିକାର କରିପାରିଅଛି ଏବଂ ସଭ୍ୟତା ବୃଦ୍ଧିରେ ସାହାଯ୍ୟ କରୁଅଛି, ଭାରତରେ ତାହା ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ଇଂରେଜି ଭାଷାରେ ପରିଚାଳିତ ସମ୍ବାଦପତ୍ରମାନ ଅଳ୍ପ ସଂଖ୍ୟକ ଶିକ୍ଷିତ ଲୋକଙ୍କ ନିକଟରେ ଆଦୃତ ହେଉଅଛି ସତ୍ୟ, ମାତ୍ର ଜନସାଧାରଣ ସେଥିରୁ କିଛି ଉପକାର ପାଉନାହାନ୍ତି । ଅନ୍ୟପକ୍ଷରେ ଦେଶୀୟ ଭାଷାରେ ପରିଚାଳିତ ସମ୍ବାଦପତ୍ରମାନଙ୍କରୁ ଏହି ଜନସାଧାରଣଙ୍କର ଯଥେଷ୍ଟ ଶିଖିବାର ବିଷୟ ଅଛି । କିନ୍ତୁ ସେଥିରେ ଶିକ୍ଷିତଲୋକଙ୍କର ଆଦର ଓ ସହଯୋଗୀତା ସେ ଭଳି ଦେଖା ଯାଉନାହିଁ । ଭାରତର ସଂବାଦପତ୍ରମାନଙ୍କପାଇଁ ଗୋଟିଏ ମୁଦ୍ରଣ ଆଇନ ଅଛି । ଏହି ଆଇନ ଯୋଗୁଁ ସମ୍ବାଦପତ୍ରମାନେ କେତେକ ପରିମାଣରେ ଆବଦ୍ଧ ହେଲେହେଁ, ଉଚ୍ଛୃଙ୍ଖଳତାର ସଂଯମପାଇଁ ତାହା କଳ୍ପିତ ହୋଇଅଛି ଏବଂ ଅନେକଙ୍କର ମତ, ଏହି ହେତୁରୁ ଏହି ସଂବାଦପତ୍ର ଯୋଗେ ଭାରତରେ ରାଜା ପ୍ରଜାଙ୍କ ମଧ୍ୟରେ ଆତ୍ମୀୟତା ଓ ସୁହୃଦ୍‌ଭାବ ଅନେକ ପରିମାଣରେ ବଢ଼ିଅଛି । ପୁଣି ଉପଯୁକ୍ତ ଲୋକଙ୍କଦ୍ୱାରା ପରିଚାଳିତ ନ ହେଲେ ସମ୍ବାଦପତ୍ରଦ୍ୱାରା ରାଜା, ପ୍ରଜା ଓ ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ଅଯଥ୍ୟ ମନୋମାଳିନ୍ୟ ଘଟିପାରେ । ଭାରତରେ ସମ୍ପ୍ରଦାୟର ସୀମା ନାହିଁ ଏବଂ ରାଜା ପ୍ରଜାଙ୍କ ମଧ୍ୟରେ ଧର୍ମ, ଜାତି, ରକ୍ତଗତ କୌଣସି ନିକଟ ସମ୍ପର୍କ ନାହିଁ । ଏପରି ସ୍ଥଳରେ ସମ୍ପାଦକଙ୍କର ଆସନ ବଡ଼ ଦାୟିତ୍ୱପୂର୍ଣ୍ଣ । ସେମାନେ ମନେ ରଖିବା ଉଚିତ ଯେ, ଦେଶର ଶାନ୍ତି ସ୍ଥାପନହିଁ ସମ୍ୱାଦପତ୍ରର ଉଦ୍ଦେଶ୍ୟ ।

Image

 

ଓଡ଼ିଶାରେ ରେଲପଥର ଫଳାଫଳ

(ବିଶ୍ୱବିଦ୍ୟାଳୟ ପ୍ରଶ୍ନ)

 

ଓଡ଼ିଶାରେ ରେଳପଥ ସ୍ଥାପିତ ହେବା ଆଜିକି ଅଳ୍ପଦିନର କଥା । କଲେଜର କୌଣସି କୌଣସି ବୟସ୍କ ଛାତ୍ର ସ୍ଥାନେ ସ୍ଥାନେ ରାସ୍ତା ତିଆରି ହେବାର ଦେଖିଥିବେ । କିନ୍ତୁ ଏହି ଅଳ୍ପ ସମୟମଧ୍ୟରେ ରେଲପଥର ଶୁଭଫଳ ଓଡ଼ିଶାରେ ସ୍ପଷ୍ଟ ଦେଖା ଯାଇଅଛି । ଓଡ଼ିଶାର ପ୍ରାକୃତିକ ଅବସ୍ଥା ଭାରତବର୍ଷର ଅନ୍ୟାନ୍ୟ ପ୍ରଦେଶମାନଙ୍କଠାରୁ କେତେକ ଅଂଶରେ ଭିନ୍ନ । ଏକ ଦିଗରେ ସମୁଦ୍ର ଏବଂ ଅନ୍ୟ ତିନି ଦିଗରେ ଉଚ୍ଚ ପର୍ବତମାଳା ଓ ଅରଣ୍ୟାନୀଦ୍ୱାରା ପରିବେଷ୍ଟିତ ହୋଇ ଏହା ଭାରତର ଅନ୍ୟାନ୍ୟ ଅଞ୍ଚଳରୁ ବିଛିନ୍ନ । ପୁଣି ରାଜଧାନୀରୁ ମଧ୍ୟ ବହୁ ଦୂରରେ ଅବସ୍ଥିତ । ଏପରି ଅବସ୍ଥାରେ ଓଡ଼ିଶାର ରାଜନୈତିକ ଜୀବନ ଯେ କ୍ଷୀଣ ନିସ୍ପନ୍ଦ ହେବ ଏଥିରେ ସନ୍ଦେହ କଅଣ ? ବାସ୍ତବିକ ଶତାଧିକ ବର୍ଷ ଇଂରେଜଶାସନରେ ରହିଥିଲେ ସୁଦ୍ଧା ଓଡ଼ିଶା ସେହି ଶାସନରୁ ସୁଫଳ ଭୋଗ କରି ପାରି ନ ଥିଲା । ବର୍ତ୍ତମାନ ରେଲପଥର ପ୍ରଚାର ଯୋଗୁଁ ଆମ୍ଭମାନଙ୍କର ଏ ପ୍ରଦେଶଟି ଭାରତ ସଭ୍ୟତାରେ ଗୋଟିଏ ସ୍ଥାନ ଅଧିକାର କରିବାକୁ ଅଗ୍ରସର ହେଉଅଛି । ପ୍ରଜାମାନଙ୍କର ଅବସ୍ଥା ସ୍ୱଚକ୍ଷୁରେ ଦେଖିବା ନିମନ୍ତେ ରାଜପୁରୁଷମାନେ ସ୍ୱଚ୍ଛନ୍ଦରେ ଓଡ଼ିଶାର ନାନା ସ୍ଥାନକୁ ଆସି ପାରୁଅଛନ୍ତି ଏବଂ ଓଡ଼ିଆମାନେ ମଧ୍ୟ ଅକ୍ଳେଶରେ ନିଜର ଦୁଃଖ ଅଭାବ ସେମାନଙ୍କୁ ଜଣାଇ ପାରୁଅଛନ୍ତି ଓ ରାଜ ଦରବାରରେ ବସି ରାଜ୍ୟର ଭବିଷ୍ୟତ ନିୟନ୍ତ୍ରିତ କରୁଅଛନ୍ତି ।

 

ଭାରତର ରାଜନୈତିକ ଜୀବନରେ ବର୍ତ୍ତମାନ ଗୋଟିଏ ନୂତନ ସ୍ପନ୍ଦନ ଖେଳୁଅଛି । ଭାରତବାସୀର ଦାବି ବୁଝିବାକୁ ଏବଂ କଲ୍ୟାଣ ସାଧନ କରିବାକୁ ସାତ ସମୁଦ୍ର ପାର ହୋଇ, ରାଜା ଓ ରାଜସଚିବ ଯେପରି ଏ ଦେଶକୁ ଆସୁଅଛନ୍ତି, ଭାରତବାସୀ ମଧ୍ୟ ସେହିପରି ରାଜାଙ୍କର ଆହ୍ୱାନରେ ସାମ୍ରାଜ୍ୟର କଲ୍ୟାଣ ସକାଶେ ନିଜର ପ୍ରାଣ ଢାଳି ଦେଉଅଛନ୍ତି । ରେଲପଥର ଫଳରୁ ସେହି ସ୍ପନ୍ଦନ ଆଜି ଓଡ଼ିଶାରେ ଅନୁଭୂତ ହେଉଅଛି ଏବଂ ଓଡ଼ିଶାବାସୀ ନିଜକୁ ଭାରତଜାତୀୟତାରେ କେତେକ ପରିମାଣରେ ମିଶାଇ ପାରିଅଛନ୍ତି । ଆହୁରି ମଧ୍ୟ ବିଭିନ୍ନ ପ୍ରଦେଶରେ ଥିବା ଓଡ଼ିଆଙ୍କ ମଧ୍ୟରେ ଭ୍ରାତୃଭାବ ଦିନକୁଦିନ ବଢ଼ୁଅଛି ।

 

ଇଂରେଜ ଶାସନରେ ଭାରତର ପ୍ରାଚୀନ ଶିକ୍ଷାପଦ୍ଧତି ବହୁ ପରିମାଣରେ ପରିବର୍ତ୍ତିତ ହୋଇଅଛି । ଏଥିରେ ଭାରତର କେତେ ମଙ୍ଗଳ ବା ଅମଙ୍ଗଳ ହେବ, ସେ କଥା ସମୟରେ ବିଜ୍ଞ ବ୍ୟକ୍ତିମାନେ ନିରୂପଣ କରିବେ । ମାତ୍ର ବର୍ତ୍ତମାନ ପ୍ରାଚ୍ୟ ପାଶ୍ଚାତ୍ୟର ମିଳନରେ ଭାରତରେ ଯେ ଗୋଟିଏ ନୂତନ ଜାଗରଣ ଆସିଅଛି, ସେ କଥା ସ୍ପଷ୍ଟ ଜଣାଯାଉଅଛି । କିନ୍ତୁ ଓଡ଼ିଶା ବହୁଦିନ ପରେ ଇଂରେଜ ଶାସନାଧୀନରେ ଆସିଥିବାରୁ ଏବଂ ପ୍ରାକୃତିକ ଭାବରେ ଭାରତରୁ ବିଚ୍ଛିନ୍ନ ଥିବାରୁ, ଦୀର୍ଘକାଳ ଏ ଜାଗରଣର ସୁଯୋଗ ପାଇ ନ ଥିଲା । ଅନ୍ୟାନ୍ୟ ପ୍ରଦେଶମାନ ବହୁ ପୂର୍ବରୁ ପାଶ୍ଚାତ୍ୟ ଶିକ୍ଷା ଲାଭକରି, ଉନ୍ନତ ହେବା ସଙ୍ଗେ ସଙ୍ଗେ ଶାସନରେ ନାନା ପ୍ରକାର ସୁବିଧା ଓ ଅଧିକାର ପାଇ ଅଛନ୍ତି । ଓଡ଼ିଶା ଏପର୍ଯ୍ୟନ୍ତ ସେମାନଙ୍କର ସମକକ୍ଷ ହୋଇପାରିନାହିଁ । ନୂତନ ଶିକ୍ଷାପ୍ରତି ଓଡ଼ିଶାରେ ଆଗ୍ରହ ଜନ୍ମିଆସିଲାବେଳକୁ ରେଲପଥ ସ୍ଥାପିତ ହୋଇଅଛି । ବର୍ତ୍ତମାନ ନାନା ଦୂରସ୍ଥାନରୁ ଛାତ୍ରମାନେ ଆସି, ଶିକ୍ଷାର କେନ୍ଦ୍ରସ୍ଥଳମାନଙ୍କରେ ରୁଣ୍ଡ ହେଉ ଅଛନ୍ତି । ସ୍କୁଲ କଲେଜରେ ସ୍ଥାନ ହେଉ ନାହିଁ । ଆହୁରି ମଧ୍ୟ ବିଶ୍ୱବିଦ୍ୟାଳୟର ଉଚ୍ଚତମ ଶିକ୍ଷା ପାଇବା ନିମତ୍ତ ଛାତ୍ରମାନେ କଲିକତା, ବାଙ୍କିପୁର, ମାନ୍ଦ୍ରାଜ ପ୍ରଭୃତିରେ ଯାଇ ପଢ଼ିପାରୁ ଅଛନ୍ତି କେବଳ ସେତିକି ନୁହେଁ । ବଙ୍ଗୀୟ, ମାନ୍ଦ୍ରାଜୀ ଏବଂ ଅନ୍ୟାନ୍ୟ ଅଞ୍ଚଳର ପଣ୍ଡିତ ଓ ମନୀଷିମାନଙ୍କ ସଙ୍ଗେ ସାମୟିକ ସମ୍ପର୍କରେ ଆସି ଅଲକ୍ଷିତ ଭାବରେ ସେମାନେ ପ୍ରଭାବିତ ହେଉଅଛନ୍ତି ।

 

ପ୍ରତ୍ନତତ୍ତ୍ୱ ଓଡ଼ିଶାର ଗୋଟିଏ ବିଶେଷତ୍ୱ । ଓଡ଼ିଶାବାସୀ ଶିକ୍ଷାରେ ପଶ୍ଚାତ୍ପଦ ହୋଇ, ନିଜ ଦେଶର ପ୍ରାଚୀନ ସମ୍ପଦ ସବୁ ଦେଖି ପାରୁ ନ ଥିଲେ । ଓଡ଼ିଆ ଶିଳ୍ପିହସ୍ତର ପୁଣ୍ୟତମ କୀର୍ତ୍ତି, ପୁରୀ, କୋଣାର୍କ, ଭୁବନେଶ୍ୱର ପ୍ରଭୃତିରେ ରହିଥିଲେ ସୁଦ୍ଧା, ଓଡ଼ିଆ ସେ ସବୁ ଭଲ କରି ଚିହ୍ନି ପାରୁ ନ ଥିଲା । ବିଦେଶୀୟ ପଣ୍ଡିତମାନେ ସେ ସବୁ ତତ୍ତ୍ୱ ଅନ୍ୱେଷଣ କରି ବହୁ ଲୁପ୍ତ ରତ୍ନର ଉଦ୍ଧାର କରିଅଛନ୍ତି ଏବଂ ଓଡ଼ିଶାର ପ୍ରାଚୀନ କୀର୍ତ୍ତି ବିଷୟରେ ନାନା ଗ୍ରନ୍ଥ ଲେଖି ଯାଇଅଛନ୍ତି । ଯାତାୟାତର ସୁବିଧା ଯେତିକି ବଢ଼ୁଅଛି, ଦେଶ ଦେଶାନ୍ତରରେ ଓଡ଼ିଶାର ମହତ୍ତ୍ୱ ସେତିକି ପ୍ରଚାରିତ ହେଉଅଛି, ଏବଂ ଓଡ଼ିଶା ଭାରତସଭ୍ୟତାର ବିକାଶରେ ସେତିକ ସାହାଯ୍ୟ କରୁଅଛି ।

 

ଅନ୍ୟାନ୍ୟମାନଙ୍କଠାରୁ ବିଚ୍ଛିନ୍ନ ହୋଇ ରହିଲେ ସଙ୍କୀର୍ଣ୍ଣତା, ଦୁର୍ଗୁଣ, ଅଯଥା ଅଭିମାନ ପ୍ରଭୃତି ଜାତୀୟ ପ୍ରାଣରେ ରହିଯାଏ । ଓଡ଼ିଶାର ଏହି ବିଚ୍ଛିନ୍ନତା ଯୋଗୁଁ ଏହା ଯେ କେତେକ ପରିମାଣରେ ନୋହିଥିବ, କୁହାଯାଇ ନ ପାରେ । ବର୍ତ୍ତମାନ ରେଳପଥର ଫଳରେ ଅନ୍ୟାନ୍ୟ ସ୍ଥାନର ଲୋକଙ୍କ ସଙ୍ଗେ ମିଳାମିଶା କରିବାର ସୁଯୋଗ ମିଳିଅଛି । ଅନ୍ୟାନ୍ୟ ସ୍ଥାନର ରୀତି ନୀତି, ଆଚାର ବ୍ୟବହାର ଏବଂ ଲୋକଚରିତ୍ର ସର୍ବଦା ଦୃଷ୍ଟିରେ ପଡ଼ୁଅଛି । ଓଡ଼ିଶାବାସୀ ଏହି ସବୁ ସଙ୍ଗେ ନିଜର ରୀତି ନୀତି, ଆଚାର ବ୍ୟବହାର ପ୍ରଭୃତି ତୁଳନା କରି ଦେଖି ପାରୁଅଛନ୍ତି । ଜାତୀୟ ଜୀବନଗଠନ ଓ ନୈତିକତାର ବିକାଶ ପକ୍ଷରେ ଏ ସବୁର କାର୍ଯ୍ୟ ଅଳ୍ପ ନୁହେଁ ।

 

ଦେଶର ବାଣିଜ୍ୟ ଅଭିବୃଦ୍ଧିରେ ରେଲପଥ ବିଶେଷ ସାହାଯ୍ୟ କରେ । ଓଡ଼ିଶାର ଅନେକ ସ୍ଥାନ ଆଗେ ବାଣିଜ୍ୟର ଗୋଟିଏ ଗୋଟିଏ କେନ୍ଦ୍ର ଥିଲା । ନାନା ଅସୁବିଧା ଯୋଗୁଁ ସେଗୁଡ଼ିକ ବର୍ତ୍ତମାନ ଲୁପ୍ତ ହୋଇଅଛି । ଭାରତର ବାଣିଜ୍ୟରେ ସାହାଯ୍ୟ କରିବାକୁ ଓଡ଼ିଶାରେ ବର୍ତ୍ତମାନ ବିଶିଷ୍ଟ ପଣ୍ୟଦ୍ରଦ୍ୟ ସେପରି କିଛି ନାହିଁ ସତ୍ୟ, କିନ୍ତୁ ଓଡ଼ିଶାରେ ପ୍ରଚ୍ଛନ୍ନ ସମ୍ପଦ ଚାରିଆଡ଼େ ପୂରି ରହିଅଛି । ଗଡ଼ଜାତର ପର୍ବତଅରଣ୍ୟମଧ୍ୟରେ କେଉଁ ସ୍ଥାନରେ ଲୁହାର, କେଉଁ ସ୍ଥାନରେ କୋଇଲାର, କେଉଁ ସ୍ଥାନରେ ବା ଅନ୍ୟାନ୍ୟ ଧାତବ ଦ୍ରବ୍ୟର ଖଣି ରହିଅଛି । ଏ ସବୁର ଉଦ୍‌ଘାଟନ ବର୍ତ୍ତମାନ ଆରମ୍ଭ ହୋଇଅଛି ମାତ୍ର । ଯେତେବେଳେ ଏହା ପୂର୍ଣ୍ଣତା ପାଇବ, ସେତେବେଳେ ରେଲପଥ ନିମନ୍ତେ ବିସ୍ତର କାର୍ଯ୍ୟକ୍ଷେତ୍ର ଫିଟିଯିବ ଏବଂ ଓଡ଼ିଶାର ଏ ସମ୍ପଦରାଶିରେ ଭାରତର ଆର୍ଥିକତା କେତେକ ପରିମାଣରେ ପୃଷ୍ଟ ହେବ । ଅବଶ୍ୟ ବର୍ତ୍ତମାନ ବାଣିଜ୍ୟ ଯେ ଏକାବେଳକେ ହେଉ ନାହିଁ, ତାହା ନୁହେଁ । ଧାନ, ଚାଉଳ ଏବଂ ଅନ୍ୟାନ୍ୟ ଅନେକ ପ୍ରକାର ଶସ୍ୟ ଓଡ଼ିଶାରୁ ଦେଶବିଦେଶକୁ ରପ୍ତାନି ହେଉଅଛି । କିନ୍ତୁ ଏ ରପ୍ତାନିର ଫଳରେ ଦରିଦ୍ର ଓଡ଼ିଶାଦେଶରେ ଦିନକୁଦିନ ଅନ୍ନ କଷ୍ଟ ବଢ଼ୁଅଛି । ଦୁର୍ଭିକ୍ଷବେଳେ ବିଦେଶରୁ ଖାଦ୍ୟଦ୍ରବ୍ୟ ରେଲବାଟେ ଅଣାଯାଏ ସତ୍ୟ; କିନ୍ତୁ ଦେଶରୁ ଅତ୍ୟଧିକ ପରିମାଣରେ ରପ୍ତାନି ଚାଲିଥିବାରୁ ସେହି ଦୁର୍ଭିକ୍ଷ ନିମନ୍ତେ ପନ୍ଥା ଉନ୍ମୁକ୍ତ ହେଉଅଛି ।

 

ଓଡ଼ିଶାର ଅନେକଗୁଡ଼ିଏ ତୀର୍ଥ ଅଛି । ଆବହମାନ କାଳରୁ ଭାରତର ନାନା ସ୍ଥାନରୁ ଯାତ୍ରିମାନେ ଏଠାକୁ ଆସୁଅଛନ୍ତି । ବର୍ତ୍ତମାନ ରେଲପଥରେ ନିରାପଦ ଯାତାୟତ ଯୋଗୁଁ ଧନିକ ଯାତ୍ରିମାନଙ୍କ ସଂଖ୍ୟା ଦିନକୁଦିନ ବଢ଼ୁଅଛି । ଏଥିରେ ସେହି ତୀର୍ଥସ୍ଥାନମାନଙ୍କରେ କେତେକ ଶ୍ରେଣୀର ଲୋକଙ୍କର ଆର୍ଥିକ ଅବସ୍ଥା ସଚ୍ଛଳ ହେଉଅଛି । ତଥାପି ସମସ୍ତ ଦେଶର ଲାଭାଲାଭ କଥା ବିଚାର କଲାବେଳେ, ଏହା ଅତି ନଗଣ୍ୟ । ଏ ସମ୍ପର୍କରେ ମଧ୍ୟ କୁହାଯାଇପାରେ ଯେ ପୁରୀ, ଭୂବନେଶ୍ୱର ପ୍ରଭୃତିରେ ଭାରତର ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ଆସି ବାସ କରୁଥିବାରୁ ସହରର ସୌଷ୍ଠବ କେତେକ ପରିମାଣରେ ବଢ଼ିଅଛି; କିନ୍ତୁ ଓଡ଼ିଶାରୁ ସ୍ୱାସ୍ଥ୍ୟକର ଜଳବାୟୁର ପ୍ରଲୋଭନରେ ନାନା ପ୍ରକାର ରୋଗୀ ପରିବର୍ତ୍ତନପାଇଁ ଆସୁଥିବାରୁ ଓଡ଼ିଶାରେ ରୋଗର ପ୍ରକାର ଓ ପରିମାଣ ଦିନକୁଦିନ ବଢ଼ୁଅଛି । କଲିକତା ମେଡିକାଲ୍‌ କଲେଜର ପ୍ରଧାନ ଅଧ୍ୟାପକ କହିଅଛନ୍ତି ଯେ ଓଡ଼ିଶାକୁ ଏହିପରି ରୋଗିସ୍ରୋତ ଆଉ ଦଶବର୍ଷ ଚାଲିଲେ, ତାହା ବାସର ଅଯୋଗ୍ୟ ହେବ । ରେଲପଥ ଯୋଗୁଁ ଓଡ଼ିଶାର ଯଦି ଏ ଭଳି କ୍ଷତି ହୁଏ, ଏ କ୍ଷତିରେ ସମସ୍ତ ଲାଭ ଲୁଚିଯିବ ।

Image

 

ପ୍ୟାରୀମୋହନ

 

ଓଡ଼ିଶାର ତତ୍‌କାଳୀନ ଅବସ୍ଥା-ଜନ୍ମ-ବାଲ୍ୟକାଳ-ଧର୍ମଭାବ-ସାଂସାରିକ ଜୀବନ ମୃତ୍ୟୁ-କାର୍ଯ୍ୟ ଓ ଚରିତ୍ର ।

 

ଭାରତବର୍ଷ ଇଂରେଜଶାସନାଧୀନରେ ଆସିଲା ଦିନଠାରୁ ସର୍ବତ୍ର ଶିକ୍ଷାପ୍ରତି ଆଦର ବଢ଼ିଥିଲା । ବିଶ୍ୱବିଦ୍ୟାଳୟମାନ ସ୍ଥାପିତ ହୋଇ ଶିକ୍ଷାବିସ୍ତାରରେ ବିଶେଷ ସାହଯ୍ୟ କଲା । ଓଡ଼ିଶା ବିଳମ୍ୱରେ ଇଂରେଜଶାସନାଧୀନ ହୋଇଥିବାରୁ ଭାରତର ଅନ୍ୟାନ୍ୟ ଅଞ୍ଚଳର ଶିକ୍ଷା ଆନ୍ଦୋଳନ ଏଠାରେ ସେପରି ଭାବରେ ପ୍ରବେଶ କରି ନ ଥିଲା । ସରକାରୀ କାର୍ଯ୍ୟରେ ବିଦେଶୀୟମାନେ ନାନା ପ୍ରକାର ଅଧିକାର ପାଉଥିଲେ । ଏପରି ଅବସ୍ଥାରେ ଦେଶରେ ଶିକ୍ଷାବିସ୍ତାର ବହୁଳ ପରିମାଣରେ ଆବଶ୍ୟକ । ଆହୁରି ମଧ୍ୟ ଲୋକେ ବହୁକାଳ ଦେଶର ଅରାଜକ ଅବସ୍ଥାରେ ରହି, ଧର୍ମ ନୀତି ପ୍ରଭୃତି ପ୍ରାୟ ଭୁଲି ଯାଇଥିଲେ । ଇଂରେଜଶାସନ ପରେ ଦେଶରେ ଶାନ୍ତି ସ୍ଥାପନ ହେବା ସଙ୍ଗେ ସଙ୍ଗେ ଏ ସବୁର ପୁନରୁଦ୍ଧାର ହେବା ନିତାନ୍ତ ବାଞ୍ଚନୀୟ । ଏଭଳି ସମୟରେ ଦେଶର ଭାଗ୍ୟ ଗଢ଼ିବା ନିମନ୍ତେ ଶକ୍ତିଶାଳୀ ଲୋକ ଲୋଡ଼ା ।

 

ଓଡ଼ିଶାର ଏହିପରି ଯୁଗରେ, ୧୮୫୨ ଖ୍ରୀଷ୍ଟାବ୍ଦରେ ପ୍ୟାରୀମୋହନଙ୍କର ଜନ୍ମ । ସେ କଟକଜିଲ୍ଲାର ଚିଆଁପାଳ ଗ୍ରାମରେ, ଓଡ଼ିଶାବାସୀ ବଙ୍ଗୀୟ ପରିବାରରେ ଜନ୍ମଲାଭ କରିଥିଲେ । ପନ୍ଦର ପୁରୁଷ ପର୍ବରୁ ତାଙ୍କର ପରିବାର ଓଡ଼ିଶାକୁ ଆସିଥିଲେ । ସେମାନେ ଓଡ଼ିଶାର ଅନ୍ନ ଜଳରେ ପରିପାଳିତ ହୋଇ ଉତ୍କଳଭୂମିକୁ ନିଜର ଜନ୍ମଭୂମିବୋଲି ମଣି ପାରିଥିଲେ । ଉତ୍କଳ ଭୂମି ପ୍ରତି ଭକ୍ତିପ୍ରୀତିରେ ତାଙ୍କର ପ୍ରାଣ ଗଢ଼ା ହୋଇଥିଲା । ତାଙ୍କ ପିତା ଆଇନ ବ୍ୟବସାୟ କରି ମାସିକ ପ୍ରାୟ ଟ୫୦ଙ୍କା ଉପାର୍ଜନ କରୁଥିଲେ ।

 

କଟକର ରେଭନ୍ସା କଲେଜିଏଟ ସ୍କୁଲରେ ପ୍ୟାରୀମୋହନ ଇଂରେଜି ପଢ଼ି ୧୮୭୦ ଖ୍ରୀଷ୍ଟାବ୍ଦରେ ୧୮ ବର୍ଷ ବୟସରେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେହି ସମୟରେ କଟକରେ ଗୋଟିଏ ଦ୍ୱିତୀୟଶ୍ରେଣୀ କଲେଜ ସ୍ଥାପିତ ହେବାରୁ ସେ ଦୁଇ ବର୍ଷ ପଢ଼ି ୧୮୬୨ ଖ୍ରୀଷ୍ଟାବ୍ଦରେ ଏଫ୍‌, ଏ, ପରୀକ୍ଷାରେ ଫେଲ ହୋଇ ରହିଲେ । ନାନା ପ୍ରକାର ଅସୁବିଧା ଯୋଗେ ଆଉ ପଢ଼ି ପାରିଲେ ନାହିଁ ।

 

ପ୍ୟାରୀମୋହନଙ୍କ ବାଲ୍ୟକାଳ ଏବଂ ଯୌବନରେ ଓଡ଼ିଶାର ଶିକ୍ଷିତ ସମ୍ପ୍ରଦାୟର ଧର୍ମ ପରିବର୍ତ୍ତନର ଗୋଟିଏ ତୁମୁଳ ଚହଳ ପଡ଼ିଯାଇଥିଲା । ତାହାର ପ୍ରଭାବରେ କେତେକ ଶିକ୍ଷିତ ଓଡ଼ିଆ ଯୁବକ ହିନ୍ଦୁ ଧର୍ମ ପରିତ୍ୟାଗ କରି ବ୍ରାହ୍ମଧର୍ମ ଗ୍ରହଣ କଲେ । ମହର୍ଷି ଦେବେନ୍ଦ୍ରନାଥ ଠାକୁର ୧୮୬୭ ଖ୍ରୀଷ୍ଟାବ୍ଦରେ କଟକକୁ ଆସି, କେତେଦିନ ରହି ବ୍ରାହ୍ମ ମତରେ ଗୋଟିଏ ପ୍ରାର୍ଥନା ସମାଜ ସ୍ଥାପନ କରିଥିଲେ । ତାଙ୍କ ପରେ ଅନ୍ୟାନ୍ୟ କେତେକ ବ୍ରାହ୍ମଧର୍ମାବଲମ୍ୱୀ ବଙ୍ଗୀୟ ଶିକ୍ଷିତ ଏହି ସମାଜର କାର୍ଯ ପରିଚାଳନା କରୁଥିଲେ । ସେମାନେ ଶିକ୍ଷିତ ଯୁବକମାନଙ୍କୁ ବ୍ରାହ୍ମ ଧର୍ମରେ ଦୀକ୍ଷିତ କରିବା ନିମନ୍ତେ ତାଙ୍କୁ କେଶବସେନଙ୍କ ବକ୍ତୃତା ଓ ଅନ୍ୟାନ୍ୟ ବ୍ରାହ୍ମ ପୁସ୍ତକ ପଢ଼ିବାକୁ ଦେଉଥିଲେ । ଏ ସବୁ ସମ୍ୱାଦ ତତ୍କାଳୀନ କମିଶନର ଉତ୍କଳର ସୁପରିଚିତ ରେଭେନ୍ସା ସାହେବଙ୍କ କାନରେ ପଡ଼ିବାରୁ ସେ ଯୁବକମାନଙ୍କୁ ନାନା ପ୍ରକାର ବୁଝାଇ ସତର୍କ କରାଇ ଦେଲେ । ପ୍ୟାରୀମୋହନଙ୍କ ପ୍ରଧାନ ବନ୍ଧୁ ମଧୁସୂଦନ ରାଓ ବ୍ରାହ୍ମ ଧର୍ମରେ ଦୀକ୍ଷିତ ହୋଇଥିଲେ । କିନ୍ତୁ ପ୍ୟାରୀମୋହନ ନିଜ ଧର୍ମ ତ୍ୟାଗ କରିନାହାନ୍ତି । ସେ ବ୍ରାହ୍ମଣର ପୁତ୍ର ଏବଂ ଆପଣାର ପାରମ୍ପରିକ ଧର୍ମଭାବରେ ତାଙ୍କର ପ୍ରାଣ ପୂର୍ଣ୍ଣ ରହିଥିଲା । ପ୍ରାର୍ଥନା ସମାଜରେ ଯୋଗ ନ ଦେଲେ କାଳେ ଶିକ୍ଷିତ ଯୁବକମାନେ କ୍ଷୁର୍ଣ୍ଣ ହେବେ, ଏବଂ ଶିକ୍ଷାର ବାଧା ଘଟିବ, ସେଥିପାଇଁ ସେ ପ୍ରାୟ ନିୟମିତ ରୂପେ ପ୍ରାର୍ଥନା ସମାଜକୁ ଯାଉଥିଲେ; କିନ୍ତୁ ସମାଜର କୌଣସି ବିଶିଷ୍ଟ କାର୍ଯ୍ୟଭାର ବରମ୍ୱାର ଅନୁରୁଦ୍ଧ ହୋଇ ସୁଦ୍ଧା କେବେ ଗ୍ରହଣ କରିନାହାନ୍ତି । ଏଥି ସଙ୍ଗେ ସଙ୍ଗେ ସ୍ୱୀକାର କରିବାକୁ ହେବ ଯେ, ସେ କୁସଂସ୍କାରର ଆଦୌ ପକ୍ଷପାତୀ ନ ଥିଲେ । ମରିବା ପୂର୍ବରୁ ସେ ଯେତେବେଳେ ଭୀଷଣ ରୋଗାକ୍ରାନ୍ତ ଥିଲେ, ତାଙ୍କର ପିତା ଗ୍ରହପୂଜାର ଆୟୋଜନ କରି ତାଙ୍କୁ ଗୋଟିଏ ନଡ଼ିଆ ମୁଣ୍ଡରେ ଲଗାଇବାକୁ ଅନୁରୋଧ କଲେ । ଜୀବନର କଠୋର ପଣ ମୃତ୍ୟୁ ସମୟର ଦୁର୍ବଳତା ବେଳେ ରଖି ହୁଏ ନାହିଁ । କିନ୍ତୁ ପ୍ୟାରୀମୋହନଙ୍କ ଜୀବନର ପଣ ସାଧାରଣ ଜୀବନର ପଣ ପରି ନୁହେଁ । ସେ ଗ୍ରହପୂଜାରେ ସମ୍ମତ ଦେଇ ନ ଥିଲେ ।

 

୧୮୭୨ ଖ୍ରୀଷ୍ଟାବ୍ଦରେ ଏଫ୍‌, ଏ, ଫେଲ ହୋଇ ପ୍ୟାରୀମୋହନ ଗଡ଼ଜାତ ପୁଲିସ ଅଫିସରେ ଟ୨୫ଙ୍କା ବେତନରେ କିରାନି ଚାକିରୀ କଲେ । କିନ୍ତୁ ପ୍ୟାରୀମୋହନଙ୍କର ସ୍ୱାଧୀନ ପ୍ରାଣ ଚାକିରୀର କଠୋର ଶୃଙ୍ଖଳରେ ଆବଦ୍ଧ ହୋଇ ରହି ନ ପାରେ । ଅଳ୍ପଦିନ ପରେ ସେ ଜଣେ ସାହେବଙ୍କ ସଙ୍ଗେ କଳି କରି ଚାକିରୀଟି ଛାଡ଼ିଦେଲେ । ୧୮୭୮ ଖ୍ରୀଷ୍ଟାବ୍ଦରେ ସେ ତମପଡ଼ାର ଯୁବରାଜଙ୍କର ଗୃହଶିକ୍ଷକ ରୂପରେ ନିଯୁକ୍ତ ହେଲେ । ତତ୍ପରେ ତମପଡ଼ା ରାଜାଙ୍କର ଅନ୍ୟ ଏକ ରାଜାଙ୍କ ସହିତ ବିବାଦ ଲାଗିବାରୁ ପ୍ୟାରୀମୋହନ ତାହା ମେଣ୍ଟାଇ ଦେବାକୁ ଗଲେ । ବିବାଦ ମେଣ୍ଟିଗଲା ପରେ ରାଜା ପ୍ରୀତି ହୋଇ ତାଙ୍କୁ ଟ୨୦୦୦ଙ୍କା ପୁରସ୍କାର ଦେଇଥିଲେ, ଏବଂ ନିଜ ରାଜ୍ୟ ମଧ୍ୟରେ ଟ୫୦ଙ୍କା ବେତନର ଗୋଟିଏ କାର୍ଯ୍ୟରେ ନିଯୁକ୍ତ କରି ଥିଲେ । ସେହି ସମୟରେ ଫକୀରମୋହନ ସେନାପତି ଡମପଡ଼ା ବନ୍ଦୋବସ୍ତ କରୁଥିଲେ । ତାଙ୍କ ପରେ ପ୍ୟାରୀମୋହନ ସେହି କାର୍ଯ୍ୟରେ ନିଯୁକ୍ତ ହେଲେ । ଏବଂ ସେ କାର୍ଯ୍ୟ ସେ ସୁଚାରୁରୂପେ ନିର୍ବାହ କରିଥିବାର ଜଣାଯାଏ ।

 

ଡମପଡ଼ାରେ ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁ ନ ଥିଲା । ଅକସ୍ମାତ୍ ଜର ହେବାରୁ ସେ କଟକକୁ ଚାଲି ଆସିଲେ । ମଧୁସୂଦନ ରାଓ ଏହି ସମୟରେ ପୁରୀରେ ଅବସ୍ଥାନ କରୁଥିଲେ । ପ୍ୟାରୀମୋହନଙ୍କ ଚିଠି ପାଇ ସେ କଟକ ଯାଇ ଦେଖିଲେ ଯେ, ପ୍ୟାରୀମୋହନ କଠିନ ରୋଗାକ୍ରାନ୍ତ । ସେ ବହୁ ଶ୍ରମସ୍ୱୀକାର କରି ତାଙ୍କର ଯାବତୀୟ ସେବା ଶୁଶ୍ରୁଷା ନିଜ ହାତରେ କରିଅଛନ୍ତି । ଅନ୍ୟ କେହି ତାଙ୍କ ରୋଗଶଯ୍ୟା ପାଖକୁ ଆସିବାକୁ ପ୍ୟାରୀମୋହନଙ୍କୁ ଆଦୌ ସୁଖ ଲାଗୁ ନ ଥିଲା । ସେ କ୍ଷଣେ ମାତ୍ର ମଧୁସୂଦନଙ୍କୁ ପାଖରୁ ଛାଡ଼ି ଦେଉ ନ ଥିଲେ । ଅବଶେଷରେ ୧୮୮୧ ଖ୍ରୀଷ୍ଟାବ୍ଦ ଡିସେମ୍ବର ୨୯ ତାରିଖରେ ତାଙ୍କ ଜୀବନର ଅନ୍ତିମ ସମୟ ଆସି ଉପସ୍ଥିତ ହେଲା । ସେ ମଧୁସୂଦନଙ୍କ କୋଳରେ ମୁଣ୍ଡ ଦେଇ ଶୋଇ ଅଛନ୍ତି ଏବଂ ଜୀବନର ବହୁ ସୁଖ ଦୁଃଖ, ଆଶା ନିରାଶାର ମୁମୂର୍ଷ ବାଣୀ ତାଙ୍କୁ ଶୁଣାଉ ଅଛନ୍ତି; ବେଳେ ବେଳେ ପ୍ରଭୁଙ୍କର ନାମ ଉଚ୍ଚାରଣ କରୁଅଛନ୍ତି, ଏବଂ କଥା ନ କହି ପାରିଲା ବେଳେ ମଧୁସୂଦନଙ୍କୁ କଣ ଠାରୁ ଅଛନ୍ତି, ଏପରି ସମୟରେ ଆଖି ଦୁଇଟି ମୁଦିଦେଈ ଶୋଇପଡ଼ିଲେ । ମଧୁସୂଦନ ଦେଖିଲା ବେଳକୁ ସନ୍ନିପାତ ଘୋଟିଗଲାଣି; ଚିକିତ୍ସା କରିବାର ଆଉ ଅବସର ନାହିଁ । ମୁହୂର୍ତ୍ତ ମଧ୍ୟରେ ପ୍ରାଣବାୟୁ ଉଡ଼ିଗଲା ।

 

ପ୍ୟାରୀମୋହନ ୨୮ ବର୍ଷ ମାତ୍ର ବଞ୍ଚିଥିଲେ । ଏଥି ମଧ୍ୟରୁ ବାଲ୍ୟକାଳ ଓ ଶିକ୍ଷା ନିମନ୍ତେ ୨୦ ବର୍ଷ ବାଦ ଦେଲେ କାର୍ଯ୍ୟ କରିବାର ସମୟ ଆଠବର୍ଷ ମାତ୍ର । ପ୍ରତିଭାଶାଳୀ ବ୍ୟକ୍ତିର ଜୀବନ ବର୍ଷରେ ମାପିବାକୁ ହୁଏନାହିଁ । କାର୍ଯ୍ୟରେହିଁ ତାହାର ପରିମାଣ କରିବା ଉଚିତ । ଆଠ ବର୍ଷ ମଧ୍ୟରେ ପ୍ୟାରୀମୋହନ ଓଡ଼ିଶାର ତତ୍କାଳୀନ କାର୍ଯ୍ୟକ୍ଷେତ୍ରରେ ନାନା ପ୍ରକାର କାର୍ଯ୍ୟର ଅନୁଷ୍ଠାନ କରିଯାଇ ଅଛନ୍ତି । ବର୍ତ୍ତମାନ କଟକର ପି, ଏମ୍, ଏକାଡେମୀ ତାଙ୍କର ଛାତ୍ରଜୀବନର କଳ୍ପନାପ୍ରସୂତ-। ତାର ସୁପରିଚାଳନା ନିମନ୍ତେ ତାଙ୍କର ଯାବତୀୟ ଆୟ ସେ ବ୍ୟୟ କରିବାରେ ଦିନେ କୁଣ୍ଠିତ ହୋଇ ନାହାନ୍ତି । ଏପରି କି ନିଜର ଓ ପରିବାରବର୍ଗର ଭରଣ ପୋଷଣରୁ ଖେଣ୍ଟି ସେ ସ୍କୁଲର ଆବଶ୍ୟକୀୟ ଖର୍ଚ୍ଚ ଚଳାଇଅଛନ୍ତି । ଓଡ଼ିଶାର ଅନେକ କୃତି ସନ୍ତାନ ଏହି ଏକାଡେମୀରୁ ଉତ୍ତୀର୍ଣ୍ଣ ହୋଇ ଦେଶ ତଥା ଜାତିର କଲ୍ୟାଣ ସାଧନ କରୁଅଛନ୍ତି । ଅସମୟରେ ମୃତ୍ୟୁମୁଖରେ ପଡ଼ି ପ୍ୟାରୀମୋହନ ଯାହା ନିଜେ କରିବାକୁ ଅକ୍ଷମ ହେଲେ, ସେହି କାର୍ଯ୍ୟ ବର୍ତ୍ତମାନ ସେ ତାଙ୍କରି ଭାବରେ ଅନୁପ୍ରାଣିତ ଶତ ଶତ ଲୋକଙ୍କପାଇଁ ଛାଡ଼ିଯାଇ ଅଛନ୍ତି ।

 

ଏତିକି କରିଥିଲେ ପ୍ୟାରୀମୋହନ ଉତ୍କଳରେ ଚିରସ୍ମରଣୀୟ ହୋଇଥାନ୍ତେ । କିନ୍ତୁ ବହୁମୁଖୀ ପ୍ରତିଭା ଗୋଟିଏ କାର୍ଯ୍ୟରେ ତୃପ୍ତ ହୋଇ ନ ପାରେ । ସେ ‘ଉତ୍କଳପୁତ୍ର’ ନାମକ ଗୋଟିଏ ପତ୍ରିକା ପ୍ରକାଶ କରୁଥିଲେ । ତାଙ୍କର ପ୍ରିୟ ଉତ୍କଳ ଭୂମିର କୌଣସି ଇତିହାସ ଲେଖା ନ ଥିବାର ଦେଖି, ସେ ବ୍ୟାକୁଳ ହେଉଥିଲେ । ସେଥିପାଇଁ ସେ ଗ୍ରାମ ବନ ପର୍ବତ କନ୍ଦରାଦି ବୁଲି ଏବଂ ପ୍ରାଚୀନ ଗ୍ରନ୍ଥମାନଙ୍କରୁ ସଂଗ୍ରହ କରି ଖଣ୍ଡିଏ ଓଡ଼ିଶାର ଇତିହାସ ଲେଖିଲେ । ପ୍ୟାରୀମୋହନ ମରିବାର ଆଜିକି ୪୦ ବର୍ଷ ହେଲାଣି । ସେପରି ଖଣ୍ଡିଏ ଇତିହାସ ଆଉ ଲେଖା ହୋଇନାହିଁ । ଓଡ଼ିଆ, ଇଂରେଜି ଓ ବଙ୍ଗଳା ଭାଷାରେ ତାଙ୍କର ସମାନ ବ୍ୟୁତ୍ପତ୍ତି ଥିଲା । ସେ ଜଣେ ସୁବକ୍ତା ଥିବାର ବଙ୍ଗୀୟ ପଣ୍ଡିତମାନେ ମୁକ୍ତ କଣ୍ଠରେ ସ୍ୱୀକାର କରିଅଛନ୍ତି । ତାଙ୍କର ତ୍ୟାଗର ମନ୍ତ୍ରର ତତ୍କାଳୀନ ଯୁବକମାନେ ଅଳ୍ପାଧିକ ପରିମାଣରେ ଦୀକ୍ଷିତ ହୋଇଥିଲେ । ମଧୁସୂଦନଙ୍କର ଭିକ୍ଟୋରିୟା ସ୍କୁଲ ଏବଂ ଓଡ଼ିଶାର ଅନ୍ୟାନ୍ୟ କେତେକ ପ୍ରକାର ଅନୁଷ୍ଠାନ ଅନେକ ଅଂଶରେ ପ୍ୟାରୀମୋହନଙ୍କର କାର୍ଯ୍ୟ କହିଲେ ଚଳେ । ଲୋକଶିକ୍ଷାରୂପ ଗୌଣ ମାନବ ସେବାରେ ପରିତୃପ୍ତ ନ ହୋଇ, ପ୍ୟାରୀମୋହନ ରୋଗି ଦୁଃଖିଙ୍କର ସେବା ନିଜ ହାତରେ କରୁଥିଲେ । ବିସୂଚିକା ରୋଗର ପ୍ରାଦୁର୍ଭାବ ବେଳେ ହାତରେ ଔଷଧ ବାକ୍ସ ନେଇ ଜଗନ୍ନାଥ ସଡ଼କରେ ବୁଲି ଦୂରାଗତ ଯାତ୍ରିମାନଙ୍କର ଚିକିତ୍ସା ସେପରି ଭାବରେ କରିଅଛନ୍ତି, ସେହିପରି ମଧ୍ୟ ହୀନ ଦୁଃଖିର ଦୁଃଖରେ ସମବେଦନା ଅନୁଭବ କରି ଆଖିରୁ ଲୁହ ଗଡ଼ାଇଅଛନ୍ତି । ଏଥିରେହି ମହତ୍‌ ଲୋକର ମହତ୍ତ୍ୱ ଜଣାପଡ଼େ ।

Image

 

କୋଣାର୍କ

ମନ୍ଦିର-ଶିଳ୍ପ ସ୍ଥାପତ୍ୟ-ସେବା ପୂଜା-ପତନ ।

 

କୋଣାର୍କ ଉତ୍କଳରେ ସୂର୍ଯ୍ୟ ଉପାସନାର ପ୍ରଧାନ ପୀଠ ଥିଲା । ସେଥିପାଇଁ ତାହାକୁ ସୂର୍ଯ୍ୟକ୍ଷେତ୍ର ବା ଅର୍କକ୍ଷେତ୍ର କହୁଥିଲେ । ଏହା ପଦ୍ମକ୍ଷେତ୍ର ବୋଲି ମଧ୍ୟ ପରିଚିତ । କୋଣାର୍କରେ ବହୁକାଳରୁ ସୂର୍ଯ୍ୟ ଉପାସନା ଚାଲିଆସିଥିଲା । ସେଠାରେ ଗୋଟିଏ ନଦୀ ଓ ନଦୀକୂଳରେ ଗୋଟିଏ ସମୃଦ୍ଧିଶାଳୀ ନଗର ଥିବାର ପ୍ରମାଣ ମିଳୁଅଛି । ବର୍ତ୍ତମାନ ସେ ସବୁ ଲୁପ୍ତ ହୋଇଅଛି ଏବଂ ପୁରୀର ପ୍ରାୟ ୨୦ ମାଇଲ ଉତ୍ତର ପୂର୍ବରେ ସମୁଦ୍ରକୂଳର ବାଲୁକାରାଶି ଉପରେ ମନ୍ଦିରର ଭଗ୍ନାବଶେଷ ଅବସ୍ଥିତ । ଏହି ମନ୍ଦିରଟି ୧୨୭୮ ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶୀୟ ରାଜା ନରସିଂହ ଦେବଙ୍କ ରାଜତ୍ୱରେ ଶିବାଇ ସାନ୍ତରା ନାମକ ଜଣେ ମନ୍ତ୍ରୀଙ୍କର ତତ୍ତ୍ୱାବଧାନରେ ନିର୍ମିତ ହୋଇଥିଲା-। ମନ୍ଦିର ନିର୍ମାଣ କରିବାରେ ତତ୍‌କାଳୀନ ଓଡ଼ିଶାର ବାର ବର୍ଷର ରାଜସ୍ୱ ଅର୍ଥାତ୍‌ ପ୍ରାୟ ୩୦ କୋଟି ଟଙ୍କା ବ୍ୟୟିତ ହୋଇଥିଲା । କଥିତ ଅଛି ବାର ଶହ କାରିଗର ଷୋଳବର୍ଷ ପରିଶ୍ରମ କରି, ମନ୍ଦିର ପୂର୍ଣ୍ଣ କରିଥିଲେ । କୋଣାର୍କ ମନ୍ଦିର ଓଡ଼ିଶାର ଅନ୍ୟାନ୍ୟ ମନ୍ଦିରମାନଙ୍କ ମଧ୍ୟରେ କାହିଁକି, ସମଗ୍ର ଭାରତବର୍ଷରେ ସୁଦ୍ଧା ଉଚ୍ଚତମ ମନ୍ଦିର ଥିଲା । ବର୍ତ୍ତମାନ ବଡ଼ଦେଉଳ ଓ ମୁଖଶାଳା ବ୍ୟତୀତ କୋଣାର୍କ ବେଢ଼ାମଧ୍ୟରେ କେତୋଟି ମନ୍ଦିରର ଅବଶେଷ ଅଛି । ବେଢ଼ାଟି ୮୫୨ ଫୁଟ ଲମ୍ବ ଏବଂ ୫୪୦ ଫୁଟ ଓସାର, ଅର୍ଥାତ୍‌ ପୁରୀ ବେଢ଼ାଠାରୁ ପ୍ରାୟ ଏକ ଏକର ବଡ଼ ।

 

ଶିଳ୍ପ ଓ ସ୍ଥାପତ୍ୟ ନିମନ୍ତେ କୋଣାର୍କ କେବଳ ଓଡ଼ିଶା ବା ଭାରତବର୍ଷରେ ନୁହେଁ, ସମସ୍ତ ପୃଥିବୀରେ ପ୍ରସିଦ୍ଧ । ବର୍ତ୍ତମାନ କୋଣାର୍କର କ୍ଷୀଣ ଭଗ୍ନାବଶେଷ ମାତ୍ର ରହିଅଛି । ଏହାହି ଦେଖି, ବୈଦେଶିକ ପରିଦର୍ଶକମାନେ ମୁଗ୍ଧ ହେଉଅଛନ୍ତି । ଉତ୍କଳର ଶିଳ୍ପରେ ଦୁଇ ଗୋଟି ବିଶେଷତ୍ୱ ଦେଖାଯାଏ । ଗୋଟିଏ ବିଶାଳତା ଏବଂ ଅନ୍ୟଟି ସୂକ୍ଷ୍ମ କାରୁକାର୍ଯ୍ୟ । ଉତ୍କଳଶିଳ୍ପୀ ପୁରୀ ବଡ଼ଦେଉଳରେ ଶିଳ୍ପରେ ବିଶାଳତା ଏବଂ ଭୁବନେଶ୍ୱରରେ ସୂକ୍ଷ୍ମ କାରୁକାର୍ଯ୍ୟ ଫୁଟାଇ ଅଛନ୍ତି । କିନ୍ତୁ କୋଣାର୍କରେ ଏ ଦୁହିଁଙ୍କର ବିଚିତ୍ର ଓ ମଧୁମୟ ସମବାୟ ଘଟିଅଛି । ମନ୍ଦିର ତ ବର୍ତ୍ତମାନ ଭାଙ୍ଗିଯାଇଅଛି, ମାତ୍ର ସେହି ଭଗ୍ନାବଶେଷର ସୂଚି କାମମାନ ଦେଖିଲେ ବିସ୍ମିତ ହେବାକୁ ହୁଏ । ମନ୍ଦିର ଦେହରେ ଏପରି କୌଣସି ସ୍ଥାନ ନାହିଁ ଯେଉଁଠାରେ ଲତା ଫୁଲ, ପଶୁ ପକ୍ଷିର ମୂର୍ତ୍ତି ଖୋଦିତ ନ ହୋଇଛି । ସୁନ୍ଦର ମୂର୍ତ୍ତିମାନ ସ୍ଥାନେ ସ୍ଥାନେ ଜୀବନ୍ତ ଠାଣିରେ ଯେପରି ରଖା ଯାଇଥିଲା, ବର୍ତ୍ତମାନ ସାତ ଶ ବର୍ଷ ପରେ ମଧ୍ୟ ସେହିପରି ରହିଅଛି । ସମସ୍ତ ମନ୍ଦିରଟି ଗୋଟିଏ ରଥ ଆକାରରେ ଗଢ଼ା ହୋଇଥିବାର ସୂଚନା ମିଳେ । ପଥରରେ ଚକ, ଅଖ, ଅର, ଅନକିଳି ସ୍ଥାନେ ସ୍ଥାନେ ଭାଜି ଯାଇଥିଲେ ସୁଦ୍ଧା ଶିଳ୍ପୀ ହସ୍ତର ପ୍ରାକୃତିକତା ସ୍ପଷ୍ଟ ଦେଖାଉଅଛି । ଘୋଡ଼ାମାନେ ସଜ୍ଜିତ ହୋଇ ଦଉଡ଼ିବା ଭଙ୍ଗିରେ ରହି ଅଛନ୍ତି ।

 

ଏତ ଗଲା କାରୁକାର୍ଯ୍ୟର କଥା । କୋଣାର୍କର ଖଣ୍ଡିଏ ଖଣ୍ଡିଏ ପଥର ଗୋଟିଏ ଗୋଟିଏ ସାନ ପାହାଡ଼ ପରି । ନବଗ୍ରହ ପାଟ ୨୭୪୦ ମହଣ ଓଜନ । ସେଥିରୁ ଖଣ୍ଡିଏ କାଟି କଲିକତା ଯାଦୁଘରକୁ ନେବା ଲାଗି ସରକାର ଉଦ୍ୟମ କରିଥିଲେ, କିନ୍ତୁ ବାଲିରେ ଟାଣିନେବା ଅସାଧ୍ୟ ହୋଇପଡ଼ିଲା । ଗୋଟିଏ ଗଜସିଂହର ମୂର୍ତ୍ତି ବର୍ତ୍ତମାନ ବେଢ଼ା ମଧ୍ୟରେ ଭାଙ୍ଗି ପଡ଼ିଅଛି । ଏହାର ଓଜନ ୧୩୦୦ ମହଣ ହେବ । ଏ ମୂର୍ତ୍ତିଟି ୧୭୦ ଫୁଟ ଉଚ୍ଚରେ କାନ୍ଥ ଦେହରୁ ବାହାରି ରହିଥିଲା-। ମନ୍ଦିରର ଚୂଡ଼ାରେ ଯେଉଁ କଳଶ ଥିଲା ତାହା ଖଣ୍ଡିଏ ପଥରରେ ଗଢ଼ା । ତାହାର ଓଜନ ୫୬୦୦୦ ମହଣରୁ ଊଣା ନୁହେଁ । ଏ ସବୁ ପଥର ଖଣ୍ଡମାନଙ୍କରୁ କୋଣାର୍କର ବିଶାଳତା କଳ୍ପନା କରାଯାଇପାରେ ମାତ୍ର । କୋଣାର୍କ ନିକଟରେ ପର୍ବତ ବା ପଥର ଖଣି ନାହିଁ । ଏ ସବୁ ପଥରଖଣ୍ଡମାନ ନିଶ୍ଚୟ ଅନେକ ଦୂରରୁ ଅଣା ଯାଇଥିବ । ବର୍ତ୍ତମାନ ବୈଜ୍ଞାନିକ ବଳକୌଶଳର ଯୁଗରେ ଏ ଭଳି ପଥର ଖଣ୍ଡମାନ ଦୂରରୁ ବହି ଆଣିବା ସହଜ ବିବେଚିତ ହୋଇପାରେ; କିନ୍ତୁ ୭୦୦ ବର୍ଷ ପୂର୍ବେ ଓଡ଼ିଆ ଶିଳ୍ପୀ ଯେ କିପରି ବହୁଦୂରରୁ ପଥର ବୁହାଇ ଆଣି ଏତେ ଉପରକୁ ଉଠାଇ କାମ କରିଥିଲେ, ତାହା ବାସ୍ତବିକ କଳ୍ପନା କରି ହୁଏ ନାହିଁ । କୋଣାର୍କର ବିଶାଳତା ବା କାରୁକାର୍ଯ୍ୟ ବର୍ଣ୍ଣନାରେ ପ୍ରକାଶ କରିବା ଅସମ୍ଭବ । ଅନ୍ୟଠାରୁ ଶୁଣି ସେ ବିଷୟରେ ଧାରଣା କରି ହେବ ନାହିଁ । ଉତ୍କଳ ଶିଳ୍ପର ପରାକାଷ୍ଠା ହୃଦୟରେ ଉପଲବ୍ଧି କରିବାକୁ ହେଲେ କୋଣାର୍କକୁ ଥରେ ସ୍ୱଚକ୍ଷୁରେ ଦେଖିବା ଆବଶ୍ୟକ ।

 

ନରସିଂହ ଦେବଙ୍କ ରାଜତ୍ୱ କାଳରେ ନିର୍ମିତ ମନ୍ଦିରରେ ସୂର୍ଯ୍ୟ ବିଗ୍ରହ ସ୍ଥାପିତ ହେବା ପୂର୍ବରୁ ସେଠାରା ସୂର୍ଯ୍ୟଙ୍କର ସେବା ପୂଜାର ବ୍ୟବସ୍ଥା ଥିଲା । ସେଥି ନିମନ୍ତେ କେଶରୀବଂଶର ରାଜା ପୁରନ୍ଦର ଆଠଗୋଟି ବ୍ରାହ୍ମଣ ଶାସନ ବସାଇଥିଲେ । ତତ୍ପରେ ନରସିଂହ ଦେବଙ୍କ ସମୟରେ ଅଧିକ ଭୋଗ ଖଞ୍ଜା ହୋଇ ବାର୍ଷିକ ପଞ୍ଚତ୍ରିଂଶ ଶହ ମାଢ଼ ସ୍ୱର୍ଣ୍ଣ ସେବା ପୂଜାରେ ବ୍ୟୟିତ ହେବାର ଧାର୍ଯ୍ୟ ହୋଇଥିଲା । ପୁରୀ ଭୁବନେଶ୍ୱର ପରି କୋଣାର୍କରେ ନାନା ପ୍ରକାର ଯାତ୍ରା ଉତ୍ସବ ହେଉଥିଲା । ବର୍ତ୍ତମାନ ସବୁ ଲୋପ ପାଇଅଛି । କେବଳ ମାଘ ଶୁକ୍ଳପକ୍ଷ ସପ୍ତମୀ ଦିନ ଚନ୍ଦ୍ରଭାଗା ସ୍ନାନ ବର୍ଷକୁ ବର୍ଷ ଲୋକପ୍ରାଣରେ ଅର୍କକ୍ଷେତ୍ରରେ ସେ ପୂର୍ବ ମହତ୍ତ୍ୱର କ୍ଷୀଣ ସ୍ମୃତି ମାତ୍ର ଜାଗ୍ରତ କରୁଅଛି । ନିକଟରେ ଗୋଟିଏ ଗୁଣ୍ଡିଚାଘରର ଅବଶେଷ ବାହାରିଥିବାରୁ ଅନୁମାନ ହୁଏ ଯେ ଦିନେ କୋଣାର୍କରେ ଗୁଣ୍ଡିଚା ଯାତ୍ରା ହେଉଥିଲା । ଏକା ଏତିକି ନୁହେଁ, ଅତି ପ୍ରାଚୀନ କାଳରୁ କୋଣାର୍କ ଆର୍ଯ୍ୟର ପୁଣ୍ୟ ଧାମ । କୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗର ଉପାଶନ୍ତିପାଇଁ କୋଣାର୍କରେ ସୂର୍ଯ୍ୟଙ୍କର ଉପାସନା କରିଥିଲେ । ଶାମ୍ବଙ୍କ ପରି ଶତ ଶତ କୁଷ୍ଠରୋଗୀ କୋଣାର୍କରେ ରୋଗମୁକ୍ତ ହୋଇଥିବାର ପ୍ରମାଣ ମିଳେ । ସେତେବେଳେ ଏହି କୋଣାର୍କ ମୈତେୟବନ ନାମରେ ପରିଚିତ ଥିଲା ।

 

କୋଣାର୍କ ମନ୍ଦିର ଭାଙ୍ଗିଯିବା ବିଷୟରେ ନାନା ଲୋକେ ନାନାପ୍ରକାର ମତ ଦିଅନ୍ତି । କିନ୍ତୁ କଳାପାହାଡ଼ଦ୍ୱାରା ଭଙ୍ଗା ହୋଇଥିବାର ସତ୍ୟ ବୋଲି ଆଜିକାଲି ଧରା ଯାଉଅଛି । କଳାପାହାଡ଼ ଏଡ଼େ ବିଶାଳ ମନ୍ଦିର ଭାଙ୍ଗି ନ ପାରି ଉପରୁ କେବଳ କୁମ୍ଭ ପଥରଟି ନଷ୍ଟ କରିଥିଲା । ଉପରୁ ଚାପ ଅଭାବରେ କାଳକ୍ରମେ ବଡ଼ ଦେଉଳର କାନ୍ଥଗୁଡ଼ିକ ଭାଜି ପଡ଼ିଲା । ବର୍ଷା ଓ ସମୁଦ୍ରର ଲୁଣି ପବନ ଏହି ଧ୍ୱଂସରେ ବହୁ ସାହାଯ୍ୟ କରିଅଛି । ମୁସଲମାନମାନଙ୍କଦ୍ୱାରା ଅପବିତ୍ର ହେବାରୁ ଉପାସକମାନେ ମନ୍ଦିରରେ ସେବା ପୂଜା ଛାଡ଼ିବାସଙ୍ଗେ ସଙ୍ଗେ ତାହାର ରକ୍ଷଣାବେକ୍ଷଣ ପ୍ରତି ଅନାସ୍ଥା ଦେଖାଇଲେ । ସୂର୍ଯ୍ୟ ବିଗ୍ରହ ସେଠାରୁ ଅଣାଯାଇ, ପୁରୀ ବଡ଼ ଦେଉଳ ବେଢ଼ା ମଧ୍ୟରେ ସ୍ଥାପିତ ହେଲା ଏବଂ ମରହଟ୍ଟା ରାଜତ୍ୱରେ କୋଣାର୍କର ଅରୁଣ ସ୍ତମ୍ଭ ପୁରୀ ସିଂହଦ୍ୱାରରେ ଆଣି ରଖାଗଲା । ଏହିପରି ଉତ୍କଳବାସୀଙ୍କର କ୍ରମାଗତ ଅନାସ୍ଥା ପ୍ରଦର୍ଶନରେ କୋଣାର୍କର ଭଗ୍ନାବଶେଷ କ୍ରମେ କ୍ରମେ ଲୋପ ହେବାକୁ ବସିଥିଲା । ଅଳ୍ପଦିନ ତଳେ ସରକାର ମୁଖଶାଳା ମଧ୍ୟରେ ବାଲି ପୂର୍ଣ୍ଣ କରି ଏବଂ ଅନ୍ୟାନ୍ୟ କେତେକ ସ୍ଥାନ ମରାମତି କରାଇ, ଉତ୍କଳର ଲୋପୋନ୍ମୁଖ ଶିଳ୍ପକୁ ବର୍ତ୍ତମାନ ଜଗତ ସମକ୍ଷରେ କେତେଦିନପାଇଁ ଧରି ରଖିଅଛନ୍ତି । ସେହି ଭଗ୍ନାବଶେଷ ଦେଖିଲେ, ବୈଦେଶିକ ପରିଦର୍ଶକର ପ୍ରାଣରେ କି ଭାବ ହୁଏ କେଜାଣି, ଉତ୍କଳବାସୀ ସେ ଦୃଶ୍ୟ ଦେଖି ଦୀର୍ଘ ନିଶ୍ୱାସ ପକାଇବା ସଙ୍ଗେ ସଙ୍ଗେ ଅତୀତ ଐଶ୍ୱର୍ଯ୍ୟ ଓ ମହତ୍ତ୍ୱରେ ତାହାର ବକ୍ଷ ବିସ୍ଫାରିତ ହୁଏ ।

Image

 

ଶିକ୍ଷା

(ବିଶ୍ୱବିଦ୍ୟାଳୟ ପ୍ରଶ୍ନ)

 

ଶିକ୍ଷାରେ ମନୁଷ୍ୟତାର ବିକାଶ ହୁଏ–ବ୍ୟକ୍ତିଗତ ଶିକ୍ଷା ଜାତୀୟ ଶିକ୍ଷାରେ ପର୍ଯ୍ୟବସିତ ହେବା ଉଚିତ–ଭୌତିକ ସମୃଦ୍ଧି ନିମନ୍ତେ ଭାରତରେ ବର୍ତ୍ତମାନ ବ୍ୟବସାୟ ଶିକ୍ଷାର ବିଶେଷ ପ୍ରୟୋଜନ ।

 

କେବଳ ମନୁଷ୍ୟ ଶିକ୍ଷା ପାଏ । ଇତର ଜନ୍ତୁମାନଙ୍କୁ ଭଗବାନ ସେ ଅଧିକାର ଦେଇ ନାହାଁନ୍ତି । ସେମାନଙ୍କର ଜୀବନ କ୍ରିୟା ନିର୍ଦ୍ଦିଷ୍ଟ ଓ ନିତ୍ୟନିୟତ । ସେଥିରେ ଉତ୍ତରୋତ୍ତର ବିକାଶ ନିମନ୍ତେ ଅବକାଶ ନାହିଁ । ପଶୁ ପକ୍ଷିମାନଙ୍କର ଶିଶୁ ମାତାଦ୍ୱାରା ଜୀବନ କ୍ରିୟାରେ ଶିକ୍ଷିତ ହୁଏ । ମାତ୍ର ସୃଷ୍ଟିର ପ୍ରଥମ ଦିନରୁ ଏ ପର୍ଯ୍ୟନ୍ତ ସେମାନଙ୍କ ଶିକ୍ଷା ପଦ୍ଧତିରେ କୌଣସି ପ୍ରକାର ଭିନ୍ନତା ଦେଖାଯାଇ ନାହିଁ । ମନୁଷ୍ୟର ଶିକ୍ଷା ବିଧାନ ଦିନକୁଦିନ ବଦଳୁଅଛି । ଏ ବିଷୟକ ଆଲୋଚନାର ଇତିହାସ ପର୍ଯ୍ୟନ୍ତ ଲେଖା ହୋଇଅଛି । ଶିଶୁ ଓ ମାନବ କି ବିଧାନରେ ଶିକ୍ଷା ଥାଉଅଛି, କି ବିଧାନରେ ପାଇବା ଉଚିତ, କି ବିଧାନରେ ପୂର୍ବେ ଶିକ୍ଷା ପ୍ରଚଳିତ ହେଉଥିଲା, ସେଥିରେ କି ପରିବର୍ତ୍ତନ ଘଟିଅଛି, ସେ ସବୁ ଲୋକବିଶେଷଦ୍ୱାରା କିମ୍ବା ଅଭାବବିଶେଷର ଦୃଷ୍ଟିରେ ପରିବର୍ତ୍ତିତ ହୋଇଅଛ କି ନା–ଏ ସବୁ ବିଷୟ ତନ୍ନ ତନ୍ନ ପର୍ଯ୍ୟବେକ୍ଷିତ ହେବାର ଆରମ୍ଭ ହୋଇଅଛି । ବାସ୍ତବିକ ମାନବ ଶିଶୁ ଗୋଟିଏ ଜୀବନଧାରୀ ପିତୁଳା ପରି ମାତ୍ର । ଜୀବନରେ ତାର ଅନନ୍ତ ବିକାଶର ସମ୍ଭାବନା ଅଛି । ତାହାର ବୃତ୍ତି ସବୁ ଅନନ୍ତ ମୁଖରେ ଫୁଟି ଉଠୁଅଛି । ଶୃଙ୍ଖଳାବଦ୍ଧ ବିଧାନରେ ସେ ସବୁର ବିହିତ ବିକାଶ କରାଇବାକୁ ହେବ । ନିଃସହାୟ ଶିଶୁ ନିଜେ ତାହା ପାରିବ ନାହିଁ, ବିଧାତା ତାକୁ ସେପରି କରିନାହାଁନ୍ତି । ଯେଉଁମାନଙ୍କ ସାହଚର୍ଯ୍ୟ ଓ ତତ୍ତ୍ୱାବଧାନରେ ବିଧାତା ତାକୁ ଛାଡ଼ି ଦେଇ ଅଛନ୍ତି, ଏହା ସେହିମାନଙ୍କ କାର୍ଯ୍ୟ । ସେମାନେ ପିତୁଳା ଭିତରେ ଆତ୍ମାର ବିକାଶ କରାଇବେ । ସେ ବିକାଶ ନ ହେଲେ ଶିଶୁ ମନୁଷ୍ୟ ହେବ ନାହିଁ ।

 

ମାନବ ସାମାଜିକ ପ୍ରାଣୀ । ସାମାଜିକତାହିଁ ତାହାର ସ୍ୱାତନ୍ତ୍ର୍ୟ; ସାମାଜିକତା ତାହାର ଜୀବନ । ବ୍ୟକ୍ତିଗତ ଜୀବନର ଶ୍ରୀବୃଦ୍ଧି ନ ହେଲେ ଜାତୀୟ ବା ସାମାଜିକ ବିକାଶ ସମ୍ଭବ ନୁହେଁ । ବ୍ୟକ୍ତି ଛଡ଼ା ସମାଜ କଳ୍ପନା କରି ହେବ ନାହିଁ ସତ, ତଥାପି ମାନବୀୟ ଅନୁଷ୍ଠାନ ସବୁ ସମାଜକୁ ସମଷ୍ଟି ଭାବରେ ପ୍ରଭାବିତ କରି ନ ପାରିଲେ, ବ୍ୟକ୍ତି ଜୀବନରେ ସେ ସବୁର ଶକ୍ତି ଓ କ୍ରିୟା ସ୍ଥାୟୀ ନୁହେଁ । ବ୍ୟକ୍ତି ବିଶେଷ ଶିକ୍ଷା କରେ ସତ; କିନ୍ତୁ ଶିକ୍ଷାର ବିଧାନ ସର୍ବଦା ଗୋଟିଏ ସାମାଜିକ ଅନୁଷ୍ଠାନ, ପରମ୍ପରାରେ ଏହାର ବିକାଶ ହୁଏ । ଜନ୍ମଠାରୁ ମରଣ ପର୍ଯ୍ୟନ୍ତ କ୍ରିୟା ସମୂହ ମଧ୍ୟରେ ବ୍ୟକ୍ତିଗତ ଜୀବନ ଯେପରି ବିକାଶ ପାଏ, ବ୍ୟକ୍ତିଜୀବନର ପରମ୍ପରାରେ ଜାତିର ସମଷ୍ଟି ବ୍ୟକ୍ତିତ୍ଵ ସେହିପରି ଯୁଗେ ଯୁଗେ ପ୍ରଶସ୍ତ ଓ ଉନ୍ନତତର ହୁଏ । ବ୍ୟକ୍ତି ଜୀବନରେ ଶିକ୍ଷା ଗୋଟିଏ ପରମ ଉପାଦେୟ ବସ୍ତୁ । ଏହାର ବିଧାନ ଜାତି ବା ସମାଜରେ ପ୍ରତିଷ୍ଠିତ ହେବା ସର୍ବଥା ପ୍ରୟୋଜନ । ଯୁଗେ ଯୁଗେ ଏହାହିଁ ହୋଇଅଛି । ଏଥିରେହି ଜାତିବିଶେଷର ଇତିହାସରେ ଆଜି ଆଦର୍ଶବିଶେଷର ଅଭିବ୍ୟକ୍ତି ଲକ୍ଷ୍ୟ କରିବାକୁ ପଣ୍ଡିତମାନେ ସମର୍ଥ ହେଉଅଛନ୍ତି । ଏହି ଦେଶର ପ୍ରାଚୀନ ଇତିହାସ କଥା ଆଲୋଚନା କଲେ ଦେଖାଯାଏ, ବ୍ୟକ୍ତିଗତ ଭାବରେ ଶିଶୁ ସଂସ୍କାର ଲଭି, ବର୍ଣ୍ଣାଶ୍ରମ ବିଧାନରେ ଆତ୍ମ ବିକାଶ କରୁଥିଲା । କିନ୍ତୁ ବର୍ଣ୍ଣ ବିଧାନର ବ୍ୟବସାୟ ଶିକ୍ଷା ଓ ଆଶ୍ରମ ବିଧାନର ଜୀବନବ୍ୟାପି ସାଧନା, କେହି ବ୍ୟକ୍ତିଗତ ନୁହଁନ୍ତି । ଏ ସବୁ ପାରମ୍ପରିକ ଅନୁଷ୍ଠାନ ବ୍ୟକ୍ତିକୁ ସାମାଜିକ ଭାବରେ ପ୍ରଭାବିତ କରି ରଖିଥିଲା । ଜୀବନ ସଂସ୍ଥାନରେ ଅଭାବରେ ପଡ଼ି ମନୀଷାସମ୍ପନ୍ନ ବ୍ୟକ୍ତିମାନେ କାଳକ୍ରମେ ନିଶ୍ଚୟ ଏହି ବିଧାନର ବିଭିନ୍ନ ବିଭାବ ଓ ଉପାଦାନମାନ ଆବିଷ୍କାର କରିଥିବେ । କିନ୍ତୁ ଆଜି ଆର୍ଯ୍ୟର ଐତିହାସିକ ଶିକ୍ଷାବିଧାନ ଆଲୋଚନା କଲାବେଳେ ସେଥିରେ କେହି ବ୍ୟକ୍ତି ଦେଖେ ନାହିଁ; କେଉଁ ଋଷି କଣ କହିଥିଲେ ତାହା ବୁଝେ ନାହିଁ । ସୂର୍ଯ୍ୟର ଆଲୋକ ପୃଥିବୀରେ ପଡ଼ି ପୃଥିବୀକୁ ଜୀବନ୍ତ ଓ ଉଜ୍ଜ୍ୱଳ କଲା ପରି, ସେ ବିଧାନର ପ୍ରଭାବରେ ସମସ୍ତ ସମାଜ ଏକାବେଳେକେ ସମୂହ ଭାବରେ ଜୀବନ୍ତ, ସରସ ଓ ପ୍ରଭାବିତ ହେଲା ପରି ଲାଗେ । ସେହି ହେତୁରୁ ସମୂହ ଭାବରେ କୁହାଯାଏ, ଏ ଦେଶର ପ୍ରାଚୀନମାନଙ୍କର ଜୀବନ ଏହିପରି ଥିଲା । ଏହି ଜାତୀୟ ଶିକ୍ଷା ବିଧାନକୁ ମାପକାଠି କରି ତତ୍‌କାଳୀନ ବ୍ୟକ୍ତିଜୀବନ ମାପିବାରେ କିଛି ଅସୁବିଧା ହୁଏ ନାହିଁ । କେବଳ ଆର୍ଯ୍ୟ ସମାଜ ନୁହେଁ; ମୁସଲମାନ, ଖ୍ରୀଷ୍ଟିୟାନ, ଇହୁଦି, ଏପରି କି ପ୍ରାଚୀନ ମିଶର ଓ ପିରୁ ପ୍ରଭୃତିର ଇତିହାସ ଦେଖିଲେ ମାନବ ଶିକ୍ଷାରେ ଏହାହିଁ ଆମ୍ଭମାନଙ୍କର ଅନୁଭବରେ ଆସେ । ଏବେ ମଧ୍ୟ ବ୍ୟକ୍ତିର ଶିକ୍ଷା ନିମନ୍ତେ ସରକାରଙ୍କର ଶିକ୍ଷା ବିଭାଗ ଅଛି । ପ୍ରତ୍ୟେକ ଛାତ୍ରର ଅଭାବ ପୂରଣ କରିବା ଉଦ୍ଦେଶ୍ୟ ରଖି ମନୀଷିମାନେ ବିଧାନର ପ୍ରବର୍ତ୍ତନ କରୁଅଛନ୍ତି । ସେ ବିଧାନ ସବୁ ଶିକ୍ଷକମାନେ କଲେଜରେ ମଧ୍ୟ ଶିଖୁ ଅଛନ୍ତି ।

 

ମନୁଷ୍ୟର ଯେପରି ମନ ଓ ଶରୀର ଅଛି, ସେହିପରି ତାର ସମସ୍ତ ଅନୁଷ୍ଠାନ, ତଥା, ଶିକ୍ଷା ବିଧାନର ଆଧ୍ୟାତ୍ମିକ ଓ ଭୌତିକ ଦୁଇଟି ବିଭାବ ରହିଅଛି । ଏ ଦୁହେଁ ପରସ୍ପରର ଅପେକ୍ଷା ରଖନ୍ତି ସତ । କିନ୍ତୁ ଶିକ୍ଷାବିଧାନରେ ଆଧ୍ୟାତ୍ମିକ ବିକାଶ ଯେତେ ସୁଗମ, ଭୌତିକବିକାଶ ସେପରି ନୁହେଁ । ଥରେ ବିଧାନ ଆତ୍ମଗତ ହେଲେ, ଆତ୍ମବିକାଶ ସହଜ ହୁଏ । କିନ୍ତୁ ଭୌତିକବିକାଶ ନିମନ୍ତେ ବିଧାନର ସାମାଜିକ ପ୍ରଚାର ଓ ପ୍ରଶସ୍ତି ଅତ୍ୟନ୍ତ ପ୍ରୟୋଜନ । ନାନାବିଧ ବ୍ୟବସାୟର ଶିକ୍ଷାଦ୍ୱାରା ସମାଜର ସମୃଦ୍ଧି ସଞ୍ଚୟ କରିବାକୁ ହେବ । ଏ ଦେଶରେ ବର୍ଣ୍ଣ ଧର୍ମରେ ପ୍ରାଚୀନ କାଳରେ ଏ ବିଭାଗ ସୁରକ୍ଷିତ ଥିଲା । କିନ୍ତୁ ଏବେ ନାନା କାରଣରୁ ବହୁଦିନ ଉପେକ୍ଷିତ ହୋଇ, ଦେଶ ଦରିଦ୍ରରୁ ଦରିଦ୍ରତର ହେଉଅଛି । ଲୋକେ କୃଷି, ଶିଳ୍ପ, ବ୍ୟବସାୟ କ୍ରମେ ଭୁଲିଯାଉଅଛନ୍ତି । ଏହି ଓଡ଼ିଶାରେ ମଧ୍ୟ କୋଣାର୍କ ଭୁବନେଶ୍ୱର ଯେ ଆମ୍ଭରି ପୂର୍ବପୁରୁଷମାନେ କରିଥିଲେ ଏ କଥା ଆମ୍ଭେମାନେ ଅନେକ ସମୟରେ କଳ୍ପନା କଲାବେଳେ ବିସ୍ମିତ ହେଉ । ସୁଖର କଥା, ସରକାର ଓ ଦେଶର ପ୍ରଧାନ ପ୍ରଧାନ ଲୋକଙ୍କର ଏ ଦିଗରେ ଦୃଷ୍ଟି ପଡ଼ିଅଛି । ପୁଷା, ସାବ୍ବର ପ୍ରଭୃତି ସ୍ଥାନରେ ରାଜବ୍ୟୟରେ ଲୋକେ କୃଷି ଶିକ୍ଷା ପାଉଅଛନ୍ତି । ମାନ୍ଦ୍ରାଜ ବିଭାଗର ଲୋକପ୍ରତିଷ୍ଠିତ ‘ଆନ୍ଧ୍ରକଳାଶାଳା’ କଥା ସମସ୍ତେ ଶୁଣିଥିବେ । ବାଣିଜ୍ୟ, ଫରେଷ୍ଟ, ଇଞ୍ଚିନିୟରିଂ, ଡାକ୍ତରି ପ୍ରଭୃତି ଶିକ୍ଷା ସବୁ ଅଚିରେ ଏହି ଶ୍ରେଣୀର ଅନ୍ତର୍ଗତ ହେବ । ଲୋକେ କେବଳ ନଉକରି ଛଡ଼ା ଅନ୍ୟ ଉଦ୍ଦେଶ୍ୟରେ ଶୀଘ୍ର ଏହି ଶିକ୍ଷାମାନଙ୍କରେ ପ୍ରବର୍ତ୍ତିବେ । ଏ ସବୁ ଜାତୀୟ ଓ ପାରମ୍ପରିକ ବିଧାନରେ ପର୍ଯ୍ୟବସିତ ହେଲେ, ଭାରତର ଆଧ୍ୟାତ୍ମିକ ଶିକ୍ଷା ସଙ୍ଗେ ସଙ୍ଗେ ଭୌତିକ ଶିକ୍ଷା ବଳରେ ଜାତୀୟ ସମୃଦ୍ଧି ଉଜ୍ଜୀବିତ ଓ ସୁରକ୍ଷିତ ହେବ ।

Image

 

ଓଡ଼ିଶାର ଶେଷ ସ୍ୱାଧୀନ ରାଜା

 

ଦେଶର ଅବସ୍ଥା – ରାଜତ୍ଵଲାଭ – ରାଜ୍ୟଶାସନ – କାର୍ଯ୍ୟକଳାପ – ବିଶିଷ୍ଟଘଟନା – ମୃତ୍ୟୁ – ଚରିତ୍ର ।

 

ରାଜଶିରୋମଣି ପ୍ରତାପରୁଦ୍ରଙ୍କ ରାଜତ୍ୱରେ ଓଡ଼ିଶା ଯେପରି ସମୃଦ୍ଧିଶାଳୀ ଥିଲା, ତାପରେ ବା ପୂର୍ବରୁ ସେପରି କେବେ ହୋଇନାହିଁ । ସେତେବେଳେ ରାଜ୍ୟର ସୀମା ହିମାଳୟ ପାଦଦେଶରୁ କୁମାରିକା ପର୍ଯ୍ୟନ୍ତ ବିସ୍ତୃତ ଥିଲା ବୋଲି କହିଲେ ଚଳେ । ରାଜ୍ୟରେ ଧନସମ୍ପଦ ଯେପରି ପୂରି ରହିଥିଲା, ଲୋକେ ସେହିପରି ଗୁଣଗରିମାରେ ଉନ୍ନତ ଥିଲେ । ସ୍ନେହ, ଭକ୍ତି, ବିଶ୍ୱାସ ସମାଜକୁ ଟେକି ରଖିଥିଲା । କିନ୍ତୁ ୧୫୩୨ ସାଲରେ ପ୍ରତାପରୁଦ୍ରଙ୍କ ମୃତ୍ୟୁପରେ ତାଙ୍କର ଦୁର୍ବଳ ପୁତ୍ର ଯେତେବେଳେ ରାଜା ହେଲେ, ରାଜ୍ୟର ସକଳ ଐଶ୍ୱର୍ଯ୍ୟ ଏକାବେଳେକେ ଲୁପ୍ତ ହେଲା । ରାଜା ଦୁର୍ବଳ ହେବାରୁ ଦେଶ ଅରାଜକ ହେଲା । ମନ୍ତ୍ରୀ, ସେନାପତି ପ୍ରଭୃତି ପରସ୍ପର ମଧ୍ୟରେ ଓ ରାଜାଙ୍କ ସହିତ ବିବାଦରେ ପ୍ରବୃତ୍ତ ହେଲେ । ପ୍ରଧାନ ମନ୍ତ୍ରୀ ଗୋବିନ୍ଦବିଦ୍ୟାଧର ପ୍ରତାପରୁଦ୍ରଙ୍କ ବତିଶ ଜଣ ପୁଅଙ୍କୁ ମାରି ନିଜେ ରାଜା ହେଲେ । ଓଡ଼ିଶାରେ ଏପରି ଅନ୍ତର୍ବିବାଦ ଓ ରାଜାଙ୍କ ଦୁର୍ଦ୍ଦଶା ଦେଖି, ବିଦେଶୀୟ ବିଜିତ ରାଜାମାନେ ଆପଣା ଆପଣା ରାଜ୍ୟକୁ ସ୍ୱାଧୀନ କରି ନେଲେ । ସୁତରାଂ ଦେଶର ଆୟତନ ବହୁତ ଊଣା ହୋଇଗଲା । ଦେଶ ସର୍ବଦା ଅଶାନ୍ତିମୟ ଥିଲା ।

 

ଗୋବିନ୍ଦବିଦ୍ୟାଧରଙ୍କ ରାଜତ୍ୱ ସମୟରେ ମୁକୁନ୍ଦ ନାମକ ଜଣେ କର୍ମଚାରୀ ବିଶେଷ ଖ୍ୟାତି ଲଭିଥିଲେ । ମୁକୁନ୍ଦ ଦକ୍ଷିଣଆଡ଼ୁ ଆସିଥିବାରୁ ତାଙ୍କୁ ସମସ୍ତେ ତେଲଙ୍ଗା ମୁକୁନ୍ଦ ବୋଲି କହୁଥିଲେ । କ୍ରମେ ସେ ନିଜ ଯୋଗ୍ୟତା ଯୋଗରୁ କଟକର ଶାସନକର୍ତ୍ତା ପଦରେ ନିଯୁକ୍ତ ହେଲେ-। ଗୃହ ବିବାଦରେ ଗୋବିନ୍ଦବିଦ୍ୟାଧର ଓ ତାଙ୍କ ପରେ ତିନିଜଣ ରାଜା ହତ ହେବା ପରେ ମୁକୁନ୍ଦ ମୁକୁନ୍ଦଦେବ ନାମରେ ଓଡ଼ିଶାର ଶାସନଭାର ଗ୍ରହଣ କଲେ ।

 

ରାଜା ହୋଇ ମୁକୁନ୍ଦଦେବ କଟକର ବାରବାଟୀ କିଲାରେ ଗୋଟିଏ ନବତଳ ପ୍ରାସାଦ ନିର୍ମାଣ କରାଇ, ତହିଁରେ ବାସ କଲେ । ସେ ସମୟରେ ଦେଶରେ ଯେପରି ଅଶାନ୍ତି ପୂରି ରହିଥିଲା, ଜଣେ ଶକ୍ତିଶାଳୀ ରାଜାଙ୍କ ବ୍ୟତୀତ ସେପରି ଅଶାନ୍ତି ଦୂର କରି ପୂନର୍ବାର ଚାରିଆଡ଼େ ଶାନ୍ତି ସ୍ଥାପନ କରିବା ଅସମ୍ଭବ । ମୁକୁନ୍ଦ ଦେବ ନିଜ ବାହୁବଳରେ ବିଦ୍ରୋହିମାନଙ୍କୁ ପରାସ୍ତ କରି, ଦେଶରେ ପୁନର୍ବାର ଏକତା ସ୍ଥାପନ କଲେ । ଯେଉଁ ସୈନ୍ୟ ଓ ସେନାପତିମାନେ ରାଜାଙ୍କ ବିରୁଦ୍ଧରେ ଅସ୍ତ୍ର ଧାରଣ କରୁଥିଲେ, ସେହିମାନେ ପୁଣି ରାଜାଙ୍କର ଅନୁଗତ ହୋଇ ଦେଶର ସୁଶାସନରେ ବିଶେଷ ସାହାଯ୍ୟ କଲେ । ତାଙ୍କର ଶକ୍ତି, କୋଶଳ, ଏବଂ ରାଜନୀତିପଟୁତାରେ ସେ ଦେଶକୁ ପୁନରାୟ ପୂର୍ବ ଗୌରବ ଓ ପୂର୍ବ ସମୃଦ୍ଧି ଅନେକ ପରିମାଣରେ ଫେରାଇ ଆଣିଥିଲେ । କ୍ଷୁଦ୍ର ଶତ୍ରୁଙ୍କ କଥା ଦୂରେଥାଉ, ପ୍ରବଳପ୍ରତାପ ମୋଗଲସମ୍ରାଟ୍‌ ଆକବର ଓଡ଼ିଶାର ଗଜପତିଙ୍କର ସ୍ୱାଧିନ ପ୍ରତାପ ଓ ପରାକ୍ରମରେ ଏତେଦୂର ବିସ୍ମିତ ହୋଇଥିଲେ ଯେ, ସେ ଓଡ଼ିଶା ଆକ୍ରମଣ କରିବାକୁ ପ୍ରୟାସ କରିବା ଦୂରେଥାଉ ମୁକୁନ୍ଦଦେବଙ୍କ ସହିତ ସନ୍ଧି ସ୍ଥାପନ କରିବାକୁ ଶ୍ରେୟସ୍କର ମଣିଥିଲେ । ବଙ୍ଗର ଶାସନକର୍ତ୍ତା ସୁଲତାନ ଇବ୍ରାହିମ୍‌ ମୁସଲମାନଙ୍କଦ୍ୱାରା ପରାଭୂତ ଓ ବିତାଡ଼ିତ ହୋଇ ଓଡ଼ିଶାରେ ଶରଣ ପଶିବାବେଳେ ମୁକୁନ୍ଦଦେବ ତାହାଙ୍କୁ ରକ୍ଷା କରିଥିଲେ । ଏପରି କି ଆକବର ଶତ୍ରୁଦମନରେ ଅସମର୍ଥ ହୋଇ, ମୁକୁନ୍ଦଦେବଙ୍କ ସାହାଯ୍ୟ ଭିକ୍ଷା କରିଥିଲେ ।

 

ରାଜା ହେଲେ, ରାଜ୍ୟରେ ଅଧିକାର ଯେପରି ମିଳେ, ପ୍ରଜାମାନଙ୍କ ପ୍ରତି ସେହିପରି ଗୁରୁ କର୍ତ୍ତବ୍ୟ ଆସି ଉପରେ ପଡ଼େ । ମୁକୁନ୍ଦ ଦେବ ସାଧାରଣ ଅବସ୍ଥାରୁ ଉଠି, ବିସ୍ତୃତ ଓଡ଼ିଶା ଦେଶର ରାଜା ହେଲେ । ଶତ୍ରୁମାନଙ୍କୁ ପରାସ୍ତ କରି, ନିଷ୍କଣ୍ଟକ ଭାବରେ ରାଜଶ୍ରୀ ଭୋଗ କରିବାକୁ ସମର୍ଥ ହେଲେ । ତଥାପି ସେ ରାଜାର କର୍ତ୍ତବ୍ୟ କେତେବେଳେ ହେଲେ ଭୁଲି ନ ଥିଲେ । ସେ ବୁଝିଥିଲେ ଯେ, ପ୍ରଜାମାନଙ୍କର ସୁଖରେହି ରାଜାର ସୁଖ । ସେଥିପାଇଁ ପ୍ରଜାମାନଙ୍କ ମଙ୍ଗଳ ନିମନ୍ତେ ଦେଶର ଚତୁର୍ଦ୍ଦିଗରେ ଅନେକ ମନ୍ଦିର ଅଟ୍ଟାଳିକା ତୋଳାଇଲେ, ପୋଖରୀ କୂଅ ଖୋଳାଇଲେ, ବାଟ ଘାଟ ତିଆରି କରାଇଲେ ଏବଂ ପ୍ରଜା ସାଧାରଣଙ୍କର ଆର୍ଥିକ ଅବସ୍ଥା ଓ ଜୀବନର ସୁଖ ସ୍ୱଚ୍ଛନ୍ଦତା କିପରି ବଢ଼ିବ ତହିଁ ପ୍ରତି ନାନା ଆୟୋଜନ କଲେ । ଏହି ସବୁ ସାଧାରଣ ହିତକର କାର୍ଯ୍ୟରୁ ଅନେକ ଇତିମଧ୍ୟରେ ଲୋପ ପାଇ ଯିବଣି, କିନ୍ତୁ ଗଙ୍ଗାକୂଳର ତ୍ରିବେଣୀ ଘାଟ, ଦେଉଳ ବର୍ତ୍ତମାନ ସୁଦ୍ଧା ଅକ୍ଷୁର୍ଣ୍ଣ ରହି ଓଡ଼ିଆମାନଙ୍କୁ ତାଙ୍କ ପୂର୍ବଗୌରବ ସ୍ମରଣ କରାଇ ଦେଉଅଛି-। ସେ କେତେଗୁଡ଼ିଏ ଗ୍ରାମ ମଧ୍ୟ ବସାଇଥିଲେ । ତହିଁ ମଧ୍ୟରୁ ମୁକୁନ୍ଦପୁର ଉଲ୍ଲେଖ ଯୋଗ୍ୟ । ତାହା ପୁରୀ ଜିଲ୍ଲାର ପିପିଲି ନିକଟରେ ଗୋଟିଏ ବଡ଼ ବ୍ରାହ୍ମଣ ଶାସନ । କଥିତ ଅଛି ତତ୍‌କାଳୀନ ସମାଜ ମଧ୍ୟରେ ନାନା ପ୍ରକାର ଭେଦ ଓ ମନୋମାଳିନ୍ୟ ଦେଖି ତାର ପ୍ରତିକାର କରିବା ନିମନ୍ତେ ମୁକୁନ୍ଦଦେବ ଏବଂ ଗ୍ରାମଟି ବସାଇଥିଲେ । ସେ ମନେକଲେ ଯେ ବ୍ରାହ୍ମଣମାନେ ସମାଜରେ ପୂଜିତ ହେଉଥିବା ସ୍ଥଳେ ସେହିମାନଙ୍କର ରୀତି ନୀତି ବଦଳାଇ ପାରିଲେ ସମସ୍ତ ଜାତିର ରୀତି ନୀତି ସହଜରେ ବଦଳି ଯିବ-। ସୁତରାଂ ନାନା ସ୍ଥାନରୁ ନାନା ଶ୍ରେଣୀର ବ୍ରାହ୍ମଣ ଆଣି ମୁକୁନ୍ଦପୁରରେ ରଖାଇଥିଲେ । କି କୌଶଳରେ ସେ ତାଙ୍କର ସ୍ୱଭାବ ବଦଳାଇ ଥାଆନ୍ତେ, ତାହା ବର୍ତ୍ତମାନ ବୁଝା ଯାଉନାହିଁ । ଅକସ୍ମାତ ମୃତ୍ୟୁଯୋଗୁଁ ତାଙ୍କର ସେହି ଶୁଭ ଇଚ୍ଛା ଅପୂର୍ଣ୍ଣ ରହିଲା । ବରଂ ଦେଖାଯାଏ ବର୍ତ୍ତମାନ ପର୍ଯ୍ୟନ୍ତ ମୁକୁନ୍ଦପୁରର ବ୍ରାହ୍ମଣମାନେ ଘର ଘରକେ ଫାଙ୍କେ ଫାଙ୍କେ ହୋଇ ରହିଛନ୍ତି-

 

ଗଙ୍ଗାକୁ ଓଡ଼ିଶାକୁ ଆଣିବାପାଇଁ ମାଆଙ୍କଦ୍ୱାରା ଆଦିଷ୍ଟ ହୋଇ, ତ୍ରିବେଣୀଠାରୁ ଗୋଟିଏ ନାଳ ଖୋଳାଇବାକୁ ଆରମ୍ଭ କଲେ ଏବଂ ଗଙ୍ଗାକୁ ପ୍ରୀତ କରିବା ନିମନ୍ତେ ଧ୍ୟାନରେ ବସିଲେ । ବସିବାବେଳେ କହିଥିଲେ, ଯେ ତାଙ୍କର ଧ୍ୟାନ ଭଙ୍ଗ କରିବ ସେ ତାକୁ ତିନିଗଡ଼ କରି କାଟି ଦେବେ । ଏହି ସୁଯୋଗ ପାଇ, କଳାପାହାଡ଼ ଓଡ଼ିଶାକୁ ଆସି, ନାନା ଅତ୍ୟାଚାର ଆରମ୍ଭ କଲା । ଜଣେ ସୈନିକ କାହାଳି ବଜାଇ ଦେଶର ଦୁର୍ଦ୍ଦଶା ରାଜାଙ୍କୁ ଜଣାଇଲା । ରାଜା ଧ୍ୟାନରୁ ଉଠି, କାହାଳିଟି ଧ୍ୟାନଭଙ୍ଗ କରିଥିବାର କହି, ନିଜର ପ୍ରତିଜ୍ଞା ରକ୍ଷାପାଇଁ ତାକୁ ତିନିଗଡ଼ କରିଦେଲେ । ସେହିଦିନଠାରୁ ଓଡ଼ିଶାରେ କାହାଳି ତିନିଖଣ୍ଡ; ବଜାଇଲାବେଳେ ଯୋଡ଼ିକରି ବଜାଇବାକୁ ହୁଏ । ଆକବରଙ୍କ ଅନୁରୋଧରେ ମୁକୁନ୍ଦଦେବ ବଙ୍ଗଦେଶରେ ଯୁଦ୍ଧ କରିବା ସମୟରେ କଳାପାହାଡ଼ କଟକକୁ ଆସି, ବାରବାଟି ଦୁର୍ଗ ଆକ୍ରମଣ କଲେ । ରାଣୀ ନାନା ଉପହାର ଦେଇ, ସେ ଆକ୍ରମଣରୁ ରକ୍ଷା ପାଇଲେ । ତେବେ ହେଲେ ସୁଦ୍ଧା ଓଡ଼ିଶାର ତୀର୍ଥସ୍ଥାନମାନଙ୍କରେ ସେ ଯେ ଭୀଷଣ ପାଶବିକତା ଆଚରଣ କରିଥିଲେ, ତାହା ଓଡ଼ିଆ କେବେ ପାଶୋରି ପାରିବ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଉଳରେ ବା ଅନ୍ୟାନ୍ୟ କୌଣସି ସ୍ଥାନରେ ଭଙ୍ଗାମୂର୍ତ୍ତିଟିଏ ଦେଖିଲେ, ଲୋକେ ‘‘କଳା ପାହାଡ଼ କୃତ୍ୟ’’ ବୋଲି କହିଥାନ୍ତି । ସ୍ତ୍ରୀ ଲୋକମାନେ ଗାଆନ୍ତି–

 

ଅଇଲା କଳାପାହାଡ଼ ଭାଙ୍ଗିଲା ଲୁହାର ବାଡ଼

ପିଇଲା ମହାନଦୀ ପାଣି

ସୁବର୍ଣ୍ଣ ଥାଳିରେ ହୀରା ପରଶିଲେ ମୁକୁନ୍ଦ ଦେବଙ୍କ ରାଣୀ ।

 

ଏ ସବୁ ଅତ୍ୟାଚାର କଥା ଶୁଣି, ମୁକୁନ୍ଦଦେବ ବଙ୍ଗଦେଶରୁ ଫେରି ଆସିଲାବେଳେ ୧୫୬୮ ଖ୍ରୀଷ୍ଟାବ୍ଦରେ ଯାଯପୁରଠାରେ ଯେଉଁ ଭୀଷଣ ଯୁଦ୍ଧ ହେଲା ସେଥିରେ ସେ ନିହତ ହେଲେ-। ସେହିଦିନରୁ ଓଡ଼ିଶାର ସ୍ୱାଧୀନତା ଲୁପ୍ତ ହୋଇଅଛି ।

 

ମୁକୁନ୍ଦ ଦେବ ଦେଶରେ ନାନା ଶୁଭ ଅନୁଷ୍ଠାନ କରି ସନ୍ତୁଷ୍ଟ ନ ଥିଲେ । ପ୍ରଜାରଞ୍ଜନ ନିମନ୍ତେ ସେ ଆପଣାର ପ୍ରାଣକୁ ଉତ୍ସର୍ଗ କରିଥିଲେ । ସେମାନଙ୍କର ଦୁଃଖ ଗୁହାରି ନିଜେ ବୁଝିଥିଲେ-। ଅତ୍ୟନ୍ତ ମିଷ୍ଟଭାଷୀ ଓ ସଦାଳାପି ଥିବାରୁ ପ୍ରଜାମାନେ ମଧ୍ୟ ଭରସିକରି ତାଙ୍କ ନିକଟକୁ ଆସୁଥିଲେ । ରାଜା ପ୍ରଜାର ସମ୍ପର୍କ ବାସ୍ତବରେ ପିତା ପୁତ୍ରର ସ୍ନେହମୟ ବନ୍ଧନରୁ କିଛି ଊଣା ନ ଥିଲା । ଜଣେ ପର୍ଟୁଗିଜ ପରିଦର୍ଶକ ତାଙ୍କ ଗୁଣରେ ମୁଗ୍ଧ ହୋଇ, ତାଙ୍କର ଶାସନପ୍ରଣାଳୀ ଓ ଚରିତ୍ରବତ୍ତାର ଭୂରି ଭୂରି ପ୍ରଶଂସା କରି ଯାଇଅଛନ୍ତି ।

Image

 

ଆଦର୍ଶ

 

ପ୍ରତ୍ୟେକ କ୍ରିୟାର ଉଦ୍ଦେଶ୍ୟ ଅଛି–ଏହି ଉଦ୍ଦେଶ୍ୟକୁ ସ୍ଥଳ ବିଶେଷରେ ଆଦର୍ଶ କୁହାଯାଏ-ଆଦର୍ଶ ଉପରେ ଦୃଷ୍ଟି ନ ରହିଲେ କର୍ମରେ ପରମ୍ପରା ବା ପଦ୍ଧତି ରହେ ନାହିଁ-ଜୀବନ ସର୍ବଦା ଆଦର୍ଶରେ ଚାଳିତ-ଆଦର୍ଶ ବଦଳି ଯାଏ, କିନ୍ତୁ ଲୋପ ପାଏ ନାହିଁ ।

 

ଜଗତରେ କ୍ରିୟାର ସୀମା ନାହିଁ । ଜନ୍ମ ମୃତ୍ୟୁ, ବୃଦ୍ଧି କ୍ଷୟ, ବିକାଶ ବିଲୋପ ସବୁବେଳେ ଚାଲିଛି । ସବୁ କାର୍ଯ୍ୟରେ କି ଉଦ୍ଦେଶ୍ୟ ଅଛି, ତାହା ଅନୁସନ୍ଧାନରେ ଠିକ କରିବା ସହଜ ନୁହେଁ । କିନ୍ତୁ ଯେତେଗୋଟି କାର୍ଯ୍ୟ ଆମ୍ଭେମାନେ ଅନୁସନ୍ଧାନ କରି ପାରୁ, ସେତୋଟିରେ ଦେଖୁଁ ପ୍ରତ୍ୟେକ କାର୍ଯ୍ୟରେ ଗୋଟିଏ ଗୋଟିଏ ଉଦ୍ଦେଶ୍ୟ ଅଛି । ସମସ୍ତେ ନିତି ଭାତ ଖାଉଥିବେ । ଗୁଣ୍ଡାଟିଏ ଉଠାଇଲେ, ଏକାବେଳେକେ ପାଟିଭିତରକୁ ଚାଲିଯାଏ । କେହି ବୋଧହୁଏ କହିବେ ନାହିଁ, ଗୁଣ୍ଡା ଉଠାଇଲାବେଳେ ପାଟିରେ ପୁରାଇବା ଉଦ୍ଦେଶ୍ୟ କରି, ସେ ଉଠାଇଥିଲେ । କିନ୍ତୁ ଶିଶୁମାନେ ଭାତ ଖାଇବାର ପ୍ରଥମ ଉଦ୍ୟମ କଲାବେଳେ ବହୁଦିନ ଯାଏ ଏ ଉଦ୍ୟମରେ ବିଫଳ ହୋଇଥାନ୍ତି । ପାଟିକି ନେବାର ଉଦ୍ଦେଶ୍ୟ ନ ଥିଲେ, ବାସ୍ତବିକ ଗୁଣ୍ଡାଟି ତଳୁ ଉଠନ୍ତା ନାହିଁ । ଟିକିଏ ଚିନ୍ତା କଲେ ଦେଖାଯିବ, ଉଦ୍ଦେଶ୍ୟ ନ ଥିଲେ ଜଗତରେ କୌଣସି କାର୍ଯ୍ୟ ସମ୍ଭବ ହେବ ନାହିଁ ।

 

ପ୍ରତି କ୍ରିୟାରେ ଥିଲେ ମଧ୍ୟ, ଏ ଉଦ୍ଦେଶ୍ୟ ସବୁବେଳେ ଜଣାପଡ଼େ ନାହିଁ । ସମସ୍ତେ କ୍ରିୟା ପ୍ରବାହ ମଧ୍ୟରେ ଏକ ପ୍ରକାର ନ ଜାଣି, ଉଦ୍ଦେଶ୍ୟଆଡ଼କୁ ଧାଉଁଥାଆନ୍ତି । ମନୁଷ୍ୟ କେତେଗୁଡ଼ିଏ କାର୍ଯ୍ୟରେ ଏହି ଉଦ୍ଦେଶ୍ୟର ଅନୁସନ୍ଧାନ କରେ । ଏହି ଉଦ୍ଦେଶ୍ୟ ବା ଉଦ୍ଦେଶ୍ୟଲଭ୍ୟ ବସ୍ତୁକୁ ସର୍ବଦା ଆଗରେ ରଖି, ହୁଏତ କେତେବେଳେ ନିଜ କାର୍ଯ୍ୟ କରେ ଏବଂ କେତେବେଳେ ଅବା ଅନ୍ୟସ୍ଥଳରେ କାର୍ଯ୍ୟ ବିଧାନ ଦେଖେ । ଏହି ଉଦ୍ଦେଶ୍ୟଲଭ୍ୟ ବସ୍ତୁହିଁ ଆଦର୍ଶ । ଏହା ସର୍ବଦା ଆଗରେ ଥାଏ; ଏହା ଉପରେ ଦୃଷ୍ଟି ରଖି ଯେପରି କି କର୍ମ କରାଯାଏ ।

 

ଆଦର୍ଶର ସଂଯମ ବିନା କ୍ରିୟା ସମ୍ଭବ ନୁହେଁ । ଗୋଟିଏ ଲୋକ ବାଟରେ ଗଲାବେଳେ କୁଆଡ଼େ ଯାଉଅଛି, କେଉଁ ସ୍ଥାନକୁ ଯାଉଅଛି, କି ନିମନ୍ତେ ଯାଉଅଛି-ଏସବୁ କଥା ନ ଜାଣିଲେ, ସେ ଚାଲିବ କିପରି ? କୁଆଡ଼ିକି ବା ମୁହଁ କରିବ ? ସେତିକି ନୁହେଁ, ଆଦର୍ଶ ମଧ୍ୟ ସ୍ଥିର ଓ ଏକ ହେବା ଉଚିତ । ତାହା ନ ହେଲେ, କର୍ମରେ ଶୃଙ୍ଖଳା ଆସିବ ନାହିଁ । ଆମ୍ଭେମାନେ କହୁ, ଏ କାର୍ଯ୍ୟ ବ୍ୟର୍ଥହେଲା, ବୃଥାରେ ଏତେ ଶ୍ରମ କରାଗଲା । ଏ କଥାର ଅର୍ଥ ସମସ୍ତେ ବୁଝନ୍ତି । ବିନା ଉଦ୍ଦେଶ୍ୟରେ ବା ବହୁ ଉଦ୍ଦେଶ୍ୟରେ କାର୍ଯ୍ୟ କଲେ, ସବୁ କାର୍ଯ୍ୟହି ‘ବ୍ୟର୍ଥ’ ଓ ‘ବୃଥା’ । ଆଦର୍ଶ ଉପରେ ଦୃଷ୍ଟି ଥିବାରୁ କାର୍ଯ୍ୟରେ ସଂଯମ ଆସେ । ସେ ସଂଯମହି ସୃଷ୍ଟିର ଜୀବନ, ସମସ୍ତ ପଦ୍ଧତି ଓ ସାର୍ଥକତାର ମୂଳମନ୍ତ୍ର ।

 

ପିଲାମାନେ ସ୍କୁଲରେ ପଢ଼ିଲାବେଳେ ତାଙ୍କୁ ପଚରା ଯାଇଥାଏ, ତୁମ୍ଭେମାନେ ଜୀବନରେ କଣ କରିବ ? ଅନେକେ କିଛି କହିପାରନ୍ତି ନାହିଁ । ତୃତୀୟ ଶ୍ରେଣୀରେ ପଢ଼ୁଥିଲାବେଳେ ତାଙ୍କର ଉଦ୍ଦେଶ୍ୟ ଦ୍ୱିତୀୟ ଶ୍ରେଣୀକୁ ଉଠିବା; ଦ୍ୱିତୀୟ ଶ୍ରେଣୀରେ ଥିଲାବେଳେ ହୁଏତ ମାଟ୍ରିକୁଲେଶନ ପରୀକ୍ଷାକୁ ଯିବା । ଏପରି ପିଲାମାନେ ଜୀବନରେ ବେଶି କିଛି କରନ୍ତି ନାହିଁ । କିଛି ଦିନ ପୂର୍ବେ ଓଡ଼ିଶାରେ ଶିକ୍ଷା ଯେ ଧୀରଭାବରେ ଗତି କରୁଥିଲା, ଓଡ଼ିଶାରେ ସେକାଳେ ବୁଦ୍ଧିମାନ ପିଲା ନ ଥିବା ତାର କାରଣ ନୁହେଁ । ସେତେବେଳେ କେବଳ ଆଦର୍ଶ ନ ଥିଲା । ବୁଢ଼ାମାନେ କହିବାର ଶୁଣାଯାଏ,‘‘ ବି, ଏ, ପାସ କରିବ !’’ –ଏ ଯେପରି ଦେବତାର କାର୍ଯ୍ୟ । ଆଦର୍ଶ ଏହିପରି ଥିବାରୁ ଫଳ ମଧ୍ୟ ତଦନୁରୂପ ହେଉଥିଲା । ସେଥିପାଇଁ ଆଦର୍ଶକୁ ସର୍ବଦା ବଡ଼ କରିବାକୁ ହେବ । ତାକୁ ନିଜଠାରୁ ଭିନ୍ନ କରିବାର ନୁହେଁ । ସବୁବେଳେ ବିଚାରିବାକୁ ହେବ ଯେ, ‘ମୁଁ ଏହା ନିଶ୍ଚୟ ହୋଇପାରିବି’ । ପକ୍ଷାନ୍ତରେ ସେଥିରେ ଅବଶ୍ୟ ଅହଂକାର କରିବା ଉଚିତ ନୁହେଁ । କେବେ ବିଚାରିବା ଉଚିତ ନୁହେଁ ଯେ, ‘ମୁଁ ଯାହା ଆଦର୍ଶ କରିଅଛି, ଅନ୍ୟମାନେ ତା ପାରିବେ ନାହିଁ’ । କାରଣ ସେପରି ହେଲେ, ଆଦର୍ଶ ଦୃଢ଼ ହୁଏ ନାହିଁ, କି ନିଜର ଅଙ୍ଗୀଭୂତ ହୁଏ ନାହିଁ ।

 

ଦେଖାଯାଏ ଜୀବନରେ ଲୋକଙ୍କର ଯାହା ଆଜି ଆଦର୍ଶ ଅଛି, କାଲି ପୁଣି ତାହା ରହିଲା ନାହିଁ । ଆଜି ଯେପରି ଭାବରେ ଜୀବନକୁ ଯେଉଁଆଡ଼େ ଚଳାଉଥିଲେ କାଲି ତାହା ନାହିଁ । କିନ୍ତୁ ଲକ୍ଷ୍ୟ କଲେ, ସର୍ବଦା ଗୋଟିଏ ଆଦର୍ଶ ଥିବାର ଦେଖାଯିବ । ଅଶୋକଙ୍କ ଜୀବନ ଯେପରି ବଦଳି ଯାଇଥିଲା, ପୃଥିବୀରେ ଅତି ଅଳ୍ପ ଲୋକଙ୍କର ସେପରି ହୋଇଅଛି । କିନ୍ତୁ ସେ ଜୀବନରେ ଦିନେ ଆଦର୍ଶହୀନ ହୋଇ ଅଛନ୍ତିବୋଲି କୁହାଯାଇ ନ ପାରେ । ପିଲାଦିନେ ହୁଏତ ବିଚାରିଥିଲେ, ସମସ୍ତଙ୍କୁ ମାରି, ଦେଶ ଜିଣି, ଗୋଟିଏ ପ୍ରଚଣ୍ଡ ଦିଗ୍‌ବିଜୟୀ ବୀର ପୁରୁଷ ହେବେ । ପରେ ସେ ଆଦର୍ଶ ବଦଳି ଗଲା; ସେ ବୁଦ୍ଧଦେବଙ୍କ ପରି ହେବାକୁ ବିଚାରିଲେ । ଏଥିରୁ ସ୍ପଷ୍ଟ ଜଣାଯାଉଅଛି, କ୍ରିୟାସବୁ ଆଦର୍ଶଆଡ଼କୁ ଗତି କଲେ ମଧ୍ୟ, ଆଦର୍ଶ ବି ଯେପରି କି କ୍ରିୟାମାନଙ୍କୁ ତିଆରୁ ଅଛି । ଆଦର୍ଶ ଟିକିଏ ଟଳି ଗଲେ, ସମସ୍ତ କ୍ରିୟା ସେ ଅନୁସାରେ ଏକାବେଳକେ ଭିନ୍ନ ହୋଇଯିବ । ସମସ୍ତ ବିଶ୍ୱ ସଂସାରର କ୍ରୟା ମଧ୍ୟରେ ଆଦର୍ଶ ସେହି ସର୍ବନିୟନ୍ତା ବିଧାତା । ମାନବ ଜୀବନରେ ତାହାହିଁ ସ୍ଥିର ଆଦର୍ଶ ହେବା ଉଚିତ ।

Image

 

ବୁଦ୍ଧି ଓ ବିବେକ

 

ବୁଦ୍ଧି ଓ ବିବେକ କଣ ଏକ କଥା ? ବୁଦ୍ଧି କଣ ବିବେକତା ଆଣି ପାରେ ? ଯେଉଁ ଲୋକର ଅସାଧାରଣ ବୁଦ୍ଧି ଅଛି–ଗ୍ରନ୍ଥାଧ୍ୟୟନ, ପୁସ୍ତକପାଠ ବା ବହୁଦର୍ଶନ ବଳରେ ଯାହାର ଅଭିଜ୍ଞତା ବଢ଼ିଅଛି, ସେପରି ଲୋକକୁ କଣ ବିବେକବାନ୍‌ କୁହାଯିବ ? ଏପରି ଅନେକ ଚୋର ଡକାୟତ ଅଛନ୍ତି, ବଡ଼ ବଡ଼ ଗୁଇନ୍ଦାଙ୍କ ଅସାଧାରଣ ବୁଦ୍ଧି ମଧ୍ୟ ସେମାନଙ୍କ ନିକଟରେ ପରାସ୍ତ । ସେମାନଙ୍କୁ କଣ ବିବେକୀ କହିବା ? ବୁଦ୍ଧିବିଚକ୍ଷଣତା, ରାଜନୀତିପଟୁତାରେ ଆଓରଙ୍ଗଜେବଙ୍କ ସମାନ ଅତି ଅଳ୍ପ ମାତ୍ର ସମ୍ରାଟ୍‌ ପୃଥିବୀ ନିଜ ବକ୍ଷରେ ଧାରଣ କରିଅଛି । କିନ୍ତୁ ନୀଚ ସ୍ୱାର୍ଥପରତା, ଈର୍ଷା, କୁଟିଳତା ପ୍ରଭୃତି ଘୃଣ୍ୟ ଦୋଷମାନଙ୍କରେ ତାଙ୍କ ହୃଦୟ ଆବିଳତାମୟ ଜଘନ୍ୟ ଥିଲା । ଲୋକେ ସାଧାଣତଃ ବୁଦ୍ଧି ଓ ବିବେକକୁ ଏକ ସ୍ଥଳରେ ବ୍ୟବହାର କରି ଥାଆନ୍ତି । କିନ୍ତୁ ଟିକିଏ ଚିନ୍ତା କଲେ ସ୍ପଷ୍ଟ ପ୍ରତୀତ ହୁଏ, ବୁଦ୍ଧି କଦାପି ବିବେକ ନୁହେଁ ।

 

କାର୍ଯ୍ୟ-କାରଣ-ସମ୍ବନ୍ଧ ନିରୂପଣ କରିବା ଅଭିଜ୍ଞତାର କାର୍ଯ୍ୟ । ଔଷଧ ସେବନ କଲେ ରୋଗ ଉପଶମ ହୁଏ, ବିଷ ଭକ୍ଷଣ କଲେ ମନୁଷ୍ୟ ଜୀବନ ହରାଏ, ବୁଦ୍ଧି ଏତିକି ମାତ୍ର କହିଦିଏ । କିପରି କାର୍ଯ୍ୟ କଲେ କିପରି ଫଳ ଫଳେ, କେଉଁ ଘଟଣା ପରେ କେଉଁ ଘଟଣା ଘଟିବାର କଥା, ମନୁଷ୍ୟ ବହୁଦର୍ଶନ ବା ଅଭିଜ୍ଞତା ବଳରେ ଏହା ଜାଣିପାରେ । ବୁଦ୍ଧିର କାର୍ଯ୍ୟ ଏହି ପର୍ଯ୍ୟନ୍ତ । କିନ୍ତୁ ବ୍ୟାଧିଗ୍ରସ୍ତପାଇଁ ଯେ ଉପଯୁକ୍ତ ଚିକିତ୍ସା କର୍ତ୍ତବ୍ୟ, ବିଷଭକ୍ଷଣରେ ଆତ୍ମହତ୍ୟା କରିବା ଯେ ମହାପାପ ଏ ଉପଦେଶ, ଏ ବାଧ୍ୟତାବୋଧ ବିବେକର ଦାନ । ବୁଦ୍ଧି କହେ, ଆହରୀୟ ଭକ୍ଷଣରେ କ୍ଷୁଧା ଦୂର ହୁଏ; କିନ୍ତୁ କ୍ଷୁଧିତ ଦେଖିଲେ ଆହରୀୟ ଦାନ କରି, ତାହାର କ୍ଷୁଧା ଦୂର କରିବାକୁ ବିବେକ ବାଧ୍ୟ କରେ ।

 

ବୁଦ୍ଧି ଆଲୋକ ବିବେକ ଦ୍ରଷ୍ଟା । ବୁଦ୍ଧି ଘଟନାଟିକୁ ଯଥାଯଥ ପରିବ୍ୟକ୍ତ କରେ; କିନ୍ତୁ ବିବେକ ଘଟନାଟିକୁ ଦେଖେ, ବିଚାର କରେ, ସେ କ୍ଷେତ୍ରରେ କର୍ତ୍ତବ୍ୟାକର୍ତ୍ତବ୍ୟ କଅଣ ନିର୍ଦ୍ଧାରଣ କରେ । ଦେଖାଇବା ବୁଦ୍ଧିର କାର୍ଯ୍ୟ । ପ୍ରଦୀପ ଜିନିସଟିର ଯେତିକି ଅଂଶ ଆଲୋକିତ କରେ, ସେତିକି ଅଂଶ ଆମ୍ଭେ ଦେଖି ପାରିବା । ସେହିପରି ବୁଦ୍ଧି ଯେତିକି ଅଂଶ ଦେଖାଇବ, ବିବେକ ସେତିକି ମାତ୍ର ଦେଖିବ; ସେତିକି ଉପରେ ବିଚାର କରି; କର୍ତ୍ତବ୍ୟ ସ୍ଥିର କରିବ । ମନେ ରଖିବାକୁ ହେବ, ଗୋଟିଏ ଅଙ୍ଗ ପ୍ରତି ଯାହା ସତ୍ୟ, ସମୁଦାୟ ଅବୟବ ବା ଶରୀର ପ୍ରତି ତାହା ସତ୍ୟ ନୁହେଁ । ଦାନ୍ତର କାର୍ଯ୍ୟ ଦେଖି କେହି ସିଦ୍ଧାନ୍ତ କରିବେ ନାହିଁ, ପେଷଣ ବା କର୍ତ୍ତନ କରିବା ମନୁଷ୍ୟର କାର୍ଯ୍ୟ । ଉଦରର କାର୍ଯ୍ୟ ଦେଖି କେହି କହେ ନାହିଁ, ମନୁଷ୍ୟ ପରନିର୍ଭରଶୀଳ, ପରମ୍ବାପହାରକ ଗୋଟିଏ ଜୀବ । ଏ ସବୁ ସିଦ୍ଧାନ୍ତ ଅଙ୍ଗ ବିଶେଷ ପ୍ରତି ସତ୍ୟ ହୋଇପାରେ; କିନ୍ତୁ ସମୁଦାୟ ଶରୀର ବିଷୟ ଆଲୋଚନା କରିବାକୁ ଗଲେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗମାନଙ୍କ କାର୍ଯ୍ୟରେ ସମାହାର-ଜନିତ-ସୁଷମା ଅବଲୋକନ କରିବାକୁ ହେବ ।

 

ବିବେକ ବ୍ରହ୍ମମୟୀ ବାଣୀ । ସତ୍ୟ ପ୍ରକାଶ କରିବା, ନ୍ୟାୟାନ୍ୟାୟ ବୁଝାଇ ମନୁଷ୍ୟକୁ ଚଳାଇବା ତାର କାର୍ଯ୍ୟ । ବିବେକର ନିର୍ଦ୍ଧାରଣ ସ୍ଥିର ଓ ନିରବଚ୍ଛିନ୍ନ । ତେବେ ଏତେ ମତ ବିଭେଦ କାହିଁକି ? କଥାରେ କହନ୍ତି, ‘‘ନାନା ମୁନିର ନାନା ମତ’’ । ଏକ ବ୍ୟକ୍ତିର ସିଦ୍ଧାନ୍ତ ଅପର ବ୍ୟକ୍ତିଦ୍ୱାରା ଅସମର୍ଥିତ, କର୍ତ୍ତିତ ହୁଏ । କାହିଁକି ? ବୁଦ୍ଧି ସାଧାରଣତଃ ଟିକିଏ ଚପଳ । ସବୁବେଳେ ସ୍ଥିର ଭାବରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଘଟନାଟିକୁ ବୁଝିବାପାଇଁ ତାର ଧୈର୍ଯ୍ୟ ନ ଥାଏ । ସଙ୍ଗୀ ବିଶେଷ ପ୍ରତି ଗୁରୁତର ଦୋଷରେ ଦଣ୍ଡ ଦେବାର ଦେଖି, ଛାତ୍ର ସିଦ୍ଧାନ୍ତ କରେ, ‘ଗୁରୁ ବଡ଼ ନିଷ୍ଠୁର’ । ସରଳ ନୀରିହ ଲୋକକୁ, ନିଜର କୁଅଭିସଂଧି ସାଧନ କରିବାପାଇଁ, ଦୁଷ୍ଟ ଲୋକ ନିଜର ଦୁଇପଦ କୋମଳ କଥାରେ ତରଳାଇ ଦିଏ । ଗୋଟିଏ ରସଗୋଲା ଖାଇବାକୁ ଦେଇ, ଚୋର ଅଜ୍ଞାନ ବାଳକ ଦେହରୁ ଅଳଙ୍କାର ଅପହରଣ କରେ । ଊଣା ଅଧିକରେ ପ୍ରାୟ ସକଳ ଜୀବନରେ ଏପରି ବୁଦ୍ଧି-ବିପାକ ଘଟିଥାଏ । ଆମ୍ଭେମାନେ ଆଜି ଯାହା ଠିକ୍‌ ବା ପ୍ରମାଦଶୂନ୍ୟ ବୋଲି ସ୍ଥିର କଲୁଁ, ହୁଏତ କେତେଦିନ ଆଲୋଚନା ବା ଭୂୟୋଦର୍ଶନ ପରେ ତାକୁ ଅନ୍ୟାୟ ବା ଅସଙ୍ଗତ ବୋଲି ପରିତ୍ୟାଗ କରିବୁ । ଜ୍ଞାନ-ବୃଦ୍ଧି ଓ ବୁଦ୍ଧିର ବିକାଶ ସଙ୍ଗେ ସଙ୍ଗେ ମାନବର ଆଦର୍ଶ ବାରମ୍ବାର ବଦଳି ଯାଏ । ଚିତ୍ତଚାଞ୍ଚଲ୍ୟ ବା ବୁଦ୍ଧି ବିପାକହିଁ ସକଳ ମତଭେଦର କାରଣ । ମନୁଷ୍ୟ ଏଥିଯୋଗୁଁ ଅନ୍ୟଠାରେ ଅଯଥା ଦୋଷ କଳ୍ପନା କରି, ଈର୍ଷା ଓ ଅବିଶ୍ୱାସ କରେ, ଆଉ ମଧ୍ୟ ତା ଉପରେ ହଠାତ୍‌ ପ୍ରତ୍ୟୟ ସ୍ଥାପନ କରି, ପ୍ରତାରିତ ହୁଏ । ବୁଦ୍ଧିର ଦୋଷରେ ମନୁଷ୍ୟ ଘଟନାଟିକୁ ସକଳ ଦିଗରୁ ଦେଖିପାରେ ନାହିଁ । ଗୋଟିଏ ଅଂଶର ଦୋଷ ଗୁଣରୁ ପୂର୍ଣ୍ଣର ଉପରେ ମତ ବ୍ୟକ୍ତ କରିବାକୁ ଯାଇ ବାରମ୍ବାର ଭୁଲରେ ପଡ଼େ, ବିଡ଼ମ୍ବିତ ହୁଏ । ଏହି ଚିତ୍ତଚାଞ୍ଚଲ୍ୟହିଁ ମନୁଷ୍ୟର ଧୈର୍ଯ୍ୟ ଲୋପ କରି, ସଂସାରକୁ ଅବୋଧ୍ୟ, ଜୀବନକୁ ଦୁସ୍ତର କରି ପକାଏ ।

 

ଗୋଟିଏ ଉଦାହରଣ ଦେଲେ, କଥାଟି ବୋଧହୁଏ ଟିକିଏ ସ୍ପଷ୍ଟତର ହେବ । ତୁମେ ଯାଉ ଯାଉ ହଠାତ୍‌ ଦୂରରୁ ଦେଖିଲ ଦୁଇଜଣ ସବଳକାୟ ବଳିଷ୍ଟ ଲୋକ ଗୋଟିଏ ବାଳକକୁ ବଳପୂର୍ବକ ଧରି ଅଛନ୍ତି । ଆଉ ଜଣେ ଲୋକ ଗୋଟିଏ ଶାଣିତ ଛୁରିକା ବାଳକଟିର ବକ୍ଷ ଦେଶରେ ବିଦ୍ଧ କରିବାକୁ ଯାଉଅଛି । ବାଳକ ‘ମରିଗଲି’ ‘ମରିଗଲି’ ବୋଲି ଚିତ୍କାର କରୁଅଛି । ଏହା ଦେଖି, ବାଳକଟିର କାତର କ୍ରନ୍ଦନ ଶୁଣି ତୁମେ ରାଗ ଓ ଘୃଣାରେ ପ୍ରକମ୍ପିତ ହୋଇ ଉଠିଲ । ସେ ନୃଶଂସତାର ପ୍ରତିବିଧାନ ପାଇଁ ତୀରବେଗରେ ଧାବମାନ ହେଲ । ସେତେବେଳେ ତୁମର ଅବସ୍ଥା ‘ମାରିବି କି ମରିବି ।’ କିନ୍ତୁ ଯେତେବେଳେ ନିକଟକୁ ଗଲ, ପଚାରି ବୁଝିଲ, ଯେ ଦୁଇ ବ୍ୟକ୍ତି ଧରି ଅଛନ୍ତି ସେଥି ମଧ୍ୟରୁ ଜଣେ ବାଳର ମାତୁଳ, ଅପର ଜଣକ ତାର ଜନ୍ମଦାତା, ମଙ୍ଗଳାକାଙ୍‌କ୍ଷୀ ପିତା-। ଆଉ ଯେଉଁ ଲୋକଟି ବାଳକଟିର ବକ୍ଷଦେଶରେ ଛୁରିକା ବିଦ୍ଧ କରିବାକୁ ଯାଉଅଛି, ସେ ଜଣକ ଜଣେ ବିଚକ୍ଷଣ ଡାକ୍ତର । ବାଳକର ବକ୍ଷଦେଶରେ ଗୋଟିଏ ଭୀଷଣ ସ୍ଫୋଟକ ହୋଇଥିଲା-। ଡାକ୍ତର ଅସ୍ତ୍ରଚାଳନାରେ ତାକୁ ଆରୋଗ୍ୟ ଦାନ କରିବାକୁ ଆସିଅଛନ୍ତି । ସେତେବେଳେ ଏ କଥା ଦେଖି, ଘଟନାଟି ସବୁ ଦିଗରୁ ଆଲୋଚନା କରି, ତୁମର ରାଗ ଦୂର ହେଲା, ନୟନର ରକ୍ତିମା ମଉଳି ପଡ଼ିଲା । ତୁମେ ପ୍ରକୃତିସ୍ଥ ହୋଇ ଭାବିଲ, ଠିକ୍‌ ହୋଇଅଛି । ବର୍ତ୍ତମାନ ତୁମେ ମାତୁଳ ଓ ପିତାଙ୍କର ଉପଯୁକ୍ତ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ, ହୁଏତ ପ୍ରଶଂସା କରିବ, ନୋହିଲେ ବାଳକର ଅଯଥା ଚିତ୍କାରରେ ବିରକ୍ତ ହୋଇ, ତାକୁ ଗାଳି ଦେବ ।

 

ଏ ଉଦାହରଣଟିରେ ବୁଦ୍ଧି ଓ ବିବେକର ପ୍ରକୃତି ଓ ପାର୍ଥକ୍ୟ ସ୍ପଷ୍ଟ । ପ୍ରଥମେ ବୁଦ୍ଧି ବିବେକକୁ ଘଟନାଟିର ଗୋଟିଏ ଦିଗ ମାତ୍ର ଦେଖାଇଥିଲା । ବିବେକ ତହିଁରୁ ଅନ୍ୟାୟ ବୁଝି, ବାଳକକୁ ଉଦ୍ଧାର କରିବାପାଇଁ ତୁମକୁ ଉତ୍‌କ୍ଷିପ୍ତ କଲା । ବୁଦ୍ଧିର ସଂକୀର୍ଣ୍ଣତାରୁ ବିବେକ ଗୋଟିଏ ଅପୂର୍ଣ୍ଣ ସିଦ୍ଧାନ୍ତରେ ଉପନୀତ ହେଲା । ପରେ ବୁଦ୍ଧି ଯେତେବେଳେ ଅନୁସଂଧାନଦ୍ୱାରା ଆପଣାର ଭ୍ରମ ସଂଶୋଧନ କଲା, ଯଥାଯଥରୂପେ ପ୍ରକୃତ ଘଟନାଟି ସମୁଦାୟ ଦେଖାଇ ଦେଲା, ବିବେକ ସେତେବେଳେ ମତ ଦେଲା, ଘଟନାଟି ଠିକ ଉପଯୁକ୍ତ ହୋଇଅଛି । ଉତ୍‌କ୍ଷିପ୍ତ ହେବା କେବଳ ଅବିମୃଷ୍ୟକାରିତା ।

 

ଦ୍ରଷ୍ଟା ଉପସ୍ଥିତ ବା ଜାଗ୍ରତ ନ ଥିଲେ, ପ୍ରଦୀପ ଜାଳିବା କେବଳ ବୃଥା ଅର୍ଥବ୍ୟୟ । ସେତିକି ନୁହେଁ, ଅସତ୍‌ ସଂସର୍ଗ ଲାଭ କଲେ; ଲୁଗାପଟା ପ୍ରଭୃତି ଧରିଲେ, ପ୍ରଦୀପ ଗୃହଦାହ ରୂପ ସର୍ବନାଶର ସୃଷ୍ଟି କରେ । ବିବେକଶୂନ୍ୟ ବୁଦ୍ଧି ସେହିପରି ଅନେକ ସମୟରେ ମନୁଷ୍ୟର ଧ୍ୱଂସ ବିଧାନ କରିଥାଏ । ବୁଦ୍ଧି ବିବେକାନୁସାରିଣୀ ନ ହେଲେ ରିପୁ ପରତନ୍ତ୍ର ହୋଇ, କାମ, କ୍ରୋଧ ପ୍ରଭୃତିର ଆଶ୍ରୟ ନେଇ, ମନୁଷ୍ୟତା ଲୋପ କରେ । ଭକ୍ତବୀର ଅର୍ଜୁନ ମଧ୍ୟେ ଦିନେ ଏପରି ଚିତ୍ତଚାଞ୍ଚଲ୍ୟରେ ଅଧୀର ହୋଇ କହିଥିଲେ-‘‘ହେ କୃଷ୍ଣ, ସ୍ୱଭାବତଃ ଚଞ୍ଚଳ, ଇନ୍ଦ୍ରିୟକ୍ଷୋଭବିଧାୟକ, ଅଜେୟ, ଦୃଢ଼ ମନର ନିରୋଧ ବାୟୁରାଶିର ନିରୋଧ ପରି ଦୁଷ୍କର ।’’ ଏହି ହେତୁରୁ ବିଭିନ୍ନ ଯୋଗ ପ୍ରକ୍ରିୟାର ପ୍ରଥମରେହିଁ, ଏହି ମାନସନିରୋଧ ବା ଏକାଗ୍ରତା ସାଧନ । ବୁଦ୍ଧି ଏକାଗ୍ର ହୋଇ, ବିବେକାନୁସାରିଣୀ ହେଲେ; ସାଧକ ପ୍ରାଣରେ ଯୋଗ ଆସେ ।

 

ବୁଦ୍ଧି ବର୍ତ୍ତମାନ ସର୍ବସ୍ୱ, ବିବେକ ଭବିଷ୍ୟତ ପ୍ରିୟ ଓ ଭୂୟୋଦର୍ଶୀ । ବୁଦ୍ଧି ବର୍ତ୍ତମାନରେ ସୁଖ ଅନ୍ୱେଷଣ କରି ବୁଲେ, ସୁଖର ବିଭିନ୍ନ ପନ୍ଥା ଦେଖାଇ ଦିଏ । କିନ୍ତୁ ସେସବୁ ଆପାତ ସୁଖର ପଶ୍ଚାଦ୍ଦେଶରେ କ’ଣ ଅଛି, ତାର ସ୍ଥାୟିତ୍ୱ କେତେଦୂର, ଫଳାଫଳ ବା ପରିଣାମ କ’ଣ, ଏକଥା ବୁଝିବାକୁ ତାର ଶକ୍ତି କମ୍‌ । ଆଜିକାଲି ରାଜାପ୍ରଜା, ଛାତ୍ର ଶିକ୍ଷକ ସମସ୍ତେ ବର୍ତ୍ତମାନ ପାଇଁ ଭିଡ଼ାଭିଡ଼ି-। ବୁଦ୍ଧିବିକାଶ ଯେପରିକି ଦୂର ପାରତ୍ରିକ ଦୃଷ୍ଟି ଲୋପ କରୁଅଛି । ଟିକିଏ ବର୍ତ୍ତମାନ ସୁଖରେ ବାଧାପଡୁ, ଉନ୍ନତତର ସ୍ଥାୟୀ ସୁଖପାଇଁ ବର୍ତ୍ତମାନ ବିସ୍ମୃତ ହେବାକୁ କହ, ପ୍ରଳୟକାଣ୍ଡ ଉପସ୍ଥିତ ହେବ । ଏ କ୍ଷଣସ୍ଥାୟୀ ଜୀବନରେ ଯେ ଯେତେ ପରିମାଣରେ ସୁଖର ଉପାସନା କରିପାରେ, ସୁଖଲାଭର ପନ୍ଥା, ଭୋଗର ଉପକରଣ ସୃଷ୍ଟି କରିପାରେ, ସେ ସେହିପରିମାଣରେ କୃତି-ତାର ସେହିପରିମାଣରେ ପୁରୁଷାର୍ଥ ଲାଭ । କିନ୍ତୁ କି ବିଷମ ଭ୍ରମ ! ସୁଖ ସମ୍ବନ୍ଧରେ ଗୋଟିଏ ସ୍ଥିରସତ୍ୟ ଏହି, ‘ଯେ ଖୋଜେ, ସେ ପାଏ ନାହିଁ ।’ ଉପଭୋଗରେ ଲାଳସାର ପରିତୃପ୍ତି ଆସେନାହିଁ-। ପ୍ରବୃତ୍ତିର ମାର୍ଗରେ ସ୍ଥାୟୀସୁଖ ଅସମ୍ଭବ । ଭବିଷ୍ୟତର ନିତ୍ୟ ସୁଖପାଇଁ ଭଙ୍ଗୁର ବର୍ତ୍ତମାନକୁ ବଳି ଦେବାକୁ ହେବ । ଯୋଗୀ ସାଧନା କରି ତୃଷ୍ଣାର ବିଲୟ ବିଧାନ କରେ-ସେହି ତୃଷ୍ଣାର ବିଲୟରେ ଯୋଗୀ ହୃଦୟ ‘ସୀମାତୀତ ସୁଖ ରାଜ୍ୟେ ବିହରଇ ମୁଦେ ।’

 

ଆଉ ଅନେକଙ୍କର ମତ ବିବେକ ବୁଦ୍ଧିର ରୂପାନ୍ତର । ସାମାଜିକ ଭୟ, ରାଜନୈତିକ ଭୟ, ଯଶଃଲାଘବଭୟ ନୈତିକ ବାଧ୍ୟତାର କାରଣ । ବୁଦ୍ଧି ଭୟରେ, ଲାଭ କ୍ଷତି ଗଣନାରେ ନାନା ଦିଗରୁ ନାନାପ୍ରକାରେ ସଂଯତ ହୋଇ ବିବେକର ଆକାର ଧାରଣ କରେ । ଏ ପୁଣି ଆଉ ଗୋଟିଏ ଅକ୍ଷମଣୀୟ ପ୍ରମାଦ । ବୁଦ୍ଧି ଓ କର୍ତ୍ତବ୍ୟବୋଧ ଦୁଇଗୋଟି ସମ୍ପୂର୍ଣ୍ଣ ଭିନ୍ନ ପ୍ରକୃତିର ଜିନିସ । ଭୟ ଥିଲେ କର୍ତ୍ତବ୍ୟବୋଧ ସଂକୁଚିତ ହୁଏ, କର୍ତ୍ତବ୍ୟବୋଧ ଜାଗ୍ରତ ହେଲେ ଭୟ ପଳାୟନ କରେ । ସକଳ ଭୟଠାରୁ ବଡ଼ ଭୟ ପ୍ରାଣ ଭୟ, ସକଳ ଲାଭଠାରୁ ବଡ଼ଲାଭ ଜୀବନଲାଭ । କିନ୍ତୁ କେତେକେତେ ଲୋକ ବିବେକର ତାଡ଼ନାରେ, କର୍ତ୍ତବ୍ୟର ଆହ୍ୱାନରେ ଚାଳିତ ହୋଇ, ଦେଶ ଓ ଜାତିପାଇଁ, ମାନବ ମଣ୍ଡଳୀର କଲ୍ୟାଣ ସକାଶେ ସେହି ମୂଲ୍ୟବାନ୍‌ ପ୍ରାଣ ପର୍ଯ୍ୟନ୍ତ ଢାଳିଦେଇ ନାହାନ୍ତି । ତୀକ୍ଷ୍ମ ଲୌହ ଶଳାକାସବୁ ଶରୀରରେ ବିଦ୍ଧ ହୋଇ ରୁଧିକ୍ଷରଣ କରୁଅଛି, ଯିଶୁ ପ୍ରାର୍ଥନା କରୁଥିଲେ, ‘‘Father forgive them for they know not what they do’’ ଭୟଭୀତ ତୁଣ୍ଡରେ ଏପରି ଉକ୍ତି ଆସିପାରେ କି ? ବୈଜ୍ଞାନିକ ପ୍ରବର ଗାଲିଲିଓ, ମହାଜ୍ଞାନୀ ସକ୍ରେଟିସ୍‌ ପଳାୟନର ସକଳ ସୁବିଧା ପରିତ୍ୟାଗ କରି, ସତ୍ୟଖ୍ୟାପନ, ନ୍ୟାୟ ପ୍ରଚାରପାଇଁ ଯେତେବେଳେ କାରାଗାରରେ ମରଣକୁ ଅପେକ୍ଷା କରୁଥିଲେ, ସେତେବେଳେ କେଉଁଭୟ ସେମାନଙ୍କ ହୃଦୟରେ କାର୍ଯ୍ୟ କରୁଥିଲା ? ମହାତ୍ମା ସେଣ୍ଟ୍‌ପଲ୍‌ ସିଂହମୁଖରେ ନିକ୍ଷିପ୍ତ ହେବାକୁ ପ୍ରତୀକ୍ଷା କରୁଥିଲେ । ଲକ୍ଷ ଲକ୍ଷ ହିନ୍ଦୁରମଣୀ ପତିର ଜ୍ୱଳନ୍ତ ଚିତାରେ ହସିହସି ପ୍ରାଣ ଢାଳିଦେଇ ଅଛନ୍ତି । ଏ ଉନ୍ନତ ବ୍ୟକ୍ତିତ୍ୱ ନିକଟରେ କୌଣସି ପ୍ରକାର ଆବିଳତା ରହିପାରେ କି ? ଭୟ କର୍ତ୍ତବ୍ୟବୋଧ ଆଣି ନ ପାରେ ।

 

ବୁଦ୍ଧି ବଂଶପରମ୍ପରାରେ, ବୈଦିକ ନିୟମ ଅନୁସାରେ କଦାପି କର୍ତ୍ତବ୍ୟବୋଧରେ ପରିଣତି ହୋଇ ନ ପାରେ । ସକ୍ରେଟିସ୍‌ କହୁଥିଲେ, ‘ମୋର ସଙ୍ଗେ ସଙ୍ଗେ ଏକ ଆତ୍ମା ନିରନ୍ତର ବିଦ୍ୟମାନ୍‌ । ସେ ମୋତେ ସର୍ବଦା ଅନ୍ୟାୟ ପଥରୁ ପ୍ରତି ନିବୃତ୍ତ କରନ୍ତି ।’ ଚାରିବର୍ଷର ପିଲା ଓୟାଂସିଟନ ଗୋଟିଏ କଚ୍ଛପ ମାରିବାକୁ ବସିଥିଲେ । ତାର ସ୍ୱରରେ ହୃଦୟ ମଧ୍ୟରୁ ଶୁଭିଲା ‘‘ମାରନାହିଁ, ମାରିବା ଉଚିତ ନୁହେଁ ।’’ ଭୀତସମସ୍ତ ହୋଇ, ସେ ମାତାଙ୍କ ନିକଟକୁ ଯାଇଁ କହିଲେ । ବୁଦ୍ଧିମତୀ ମାତା ବୁଝିନେଲେ, ତାହା ପୁତ୍ରର ହୃଦୟ ନିହିତ ଅମୂଲ୍ୟ ବିବେକ ବାଣୀ । ବିବେକରୂପେ ମାନବ ହୃଦୟରେ ପରମ ଚିନ୍ତାମଣିଙ୍କର ପ୍ରକାଶ । ମାନବର ହର୍ତ୍ତା, କର୍ତ୍ତା, ବିଧାତା ସକଳ ସେହି । ମାନବ ଗୋଟିଏ ବୁଦ୍ଧିମାନ୍‌ ପ୍ରାଣୀ । ବୁଦ୍ଧିହି ତା’ପ୍ରତି ବିଶ୍ୱପିତାଙ୍କର ପରମଦାନ । ତାଙ୍କରି ଦାନରେ ତାଙ୍କୁ ଉପାସନା କରି ଜାଣିଲେ, ସାଧନା ବଳରେ ବୁଦ୍ଧି ବିବେକର ମଣି-କାଞ୍ଚନ-ଯୋଗ ଘଟାଇ ପାରିଲେ, ମାନବାତ୍ମାର ମୁକ୍ତି-ଚରମ ପରିଣତି ।

Image

 

ଓଡ଼ିଶାର ଶିଳ୍ପ

 

ଆବଶ୍ୟକତା-ବିଶାଳତା ସହିତ ସୂକ୍ଷ୍ମ କାରୁକାର୍ଯ୍ୟ-ଶିଳ୍ପର ସ୍ଥାୟିତ୍ୱ ଓ ଗଠନ ପରିପାଟିଶିଳ୍ପରେ ପ୍ରକୃତିର ଅନୁକରଣ, କଳ୍ପନା, ବ୍ୟଞ୍ଜନା-ମନ୍ଦିରମାନଙ୍କରେ ଅଶ୍ଳୀଳମୂର୍ତ୍ତି-କ୍ରାମିକ ଉନ୍ନତି ଓ ଅବନତି ।

 

ମାନବ ଜୀବନରେ ଶିଳ୍ପର ଆବଶ୍ୟକତା ଅନେକେ ହୃଦୟଙ୍ଗମ କରିପାରନ୍ତି ନାହିଁ । ବାସ୍ତବରେ ଶିଳ୍ପର ଜୀବନ ଧାରଣ ପକ୍ଷରେ ତେତେ ପ୍ରୟୋଜନ ନାହିଁ । କିନ୍ତୁ କେବଳ ଜୀବନ ଧାରଣ ମନୁଷ୍ୟର ଉଦ୍ଦେଶ୍ୟ ହୋଇ ନ ପାରେ । ହୃଦୟର ବିକାଶ, ବିନୋଦନ ଏବଂ ବିଳାସ ନିମନ୍ତେ ଶିଳ୍ପ ସାହିତ୍ୟ, ସଙ୍ଗୀତ ପ୍ରଭୃତି କଳା ସମାଜରେ ଆଦୃତ ହୋଇ ଆସିଅଛି । ଏ ସବୁରୁ ଜୀବନର ସୌନ୍ଦର୍ଯ୍ୟ ରୁଚି ପରିମାଣ କରାଯାଏ । ଯେଉଁ ଜାତିର କଳା ଯେତିକି ଉତ୍କୃଷ୍ଟ ସେହି ଜାତିର ସଭ୍ୟତା ସେତିକି ଉନ୍ନତ । ମନୁଷ୍ୟ ଯେତେବେଳେ ଭରଣପୋଷଣର ସ୍ଥୂଳ ଚିନ୍ତାରୁ ଉଠି, ସୃଷ୍ଟିତତ୍ତ୍ୱର ସୂକ୍ଷ୍ମ ଚିନ୍ତାରେ କାଳ ଯାପନ କରିବାକୁ ସକ୍ଷମ ହୁଏ ସେତେବେଳେହି ନାନାପ୍ରକାର କଳାର ବିକାଶ ଦେଖାଯାଏ ।

 

ଅତିପ୍ରାଚୀନ କାଳରୁ ଭାରତରେ ଓଡ଼ିଶା କଳା ନିମନ୍ତେ ପ୍ରସିଦ୍ଧ । ସେଥିପାଇଁ ଓଡ଼ିଶାର ନାମ ଉତ୍କଳ ହୋଇଅଛି । ଉତ୍କଳ କଳାର ଯେଉଁ ବିଭାଗଟି ସାଧାରଣ ଦର୍ଶକ ଦୃଷ୍ଟିରେ ପଡ଼େ, ତାହା ପୃଥିବୀର ଅନ୍ୟତ୍ର ଦେଖାଯାଏ ନାହିଁ । ପୁରୀ, ଭୁବନେଶ୍ୱର, କୋଣାର୍କର ଦେଉଳମାନଙ୍କଠାରୁ ଉଚ୍ଚତର ସୌଧ ଅନ୍ୟାନ୍ୟ ଦେଶମାନଙ୍କରେ ଅଛି । ବାସ୍ତବରେ ଇଜିପ୍ଟର ପିରାମିଡ଼ ସଙ୍ଗେ ଆକାର ବିଷୟରେ ଓଡ଼ିଶାର ମନ୍ଦିରମାନ ତୁଳନୀୟ ନୁହେଁ । କିନ୍ତୁ ଶିଳ୍ପର ବିଶାଳତାରେ ସୂକ୍ଷ୍ମ କାରୁକାର୍ଯ୍ୟର ଶୋଭନୀୟ ମିଳନ ଅନ୍ୟତ୍ର ନାହିଁ କହିଲେ ଚଳେ । ଓଡ଼ିଶାର ମନ୍ଦିରଗୁଡ଼ିକ ଆମୂଳଚୂଳ ଲତା, ଜାଲି ଓ ପଶୁପକ୍ଷୀଙ୍କର ଖୋଦିତ ମୂର୍ତ୍ତୀରେ ପୂର୍ଣ୍ଣ । ବାସ୍ତବରେ ପାଶ୍ଚାତ୍ୟ ଦର୍ଶକ କହି ଅଛନ୍ତି ଯେ, ଭାରତୀୟମାନେ ଟାଇଟାନମାନଙ୍କ ପରି ପ୍ରକାଣ୍ଡ ସୌଧମାନ ନିର୍ମାଣ କରି, ସେ ସବୁ ସ୍ୱର୍ଣ୍ଣକାରସୁଲଭ ଗଠନ ପରିପାଟିରେ ବିଭୂଷିତ କରନ୍ତି । ବିଶାଳତା ସଙ୍ଗେ ସୂକ୍ଷ୍ମ ସୂଚିକାର୍ଯ୍ୟର ଏହି ଅପୂର୍ବ ମିଳନ ଓଡ଼ିଆ ପ୍ରାଣର ମହତ୍ତ୍ୱ ଓ ସୌନ୍ଦର୍ଯ୍ୟ ସୂଚନା କରୁଅଛି ।

 

କିନ୍ତୁ ଏତିକି ନୁହେଁ, ଗଠନ କଲାବେଳେ ଶିଳ୍ପୀ ସୌନ୍ଦର୍ଯ୍ୟ ପ୍ରତି ଯେପରି ଦୃଷ୍ଟି ଦିଏ, ଶିଳ୍ପର ସ୍ଥାୟିତ୍ୱ ପ୍ରତି ମଧ୍ୟ ସେହିପରି ଦୃଷ୍ଟି ଦେଇଥାଏ । ମନ୍ଦିରମାନ ଆକାରରେ କ୍ଷୁଦ୍ର ହେଲେ କାଳର କ୍ଷୟକାରୀ ଶକ୍ତିରେ ଶିଳ୍ପ ଅଚିରେ ନଷ୍ଟ ହୋଇ ଯିବାର କଥା । ସେଥିପାଇଁ ଓଡ଼ିଆ ଶିଳ୍ପୀ ମନ୍ଦିରମାନଙ୍କୁ ଆକାରରେ ବିଶାଳ କରିଅଛନ୍ତି । କିନ୍ତୁ କେବଳ ବିଶାଳତାରେ ସ୍ଥାୟିତ୍ୱ ଆସି ନ ପାରେ । ଏହା ବରଞ୍ଚ ଅସ୍ଥାୟିତ୍ୱକୁ ସାହାଯ୍ୟ କରେ । ଗଠନ କୌଶଳରେ ଅଭାବ ରହିଲେ, ମନ୍ଦିର ଯେତେ ବଡ଼ ହୁଏ, ଭାଙ୍ଗି ପଡ଼ିବାର ସମ୍ଭାବନା ତେତିକି ଅଧିକ । ବରଂ ସାନ ହୋଇଥିଲେ ବେଶି ଦିନ ରହିପାରେ । ଓଡ଼ିଆ ଶିଳ୍ପୀ ବିଶାଳ କରି ଗଢ଼ିବା ସଙ୍ଗେ ସଙ୍ଗେ ଗଠନ କୌଶଳ ପ୍ରତି ସମଧିକ ଦୃଷ୍ଟି ଦେଇଅଛନ୍ତି । ସେହିହେତୁରୁ ଭୁବନେଶ୍ୱର, ପୁରୀର ବଡ଼ ବଡ଼ ମନ୍ଦିରମାନ, ଅଠରନଳାର ସେତୁ ଏବଂ କାଠଯୋଡ଼ିର ପଥରବନ୍ଧ ଏତେକାଳ ଅତୀତ ହୋଇଥିଲେ ସୁଦ୍ଧା, ବର୍ତ୍ତମାନ ନୂତନ ପରି ରହିଅଛି । ବାସ୍ତବିକ୍‌, ଅଠରନଳା ଓ କାଠଯୋଡ଼ିର ପଥରବନ୍ଧ ଦେଖିଲେ ଆଜିକାଲିର ବୈଜ୍ଞାନିକ ପଣ୍ଡିତମାନେ ବିସ୍ମିତ ହୁଅନ୍ତି । ଆହୁରି ମଧ୍ୟ ଅତି ପ୍ରାଚୀନକାଳରୁ ଲୁହାର ବ୍ୟବହାର ଓଡ଼ିଆ ଶିଳ୍ପୀଙ୍କୁ ଭଲରୂପେ ଜଣାଥିଲା । ଦେଉଳ ଦ୍ୱାରମାନଙ୍କରେ ସେମାନେ ଖିଲାଣ, ନ କରି, ଲୁହାଧାରଣା ଦେଉଥିଲେ । କୋଣାର୍କରୁ ଯେଉଁ ଲୁହା ଧାରଣା ବାହାରି ଅଛି, ଆକାର ଓ ଓଜନରେ ତାହାର ପାଞ୍ଚ ଭାଗର ଭାଗେ ଗୋଟିଏ ଲୌହ ସ୍ତମ୍ଭ ଦିଲ୍ଲୀରେ ଦେଖି, ଜଣେ ପାଶ୍ଚାତ୍ୟ ବୈଜ୍ଞାନିକ କହିଥିଲେ ଯେ, ୧୮୫୦ ଖ୍ରୀଷ୍ଟାବ୍ଦ ପୂର୍ବେ ଇଉରୋପ ଏବଂ ଆମେରିକାର ଉତ୍କୃଷ୍ଟ କାରିଗରମାନେ ସେପରି ଗୋଟିଏ ବଡ଼ ସ୍ତମ୍ଭ ତିଆରି କରିପାରି ନଥାନ୍ତେ । ତାଙ୍କର ସେହି କଥାରୁ ଓଡ଼ିଆ କାରିଗରଙ୍କର ବିଚକ୍ଷଣତା ସହଜରେ ଅନୁମାନ କରାଯାଇପାରେ । ଆଜିକାଲି ପରି ବିଜ୍ଞାନ-କୌଶଳ-ପରିଚାଳିତ କଳ କାରଖାନା ନ ଥିବା ଯୁଗରେ ଓଡ଼ିଆମାନେ କିପରି ଯେ ଏ ସବୁ କରିଥିଲେ, ବାସ୍ତବିକ୍‌ ସେ କଥା ଚିନ୍ତା କରିବାର ବିଷୟ ।

 

ଓଡ଼ିଶା ଶିଳ୍ପର ଆହୁରି ଗୋଟିଏ ବିଶେଷତ୍ୱ ଅଛି । ଏହି ବିଶେଷତ୍ୱ ଭାରତରେ ସର୍ବତ୍ର ଦେଖାଯାଏ । ସେହିହେତୁରୁ ଶିଳ୍ପଆଲୋଚନାରେ ଭାରତୀୟ ଶିଳ୍ପକୁ ପାଶ୍ଚାତ୍ୟ ଶିଳ୍ପରୁ ପୃଥକ୍‌ ବୋଲି ଧରାଯାଏ । ଗ୍ରୀସ୍‌ ଏବଂ ଅନ୍ୟାନ୍ୟ ଦେଶରେ ଖୋଦିତ ମୂର୍ତ୍ତିସବୁ ପ୍ରକୃତିର ଅନୁକରଣରେ ଗଠିତ । ଭାରତୀୟ ଶିଳ୍ପରେ ପ୍ରକୃତି ସଙ୍ଗେ ସଙ୍ଗେ କଳ୍ପନା ମିଶି ରହିଅଛି । ଏହି ହିସାବରେ ଦେଖିଲେ ଭାରତବାସୀ ଶିଳ୍ପକୁ ସାହିତ୍ୟର ସୂକ୍ଷ୍ମତମ ଅଙ୍ଗ କବିତା ସଙ୍ଗେ ସମାନ କରିପାରିଅଛନ୍ତି । ପାଶ୍ଚାତ୍ୟ ଶିଳ୍ପ ପ୍ରକୃତିର ଅନୁକରଣ କରିବା ସଙ୍ଗେ ସଙ୍ଗେ ମନୁଷ୍ୟକୁ ବର୍ତ୍ତମାନରେ ଆବଦ୍ଧ ରଖେ । ଚତୁର୍ଦ୍ଦିଗରେ ଯେଉଁ ଚିତ୍ର ଦେଖୁଅଛି, ସେ ସେଥିରୁ ବିଚ୍ଛିନ୍ନ ହୋଇ, ଆଉ ଦୂରକୁ ଯାଇପାରେ ନାହିଁ, ଏବଂ ଶିଳ୍ପ, ତଥା ମାନବ ଚିନ୍ତାର ଗତି ଓ ବିକାଶ ଯେ ଅନ୍ୟ ଆକାର ଧାରଣ କରିପାରେ, ସେ କଥା କଳ୍ପନା କରିପାରେ ନାହିଁ । ଓଡ଼ିଶାର ଶିଳ୍ପ ମନୁଷ୍ୟକୁ ବର୍ତ୍ତମାନରୁ ଦୂର ଭବିଷ୍ୟତକୁ ଉଠାଇନିଏ । ଏହାହି ତାହାର ବିଶେଷତ୍ୱ । ଓଡ଼ିଶାର ମୂର୍ତ୍ତିମାନ ଅବିକଳ ପ୍ରକୃତି ଅନୁକରଣେ ନୋହିଥିବାରୁ ପାଶ୍ଚାତ୍ୟ ଦର୍ଶକମାନେ ତାହାକୁ ଶିଳ୍ପିହସ୍ତର ଦୋଷ ବୋଲି ଧରନ୍ତି । କିନ୍ତୁ ବାସ୍ତବରେ ତାହା ଦୋଷ ନ ହୋଇ, ଶିଳ୍ପିର ଗୋଟିଏ ମହନୀୟ ଗୁଣ । ମନୁଷ୍ୟ ମୂର୍ତ୍ତିକୁ ଅବିକଳ ମନୁଷ୍ୟ ପରି ନ କରି ଭିନ୍ନ ପ୍ରକାର କରିବାରେ ଶିଳ୍ପିର ଉଦ୍ଦ୍ୟେଶ ଅଛି । ସେ ବାସ୍ତବରେ ବ୍ରହ୍ମା ବିଷ୍ଣୁ ପ୍ରଭୃତି ଦେବତାମାନଙ୍କୁ ମନୁଷ୍ୟ ଆକାରରେ ଗଢ଼ିଅଛି । ସେହି ସବୁ ମୂର୍ତ୍ତିକୁ ଅବିକଳ ମନୁଷ୍ୟ ଆକାର ଦେଲେ, ଦେବତ୍ୱ କଳ୍ପନାରେ ବ୍ୟାଘାତ ଘଟିପାରେ; ସୁତରାଂ ପ୍ରାକୃତିକ ମନୁଷ୍ୟ ମୂର୍ତ୍ତିରୁ ପୃଥକ୍‌ କରିଅଛି । ମନୁଷ୍ୟମୂର୍ତ୍ତିମାନଙ୍କୁ ମଧ୍ୟ ଅବିକଳ ମନୁଷ୍ୟପରି କରାଯାଇ ନାହିଁ । ଏଥିରେହି ଶିଳ୍ପୀ ଦେବତା ଓ ମନୁଷ୍ୟ ମଧ୍ୟରେ ସାମଞ୍ଜସ୍ୟ ଦେଖାଇଅଛି । ଏହି ପ୍ରକାର ଶିଳ୍ପ ସମ୍ପୂର୍ଣ୍ଣ ପ୍ରାକୃତିକ ନ ହେଲେ ସୁଦ୍ଧା, ଏହା ଶିଳ୍ପରେ ଆଦର୍ଶର ସୂଚନା କରୁଅଛି । ଆଜିକାଲି କଲିକତାର ଚିତ୍ରକର ଅବନୀନ୍ଦ୍ରନାଥ ଠାକୁର ଯେଉଁସବୁ ଚିତ୍ର କରୁଅଛନ୍ତି, ତା ଫଟୋ ପ୍ରଭୃତଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସେଥିରେ ପୂର୍ଣ୍ଣ ପ୍ରାକୃତିକତାର ଅଭାବ ଥାଇପାରେ, କିନ୍ତୁ ତାହା ବ୍ୟଞ୍ଜନାରେ ପୂରି ରହିଅଛି । ସେଥିରେ ଦର୍ଶକର ହୃଦୟ ବର୍ତ୍ତମାନର ବାସ୍ତବତାରେ ଆବଦ୍ଧ ନ ରହି, ଅନନ୍ତ କଳ୍ପନାରେ ଭାସିଯାଏ ।

 

ଓଡ଼ିଶାର ମନ୍ଦିରମାନଙ୍କରେ ଅଶ୍ଳୀଳ ମୂର୍ତ୍ତିମାନ ଦେଖାଯାଏ । ବର୍ତ୍ତମାନ ତାହା ରୁଚିବିରୁଦ୍ଧ ହୋଇଅଛି । କେହି କେହି ଆକ୍ଷେପ କରି କହନ୍ତି ଯେ ପୂର୍ବକାଳରେ ଓଡ଼ିଆମାନଙ୍କ ଜାତୀୟ ଚରିତ୍ର ଉନ୍ନତ ନ ଥିଲା । ଏହାର ପ୍ରତିବାଦରେ ମଧ୍ୟ ଅନେକ ଭାରତପ୍ରିୟ ପଣ୍ଡିତ ମନ୍ଦିରମାନଙ୍କରେ ଅଶ୍ଳୀଳ ମୂର୍ତ୍ତି ସ୍ଥାପନର ସମାଧାନ କରି, ନାନାଯୁକ୍ତି ଦେଖାଇଅଛନ୍ତି । କିନ୍ତୁ ବାସ୍ତବରେ ବୋଧହୁଏ, କବି କବିତା ଲେଖିଲାବେଳେ ଯେପରି ତନ୍ମୟ ହୋଇଯାଆନ୍ତି, ଶିଳ୍ପୀ ଚିତ୍ର କଲାବେଳେ ସେହିପରି ତନ୍ମୟ ହୋଇ, ପ୍ରକୃତିରେ ଶ୍ଳୀଳ ଅଶ୍ଳୀଳର ଭେଦ ଭୁଲି ଯାଆନ୍ତି । ଚିତ୍ର କଲାବେଳେ ତାଙ୍କର ଆସନ ଉଚ୍ଚ-ସକଳ ପ୍ରକାର ପାର୍ଥିବ ଭଲ ମନ୍ଦ ବିଚାରର ବହୁତ ଉପରେ । ସେହିହେତୁରୁ ଓଡ଼ିଆ ଶିଳ୍ପୀ ରାଜଦରବାର, ସମରସଜ୍ଜା, ବିଦ୍ୟାଳୟ, ସନ୍ୟାସୀର ତପସ୍ୟା, ବୀରର ବୀରତ୍ୱ, ଗାୟକର ମୁଖଭଙ୍ଗି ମୁମୂର୍ଷୁର ବ୍ୟାକୁଳ-ବଦନ-ମଣ୍ଡଳ ଚିତ୍ର କରି ଦେଖାଇବା ସଙ୍ଗେ ସଙ୍ଗେ ନାୟକ ନାୟିକାର ପ୍ରଣୟ ମଧ୍ୟ ଦେଖାଇଅଛି । ସ୍ଥୂଳତଃ ଜନ୍ମଠାରୁ ମରଣ ପର୍ଯ୍ୟନ୍ତ ନାନା କ୍ଷେତ୍ରରେ ନାନ ଅବସ୍ଥାରେ, ମନୁଷ୍ୟ ଯାହା ଯାହା କରିପାରେ, ତହିଁରୁ ଗୋଟିଏ ଛାଡ଼ିନାହିଁ । ଛାଡ଼ିଥିଲେ ଶିଳ୍ପ ଅପୂର୍ଣ୍ଣ ହୁଅନ୍ତା । ଏହି କାରଣରୁ ଗ୍ରୀସୀୟ ଶିଳ୍ପୀ ରମଣୀର ଉଲଗ୍ନ ମୂର୍ତ୍ତି ଗଠନ କରିବାକୁ କୁଣ୍ଠିତ ହୋଇନାହିଁ । ତଥାପି ସ୍ୱୀକାର କରିବାକୁ ହେବ ଯେ, ଯେଉଁଠାରେ ମାନବକ୍ରିୟାକଳାପର ସକଳ ପ୍ରକାର ଅବସ୍ଥା ଦେଖାଇ ଦିଆଯାଇଅଛି, ସେ ସ୍ଥାନ ବ୍ୟତୀତ ପ୍ରଣୟ ଚିତ୍ର ଅନ୍ୟତ୍ର ସ୍ୱତନ୍ତ୍ର ଭାବରେ ସ୍ଥାପିତ ହେଲେ, ତାହା ଘୋର ଦୋଷାବହ । ବିଶେଷତଃ ଦେବମନ୍ଦିରର ପବିତ୍ରତା ମଧ୍ୟରେହି ଏ ପ୍ରକାର ଚିତ୍ର ନିମନ୍ତେ କ୍ଷେତ ପ୍ରଶସ୍ତ ବୋଲି ବିବେଚନା କରାଯାଇପାରେ ।

 

ଓଡ଼ିଶାର ଶିଳ୍ପୋନ୍ନତି ଅଳ୍ପ ଦିନରେ ହୋଇନାହିଁ, ସେଥି ନିମନ୍ତେ ଯୁଗ ଯୁଗ ବିତି ଯାଇଅଛି-। ଖ୍ରୀଷ୍ଟପୂର୍ବ ତୃତୀୟ ଚତୁର୍ଥ ଶତାବ୍ଦୀରେ ଖଣ୍ଡଗିରିର ଗୁମ୍ଫାମାନ ତିଆରି ହୋଇଥିଲା । ସେଗୁଡ଼ିକରେ ଶିଳ୍ପ ବଡ଼ ସରଳ ଏବଂ ଶିଳ୍ପୀର ସାଧନା ଓ ବିନୟ ପ୍ରକାଶ ପାଏ । ତତ୍‌ପରେ ଶିଳ୍ପ କ୍ରମଶଃ ଜଟିଳ ହୋଇଅଛି । ଏହିପରି କ୍ରାମିକ ଉନ୍ନତିରେ ଦ୍ୱାଦଶ, ତ୍ରୟୋଦଶ ଶତାବ୍ଦୀରେ ଶିଳ୍ପିହସ୍ତର ପରାକାଷ୍ଠା କୋଣାର୍କ, ଭୁବନେଶ୍ୱର ମନ୍ଦିରମାନଙ୍କରେ ଦେଖାଯାଇଅଛି । ତତ୍ପରେ ପତନର ଯୁଗ । ସେହି ଯୁଗ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି । ଆଜିକାଲି ସ୍ଥାନେ ସ୍ଥାନେ କ୍ୱଚିତ୍‌ ଜଣେ ଅଧେ ଗୁଣଶାଳୀ ଶିଳ୍ପୀ ଦେଖାଯାନ୍ତି ସତ୍ୟ, କିନ୍ତୁ ଜାତୀୟ ଜୀବନରେ ଶିଳ୍ପର ସେ ଉନ୍ମାଦନା ନାହିଁ । କାହାରି କାହାରି ଘରୁ ଶିଳ୍ପ ବିଜ୍ଞାନ ବିଷୟରେ ଗ୍ରନ୍ଥମାନ ବାହାରୁଅଛି । କିନ୍ତୁ କେହି ସେ ଗ୍ରନ୍ଥ ପଢ଼ି, ସେ ଅନୁସାରେ ଶିଳ୍ପ ଚର୍ଚ୍ଚାରେ ପ୍ରବୃତ୍ତ ହେବାକୁ ମନ ବଳାଉ ନାହିଁ । କେବଳ ଏତିକି ନୁହେଁ, ସମାଜର ସେହି ଅବସ୍ଥା ମଧ୍ୟ କାଳସ୍ରୋତରେ ବଦଳି ଯାଇଅଛି । ବର୍ତ୍ତମାନ ସେ ଭଳି ଶିଳ୍ପ ଚର୍ଚ୍ଚାର ଆବଶ୍ୟକତା କେହି ଅନୁଭବ କରୁନାହିଁ । ତଥାପି ଓଡ଼ିଆମାନଙ୍କର ଅନେକ କାର୍ଯ୍ୟରେ, କ୍ଷୀଣ ହେଲେ ସୁଦ୍ଧା, ଶିଳ୍ପର ଗୋଟିଏ ପାରମ୍ପରିକ ପ୍ରଭାବ ଲକ୍ଷିତ ହୁଏ । ଆଶା କରାଯାଏ ପୁଣି ଓଡ଼ିଆମାନଙ୍କର ନୂତନ ଜୀବନର ବିକାଶ ସଙ୍ଗେ ସଙ୍ଗେ ଲୁପ୍ତ କଳାଚାତୁରୀ ଉଲ୍ଲୀବିତ ହୋଇ ଉଠିବ ।

Image

 

ଅନୁଶୀଳନୀ

 

୧ । ନିମ୍ନଲିଖିତ ସଙ୍କେତ ଘେନି ପ୍ରତ୍ୟେକ ବିଷୟରେ ଗୋଟିଏ ଗୋଟିଏ ପ୍ରବନ୍ଧ ଲେଖ-

 

ସଂଯମ

 

୧ । ପ୍ରକୃତି ଉପରେ ନୀତିର ପ୍ରଭାବ ପଡ଼ିଲେ ମନୁଷ୍ୟତାର ବିକାଶ ହୁଏ । ୨ । ବିଳାସର ସୁଖଠାରୁ ସଂଯମର ସାଧନାରେ ଅଧିକ ସ୍ଥାୟୀ ଆନନ୍ଦ ମିଳେ । ୩ । ଲାଳସା ଓ କାମନା କେବେ ତୃପ୍ତ ନ ହୋଇ ସର୍ବଦା ଅଶାନ୍ତି ଦିଏ-। ୪ । ସଂଯମ ସିଦ୍ଧ ହେଲେ କାମନା ଲୋପ ପାଏ; ଫଳରେ ଶାନ୍ତି ମିଳେ ।

 

କୁକୁର

 

୧ । ଦେଖିବାକୁ ସିଂହପରି; ଦନ୍ତ, ନଖ ପ୍ରଭୃତିରୁ ମାଂସାଶୀ ବୋଲି ଜଣାପଡ଼େ । ୨ । ଅନେକ ପ୍ରକାର ଦେଖାଯାନ୍ତି । ୩ । କୁକୁର ପ୍ରଭୁଭକ୍ତି (ଉଦାହରଣ ପାଇ ପାରିଲେ ଗୋଟିଏ ଗଳ୍ପ)-। ୪ । କୁକୁର ମନୁଷ୍ୟର କି କାର୍ଯ୍ୟରେ ଲାଗେ । ୫ । ସମାଜ ବିଶେଷରେ କୁକୁର ପ୍ରତି ଅନାଦର ।

 

ଫୁଟ୍‌ବଲ୍‌

 

୧ । ଏହା ଇଉରୋପରୁ ଆସି କିପରି ପ୍ରତିଷ୍ଠା ପାଇଅଛି । ୨ । ଖେଳର ବର୍ଣ୍ଣନା । ୩ । ଏଥିରେ ନିୟମାଧୀନତା ଓ ସାମାଜିକତାର ବିକାଶ ହୁଏ-। ୪ । ବେଳେ ବେଳେ ଅଯଥା ବିବାଦ ଓ ମନୋମାଳିନ୍ୟରେ କୁଫଳ ହୁଏ ।

 

ଅଧ୍ୟବସାୟ

 

୧ । ପରିଶ୍ରମ ଜୀବନର ପ୍ରଧାନ ଉପାଦାନ; ଏହାହିଁ ଧର୍ମ । ୨ । ଆଳସ୍ୟରୁ ପାପ ଓ ଅନାଚାରର ଉତ୍ପତ୍ତି । ୩ । ଉଦ୍ଦେଶ୍ୟ ରଖି ପ୍ରଣାଳୀରେ ପ୍ରରିଶ୍ରମ କରିବାକୁ ହେବ । ୪ । ଅଧ୍ୟବସାୟରେ କେହି ବଡ଼ ହୋଇଥିବାର ଉଦାହରଣ ।

 

ମହାନଦୀ

 

୧ । ମଧ୍ୟପ୍ରଦେଶ ମାଳଭୂମିରୁ ବହୁ ନଦୀର ଉତ୍ପତ୍ତି । ୨ । ବ୍ରାହ୍ମଣୀ ପ୍ରଭୃତିର ଅବବାହିକାରୁ ମହାନଦୀର ଅବବାହିକା ଭିନ୍ନ । ୩ । ଗଡ଼ଜାତ ଭିତରେ ଏହାର ପଥ କୁଟିଳ । ୪ । ମହାନଦୀର ଶାଖାରୁ ଓଡ଼ିଶା ଉପକୂଳ ତ୍ରିକୋଣ ଭୂମିର ସୃଷ୍ଟି । ଏଥିରେ କେବଳ ନୌକା-ବାଣିଜ୍ୟ ଚଳେ, ତେଣୁ କୂଳରେ ସହର ଓ କାରିଗରିର ସ୍ଥାନ । ୫ । ବନ୍ୟା ଓ କୃଷିରେ ଜଳଦାନ । ୬ । କଳୌ ଚିତୋତ୍ପଳା ଗଙ୍ଗା–ଏହି ଉକ୍ତିର ସାର୍ଥକତା ।

 

ସମୟାନୁବର୍ତ୍ତିତା

 

୧ । ସୃଷ୍ଟିର ପ୍ରତ୍ୟେକ କ୍ରିୟା; ସମୟାନୁବର୍ତ୍ତୀ; ମନୁଷ୍ୟର ବ୍ୟତିକ୍ରମ । ୨ । ସକଳ ପ୍ରକାର କର୍ମକ୍ଷେତ୍ରରେ, ବିଶେଷତଃ, ଏ ଯୁଗରେ ଏହାର ଆବଶ୍ୟକତା । ୩ । ସମୟର ଲାଭ ଜୀବନର କ୍ରିୟା ପଦ୍ଧତିରେ ପଡ଼େ ।

 

କଟକନଗର

 

୧ । ଉତ୍ପତ୍ତି (ପାରିଲେ ଇତିହାସ) । ୨ । ମହାନଦୀ କାଠଯୋଡ଼ୀ ମଧ୍ୟରେ ଏହାର ଅବସ୍ଥିତି-ପଥରବନ୍ଧ । ୩ । ରେଳ ନୌକା ପ୍ରଭୃତି ଯାତାୟାତର ସୁବିଧା । ୪ । ଇଷ୍କୁଲ, କଲେଜ, ଛପାଖାନା ପ୍ରଭୃତି ଶିକ୍ଷାର ସୁବିଧା-ରାଜଧାନୀ ଓ ବିଚାରାଳୟ । ୫ । କାଠଯୋଡ଼ୀ କୁଳର ଦୃଶ୍ୟ ଓ ସ୍ୱାସ୍ଥ୍ୟ ।

 

ଶତ୍ରୁତା

 

୧ । ପ୍ରେମର ଅଭାବରେ ଉତ୍ପତ୍ତି । ୨ । ଅନ୍ତଦୃଷ୍ଟି ଅଭାବରେ ବୃଦ୍ଧି । ୩ । ନିଜ ପ୍ରତି ଓ ପର ପ୍ରତି ଏହାର ମନ୍ଦ ଫଳ; ଏହା ପ୍ରତିକାର ।

 

ନଅଙ୍କ

 

୨ । ଦୁଇବର୍ଷର ଅନାବୃଷ୍ଟି ଏହାର କାରଣ । ୨ । ସେ କାଳରେ ବାଣିଜ୍ୟର ସୁବିଧା ନ ଥିଲା । ୩ । ତତ୍କାଳୀନ କମିସନର ରେଭନ୍‌ସା ସାହେବ ଦେଶର ଅବସ୍ଥା ଜାଣି ପାରିଲେ ନାହିଁ । ୪-। ଦୁର୍ଭିକ୍ଷର ଘଟଣାମାନଙ୍କ ସମ୍ବନ୍ଧରେ ଯାହା ଶୁଣାଯାଏ ।

 

କୃପଣତା

 

୧ । ସଞ୍ଚୟ ପ୍ରବୃତ୍ତି ସ୍ୱାଭାବିକ-କୌଣସି କୌଣସିଠାରେ ମାତ୍ରା ବଳିପଡ଼େ । ୨ । ଏଥିରେ କ୍ଷତି । ଶାରୀରିକ, ମାନସିକ, ନୈତିକ, ସାମାଜିକ । ୩ । କୃପଣହି ବେଶି ତ୍ୟାଗ କରେ ।

 

ଭୁବନେଶ୍ୱର ଦେଉଳ

 

ନିର୍ମାଣ କାଳ, ତତ୍କାଳୀନ ଦେଶର ଅବସ୍ଥା; ଶୈବ କେଶରୀ ରାଜାମାନେ । ୨ । ଦେଉଳର ଗଠନ ଓ ବର୍ଣ୍ଣନା-ବଡ଼ ଦେଉଳ, ମୁଖଶିଆଳ, ନାଟମନ୍ଦିର, ବେଢ଼ା ପ୍ରଭୃତି । ୩ । ସେବା ପୂଜା-ସେବକ, ଦେଉଳ କମିଟି, ସ୍ଥାନୀୟ ଲୋକେ । ୪ । ବର୍ତ୍ତମାନ ଅବସ୍ଥା; ସଂସ୍କାରର ଆବଶ୍ୟକତା ଓ ସମ୍ଭାବନା ।

 

ସନ୍ତୋଷ

 

୧ । ଲାଳସା ଓ କାମନା ତୃପ୍ତିରେ ସନ୍ତୋଷ ଆସେ ନାହିଁ । ୨ । ଚିତ ନିବୃତ୍ତିହି ସନ୍ତୋଷର ଉପାୟ । ୩ । ସନ୍ତୋଷରେ ସ୍ଥାୟୀ ଆନନ୍ଦ ମିଳେ ।

 

ମାଙ୍କଡ଼

 

୧ । ଆକାର ଓ ବ୍ୟବହାରରେ ମନୁଷ୍ୟ ପରି । ୨ । ଗ୍ରୀଷ୍ମ କଟିବନ୍ଧର ଦେଶମାନଙ୍କରେ ଦେଖାଯାନ୍ତି-ନାନା ପ୍ରକାର, ହନୁ, ପାତି, ସିପାଞ୍ଜି, ଗରିଲା, ବଣ ମଣିଷ ପ୍ରଭୃତି । ୩ । ବହୁ କ୍ଷତି କରନ୍ତି, ଭାରତୀୟମାନଙ୍କର ଏମାନଙ୍କ ପ୍ରତି ବ୍ୟବହାର । ୪ । ଜନ୍ତୁ; ଜଗତର କ୍ରମବିକାଶରେ ମନୁଷ୍ୟ ଏମାନଙ୍କ ବଂଶଧର ବୋଲି ପଣ୍ଡିତଙ୍କ ମତ ।

 

ପରିଚ୍ଛଦ

 

୧ । ଜନ୍ତୁମାନଙ୍କଠାରେ ଈଶ୍ୱରଦତ୍ତ, ମନୁଷ୍ୟର କୃତ୍ରିମ । ୨ । ଆବଶ୍ୟକତା-ରୁଚି, ଅବସ୍ଥା ଭେଦରେ ପରିଚ୍ଛଦ ଭେଦ । ୩ । ପରିଚ୍ଛଦରେ ବିଳାସ ଓ ସ୍ୱାଭାବିକତା । ୪ । ପରିଚ୍ଛଦ ରୁଚି ସଙ୍ଗେ ଚିତ୍ତ ବିବୃତ୍ତିର ସମ୍ବନ୍ଧ ।

 

ମଧୁସୂଦନ

 

୧ । ରାଜପୁତ ସମାଜ । ୨ । ପିତା ଭାଗୀରଥି ସିଂହଙ୍କର ଚାକିରି, ଅବସ୍ଥା ଓ ଚରିତ୍ର । ୩-। ମଧୁସୂଦନଙ୍କ ଶିକ୍ଷା ଓ ସମାଜ ପରିବର୍ତ୍ତନ । ୪ । ଚାକିରି ଜୀବନ ସ୍ୱାସ୍ଥ୍ୟ । ୫ । ପରିବାର ଓ ଆର୍ଥିକ ଅବସ୍ଥା । ୬ । ଦେଶର ଶିକ୍ଷା ଓ ସାହିତ୍ୟ ପାଇଁ କାର୍ଯ୍ୟ । ୭ । ଚରିତ୍ର; ସକଳ ସାଧୁକାର୍ଯ୍ୟରେ ସହାନୁଭୂତି ମମତା ।

 

କୃତଜ୍ଞତା

 

୧ । କୃତଜ୍ଞତା ଉଚିତ । ୨ । ଏହା ଉପକୃତକୁ ଭାରହୀନ କରେ, ଶାନ୍ତି ଦିଏ; ଉପକାରୀ ସ୍ୱଭାବିକ ଆନନ୍ଦ, ଉତ୍ସାହ ପାଏ । ୩ । ମନୁଷ୍ୟର ସାମାଜିକତା ରକ୍ଷାକରେ, ତାକୁ ଈଶ୍ୱରପରାୟଣ କରେ ।

 

ଡାକ ବିଭାଗ

 

୧ । ସମ୍ବାଦ ପ୍ରେରଣର ପ୍ରାଚୀନ ପନ୍ଥା । ୨ । ଡାକ ବିଭାଗ ଏ କ୍ଷେତ୍ରରେ କଣ କରିଅଛି । ୩ । ବିଭିନ୍ନ ଶାଖା, ନିୟମନିଷ୍ଠତା ଓ ସାବଧାନତା ।

 

ସାହସ

 

୧ । କର୍ତ୍ତବ୍ୟଜ୍ଞାନ ଦୃଢ଼ ହେଲେ ସାହସ ଆସେ । ୨ । ସାହସିକତା ଓ ସାହସର ପ୍ରଭେଦ । ୩ । ଅନେକ ଜୀବନରେ ସାହସ ଗୋଟିଏ ସହଜ ବୃତ୍ତି ? । ୪ । ସାଧାରଣତଃ ଏହା ସାଧନା ସାପେକ୍ଷ । ୫। ଜୀବନ କ୍ରିୟାରେ ଏହାର ପ୍ରୟୋଜନୀୟତା । ୬ । ଅନେକ ସ୍ଥଳରେ ଅପବ୍ୟବହାରେ ମନ୍ଦ ଫଳ ଦେଖାଯାଏ । ୭ । ଚରିତ୍ର ଗଠନରେ ଏହାର କ୍ରିୟା ।

 

ପ୍ରତାପରୁଦ୍ର ଦେବ

 

୧ । ପିତା ପୁରୁଷୋତ୍ତମ ଦେବ, ମାତା ପଦ୍ମାବତୀ । ୨ । ତତ୍କାଳୀନ ଦେଶର ସମୃଦ୍ଧି । ୩-। ପ୍ରଥମ ଜୀବନରେ ଦେଶଜୟ । ୪ । ଚୈତନ୍ୟ ଓ ପଞ୍ଚସଖା; ଉତ୍ତର ଜୀବନ ।

 

ପୁସ୍ତକ ପାଠରେ ଅଭିରୁଚି

 

୧ । ପୁସ୍ତକ ପରମ ବନ୍ଧୁ ଓ ଉପଦେଷ୍ଟା । ୨ । ବାଲ୍ୟ ବୟସରୁ ପୁସ୍ତକପାଠ-ରୁଚି ଅଭ୍ୟାସ କରିବାକୁ ହେବ । ୩ । ଅତ୍ୟଧିକ ଅଭ୍ୟାସରେ ଆତ୍ମବିକାଶ କମିଯାଇପାରେ । ୪ । ପୁସ୍ତକ ପାଠ ସଙ୍ଗେ ମନୁଷ୍ୟର ବିକାଶର ସଂବନ୍ଧ ।

 

ସାମାଜିକ ଜୀବନ

 

୧ । ମନୁଷ୍ୟ ପ୍ରାଣରେ ବିଶେଷ ଆସଙ୍ଗଲିପ୍ସା । ୨ । ବ୍ୟକ୍ତିଗତ ଜୀବନ ଭେଦରେ ସାମାଜିକ ଜୀବନ ନାନା ସ୍ତରର ହୋଇଥାଏ । ୩ । ବ୍ୟକ୍ତି ବିଶେଷ ଉପରେ ସମାଜ ପ୍ରଭାବ ପଡ଼ିଲେ ବ୍ୟକ୍ତିଗତ ଜୀବନ ଗଠିତ ହୁଏ । ୪ । ମାନବ ସେବାହିଁ ଈଶ୍ୱରଙ୍କ ପୂଜା ।

 

ସାପ

 

୧ । ସରୀସୃପମାନଙ୍କ ପ୍ରକୃତି ଓ କ୍ରିୟା; ତାଙ୍କ ମଧ୍ୟରେ ସାପର ସ୍ଥାନ । ୨ । ଗ୍ରୀଷ୍ମ ପ୍ରଧାନ ଦେଶରେ ପ୍ରକାର, ସଂଖ୍ୟା ଓ ବିଷ ଅଧିକ । ୩ । ବିଷାକ୍ତ ଓ ବିଷହୀନ ସାପ; ସେମାନଙ୍କ ପ୍ରକୃତି । ୪ । ସାପକାମୁଡ଼ାର ପ୍ରତିକାର । ୫ ସମାଜ ବିଶେଷରେ ସାପର ପୂଜା ।

 

ବନ୍ଧୁ ନିର୍ବାଚନ

 

୧ । ସଂସର୍ଗରେ ଚରିତ୍ର ବିକାଶ ପାଏ । ୨ । ଜଡ଼, ଜୀବନ୍ତ ସବୁ ପ୍ରକାର ବନ୍ଧୁ ଖୋଜାଯାଇପାରେ । ୩ । ଉଦ୍ଦେଶ୍ୟ ସ୍ଥିର ରଖି ଅନୁକୂଳ ସଂସର୍ଗ ଖୋଜିବାକୁ ହେବ । ୪ । ମାନବ ବନ୍ଧୁଙ୍କୁ ଦୁଃଖ ଦୁର୍ବିପାକ ବେଳେ ଚିହ୍ନାଯାଏ । ୫ । ଅନ୍ୟ ବନ୍ଧୁମାନେ ଚିର ସହଚର ।

 

୨ । ନିମ୍ନଲିଖିତ ବିଷୟମାନଙ୍କର ସଙ୍କେତ ସ୍ଥିର କରି ପ୍ରବନ୍ଧ ଲେଖ :–

 

ଆତ୍ମନିର୍ଭରତା, ବୀରତ୍ୱ, ଘୋଡ଼ା, ପୁରୁଷୋତ୍ତମଙ୍କ କାଞ୍ଚୀ ବିଜୟ, ଉପାସନା, ଉପନ୍ୟାସ ପାଠ, ଗ୍ରହଣ, ଅଭାବ ଉଦ୍ଭାବନର ମୂଳ, ମହରମ, ସମୁଦ୍ର କୂଳରେ ସାୟଂକାଳୀନ ଭ୍ରମଣ, ଭାରତରେ ଶୀତ, କୁସଂସ୍କାର, ନଡ଼ିଆ ଚାଷ, ପଲ୍ଲିର ହାଟ, ବିବାହରେ ଅର୍ଥବ୍ୟୟ, ଭୂମିକମ୍ପ, ବନ୍ୟା ଓଡ଼ିଶାର ପ୍ରାଚୀନ ସାହିତ୍ୟ, ସୀତାଙ୍କର ନିର୍ବାସନ, ସାବିତ୍ରୀଙ୍କ ପତିଭକ୍ତି, କୁରୁପାଣ୍ଡବ ଯୁଦ୍ଧ, ପୁରୀର ଜଗନ୍ନାଥ ମନ୍ଦିର, ବାଧ୍ୟତାମୂଳକ ଶିକ୍ଷା, ପଲ୍ଲିର ସ୍ୱାସ୍ଥ୍ୟ, ଯୌଥ କାରବାର, ପାହାଡ଼ର ଭୀମକାନ୍ତ ଛବି, ଚିଲିକାରେ ନୌଯାତ୍ରା, ଛାତ୍ରଜୀବନ, ପିତୃଭକ୍ତି, ପୁରାତନ ଗୁରୁଗୃହବାସ, ସତ୍ୟବାଦିତା, କ୍ରୋଧ, ଗାଈ, ସରସ୍ୱତୀ ପୂଜା, ପୂର୍ଣ୍ଣିମା ରାତ୍ରରେ ଉଦ୍ୟାନ ଭ୍ରମଣ , ଦୂରଭ୍ୟାସ, ଶିବରାତ୍ରି ପାଳନା, ପଲ୍ଲିଜୀବନ, ଉତ୍କଳରେ ସଂସ୍କୃତ ଚର୍ଚ୍ଚା, ଖଣ୍ଡଗିରି, ଚରିତ୍ରଗଠନ, ରାଜଭକ୍ତି, ହିନ୍ଦୁବିଧବାର ନୈଷ୍ଠିକତା, ଭାରତରେ ବ୍ରିଟିଶ ଶାସନ, ଅନୁତାପ, ବିବାହ, ସାଧୁତା, ବାଘ, ପଲ୍ଲିପାଠଶାଳା, ତୋଫନ, ଉତ୍କଳରେ ମରହଟ୍ଟା, ହିନ୍ଦୁର ଯାତ୍ରାପର୍ବ, ଶାରୀରିକ ବଳାଧାନ, ବାଉଁଶ, ଉତ୍କଳରେ ରାଜାମାନଙ୍କ ସାହିତ୍ୟ ଚର୍ଚ୍ଚା; ସହର ଜୀବନରେ ବିଳାସ ଓ ଅନୁଦାରତା ଆତ୍ମପରୀକ୍ଷା, ବିନୟ, ମ୍ୟାଲେରିଆ, କ୍ଷମା, ଇତିହାସ ପାଠ, ସମ୍ମାନ, ଉତ୍କଳସାହିତ୍ୟର ବର୍ତ୍ତମାନ ଅବସ୍ଥା, ଆଶା ଗର୍ବ ଅହଂକାର, ସାହିତ୍ୟିକ ଜୀବନ, ଚରିତ୍ର ଉପରେ ଜଳବାୟୁର କାର୍ଯ୍ୟ, ସ୍ୱାର୍ଥପରତା, ପ୍ରାଚୀନ ଜାତି ତତ୍ତ୍ୱ, ସ୍ୱଦେଶ ପ୍ରେମ, ଜ୍ଞାନର ସହିତ ଭକ୍ତି, ପଲ୍ଲିବାସ ସହ ପୌରବାସର ତୁଳନା, ରାଧାନାଥଙ୍କସହ ମଧୁସୂଦନ ।

Image